Unknown

 

 

 

 

 

 

 

 

 

 

 

ଉପନାୟିକା

ପ୍ରତିଭା ରାୟ

 

 

 

 

 

ଉତ୍ସର୍ଗ

 

ମୋ ଉପନ୍ୟାସ ‘ଅପରିଚିତା’ର ସଫଳ ଚଳଚ୍ଚିତ୍ର ନିର୍ଦ୍ଦେଶକ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶ୍ରେଷ୍ଠ ଅଭିନେତା ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସାଧୁ ମେହେର ଏବଂ ତାଙ୍କ ସଫଳ କୃତୀର ପ୍ରେରଣାଦାତ୍ରୀ ଶ୍ରୀମତୀ ଶାନ୍ତି ମେହେରଙ୍କ କରକମଳରେ ସଶ୍ରଦ୍ଧା ଉପହାର ମୋର ଏଇ ଉପନାୟିକା ।

 

–ଲେଖିକା

Image

 

ପ୍ରତିଭା ରାୟଙ୍କ ଅନ୍ୟ କେତୋଟି ସଫଳ ସୃଷ୍ଟି

 

ବର୍ଷା ବୈଶାଖ ବସନ୍ତ

ଡାଳିମ୍ବ ଫୁଲର ହସ

କାଇଁଚର ସପନ

ସାମାନ୍ୟ କଥନ

ନିଷିଦ୍ଧ ପୃଥିବୀ

ପୁଣ୍ୟତୋୟା

ଗଙ୍ଗଶିଉଳୀ

ଅପରିଚିତା

ପରିଚୟ

ଅରଣ୍ୟ

 

The great pleasure in life is doing what people say you can not do.

 

–Walter Bachehot.

Image

 

ଜୀବନ ଏକ ଜଟିଳ ପ୍ରଶ୍ନ । ଯାହାର କୌଣସି ନିର୍ଭୁଲ ଉତ୍ତର ନାହିଁ । ଜୀବନର ଆରମ୍ଭ କେଉଁଠୁ, ତାର ଅବଶେଷ ବା କ’ଣ କିଏ ଜାଣେ ସେ କଥା ? ପ୍ରତ୍ୟେକ ମଣିଷର ଜୀବନ-ଦର୍ଶନ ସ୍ୱତନ୍ତ୍ର । ବେଳେବେଳେ ମଣିଷର ଜୀବନ-ଦର୍ଶନ ଅବସ୍ଥାଚକ୍ରରେ ବଦଳି ବି ଯାଏ I

 

ଦ୍ରାକ୍ଷାର ଆଜି ସେଇ ଅବସ୍ଥା । ଦିନେ ଯେଉଁ ଜୀବନଟା ମନେ ହେଉଥିଲା ଅଜସ୍ର ପୂର୍ଣ୍ଣତାରେ ଭରପୂର, ଆଜି ତାହା ଏକ ବିରାଟ ଶୂନ୍ୟତା ନିର୍ମମ ହାହାକାରରେ ପରିଣତ ହେଇଛି ।

 

ଜୀବନକୁ ନେଇ ଏତେସବୁ ଗଭୀର ଚିନ୍ତନ ନିତାନ୍ତ ବୋକାମୀ । ଖେଳଓ୍ୱାଡ୍ ମନ ନେଇ ଜୀବନଟାକୁ ଖୁବ୍ ଲଘୁ ଭାବେ ଗ୍ରହଣ କରି ନେଇଥିଲେ ନିଶ୍ଚିତ ଭାବେ ସେ ସୁଖୀ ହୋଇଥାନ୍ତା; କିନ୍ତୁ ତାହା ସେ କରି ପାରିଲା ନାହିଁ ।

 

ଚତୁର ଲୋକମାନେ ଜୀବନରେ ଅସୁଖୀ; କାରଣ ସେମାନେ ଅନେକ ସୂକ୍ଷ୍ମଚିନ୍ତା କରିଥାଆନ୍ତି । ଏହା ବୈଜ୍ଞାନିକଙ୍କର ମତ । ସେ ତେବେ ଖୁବ୍ ଚତୁରା ବାଃ । ମନେ ମନେ ହସିଲା ଦ୍ରାକ୍ଷା । ତା ଚତୁରତାର ସୀମା ନାହିଁ । ସେଇଥିପାଇଁ କମଳେଶ, ସୁଖେନ୍ଦୁ ଓ ତାକୁ ନେଇ ଯେଉଁ ଜଟିଳ ସମସ୍ୟାର ବୁଢ଼ିଆଣୀ ଜାଲ ସମସ୍ତଙ୍କର ସହଜ ସାବଲୀଳ ଜୀବନକୁ ଈର୍ଷା, ସନ୍ଦେହ, ଅସହିଷ୍ଣୁତା, ପ୍ରତିଶୋଧ ପରାୟଣତାରେ ଛନ୍ଦି ମନ୍ଥି ଅସ୍ଥିର କରିଦେଉଥିଲା–ତାର ଏଡ଼େ ସହଜ ସମାଧାନ ସେ କରିପାରିଥିଲା ।

 

କମଳେଶ ଆଉ ସୁଖେନ୍ଦୁ ଏବେ କ’ଣ କରୁଥିବେ ? ତାକୁ ଝୁରି ହେଉଥିବେ; ତାର ସ୍ପର୍ଶ କାମନାରେ ଅଧୀର ହେଉଥିବେ ? ନା ତା’ ଚରିତ୍ରସଂହାର କରି କୁତ୍ସାରଟନା କରୁଥିବେ ?

 

କମଳେଶ ଆଉ ସୁଖେନ୍ଦୁ । କିଏ ତାର ପତି ? କିଏ ତାର ପତିଙ୍କର ବନ୍ଧୁ ? କେଉଁଠୁ ସେ ଆରମ୍ଭ କରିବ କମଳେଶଙ୍କଠାରୁ ? ନା, ସୁଖେନ୍ଦୁ ତା’ ଜୀବନର ପ୍ରଥମ ସୁଖର ଚନ୍ଦ୍ରୋଦୟ । ସୁଖେନ୍ଦୁଙ୍କୁ ପାଇବାଦିନ ତାର ମନ ହେଇଥିଲା ସୁଖେନ୍ଦୁ, ତା ଜୀବନରେ ତାଙ୍କ ନାମର ଯଥାର୍ଥତା ପ୍ରତିପାଦନ କରିଛନ୍ତି । ନାରୀ ଜୀବନରେ ଏତେ ସୁଖ ଏତେ ପ୍ରାଣପ୍ରାଚୁର୍ଯ୍ୟ ଥାଏ ବୋଲି ସେ ତ ଆଗରୁ କଳ୍ପନା କରି ନ ଥିଲା । ସୁଖେନ୍ଦୁ ହିଁ ତାକୁ ସେ କଥା ଜାଣିବାକୁ ଦେଇଥିଲେ । ତା’ ମନର ନିର୍ମଳ ଆକାଶରେ ସୁଖର ଇନ୍ଦୁ ହୋଇ ସେ ପ୍ରେମ-ସ୍ନେହର ଜ୍ୟୋତ୍ସ୍ନାଧାରାରେ ତାକୁ ସ୍ନିଗ୍ଧ-ରୋମାଞ୍ଚିତ କରିଥିଲେ । ସୁଖେନ୍ଦୁ କିନ୍ତୁ ତା’ ଜୀବନରେ ସବୁଦିନ ପାଇଁ ପୂର୍ଣ୍ଣେନ୍ଦୁ ହୋଇ ରହି ପାରିଲେନାହିଁ । ମଧୁ ରାତ୍ରି ଚିରଦିନ ଜ୍ୟୋତ୍ସ୍ନାୟିତ ହେଲା ନାହିଁ ।

 

ଦିନେ ତା’ ଆକାଶରେ ଆସିଲା ଅମାବାସ୍ୟା । ହଠାତ୍ ସେ ଅନୁଭବ କଲା ଚନ୍ଦ୍ରର ଆଲୋକିତ ପାର୍ଶ୍ୱଟି ହିଁ ସେ ଏ ପର୍ଯ୍ୟନ୍ତ ଦେଖି ଆସିଛି । ସୁଖେନ୍ଦୁଙ୍କର ଅନ୍ଧକାର ପାର୍ଶ୍ଵଟି ତାର ନୀଳ ନିଝୁମ ରାତିର ମଧୁର ସ୍ଵପ୍ନଟାକୁ ଅବାସ୍ତବରେ‌ କରୁଣ କରିଦେଲା ନିହାତି ଅପ୍ରତ୍ୟାଶିତ ଭାବେ । ଦୋଷ କାହାର ? ଚନ୍ଦ୍ରର ଅନ୍ଧକାର ପାର୍ଶ୍ଵ ପାଇଁ କ’ଣ ଚନ୍ଦ୍ର ଦାୟୀ ? ପ୍ରକୃତି ତ ତାକୁ ସେମିତି କରି ଗଢିଛି । ପୃଥବୀ ଯଦି ତାର ଅକ୍ଷଦଣ୍ଡର ଚତୁଃପାର୍ଶ୍ଵରେ ଘୂରି ସୂର୍ଯ୍ୟଙ୍କର ଆଲୋକରେ ସର୍ବତ୍ତୋଭାବେ ଆଲୋକିତ ହେଇପାରିଲା ଚନ୍ଦ୍ର କାହିଁକି ତାର ଅକ୍ଷଦଣ୍ଡର ଚତୁଃପାର୍ଶ୍ଵରେ ଘୂରିଲା ନାହିଁ ? ଏ ପ୍ରଶ୍ନର ଉତ୍ତର କିଏ ଦବ ? ଏଥିପାଇଁ ଚନ୍ଦ୍ରଙ୍କୁ ତ ଦୋଷାରୋପ କରାଯାଇ ନ ପାରେ । ସୁଖେନ୍ଦୁଙ୍କର କୈଫିୟତଟା ଠିକ୍ ଏମିତି । –ମୁଁ ତ ମଣିଷ । ମଣିଷର ଭୁଲ ହୁଏ । ମୋର ଏ ଭୁଲ ଏମିତି କିଛି ଅସ୍ୱାଭାବିକ କଥା ନୁହେଁ । ନିଜକୁ ମୁଁ ଅନେକ ବୁଝାଇଛି । ବିବେକର ଛାଟ ମାରି ମୋର ବିକଟ କାମନାମାନଙ୍କୁ ମୁଁ ଅନେକ ଶାସନ କରିଛି । ମାତ୍ର ସବୁବେଳେ ବିବେକର ଛାଟ କାର୍ଯ୍ୟକାରୀ ହୁଏନାହିଁ । ମୋର ଠିକ୍ ତାହା ହିଁ ହେଲା । ମୁଁ ମଣିଷ ହୋଇ ରହିଗଲି । ଦେବତା ହୋଇପାରିଲି ନାହିଁ । ପୁରୁଷ ହୋଇ ରହିଗଲି । ମହାପୁରୁଷ ହୋଇପାରିଲି ନାହିଁ ।

 

ସୁଖେନ୍ଦୁ ନିଜକୁ ପୁରୁଷ ଓ ମଣିଷ ବୋଲି ପ୍ରତିପାଦନ କରିଦେଲେ । ସେ ତାଙ୍କୁ କାପୁରୁଷ, ଅମଣିଷ ବୋଲି କହିବାର ଅବକାଶ ଆଉ ରହିଲା ନାହିଁ ।

 

ବାସ୍ । ୟା’ପରେ ତା ଜୀବନରେ ସୁଖେନ୍ଦୁଙ୍କ ଉପାଖ୍ୟାନର ଅନ୍ତିମ ଅଧ୍ୟାୟର ଶେଷ ପଂକ୍ତି ପୂର୍ଣ୍ଣଚ୍ଛେଦ । ଇତି ।

 

ପରବର୍ତ୍ତୀ ଅଧ୍ୟାୟରେ କମଳେଶ ହିଁ ମୁଖ୍ୟ ନାୟକ । ତା’ ଜୀବନରେ‌ ବେଦନାର ପଙ୍କରେ କମଳେଶ ସୁଖର ପଦ୍ମ ହେଇ ତାକୁ ସୁରଭିତ, ଆମୋଦିତ କରିଥିଲେ । ପ୍ରେମର ପରାକାଷ୍ଠା ଦେଖାଇବାରେ ପଦ୍ମ ସଙ୍ଗେ କାହାର ବା ତୁଳନା କରାଯାଇପାରେ ? ନିଜର ପ୍ରେମିକ ମଧୁପକୁ ସେ ଏକାନ୍ତ ନିଜସ୍ଵ କରି ରଖିବାକୁ ଚାହେଁ । କାଳେ କେଉଁ ରାତ୍ରି କୁସୁମର ଉତ୍ତାଲ ସୁଗନ୍ଧରେ ମଧୁପ ମତିହରା ହେବ ସେଇ ଭୟରେ ସେ ରାତ୍ରିର ବାସରଶେଯରେ ନିଜର ପ୍ରିୟ ପ୍ରେମିକର ଶେଷଶଯ୍ୟା ପ୍ରସ୍ତୁତ କରେ, ନିଜର ପାଖୁଡ଼ାର ଆଲିଙ୍ଗନରେ ତାକୁ ବନ୍ଦୀ କରି । ପ୍ରେମିକର ପ୍ରାଣଠାରୁ ତାର ପ୍ରେମ ହଁ ବେଶି କାମ୍ୟ । ପଦ୍ମର ତାହା ମହାନତା । ପ୍ରେମର ପରାକାଷ୍ଠା । କମଳେଶ ଯଦି ତାକୁ ଏକାନ୍ତ ନିଜସ୍ଵ କରି ପାଇବା ପାଇଁ ତା ପ୍ରାଣଠାରୁ ପ୍ରେମକୁ ବେଶି ବଡ଼ ମନେକଲେ ତେବେ ତାଙ୍କର ତ ସେଇଟା ମହାନତା । ତାଙ୍କ କଥା ବି ଠିକ୍, ଏମିତି– ନିଜର ପ୍ରିୟାଠାରେ ଆଉ କାହାର ସାମାନ୍ୟତମ ଅଧିକାର ଯେକୌଣସି ସୁପୁରୁଷର ଅସହ୍ୟ । ଯିଏ ତାକୁ ସହ୍ୟ କରି ଉଦାରତା–ମହାନତାର ଡେଙ୍ଗୁରା ପିଟେ, ସେ ସୁପୁରୁଷ ନୁହେ–କାପୁରୁଷ, କ୍ଳୀବ ।

 

ସୁଖେନ୍ଦୁ ନିଜକୁ ପୁରୁଷ ବୋଲି ପ୍ରତିପାଦିତ କରିଥିଲେ । କମଳେଶ ନିଜକୁ ସୁପୁରୁଷ ଭାବେ ପ୍ରମାଣିତ କରିଦେଲେ । ୟାପରେ କାଠଗଡ଼ାର ଦୋଷୀ ଆସାମୀ ସେ ନିଜେ । ତିନିଜଣ ଆସାମୀଙ୍କ ଭିତରୁ ଦୁଇଜଣ ନିଜ ନିଜର ରାୟ ଉପରେ ନିର୍ଦ୍ଦୋଷରେ ଖଲାସ ହେବାପରେ ତୃତୀୟ ବ୍ୟକ୍ତି ହିଁ ଦୋଷୀ ପ୍ରମାଣିତ ହେବା ସ୍ୱାଭାବିକ । ତା ପାଇଁ କୌଣସି କୈଫିୟତର ଆବଶ୍ୟକତା ନାହିଁ । ତା କଥାଟା ଠିକ୍ ସେମିତି । ନିଜ ତରଫରୁ ତାର ନିଜ ସଫେଇ ଦେବାପାଇଁ କିଛି କହିବାର ନାହିଁ ।

 

ନାରୀ ଜୀବନର ଅନେକ ସୁଖ-ସ୍ୱପ୍ନ, ଅଜସ୍ର କାମନାକୁ ଜାମିନ୍ ରଖି ସେ ମୁକ୍ତହୋଇ ଆସିଥିଲା । ଏବେ ତାର କାମନା ଓ ସ୍ଵପ୍ନ ସବୁ ସୁଖେନ୍ଦୁ ଓ କମଳେଶଙ୍କ ଦରବାରରେ ଆର୍ତ୍ତଚିତ୍କାର କରୁଥିବେ । ସେମାନଙ୍କୁ ଉତ୍ସର୍ଗ କରି ସେ ଏବେ ସମ୍ପୂର୍ଣ୍ଣ ମୁକ୍ତ । କାମନାର ବିନାଶରେ ଦୁଃଖର ବିନାଶ । ତାର ଆଉ ଦୁଃଖ କ’ଣ ? ସତ୍ତ୍ଵେ କ’ଣ ତା ଦୁଃଖର ବିନାଶ ହେଇଛି । ସେ ହେଇଯାଇଛି ମହାମାନବୀ !

 

ଆଜି ତାର ଏଇ ନିସଙ୍ଗ ନିରୋଳା ବାସଗୃହରେ ସେ ଅତୀତର ଫର୍ଦ୍ଦ ଓଲଟାଇ ସମୟକୁ ହତ୍ୟା କରୁଛି । ଆତ୍ମଚିନ୍ତନରେ ମଣିଷର ଢେର ଆନନ୍ଦ । ସେ ସୁଖର କଥା ହେଉ କି ଦୁଃଖର କଥା ହେଉ, ନିଜକୁ ସଂପୃକ୍ତ କରି ଯାହା କିଛି ଅତୀତର ସ୍ମୃତି– ତାହା ନିଷ୍ଠୁର ହେଲେ ବି ପ୍ରାଣସ୍ପର୍ଶୀ ।

 

ଆଜି ତାର ଏଇ ଗଭୀର ଆତ୍ମଚିନ୍ତନର ପ୍ରଥମ ଭାଗ ସୁଖେନ୍ଦୁଙ୍କର ସଂଳାପରେ ପରିପୂର୍ଣ୍ଣ । କାନ ଡେରିଲେ ସ୍ମୃତିର ଟେପ୍ ରେକର୍ଡରେ ସୁଖେନ୍ଦୁଙ୍କର ସମସ୍ତ ସଂଳାପ ନିର୍ଭୁଲ ଭାବେ ବାଜୁଛି । ଏଇତ କାଲିଭଳି ଲାଗୁଛି, ସୁଖେନ୍ଦୁଙ୍କ ସହ ତାର ସେଇ ପ୍ରଥମ ବିବାହିତ ଜୀବନର ପ୍ରତିଟି ରୋମାଞ୍ଚିତ କଥା....ସ୍ୱଗତୋକ୍ତିର ପ୍ରଥମ ଭାଗ ।

 

ବନ୍ଧୁ କମଳେଶର ଫ୍ଲାଟରେ ପ୍ରଥମେ ଆସି ଓହ୍ଲାଇବାକୁ ହେଲା । ବିବାହର ମାତ୍ର କେତେଟା ଦିନପରେ କମଳେଶର ସହରକୁ ସୁଖେନ୍ଦୁଙ୍କର ବଦଳି ହେଲା । କମଳେଶ ଓ ସୁଖେନ୍ଦୁ, ଉଭୟେ ଆନନ୍ଦିତ ହେଲେ । ଦୁହେଁ ଏକବାରେ ଅନ୍ତରଙ୍ଗ । କଲେଜ ଜୀବନରେ ଦୀର୍ଘ ଛଅ ବର୍ଷର ଘନିଷ୍ଠ ବନ୍ଧୁତା । ଛଅବର୍ଷଯାକ ଗୋଟିଏ ରୁମ୍‌ରେ ରହିବାର ସୁଯୋଗ ନ ମିଳିଥିଲା ହଷ୍ଟେଲରେ । ସେଥିପାଇଁ ଦୁହିଁଙ୍କ ଭିତରେ ଅଭେଦ୍ୟ ପ୍ରୀତି । ସେ ପ୍ରୀତିର ସୀମାରେଖା ଧାର୍ଯ୍ୟ କରିବା କଠିନ । ସୁଖେନ୍ଦୁଙ୍କର ଅବସ୍ଥା ସ୍ୱଚ୍ଛଳ ନ ଥିଲା । ପିତାଙ୍କ ମୃତ୍ୟୁପରେ ତାଙ୍କ ପରିବାର ଅର୍ଥସଙ୍କଟର ସମ୍ମୁଖୀନ ହେଲେ । ସୁଖେନ୍ଦୁ ଅବଶ୍ୟ ମେଧାବୀ ଛାତ୍ର । ତଳ କ୍ଳାସରୁ ମେଧାବୀ ବୃତ୍ତି ଲାଭ କରି ତାଙ୍କର ପାଠପଢ଼ା । ସୁଖେନ୍ଦୁଙ୍କ ମା’ଙ୍କର ପ୍ରବଳ ଝୁଙ୍କ୍–ସୁଖେନ୍ଦୁ ତାଙ୍କର ଯେତେ ପଢ଼ୁ, ସମସ୍ତ କଷ୍ଟ ସ୍ଵୀକାର କରି ସେ ତାର ପଢ଼ାଖର୍ଚ୍ଚ ବହନ କରିବେ । ବାସ୍ତବିକ୍ ତାହାହିଁ ସେ କରିଥିଲେ । ଭଉଣୀ ଦୁହେଁ ଆଗରୁ ବିବାହ କରିଥିଲେ । ସୁଖେନ୍ଦୁ ଥିଲେ ଏକମାତ୍ର ପୁତ୍ର ସନ୍ତାନ । ସ୍ଵଳ୍ପ ଜମିର ଆୟରେ ନିଜେ ଚଳି ସୁଖେନ୍ଦୁଙ୍କର ପଢ଼ା ଖର୍ଚ୍ଚ ବହନ କରିଥିଲେ ମାଆ । ମଝିରେ ମଝିରେ ପ୍ରବଳ ଅର୍ଥ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ୁଥିଲା ସୁଖେନ୍ଦୁଙ୍କୁ । କମଳେଶ ଥିଲେ ବାଲ୍ୟକାଳରୁ ପିତୃମାତୃହୀନ; କିନ୍ତୁ ପିତାଙ୍କର ଅଜସ୍ର ସମ୍ପତ୍ତିର ଉତ୍ତରାଧିକାରୀ ଥିଲେ ମାତ୍ର ସେ ଜଣେ । ସେ ଥିଲେ ପିତାଙ୍କର ଏକମାତ୍ର ସନ୍ତାନ । ମାମୁଁଙ୍କ ରକ୍ଷଣାବେକ୍ଷଣରେ ତାଙ୍କର ସମସ୍ତ ସମ୍ପତ୍ତି ସୁରକ୍ଷିତ ଥିଲା । ଆବଶ୍ୟକତାଠାରୁ ଅଧିକ ଅର୍ଥ ମାମୁଁ ତାଙ୍କୁ ପଠାଉଥିଲେ । ଅନେକ ସମୟରେ କମଳେଶ ସୁଖେନ୍ଦୁଙ୍କର ଆର୍ଥିକ ସଙ୍କଟ ଦୂର କରୁଥିଲେ ଆଗ୍ରହର ସହ । ସୁଖେନ୍ଦୁଙ୍କର ବାରଣ ସେ ମାନୁ ନ ଥିଲେ । ସୁଖେନ୍ଦୁ ସଙ୍କୁଚିତ କୁଣ୍ଠିତ ହେଲେ ମଧ୍ୟ ତାହା ତାଙ୍କର ନିତାନ୍ତ ଆବଶ୍ୟକ ଥିଲା । କମଳେଶଙ୍କର ସାମୟିକ ଅର୍ଥ ସାହାଯ୍ୟ ବିନା ତାଙ୍କ ଶିକ୍ଷା ହୁଏତ ସମାପ୍ତ ହେଇପାରି ନ ଥାନ୍ତା । ଅଧ୍ୟୟନ ହିଁ ସୁଖେନ୍ଦୁଙ୍କର ପ୍ରାଣ ଅଧ୍ୟୟନ ଶେଷ ନକରି ପାରିଥିଲେ ତାଙ୍କର ଯେଉଁ ଫ୍ରଷ୍ଟ୍ରେସନ ଆସିଥାନ୍ତା,ତାର ପରିଣାମ ଅତ୍ୟନ୍ତ ବିଷମୟ ହେଇଥାନ୍ତା । ସୁଖେନ୍ଦୁଙ୍କର ଉଜ୍ଜ୍ଵଳ ଭବିଷ୍ୟତ ବିକଳାଙ୍ଗ ବିକାରଗ୍ରସ୍ତ ହୋଇ ପଡ଼ିଥାନ୍ତା । କମଳେଶ ସୁଖେନ୍ଦୁଙ୍କୁ ଠିକ୍ ବୁଝିଥିଲେ । ସେଇଥିପାଇଁ ସେ ସୁଖେନ୍ଦୁଙ୍କର ସମସ୍ତ ବାରଣ ପ୍ରତ୍ୟାଖ୍ୟାନ କରି ତାଙ୍କୁ ସାହାଯ୍ୟ କରୁଥିଲେ । ତା ଛଡ଼ା ତାଙ୍କର ତ ଅର୍ଥର ଅଭାବ ନ ଥିଲା ।

 

ପ୍ରତିଦାନରେ ସୁଖେନ୍ଦୁଙ୍କର ମାଆଙ୍କ ଠାରୁ କମଳେଶ ପାଉଥିଲେ ଅକୃତ୍ରିମ ସ୍ନେହ ଅକୁଣ୍ଠ ବାତ୍ସଲ୍ୟ । ଯେଉଁ ଗୋଟିକ କମଳେଶଙ୍କ ଜୀବନରେ ଥିଲା ମସ୍ତବଡ଼ ଅଭାବ । ଯେଉଁ ସ୍ନେହର ସ୍ପର୍ଶ ଦେବାପାଇଁ ଏ ବିରାଟ ସଂସାରରେ ଜଣେ କେହି ନ ଥିଲେ ତାଙ୍କର । କମଳେଶଙ୍କର ସହରରେ ଅନେକ ସମ୍ପତ୍ତି । ପିଲାଦିନରୁ ସହର ଜୀବନର ଯାନ୍ତ୍ରୀକ ପରିବେଷ୍ଟନୀରେ ସେ ବଢ଼ି ଉଠିଥିଲେ । ସୁଖେନ୍ଦୁଙ୍କର ଘର ଗାଁରେ । ଗ୍ରାମ୍ୟଜୀବନ ଭିତରକୁ ଫେରି ଯାଉଥିଲେ ସେ ପ୍ରତ୍ୟେକ ଛୁଟିରେ । ସଙ୍ଗରେ ଯାଉଥିଲେ କମଳେଶ । ସତେଯେପରି କମଳେଶ ତାଙ୍କର ବନ୍ଧୁ ନୁହନ୍ତି– ସହୋଦର ଭାଇ ।

 

ଦୁହିଁଙ୍କର ରୁଚିବୋଧରେ ମଧ୍ୟ ଅସମ୍ଭବ ସାମ୍ୟ । ପୋଷାକ ପରିଚ୍ଛଦ– ଖାଦ୍ୟପେୟରେ ମଧ୍ୟ ଦୁଇ ବନ୍ଧୁ ସମରୁଚିସମ୍ପନ୍ନ । ସୁଖେନ୍ଦୁଙ୍କର ମା’ କହନ୍ତି କମଳେଶ ଭୁଲରେ ତାଙ୍କ ପେଟରୁ ଜନ୍ମ ନ ହୋଇ ଅନ୍ୟର ହେଇ ଜନ୍ମ ହେଇଛନ୍ତି ।

 

ଦୁହିଁଙ୍କର ପାଠ୍ୟ ବିଷୟ ଏକ ଥିଲା । ପରସ୍ପରକୁ ଦୁଇବନ୍ଧୁ, ଏତେ ନିଃସ୍ୱାର୍ଥପର ଭାବେ ପ୍ରେମ କରୁଥିଲେ ସେ ଦୁହିଁଙ୍କର ତ୍ୟାଗ ଦୁହଁଙ୍କ ପାଇଁ ଅସୀମ ଥିଲା ।

 

କମଳେଶ ବି ଛାତ୍ର ଭାବେ କମ୍ ମେଧାବୀ ନ ଥିଲେ । ଦୁହିଁଙ୍କର ପାଠ୍ୟ ବିଷୟ ଏକ ହୋଇଥିବାରୁ ବେଳେବେଳେ ଦୁଇବନ୍ଧୁଙ୍କ ଭିତରେ ପ୍ରତିଦ୍ୱନ୍ଦିତା ହୋଇଯାଏ । ପ୍ରତିଦ୍ୱନ୍ଦ୍ୱତାରେ ସୁଖେନ୍ଦୁ ହିଁ ପ୍ରଥମ ସ୍ଥାନର ଅଧିକାରୀ ହେବା ନିଶ୍ଚିତ ହୋଇଯାଇଥିଲା । ଗୋଟାଏ ଥର କମଳେଶ କିନ୍ତୁ ସୁଖେନ୍ଦୁଙ୍କୁ ଟପିଗଲେ ଅନେକ ନମ୍ବର ଅଧିକ ରଖି । ଦୁଃଖ କରିବାର କଥା ସୁଖେନ୍ଦୁଙ୍କର । ମାତ୍ର ଦୁଃଖ, ଅପରାଧବୋଧରେ କମଳେଶ ଗୋଟାଏ ଦିନ ସୁଖେନ୍ଦଙ୍କୁ ଲୁଚି ବୁଲିଲେ । ଯେମିତି ଗୋଟାଏ କିଛି ଅକ୍ଷମଣୀୟ ଅପରାଧ କରିଛନ୍ତି । କଂଗ୍ରାଚ୍ୟୁଲେସନ୍‌ସ ଜଣାଇବା ପାଇଁ ସୁଖେନ୍ଦୁ, ବ୍ୟଗ୍ର ହେଇ ଉଠିଲାବେଳକୁ କମଳେଶ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରି ପାଠ୍ୟ ବିଷୟ ବଦଳାଇ ସାରିଥିଲେ । ସୁଖେନ୍ଦୁ‌ ବିସ୍ମିତ ବ୍ୟଥିତ ପ୍ରଶ୍ନ କରିଥିଲେ କମଳ ! ତୁ କ’ଣ ପାଗଳ ହେଲୁ ? ତୋର ପ୍ରିୟ ସବ୍‌ଜେକ୍‌‌ଟଟା ବଦଳାଇ ଦେବାଦ୍ଵାରା ତୁ ନିଜେଇ କ୍ଷତିଗ୍ରସ୍ତ ହେବୁ । ମୁଁ ଜାଣେ ଅନ୍ୟ କୌଣସି ସବ୍‌ଜେକ୍ଟ ତତେ ଏତେ ଇଣ୍ଟରେଷ୍ଟିଂ ଲାଗେ ନାହିଁ । ଏହାଦ୍ଵାରା ତୁ ମତେ କେତେ ଛୋଟ କରିଦେଇଛୁ ଭାବି ପାରୁଛୁ ତ ? ସତେ ଯେମିତି ତୋର କୃତିତ୍ଵରେ ମୁଁ ଈର୍ଷାତୁର ହେଇ ଉଠିଛି ବୋଲି ତୁ ଏପରି କରିଛୁ । ତୋ ମନରେ ଏ କି ସଂକୀର୍ଣ୍ଣତା ?

 

କମଳେଶ ହସି ହସି କହିଥିଲେ କଥାଟାକୁ ଏତେ ଗୁରୁତ୍ଵ ଦେଇ ଓଜନଦାର କରିଦେ ନା ସୁଖେନ୍ । ତୁ ଜାଣୁ ପାଠ ମୋ ଜୀବନର ଚରମ ଲକ୍ଷ୍ୟ ନୁହେଁ । ଗୋଟିଏ ସୌକରେ ମୁଁ ପଢୁଛି-। ପାଠ ଶେଷ କରି ମୁଁ ମୋ ସମ୍ପତ୍ତିର ମୂଳଧନ ଖଟାଇ ବଡ଼ ଧରଣର ଏକ ବ୍ୟବସାୟ ସଂସ୍ଥା ଗଢ଼ିବି । ତେଣୁ ଯାହା ପଢ଼ିଲେ ବି ମୋ ପକ୍ଷରେ ଏକ କଥା । କିନ୍ତୁ ତୋ କଥା ଭାବିଲୁ ? ପାଠକୁ ଛାଡ଼ି ଦେଲେ ସଂସାରରେ ତୁ ଆଉ କ’ଣ ବୁଝୁ ? ଜୀବନରେ ପ୍ରଥମଥର ପାଇଁ ଦ୍ଵିତୀୟ ହେବା ତୋ ପାଇଁ କେଡ଼େ ନୈରାଶ୍ୟଜନକ କହ ତ ? ୟା’ର ପ୍ରଭାବ ତୋର ଉଜ୍ଜ୍ଵଳ ଭବିଷ୍ୟତ ଉପରେ ନିଶ୍ଚୟ ରେଖାପାତ କରିବ । ତୁ ଯେତେ ମୁହଁଟାଣ କଲେ ବି ଏ କଥା ମିଛ ନୁହେଁ । ତୋ ଭବିଷ୍ୟତର ସୁରକ୍ଷା କ’ଣ ମୋର କର୍ତ୍ତବ୍ୟ ନୁହେଁ ? ଯେଉଁ କଥାରେ ଆମ ଦୁହିଁଙ୍କ ଭିତରେ ପ୍ରତିଦ୍ୱନ୍ଦିତା ହେବାର ସମ୍ଭାବନା ଅଛି ତାକୁ ମୂଳରୁ ବିନାଶ କରିଦେବା ଆମ ବନ୍ଧୁତ୍ୱର ସୁରକ୍ଷା ଦୃଷ୍ଟିରୁ ଶ୍ରେୟସ୍କର । ତୋ ଭଳି ବନ୍ଧୁ ଅପେକ୍ଷା ସଂସାରରେ ଅଧିକ ମୂଲ୍ୟବାନ ବସ୍ତୁ ମୋର ଆଉ କ’ଣ ଅଛି ?

 

ସୁଖେନ୍ଦୁଙ୍କର ଆଖି ସଜଳ ଉଠିଥିଲା କମଳେଶଙ୍କର ଅଦ୍ଭୁତ ସ୍ୱାର୍ଥତ୍ୟାଗରେ । ଏମିତି ବନ୍ଧୁତା କ'ଣ ସମ୍ଭବ ?

 

ଆଉ ସୁଖେନ୍ଦୁଙ୍କର ସ୍ୱାର୍ଥତ୍ୟାଗ ତ କିଛି କମ୍ ନ ଥିଲା ? କଲେଜ ଜୀବନର ତୃତୀୟ ବର୍ଷରେ ସେଇ ଯେଉଁ ସୁନ୍ଦରୀ ଲଜ୍ଜାବତୀ ଝିଅଟାକୁ ମନେ ମନେ ସେ ପ୍ରେମ କରିବାକୁ ଆରମ୍ଭ କରିଥିଲେ ତାର ଅସ୍ପଷ୍ଟ ଛବିଟା ଏବେ ବି ତାଙ୍କର ମନତଳେ ଅଙ୍କିତ ହେଇରହିଛି । ଦୂରରୁ ତାକୁ ଦେଖି ଦେଖି ସେ କେତେ ବିଭୋର ନ ହେଇଛନ୍ତି ? ଝିଅଟାକୁ ନେଇ ତାଙ୍କ ତାରୁଣ୍ୟର ସ୍ୱପ୍ନକୁ ସେ ସଂଗୋପନରେ ମନର ପୃଷ୍ଠାରେ କବିତାର ରୂପ ଦେଇଥିଲେ । ସେଇ ବୟସରେ ସମସ୍ତେ ଗୋଟାଏ ଅଧେ କବିତା ଲେଖନ୍ତି ନାହିଁ କି ? ଝିଅଟାର କଥା କମଳଙ୍କୁ କହିବେ ବୋଲି ସେ ମନେ ମନେ ସ୍ଥିର କରିଥିଲେ । କମଳେଶ ଝିଅଟାର ନାମ–ଗ୍ରାମ–ଠିକଣା ବୁଝିବେ । ତାଙ୍କ ପ୍ରେମରେ ଯୋଗସୂତ୍ର ହେବେ । ତା ଛଡ଼ା ଏ କାମ ଆଉ ବା କିଏ କରନ୍ତା ? କମଳେଶ ର ତାଙ୍କର ଏକମାତ୍ର ବିଶ୍ୱସ୍ତ ବନ୍ଧୁ ।

 

ଝିଅଟା ସହ ତାଙ୍କର ଥରେ ଅଧେ ସାମ୍ନାସାମ୍ନି ଭେଟ ବି ହେଇଯାଇଛି । ତା ସହ ତାଙ୍କର ଆଖି ଆଖିର ମିଳନରେ ସେ ରୋମାଞ୍ଚିତ ହୋଇଛନ୍ତି । ଝିଅଟା ବି ହୁଏତ ତାଙ୍କୁ ମନେ ମନେ ପସନ୍ଦ କରୁଥିଲା ।

 

ସେଦିନ ଝିଅଟାକୁ କମଳେଶଙ୍କୁ ଦେଖେଇ ଦେବା ପାଇଁ ସେ ସ୍ଥିର କରିଥିଲେ । ଦୂରରୁ ଝିଅଟାକୁ ଦେଖି ସେ କମଳେଶଙ୍କୁ ଇଙ୍ଗିତରେ ଦେଖାଇ ଦେଇଥିଲେ । କମଳେଶ ଝିଅଟାକୁ ଆଡ଼ ନୟନରେ ଦେଖି ନେଇଥିଲେ । କମଳେଶ ଆଖିରେ ବିମୁଗ୍‌ଧ ଚାହାଣି ।

 

କମନରୁମ୍‌ରେ ସୁଖେନ୍ଦୁ କହିଲେ– କେମିତି ଲାଗିଲା ?

 

କମଳେଶ କହିଲେ ଦେଖ୍, ସବୁବେଳେ ରସିକତା ମୋର ପସନ୍ଦ ହୁଏନା । ଝିଅଟାକୁ ନେଇ କିଛି ଗୋଟାଏ ମନ୍ତବ୍ୟ କରିବା ମତଲବ ଯଦି ଥାଏ ତେବେ ଦୟାକରି ଚୁପ୍ ରହିବୁ । ସୁଖେନ୍ଦୁ ନିର୍ବୋଧଙ୍କ ଭଳି କହିଲେ ଝିଅଟାକୁ ଜାଣୁ ନା କ’ଣ ? ସେ ତୋର କିଏ କିରେ, ଦୟାକରି କହିଲୁ ସେ କିଏ ?

 

କମଳେଶ ବେଶ୍ ଗମ୍ଭୀର ଭଙ୍ଗୀରେ କହିଲେ ଝିଅଟାକୁ ଜାଣିନାହିଁ ବୋଲି ତୁ ମନ୍ତବ୍ୟ ଦେଇଦେବୁ ନା କ’ଣ ? ଝିଅଟା ମୋର କିଛି ହୁଏନାହିଁ ବୋଲି ଭବିଷ୍ୟତରେ କିଛି ହେବନାହିଁ କାହିଁକି ? ଏତେ ଝିଅ ଥାଉ ଥାଉ ତୁ ସେଇ ଝିଅଟା ପଛରେ ପଡ଼ିଛୁ କାହିଁକି କହିଲୁ ?

 

ସୁଖେନ୍ଦୁ କହିଲେ ମୋର ମନେ ହେଉଛି ଝିଅଟା ଖୁବ୍ ପସନ୍ଦ ହୋଇଛି ତୋର, ନୁହେଁ-? ତୋ କଥାରୁ ମୁଁ ତ ସେଇଆ ଅନୁମାନ କରୁଛି ।

 

କମଳେଶ ଗମ୍ଭୀର ହେଇ କହିଲେ ପସନ୍ଦ ହେଲାଭଳି ଝିଅଟାଏ ନୁହେଁ ନା କଣ ? ସୁନ୍ଦରୀ ଭାବେ ସେ ପ୍ରଥମ ସ୍ଥାନ ଅଧିକାର କରି ନପାରେ– ହେଲେ ତାର ଚେହେରାରେ କେମିତି ଗୋଟାଏ ଅଦ୍ଭୁତ ଆକର୍ଷଣ ନାହିଁ ? ଅପୂର୍ବ ଲାବଣ୍ୟ– ଭରା ତାର ମୁହଁଟି ନୁହେଁ । ଆଖି ଦୁଇଟା ଗଭୀର ମାୟାଭରା ନୁହେଁ ? ତୋର କ’ଣ ମତ ?

ସୁଖେନ୍ଦୁଙ୍କ ହୃତ୍‌ସ୍ପନ୍ଦନ ଅନେକ ବଢ଼ି ଯାଇଥିଲା । କିନ୍ତୁ ସେ ନିଜ ମନର ଭାବ ଗୋପନ ରଖି ହୋ ହୋ ହସି ଉଠିଲେ ଓ କହିଲେ, ଏଥର ମୋର ରୁଚି ପରିବର୍ତ୍ତନ କରିବାର ପାଳି । ଦୁହିଁଙ୍କର ରୁଚିବୋଧରେ ଏତେଟା ସାମ୍ୟ ରହିବା ଫଳରେ କି ଅନର୍ଥ ନ ହେବ କହ ତ ! ନାରୀଜନିତ ବ୍ୟାପାରରେ ଦୁଇ ଜଣଙ୍କର ରୁଚି ଏକ ହୋଇଗଲେ କି ବିଷମ ବ୍ୟାପାର ହେବ ଭାବି ପାରୁଛୁ ?

 

କମଳେଶ ହସି ହସି କହିଲେ– କିରେ ଝିଅଟା ତୋର ବି ପସନ୍ଦ ନା କ’ଣ ? ଖୁବ୍ ମୁସ୍କିଲ ବ୍ୟାପାର ତ !

 

ସୁଖେନ୍ଦୁ, ନିଜ ମନର ଭାବ ଗୋପନ ରଖି ଲଘୁ ପରିହାସରେ କହିଲେ– ଆଉ ଯେମିତି ସଂସାରରେ ସୁନ୍ଦରୀ ଝିଅ ନାହାନ୍ତି । ଝିଅ ପସନ୍ଦ କରିବା କଥାଟା ଏମିତି ସେମିତି ନୁହେଁ । ଥରେ ପସନ୍ଦ କଲେ ସବୁଦିନ ପାଇଁ ସେତିକିରେ ମନ ମନେଇବାକୁ ହୁଏ । ତୋ ଭଳି ଅଳ୍ପକେ ସନ୍ତୁଷ୍ଟ ହେବା ମଣିଷ ମୁଁ ନୁହେଁ । ସେ ଝିଅକଥା ଛାଡ । ତୋର ପସନ୍ଦ ତ, ତୁ ତା ଠିକଣା ବୁଝି ଆଗେଇ ଯା...ମୁଁ ତତେ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ । ମୁଁ ମୋ ପାଠର ପ୍ରେମରେ ପଡ଼ିଛି । ଝିଅଙ୍କ ପ୍ରେମରେ ପଡ଼ିବାର ବେଳ ମୋର ଏବେ ବି ଆସି ନାହିଁ ।

 

ସେଦିନ ବନ୍ଧୁ କମଳେଶର ସେଇ ଅପରିଚିତା ଝିଅଟି ପାଇଁ ଆଗ୍ରହ ଦେଖି ସୁଖେନ୍ଦୁ ଅକ୍ଳେଶରେ ଝିଅଟିପ୍ରତି ନିଜ ମନର ଦୁର୍ବଳତାକୁ ଫାଙ୍କିଦେଇ ତା ସ୍ମୃତିର ସମସ୍ତ କବିତା ଚିରି ନଷ୍ଟ କରି ଦେଇଥିଲେ । ସେଥିପାଇଁ ତାଙ୍କ ମନକୁ ଖୁବ୍ ଶକ୍ତ କରିବାକୁ ହୋଇଥିଲା । ମନେ ମନେ ସେ ଖୁବ୍ ଆଘାତ ବି ପାଇଥିଲେ ।

 

ମାତ୍ର ନିଜ ଅସାବଧାନତାରେ ସେଇ ପ୍ରେମମୟ କବିତାର କେତେଟା ପଂକ୍ତି କମଳେଶଙ୍କ ଆଖିରେ ପଡ଼ି ଯାଇଥିଲା । କଥାଟା ଠଉରେଇ ନେବାକୁ କମଳେଶଙ୍କୁ ବେଶି ସମୟ ଲାଗି ନ ଥିଲା ।

 

ତାପରେ ଝିଅଟାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ପ୍ରବଳ ତର୍କ ବିତର୍କ । ଝିଅଟିକୁ ପ୍ରେମ କରିବା ପାଇଁ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା । ନିଜ ମନର ସଫେଇ ଦେବାପାଇଁ ନାନା ମିଥ୍ୟାକଥାର ଅବତାରଣା । ସୁଖେନ୍ଦୁଙ୍କର ପ୍ରବଳ ବିତର୍କ ଓ ମିଥ୍ୟା ଅଭିବ୍ୟକ୍ତି ଯେ, କୌଣସି ଦିନ ଝିଅଟି ପ୍ରତି ତାଙ୍କର ଦୁର୍ବଳତା ନ ଥିଲା । ବରଂ କମଳେଶ ଚାହିଁଲେ ଝିଅଟିକୁ ତାଙ୍କର ନାୟିକା କରିନେଇ ପାରନ୍ତି ବୋଲି ସୁଖେନ୍ଦୁ ଅଭିମତ ଦେଇଥିଲେ ।

 

କମଳେଶ କହିଥିଲେ, ଝିଅଟି କୌଣସି ଦିନ ତାଙ୍କର ପ୍ରେମିକା ପଦରେ ଅଧିଷ୍ଠିତା ହେବନାହିଁ । ଝିଅଟା ତାଙ୍କର ଆଦୌ ପସନ୍ଦଯୋଗ୍ୟ ନୁହେଁ । ସେ ଯାହା କହିଛନ୍ତି ତା କେବଳ ପରିହାସ । ଦୁଇ ବନ୍ଧୁଙ୍କର ଏଇ ପ୍ରେମଜନିତ ଘଟଣାକୁ ନେଇ ବାକ୍‌ବିତଣ୍ଡାରେ ସେଦିନ ଅନେକ ବନ୍ଧୁ ଆକୃଷ୍ଟ ହୋଇଥିଲେ । ମତଭେଦର କାରଣଟା ଜାଣିବା ପରେ ସମସ୍ତେ ଉତ୍ତାଳହସରେ ହଷ୍ଟେଲ୍‍ କକ୍ଷକୁ ପ୍ରକମ୍ପିତ କରି ଦେଇଥିଲେ । ଏକ ଅପରିଚିତା ଝିଅକୁ ନେଇ ଦୁଇ ବନ୍ଧୁଙ୍କର ମହାନ ତ୍ୟାଗର ଉପାଖ୍ୟାନ ସେମାନଙ୍କୁ ଯଥେଷ୍ଟ ରୋମାଞ୍ଚ ଯୋଗାଇଥିଲା । ଝିଅଟି ସମ୍ପୂର୍ଣ୍ଣ ଅପରିଚିତା । ସେ ହୁଏତ କାହାରିକୁ ପସନ୍ଦ କରିବ ନାହିଁ ।

 

ଶେଷରୁ ଝିଅଟି କାହାର ପ୍ରେମିକା ହେଲେ ନାହିଁ । ଯେଉଁ ପ୍ରସଙ୍ଗରେ ବନ୍ଧୁଙ୍କର ମନତଳେ ସାମାନ୍ୟତମ ବିଭେଦର ସମ୍ଭାବନା, ସେ ପ୍ରସଙ୍ଗର ଅଧ୍ୟାୟ ପ୍ରଥମରୁ ହିଁ ଇତି କରିବା ଆବଶ୍ୟକ । ଦୁଇ ବନ୍ଧୁଙ୍କର ଏହା ସ୍ପଷ୍ଟ ମତ । ସେଇଦିନଠାରୁ ଦୁଇ ବନ୍ଧୁ, ଆଉ ପ୍ରେମ କରିବାକୁ ମନ ବଳାଇ ନାହାନ୍ତି । କାଳେ ତାଙ୍କର ପ୍ରେମ ଗୋଟିଏ ଝିଅକୁ ନେଇ ଗଢ଼ି ଉଠିବ ବୋଲି ଡରରେ ତାରୁଣ୍ୟର ସେ ଉତ୍ତାଳ ଭାବୋଚ୍ଛ୍ୱାସକୁ ଦୁହେଁ ଚାପି ଦେଇଥିଲେ ବନ୍ଧୁତ୍ୱର ବନ୍ଧ ଦେଇ ।

 

ସେ ଅନେକ ଦିନ ତଳର କଥା । ଅପ୍ରାପ୍ତବୟସ୍କ ତରୁଣ ମନର ସେ ସବୁ ଥିଲା ଗୋଟିଏ ସ୍ୱପ୍ନମୟ ରାତ୍ରିର କେତୋଟି ନିମିଷର ଖିଆଲ ମାତ୍ର ।

 

ତାପରେ ଦୁଇ ବନ୍ଧୁ ଶିକ୍ଷା ସମାପ୍ତ କରି ନିଜ ନିଜ କର୍ମପଥରେ ବହିଯିବାକୁ ଲାଗିଲେ । କମଳେଶ ସହରରେ ନିଜର ସ୍ଥାୟୀ ବସତି କରି ଏକ ବ୍ୟବସାୟ ସଂସ୍ଥାର ସର୍ବମୟକର୍ତ୍ତା ହୋଇ ଅର୍ଥର ପ୍ରାଚୁର୍ଯ୍ୟ ଭିତରେ ବୁଡ଼ିଗଲେ । ସୁଖେନ୍ଦୁ, କିନ୍ତୁ ଆଉ କିଛି ବର୍ଷ ଅଧ୍ୟୟନ କଲେ । ଡକ୍ଟରେଟ୍ କରିବା ପରେ କେନ୍ଦ୍ର ସରକାରଙ୍କର ଜଣେ ପଦସ୍ଥ କର୍ମଚାରୀ ରୂପେ ଅବସ୍ଥାପିତ ହେଲେ– ତଥାପି ଦୁଇ ବନ୍ଧୁଙ୍କ ଭିତରେ ଯୋଗସୂତ୍ର ବିଚ୍ଛିନ୍ନ ହୋଇ ନଥିଲା । ନିୟମିତ ଚିଠିପତ୍ରର ଆଦାନପ୍ରଦାନ ହେଉଥିଲା ।

 

କମଳେଶ ପିତୃମାତୃହୀନ ଥିବାରୁ ପିଲାଦିନୁ ଅତ୍ୟନ୍ତ ଖିଆଲୀ ହୋଇ ଉଠିଥିଲେ । ତାଙ୍କର ତରୁଣ ମନକୁ ନିୟନ୍ତ୍ରଣ କରିବା ପାଇଁ କେହି ନ ଥିଲେ । କମଳେଶଙ୍କ ପାଇଁ ନାନାଆଡ଼ୁ ବିବାହ ପ୍ରସ୍ତାବ ଅଜାଡ଼ି ହୋଇପଡୁଥିଲା । କମଳେଶ ସୁଶ୍ରୀ, ଶିକ୍ଷିତ, ବିପୁଳ ଅର୍ଥର ଏକମାତ୍ର ଉତ୍ତରାଧିକାରୀ । ପାତ୍ର ଦୃଷ୍ଟିରୁ ସେ ଥିଲେ କନ୍ୟାପିତାଙ୍କର ଜାମାତା ତାଲିକାର ସର୍ବପ୍ରଥମରେ । କମଳେଶ କିନ୍ତୁ କଥାଟାକୁ କୌଣସି ଦିନ ଗୁରୁତ୍ୱ ଦେଇ ବିଚାର କରି ନଥିଲେ ।

 

ସୁଖେନ୍ଦୁଙ୍କର ମା’ କିନ୍ତୁ ସୁଖେନ୍ଦୁଙ୍କର ବିବାଦ ପାଇଁ ବ୍ୟଗ୍ର ହୋଇପଡ଼ି କନ୍ୟା ପରେ କନ୍ୟା ଦେଖି ମନମୁତାବକ ବୋହୂଟିଏ ନିର୍ବାଚନ କରିପାରୁ ନଥିଲେ । କାରଣ ଖୁବ୍ ଶୀଘ୍ର ତାଙ୍କର ବୋହୂଟିଏ ଦରକାର ।

 

କମଳେଶଙ୍କ ମାମୁଁ କମଳେଶଙ୍କ ପାଇଁ ଗୋଟିଏ ଲୋଭନୀୟ ପ୍ରସ୍ତାବ ଆଣିଲେ । ଝିଅ ଅସାମାନ୍ୟ ସୁନ୍ଦରୀ । କୌଣସି ଶିଳ୍ପୀର ଛବି ପରି ନିଖୁଣ । ଉଚ୍ଚଶିକ୍ଷିତା । ମେଧାବୀ ଛାତ୍ରୀ ଭାବରେ ନାଁ ଅଛି । ବଂଶର ଆଭିଜାତ୍ୟ ମଧ୍ୟ ଯଥେଷ୍ଟ । ଗୋଟିଏ ମାତ୍ର କଥାର ଅଭାବ ଯୋଗୁଁ ଝିଅଟିର ଉପଯୁକ୍ତ ପାତ୍ର ଏ ପର୍ଯ୍ୟନ୍ତ ମିଳିନାହିଁ । କନ୍ୟା ପିତାଙ୍କର ଅବସ୍ଥା ବର୍ତ୍ତମାନ ସେତେ ସ୍ଵଚ୍ଛଳ ନୁହେଁ । ସେ ଭଳି ଝିଅର ଉପଯୁକ୍ତ ଜାମାତାର ଉଚିତ୍ ଦାମ ଦେବା ତାଙ୍କ ଶକ୍ତିର ବାହାରେ କହିଲେ ଭୁଲ ହେବନି ।

 

କମଳେଶ ଭାବିଥିଲେ– ଶଶୁର ପଇସାରେ ଝିଅକୁ ନିଲାମ କରି ଆଣିବା ଭଳି ଛୋଟଲୋକ ସେ ତ ଆଦୌ ନୁହନ୍ତି । ତେଣୁ ଝିଅଟିକୁ ଗ୍ରହଣ କରିବାରେ ତାଙ୍କର ଆଦୌ ପ୍ରତିବନ୍ଧକ ନାହିଁ କିନ୍ତୁ ଏତେ ମେଧାବିନୀ ଝିଅଟିଏ ତାଙ୍କର ବା କ’ଣ ହେବ । ବରଂ ବନ୍ଧୁ ସୁଖେନ୍ଦୁ ସେଇଭଳି ଝିଅଟିଏ ଲୋଡ଼ା । ତା ଛଡା ଏଇ ବ୍ୟବସାୟର ଅଡୁଆ ଜାଲ ଭିତରେ ସେ ଏବେ ବ୍ୟସ୍ତ-। ନୂଆ ନୂଆ ସେମିତି ହୁଏ । ସବୁ ଶୃଙ୍ଖଳିତ ଭାବେ ଚାଲିବା ପାଇଁ ସମୟ ଲାଗିବ l ତା ପୂର୍ବରୁ ସେ ତ ଆଦୌ ବିବାହ କରି ପାରିବନାହିଁ ।

 

ବିବାହିତ ଜୀବନର ପ୍ରଥମ ମଧୁର ଦିନଗୁଡ଼ିକୁ ନିଜର କର୍ମ ଜଞ୍ଜାଳ ଭିତରେ ଭାରାକ୍ରାନ୍ତ କରି ତୋଳିବାର ପକ୍ଷପାତୀ ସେ ନୁହନ୍ତି । ବ୍ୟବସାୟ ସଂକ୍ରାନ୍ତରେ ତାଙ୍କୁ ଅନେକ ସମୟରେ ବାହାରକୁ ଯିବାକୁ ହେଉଛି । ନବବିବାହିତ ପତ୍ନୀଙ୍କୁ କାହା ପାଖରେ ବା ସେ ଛାଡ଼ିଯିବେ ? ବ୍ୟବସାୟରେ ପ୍ରତିଷ୍ଠା ଲାଭ ପୂର୍ବରୁ ସେ ବନ୍ଧନ ଚାହାନ୍ତି ନାହିଁ । କୌଣସି କ୍ଷେତ୍ରରେ ପ୍ରତିଷ୍ଠିତ ହେବାର ପୂର୍ବ ଅବସ୍ଥା ଖୁବ୍ ଆୟାସସାଧ୍ୟ । ତାଙ୍କର ଏବେ ସେଇ ଅବସ୍ଥା ।

 

ବରଂ ବନ୍ଧୁ ସୁଖେନ୍ଦୁ ପାଇଁ ପ୍ରସ୍ତାବଟା ପଠାଯାଇପାରେ । ସୁଖେନ୍ଦୁକୁ ସେଇକଥା ଜଣାଇଦେଲେ କମଳେଶ । କନ୍ୟା ଦେଖିବା ପାଇଁ ଦିନ ଧାର୍ଯ୍ୟ ହେଲା ଏବଂ ନିର୍ଦ୍ଦିଷ୍ଟ ଦିନ ସୁଖେନ୍ଦୁ ମା’ଙ୍କ ସହ ଆସି କମଳେଶର ବାସଭବନରେ ଉପସ୍ଥିତ ହେଲେ ।

 

ସୁଖେନ୍ଦୁଙ୍କର ମା’ କମଳେଶର ବିବାହ ପାଇଁ ଯୁକ୍ତି ଦେଖାଇଥିଲେ । କମଳେଶ କୌଣସିମତେ ରାଜି ହେଲେ ନାହିଁ ।

 

ତାପରେ କନ୍ୟା ଦେଖିବା ପାଇଁ ସଙ୍ଗରେ କମଳେଶ ଓ ତାର ମାମୁଁ ମଧ୍ୟ ଯାଇଥିଲେ । ସୁଖେନ୍ଦୁ କମଳେଶର ବେଶପୋଷାକ ଦେଖି ବିସ୍ମିତ ହେଇଥିଲେ । ସୁଖେନ୍ଦୁ ବି ପିନ୍ଧିଥିଲେ ଠିକ୍ ଏକାଭଳି ପୋଷାକ । ଦୁଇ ବନ୍ଧୁଙ୍କର ଅନେକ ପୋଷାକ ଏକ ରକମର ଥିଲା । ଏକା ପ୍ରକାର ପୋଷାକରେ ଏକାଠି ବାହାରି ପଡ଼ିବାରେ ଦୁହିଁଙ୍କର ଖୁବ୍, ଆନନ୍ଦ ଥିଲା ଦିନେ । ଆଜି କମଳେଶ ତାହାହିଁ କରିଥିଲେ । ଏମିତି କି ଟାଇଟା ମଧ୍ୟ ଠିକ ଏକ ରକମର ଥିଲା । ସତେ କି ସେମାନେ ସେ ତରୁଣ ଛାତ୍ର ଜୀବନକୁ ଫେରି ଯାଇଛନ୍ତି ।

 

ସୁଖେନ୍ଦୁ ରସିକତା କରି କହିଲେ– କିରେ କଥା କ’ଣ ? କନ୍ୟା ଦେଖିବ ନା ମତେ ? କନ୍ୟାଟି ଖୁବ୍ ସୁନ୍ଦରୀ । ତୋର ପସନ୍ଦ ହେଇଛି । ମତେ ଡାକିଆଣି ଶେଷକୁ ଶିଶୁପାଳ କରି ଛାଡ଼ିବୁ ନାହିଁ ତ ? ମତେ ନେଇ ମଜ୍ଜା ଉଠାଇବାକୁ ତୋ ମୁଣ୍ଡରେ ତ ଅନେକ ଦୃଷ୍ଟବୁଦ୍ଧି ଜୁଟିଯାଏ । କଥାଟା ପ୍ରଥମରୁ କହି ରଖନ୍ତୁ କାହିଁକି ?

 

କମଳେଶ ଗମ୍ଭୀର କଣ୍ଠରେ ଉତ୍ତର ଦେଲେ କନ୍ୟା ଦେଖିବ ଦୁହିଁଙ୍କୁ । ଭାବୀପତିଙ୍କ ଅପେକ୍ଷା ତାଙ୍କର ବନ୍ଧୁଙ୍କର ଗୁରୁତ୍ଵ ବେଶି । ଏସବୁ କ୍ଷେତ୍ରରେ ବନ୍ଧୁମାନେ ହିଁ ବେଶି ରୋମାଞ୍ଚ ଯୋଗାଇଥାନ୍ତି ।

 

ସୁଖେନ୍ଦୁ କହିଲେ ଆମ ଦୁହିଁଙ୍କୁ ଯଦି ସେ ଦେଖିବାରେ ସାମାନ୍ୟ ଅଦଳବଦଳ କରିଦିଏ ତେବେ ବିଚାରୀଟିର କି ସାଂଘାତିକ ଅସୁବିଧା ହେବ ବୁଝୁଛୁ ତ । ଶେଷକୁ ଗୋଟାଏ ଝମେଲା କରିବୁ ଦେଖୁଛି ।

 

କମଳେଶ ଆଖି ନଚାଇ କହିଲେ, ଶୁଣିଛି କନ୍ୟାଟି ମେଧାବିନୀ । ତୋର ଜୀବନସାଥି ହେବାପାଇଁ ଏମିତି ଝିଅଟିଏ ହେଲେ ଚଳିବ ନାହିଁ । ସର୍ବୋପରି ତାର ବିଚକ୍ଷଣ ବୃଦ୍ଧି ହିଁ ବେଶି ଆବଶ୍ୟକ । ମୁଁ ଆଜି ସେ କଥା ପରୀକ୍ଷା କରିବାକୁ ଚାହେଁ । ତୁ ଦେଖ୍‌ନା ମଜାଟା କେମିତି ହେଉଛି-

 

ଦୁଇ ବନ୍ଧୁ ପରମ ଉଲ୍ଲାସରେ ହସର ଐକତାନ ସୃଷ୍ଟି କରି ବାହାରି ପଡ଼ିଥିଲେ ।

 

କନ୍ୟାପକ୍ଷ ଜାଣିଥିଲେ କମଳେଶ ହିଁ ପାତ୍ର । କଥାଟାକୁ ପ୍ରଥମରୁ ପହଞ୍ଚିବା ପରେ ହିଁ ପରିଷ୍କାର କରିଦେଇଥିଲେ । କମଳେଶଙ୍କ ମାମୁଁ । କନ୍ୟାପକ୍ଷ ବିମୁଖ ହୋଇ ନ ଥିଲେ । ସୁଖେନ୍ଦୁଙ୍କ ପରିଚୟ ପାଇ ତାଙ୍କୁ ଦେଖି ସେମାନଙ୍କର ଆପତ୍ତି କରିବାର କାରଣ ନ ଥିଲା । କଥାଟା କନ୍ୟା ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା କି ନା କିଏ ଜଣେ ।

 

କନ୍ୟା ପକ୍ଷର ଗଭୀର ଆନ୍ତରିକତା ଓ ଆଡ଼ମ୍ବରପୂର୍ଣ୍ଣ ଆତିଥ୍ୟରେ ସମସ୍ତେ ମୁଗ୍ଧ ହୋଇଥିଲେ । ବେଶି ଖୁସି ହେଇଥିଲେ କମଳେଶ । କାରଣ ତାଙ୍କ ଅନ୍ତରଙ୍ଗ ବନ୍ଧୁଙ୍କୁ ସେ ଠିକଣା ସ୍ଥାନରେ ପହଞ୍ଚାଇ ପାରିଛନ୍ତି ବୋଲି ନିଜକୁ ଧନ୍ୟ ମଣୁଥିଲେ । ଚା’ ପର୍ବ ପରେ କନ୍ୟାଦେଖା ପର୍ବ-। ପ୍ରଥମେ ମା’ଙ୍କ ପାଳି । ମା’ଭିତରକୁ ଗଲେ କନ୍ୟା ଦେଖି କନ୍ୟାସହ କଥା ହେଇ ପୁଣି ଫେରି ଆସିଥିଲେ ବୈଠକ ଘରେ ମା’ଙ୍କ ମୁହଁରେ ପରମ ଉଲ୍ଲାସର ମଧୁର ମୁଦ୍ରା ଦେଖି କମଳେଶ ସୁଖେନ୍ଦୁ ଆଖିରେ ମଧ୍ୟର ଇଙ୍ଗିତ କରିଥିଲେ । ମା’ଙ୍କ ମୁଖର ଉଲ୍ଲାସ ସଞ୍ଚରି ଆସିବ କମଳେଶଙ୍କ ମୁଖକୁ । ମା’ଙ୍କର କନ୍ୟା ନିଶ୍ଚୟ ପସନ୍ଦ ହେଇଛି । ବାହାଦୂର ଯେମିତି ଏକାନ୍ତଭାବେ କମଳେଶଙ୍କର । ତାପରେ ପାତ୍ରପାତ୍ରୀଙ୍କର ଦେଖା ସାକ୍ଷାତ ପର୍ବ । ଉଭୟେ ଉଚ୍ଚଶିକ୍ଷାସମ୍ପନ୍ନ । ଦେଖାଚାହାଁରେ କୌଣସି ଲୌକିକତାର ଉପକ୍ରମଣିକାର ଆବଶ୍ୟକତା ନାହିଁ । ମା’ ଚାଲିଗଲେ କନ୍ୟାର ଘର ଦେଖିବା ପାଇଁ ଅନ୍ୟ ବୟସ୍କା ମହିଳାମାନଙ୍କ ସହ ।

 

ତାପରେ କେତୋଟି ନୀରବ ମୁହୂର୍ତ୍ତ ସୁଖେନ୍ଦୁଙ୍କର । ପରଦା ଆଗରେ ଆଗପଛ ହେଇ ପଶିଲେ ଦୁଇଟି ତରୁଣୀ, ସମବୟସ୍କା । ଆଗରେ ଶ୍ୟାମା ପଛରେ ଗୌରାଙ୍ଗିନୀ । ପରିଚୟ ପଚାରିବାର ଆବଶ୍ୟକତା ନଥିଲା । ଗୌରାଙ୍ଗିନୀକୁ ମୁଖର କାରୁକାର୍ଯ୍ୟ, ଶରୀର ଗଠନ, ଆଖିର ମାଦକଭରା ଚାହାଣୀ ହିଁ ତାର ପରିଚୟ ଦେଉଥିଲା ।

 

ଦୁହେଁ ହାତଯୋଡ଼ି ସର୍ଲ୍ଲଜ ନମସ୍କାର କଲେ । ପ୍ରତିନମସ୍କାର ଜଣାଇ ଦୁଇବନ୍ଧୁ । ସୁଖେନ୍ଦୁ ତରୁଣୀର ଅଲୌକିକ ସୌନ୍ଦର୍ଯ୍ୟରେ ବିମୂଢ଼ ଦେଖି ଭାବୁଥିଲେ ତରୁଣୀଟି ପାଇଁ ସେ କ’ଣ ପ୍ରକୃତରେ ଉପଯୁକ୍ତ ? ତରୁଣୀଟି ତ ପସନ୍ଦ କରିବ ତ ? କମଳେଶ ତରୁଣୀକୁ ଦେଖିବା ପରେ ମନ ପରିବର୍ତ୍ତନ କରିବ ନାହିଁ ତ ? ତାଙ୍କ ମନରେ ଅସଂଖ୍ୟ ଅବାନ୍ତର ପ୍ରଶ୍ନର ଭିଡ଼ । କମଳେଶ ତରୁଣୀଟିର ସୌନ୍ଦର୍ଯ୍ୟର ଖ୍ୟାତି ଶୁଣିଥିଲେ । କିନ୍ତୁ ୟା ପୂର୍ବରୁ ସେ କଳ୍ପନା ବି କରି ନଥିଲେ ଏତେ ଆକର୍ଷଣୀୟ ଚେହେରା ବାସ୍ତବରେ ସମ୍ଭବ ବୋଲି ଉତ୍‌ଫୁଲ ହେଇ ଗର୍ବୀତ ଚାହାଣୀରେ ଥରେ ସୁଖେନ୍ଦୁଙ୍କୁ ଅପାଙ୍ଗ ଢ଼ାଳି ତାର ରୁଚିବୋଧର ମାନ ଜଣାଇଦେଲେ ।

 

ତରୁଣୀ ଦୁହେଁ ବସିଲେ । କମଳେଶ ସୁଖେନ୍ଦୁଙ୍କୁ ଚାହିଁଲେ । ସୁଖେନ୍ଦୁଙ୍କ ଆଖିରେ ପଲକ ପଡୁନାହିଁ, ସେ ଯେମିତି ଅନ୍ୟ ଏକ ସ୍ଵପ୍ନରାଜ୍ୟରେ ପହଞ୍ଚି ଯାଇଛନ୍ତି । କମଳେଶ ସୁଖେନ୍ଦୁଙ୍କର ଏ ଅବସ୍ଥା ଦେଖି ହସି ଉଠିଲେ । ସୁଖେନ୍ଦୁ ଅପ୍ରତିଭ ହେଇଉଠି ଦୃଷ୍ଟି ଫେରାଇ ଆଣିଲେ ତରୁଣୀଙ୍କଠାରୁ କମଳେଶଠାକୁ କମଳେଶ ଏଥର ତରୁଣୀଙ୍କ ଉପରେ ଦୃଷ୍ଟି ନିବଦ୍ଧ ରଖି ରସିକତାଭରା କଣ୍ଠରେ କହିଲେ ଆପଣଙ୍କ ରୂପର ବର୍ଣ୍ଣନା ଆମପାଖରେ ଠିକ୍ ପହଞ୍ଚିଥିଲା । ତେଣୁ ଆପଣଙ୍କୁ ବୁଝିବାରେ ଆମର ଆଦୌ ଅସୁବିଧା ହୋଇ ନାହିଁ । ଆପଣଙ୍କୁ ଦେଖିବା ସଙ୍ଗେ ସଙ୍ଗେ ଆପଣଙ୍କର ବାନ୍ଧବୀଙ୍କୁ ଦେଖି ଆମେ ଅତ୍ୟନ୍ତ ପ୍ରୀତ ହେଇଛୁ ।

 

–ଧନ୍ୟବାଦ । ତରୁଣୀଙ୍କର ବାନ୍ଧବୀ କହିଲେ ।

 

କମଳେଶ ପୁଣି କହିଲେ ଆମ ଦୁହିଁଙ୍କୁ ଏକତ୍ର ଦେଖି ଆପଣ ଅସୁବିଧାରେ ପଡ଼ି ଯାଇନାହାନ୍ତି ତ ? ଆମେ ଏମିତି ଏକା ପୋଷାକରେ ଆସି ଆପଣଙ୍କୁ ଦ୍ୱନ୍ଦରେ ପକାଇ ନାହୁଁ ତ ଦ୍ରାକ୍ଷାଦେବୀ ?

 

ତରୁଣୀଙ୍କର ନାମ ଦ୍ରୀକ୍ଷା – ଏକଥା କମଳେଶ ଆଗରୁ ଜାଣିଥିଲେ ।

 

ସୁନ୍ଦରୀ ତରୁଣୀ ଜଣକ ନିଃସଂକୋଚରେ ଉତ୍ତର ଦେଲେ ଆଦୌ ନୁହେଁ; ଏ ଯିଏ ହୁଅନ୍ତୁ ନା କାହିଁକି – ଆଜି ଯେ ପ୍ରାର୍ଥୀ ଭାବରେ ଆସିନାହାନ୍ତି ରେ ସନ୍ଦେହ ନାହିଁ ।

 

କମଳେଶ ବାସ୍ତବରେ ଚକିତ ହେବା ସଙ୍ଗେ ସଙ୍ଗେ ପୁଲକିତ ହେଲେ । ବିସ୍ମିତ କଣ୍ଠରେ କହିଲେ– ବାଃ, ଆପଣଙ୍କର ଅନୁମାନ ଏକବାର ନିର୍ଭୁଲ । କିନ୍ତୁ କେମିତି ଜାଣିଲେ କହନ୍ତୁ ତ ?

 

ଦ୍ରାକ୍ଷା ସଲ୍ଲଜ ହସରେ ମୁଖଶ୍ରୀ ମଣ୍ଡିତ କରି କହିଲେ– ଏକଥା କିଏ ନ ଜାଣେ ଯେ ପ୍ରାର୍ଥୀଙ୍କ ସଙ୍ଗରେ ଆସିଥିବା ତାଙ୍କର ବନ୍ଧୁ ହିଁ ବେଶି ବାକ୍‌ପଟୁତା ଦେଖାନ୍ତି । ଏ କ୍ଷେତ୍ରରେ ଆପଣଙ୍କର ବାକ୍‌ପଟୁତା ହିଁ ଆପଣଙ୍କର ପରିଚୟ ଦେଉଛି ।

 

କମଳେଶ ଦ୍ରାକ୍ଷାଙ୍କ ଉତ୍ତରରେ ସନ୍ତୁଷ୍ଟ ହେଲେ । ସୁଖେନ୍ଦୁଙ୍କୁ ଚାହିଁଲେ । ସୁଖେନ୍ଦୁ ଯେମିତି ଏତେବେଳଯାଏ ସଙ୍ଗୀତର ଏକ ମଧୁର ମୂର୍ଚ୍ଛନାରେ ହଜି ଯାଇଥିଲେ । ତାଙ୍କର ଆବିଷ୍ଟ ଭାବ ଦେଖି କମଳେଶ କହିଲେ । ଏବେ ମଧ୍ୟ ହୋସ୍‌କୁ ଆସିନାହୁଁ ? ଆମକୁ ସନ୍ଧ୍ୟା ଆଗରୁ ଚାଲିଯିବାକୁ ହେବ ଯେ ! ତ ନ ହେଉଛି ସମୟ ଆଦୌ ଜଣାପଡ଼ୁ ନାହିଁ ।

 

ସୁଖେନ୍ଦୁ ଅପ୍ରତିଭ ଢଙ୍ଗରେ ଉଠି ପଡ଼ୁ ପଡ଼ୁ ନିମ୍ନ ସ୍ୱରରେ କହିଲେ– ନନ୍‌ସେନ୍ସ !

 

କମଳେଶ ସେଥିକି ଭ୍ରୂକ୍ଷେପ ନ କରି କହିଲେ– ମୋ ବନ୍ଧୁଙ୍କର ଅବସ୍ଥାରୁ ତାଙ୍କର ମତାମତ ସ୍ପଷ୍ଟ । ଏ ପ୍ରସ୍ତାବରେ ଆପଣଙ୍କର ମତ କ’ଣ ଦ୍ରାକ୍ଷାଦେବୀ ? ଅନ୍ତତଃ ଆମକୁ କହିବାରେ କୁଣ୍ଠା କରନ୍ତୁ ନାହିଁ । ଆପଣ ତ ଉଚ୍ଚଶିକ୍ଷିତା – ସ୍ପଷ୍ଟ ମତାମତ ଦେବା ଆପଣଙ୍କ ପକ୍ଷରେ ଉଚିତ୍ । ଧରିନିଅନ୍ତୁ ମୁଁ ହେଉଛି ପାତ୍ରପକ୍ଷ ମଧ୍ୟସ୍ଥ ନା ନା ପଟ୍ଟପୁରୋଧା କହିଲେ ଠିକ୍ ହେବ । ମୁଁ ସ୍ପଷ୍ଟ କଥା ପସନ୍ଦ କରେ । ଏ ହେଉଛି ମୋ ବନ୍ଧୁର ଜୀବନସଉଦାର କଥା ।

 

ସୁବର୍ଣ୍ଣ ଆଭାରେ ଦ୍ରାକ୍ଷାଙ୍କର ସୁନ୍ଦର ମୁହଁଟିରେ ପାଟଳ ରଙ୍ଗର ସ୍ପର୍ଶ ଲାଗିଗଲା ଗୋଟାଏ ମୁହୂର୍ତ୍ତରେ । ସୁଖେନ୍ଦୁଙ୍କ ଆଖିରେ ଥରେ ଆଖି ମିଳିଲା ସେ ବିଦାୟ ନମସ୍କାର ଜଣାଇ ପରଦା ଅନ୍ତରାଳରେ ଅନ୍ତର୍ଦ୍ଧାନ ହୋଇଗଲେ ।

 

ତାଙ୍କ ଆଖିରେ ସେଇ ସଲ୍ଲଜ – ମଧୁର ଚାହାଣୀରେ ତାଙ୍କ ସ୍ୱୀକୃତିର ସ୍ୱାକ୍ଷର ଲେଖାଥିଲା । କମଳେଶ ସୁଖେନ୍ଦୁଙ୍କ ସହ ହାତ ମିଳାଇଲେ । ମଧୁର ରସିକର କରି କହିଲେ– କଂଗ୍ରାଚୁଲେସନ୍‌ସ...

 

ମା’ ଏବଂ ଦୁଇବନ୍ଧୁ ନିଜର ସମ୍ମତି ଜଣାଇ ପରମ ଉଲ୍ଲାସରେ ଫେରି ଆସିଲେ । ବିବାହର ଦିନ ମଧ୍ୟ ଧାର୍ଯ୍ୟ ହୋଇଗଲା । ସୁଖେନ୍ଦୁଙ୍କର ଏ ବିବାହରେ ମାତ୍ର ଗୋଟିଏ ସର୍ତ୍ତ – ସେ ଶ୍ୱଶୁରଘରର କୌଣସି ଉପଢ଼ୌକନ ଗ୍ରହଣ କରିବେ ନାହିଁ ଓ ବିବାହ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହେବ ।

 

କନ୍ୟା ପକ୍ଷରେ ଏଥିରେ ଆପତ୍ତି ରହିବ ବା କାହିଁକି ବରଂ ଆନନ୍ଦିତ ହେବାର କଥା ।

 

ବସାରେ ପହଞ୍ଚି ପୋଷାକ ବଦଲାଉ ବଦଲାଉ କମଳେଶ କହିଲେ– କ୍ଷତିପୂରଣ ସନ୍ତୋଷଜନକ ହେଇଛି ତ ?

 

–ମାନେ ? ସୁଖେନ୍ଦୁଙ୍କର ନିର୍ବୋଧ ପ୍ରଶ୍ନ ।

 

–ଅର୍ଥାତ୍ କଲେଜ ଜୀବନରେ ସେଇ ସୁନ୍ଦରୀଟିକୁ ତୁ ମୋ ପାଇଁ ତ୍ୟାଗ କରିଥିଲୁ । ତା’ଠାରୁ ଶହେଗୁଣ ସୁନ୍ଦରୀଟିଏ ମୁଁ ତତେ ଖୋଜି ଦେଇନାହିଁ କି ? ବାସ୍ତବିକ୍‍ ତୋର ଏଠି ବିବାହରେ ସବୁଠାରୁ ବେଶି ଆନନ୍ଦିତ ମୁଁ । ଦ୍ରାକ୍ଷାଦେବୀ ଏକବାରେ ତୋରି ଯୋଡ଼ି । ତାଙ୍କ ବ୍ୟତୀତ ଅନ୍ୟ ଝିଅ ତତେ ଆଦୌ ମାନନ୍ତେ ନାହିଁ ।

 

ସୁଖେନ୍ଦୁ ଆବିଷ୍ଟ ହେବାଭଳି କହିଲେ– ବୋଧହୁଏ ତାହା ହିଁ ଠିକ୍ ତାଙ୍କରି ଭଳି ଝିଅଟିକୁ ଜୀବନସାଥି କରିବା ପାଇଁ ମୁଁ ମନ ଭିତରେ ଯେମିତି ଠିକ୍ କରିଥିଲି । ବର୍ତ୍ତମାନ ଭାବୁଛି ତାଙ୍କ ବ୍ୟତୀତ ଅନ୍ୟ କେହି ଝିଅ ମୋ ମନକୁ ଆସି ନ ଥାନ୍ତେ । ସେଥିପାଇଁ ମୁଁ ତତେ ଧନ୍ୟବାଦ ଦେଉଚି ।

 

କମଳେଶ ଉତ୍‌ଫୁଲ୍ଲ କଣ୍ଠରେ କହିଲେ– ବେଶ୍ ମତେ ତୁ କ’ଣ ଦେବୁ ତାର ପ୍ରତିଦାନରେ । ଖାଲି ଶୁଖିଲା ଧନ୍ୟବାଦ ଦେଇ ଖସିଯିବାକୁ ତତେ ମୁଁ ଦେବି ନାହିଁ ।

 

–ଯାହା ମାଗିବୁ । ସୁଖେନ୍ଦୁ ଦାନବୀର କର୍ଣ୍ଣଙ୍କ ଭଙ୍ଗୀରେ କହିଲେ ।

 

କମଳେଶ ମୁଖରେ କୌତୁକର ମୁଦ୍ରାଙ୍କନ କରି କହିଲେ– ଦ୍ରାକ୍ଷାଦେବୀଙ୍କୁ ମାଗିଲେ ବି ଦେଇଦେବୁ ?

 

ଅଭଦ୍ର ! ସୁଖେଦ ମଧୁର ବିରକ୍ତ ପ୍ରକାଶ କଲେ ।

 

ଦୁଇ ବନ୍ଧୁ କକ୍ଷକୁ ମୁଖରିତ କରି ହସିଉଠିଲେ ।

 

ତାପରେ ସୁଖେନ୍ଦୁଙ୍କ ସହ ଦ୍ରାକ୍ଷାଙ୍କର ବିବାହ ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହେଇଗଲା । ସେ ବିବାହରେ ପଟ୍ଟପୁରୋଧା ଥିଲେ ବନ୍ଧୁ କମଳେଶ । ଅନେକ ଟଙ୍କା ସେ ଖର୍ଚ୍ଚ କରିଦେଲେ ସୁଖେନ୍ଦୁଙ୍କ ବିବାହରେ । ନବବଧୂର ସମସ୍ତ ଶାଢ଼ୀ ଗହଣା କମଳେଶଙ୍କ ବରାଦ ଅନୁସାରେ ହିଁ କିଣା ହେଇଥିଲା ।

 

ବିବାହର ମାତ୍ର ଦୁଇଦିନ ପରେ କମଳେଶ ସୁଖେନ୍ଦୁଙ୍କ ଘରୁ ଫେରି ଆସିଥିଲେ ଅତ୍ୟନ୍ତ ଅନିଚ୍ଛା ସହକାରେ । ସୁଖେନ୍ଦୁ ଓ ତାଙ୍କର ମା ମଧ୍ୟ ଏଥିପାଇଁ ଖୁବ୍ ଦୁଃଖ କରିଥିଲେ । କମଳେଶଙ୍କୁ ବ୍ୟବସାୟ ସଂକ୍ରାନ୍ତରେ ଏକ ଜରୁରୀ କାର୍ଯ୍ୟରେ ବମ୍ବେ ଯିବାକୁ ହେବ । ସେ ନାଚାର । ସୁଖେନ୍ଦୁଙ୍କଠାରୁ ବିଦାୟ ଆଣିବାବେଳେ ସେ କହିଥିଲେ ଠିକ୍ ଏଇ କାରଣରୁ ହିଁ ମୁଁ ମୋ ବିବାହର କଥା ବର୍ତ୍ତମାନ ପାଇଁ ଚିନ୍ତା ଭିତରକୁ ଆଣିନାହିଁ । ବିବାହ କରିଥିଲେ ଏମିତି ମତେ ଯିବାକୁ ହେଇଥାନ୍ତା । କହ ତ କି ଦାରୁଣ ବ୍ୟାପାର । ସୁନ୍ଦରୀ ନବବଧୂ କ’ଣ ଭାବିଥାନ୍ତା ମତେ ?

 

ବନ୍ଧୁ ଓ ବନ୍ଧୁ ପତ୍ନୀଙ୍କୁ ନିଜ ଘରକୁ ଆମନ୍ତ୍ରଣ ଜଣାଇ ସେ ଫେରି ଯାଇଥିଲେ ।

 

ତା’ପରେ ଦୀର୍ଘ ଛଅମାସ । ଦୁଇବନ୍ଧୁଙ୍କର ଆଉ ସାକ୍ଷାତ ବି ହେଇପାରିନାହିଁ । ଜୀବନ ଜଞ୍ଜାଳ ଭିତରେ ସବୁ ତ ସମ୍ଭବ ହୁଏ ନାହିଁ । ଦ୍ରାକ୍ଷୀଙ୍କୁ ଆଉଥରେ ଦେଖିବାର ସୁଯୋଗ ବି ହେଇ ନଥିଲା । କମଳେଶଙ୍କର । କନ୍ୟା ଦେଖାବେଳେ ଯେତିକି ଦେଖା । ତା ପରେ ବିବାହର ଦୁଇ ତିନି ଦିନ ଭିତରେ ହଇଚଇ ଓଡ଼ିଆ ଘରର ନାନା କାଇଦା କଟକଣା – ଲୋକାଚାର ଭିତରେ ସେ ସୁଯୋଗ ମିଳି ନ ଥିଲା । ସେଥିପାଇଁ କମଳେଶଙ୍କ ମନରେ ବେଶ୍‌ କୌତୂହଳ ଜାଗୁଥିଲ ଦ୍ରାକ୍ଷାଙ୍କୁ ବଧୂବେଶରେ ଦେଖିବାପାଇଁ ଓ ତାଙ୍କ ସହ ସୁଖେନ୍ଦୁଙ୍କର ମଧୁର ଦାମ୍ପତ୍ୟର ସାକ୍ଷୀ ହେବା ପାଇଁ । ସେ କଥା ସେ ସୁଖେନ୍ଦୁଙ୍କୁ ମଧ୍ୟ ଜଣାଇଥିଲେ । ସୁଖେନ୍ଦୁଙ୍କର ସୁଖମୟ ଦାମ୍ପତ୍ୟଜୀବନ ତାଙ୍କୁ ଖୁବ୍ ଆତ୍ମସନ୍ତୋଷ ଦେଉଥିଲା ।

 

ଥରେ ଦ୍ରାକ୍ଷାଙ୍କୁ ନେଇ କମଳେଶଙ୍କ ସହର ବାସଭବନରେ ଅତିଥି ହେବାର କଥା ଚିନ୍ତା କରୁକରୁ ସୁଖେନ୍ଦୁଙ୍କର କମଳେଶଙ୍କ ସହରକୁ ବଦଳି ଅର୍ଡ଼ର ଆସି ପହଞ୍ଚିଗଲା ।

 

କମଳେଶ ଗୋଟିଏ ବିରାଟ ବଙ୍ଗଳାରେ ଅବସ୍ଥାନ କରନ୍ତି । ଚାକର ଦୁଇଟା – ଗାଡି, ଡ୍ରାଇଭର ଓ ତାଙ୍କ ବ୍ୟବସାୟ ସଂସ୍ଥାର ଜଣେ ଦୁଇଜଣ ତଳିଆ କର୍ମଚାରୀଙ୍କୁ ଛାଡ଼ିଦେଲେ ତାଙ୍କ ନିଜର ଆତ୍ମୀୟ କିଏ ବା ଥିଲେ ତାଙ୍କ ପାଖରେ ରହିବା ପାଇଁ ?

 

କମଳେଶଙ୍କ ବଙ୍ଗଳାରେ ପ୍ରଥମେ ଓହ୍ଲେଇ ପରେ ନିଜ ପାଇଁ ଗୋଟାଏ ମନମୁତାବକ ଘର ଖୋଜିନେବେ ବୋଲି ସ୍ଥିର କଲେ ସୁଖେନ୍ଦୁ । ସେ କଥା କମଳେଶଙ୍କୁ ମଧ୍ୟ ସେ ଜଣାଇଦେଲେ । କମଳେଶଙ୍କ ଆନନ୍ଦର ସୀମା ନ ଥିଲା । ଅନେକ ଦିନପରେ ଭୂତକୋଠି ଭଳି ମନେ ହେଉଥିବା ବିରାଟ ବଙ୍ଗଳାଟା ଘରଟିଏ ଭଳି ମନେହେବ ।

 

ନିର୍ଦ୍ଦିଷ୍ଟ ଦିନ ଦ୍ରାକ୍ଷା ଓ ସୁଖେନ୍ଦୁ କମଳେଶଙ୍କ ବଙ୍ଗଳାରେ ଠିକ୍ ସମୟରେ ପହଞ୍ଚିଗଲେ । କମଳେଶ ଗାଡ଼ି ଧରି ଷ୍ଟେସନ ଆସିଥିଲେ ।

 

କମଳେଶ ଦ୍ରାକ୍ଷାଙ୍କୁ କ’ଣ ସମ୍ବୋଧନ କରିବେ ବୋଲି ଚିନ୍ତା କରୁ କରୁ କହି ପକାଇଲେ–ଭାଉଜ ! ସୁଖେନ୍ଦୁ ମୋର ସହପାଠୀ ହେଲେ ମଧ୍ୟ ସଂସାରୀକ କ୍ଷେତ୍ରରେ ମୋଠାରୁ ପାଦେ ଆଗେଇ ଯାଇଛି । ତେଣୁ ସେ ମୋର ସିନିୟର ହୋଇଯାଇଛି । ସେଇ ସୂତ୍ରରେ ଆପଣ ମୋର ଭାଉଜ ନୁହନ୍ତି କି ?

 

ଦ୍ରାକ୍ଷା ମଧୁର ହସରେ କଥାଟାକୁ ସ୍ୱାଗତ ଜଣାଇଲେ । କମଳେଶ ଘରେ ବନ୍ଧୁ ଓ ବନ୍ଧୁ ପତ୍ନୀଙ୍କୁ ସ୍ୱାଗତ ଜଣାଇବାର ବିରାଟ ଆୟୋଜନ । ତାଙ୍କ ରହିବାର ସମସ୍ତ ସୁବନ୍ଦୋବସ୍ତ କରିଛନ୍ତି କମଳେଶ । ବିରାଟ ବଙ୍ଗଳାର ଗୋଟିଏ ଅଂଶ ସେମାନଙ୍କୁ ସେ ସଂପୂର୍ଣ୍ଣ ଛାଡ଼ି ଦେଇଛନ୍ତି । ବଙ୍ଗଳାର ଗୋଟାଏ ଅଂଶ ହିଁ ଗୋଟାଏ ବିରାଟ ପ୍ରାସାଦ ଅନେକ କୋଠରୀ । ଅନ୍ୟ ଅଂଶଟିରେ ସେ ତାଙ୍କର ସମସ୍ତ କର୍ମଚାରୀଙ୍କ ସହ ରହିବାର ବ୍ୟବସ୍ଥା ହୋଇଛି । ଗୋଟାଏ ଖାନସମା ଓ ଗୋଟାଏ ଚାକର ନୂତନ ନିଯୁକ୍ତି ପାଇଛନ୍ତି ସୁଖେନ୍ଦୁଙ୍କ ପାଇଁ । ବଙ୍ଗଳାରେ ନୂଆ ରଙ୍ଗ ଲାଗିଛି । ଘର ବାହାର ସବୁ ଚକ୍ ଚକ୍ କରୁଛି । ଏମିତି କି ମା’ଙ୍କର ଠାକୁରଘର କେଉଁଟା ହେବ, ଶୋଇବା ଘର କେଉଁଟା ହେବ ତା ମଧ୍ୟ ଠିକ୍ କରିଛନ୍ତି । ବୁଲି ବୁଲି ସମସ୍ତ ଘରଗୁଡ଼ାକ ଦେଖଉ ଦେଖଉ କମଳେଶ ପଚାରିଲେ କିରେ, କିଛି ଅସୁବିଧା ହେବନାହିଁ ତ ତତେ ? ତୋ ପରିବାର ଯେତେ ପ୍ରସାରିତ ହେଲେ ମଧ୍ୟ ଏତିକି ଘର ଯଥେଷ୍ଟ ବୋଲି ମୁଁ ବିଚାରୁଛି । ତୋର ମତ କ’ଣ ?

 

ସୁଖେନ୍ଦୁ କହିଲେ– ଆମେ କ’ଣ ଏଇଠି ସ୍ଥାୟୀ ବାସିନ୍ଦା ହେବାର ବନ୍ଦୋବସ୍ତ କରୁଛୁ ନା କ'ଣ ? ଦୁଇଟା ରୁମ୍ ହିଁ ଆମ ପାଇଁ ଯଥେଷ୍ଟ ହୋଇଥାନ୍ତା । ପରେ ଘର ଠିକ୍ କରି ଆମେ ଚାଲିଯିବୁ । ଅଯଥାରେ ସବୁ ରୁମ୍ ଗୁଡ଼ାକର ଜିନିଷପତ୍ର ଖାଲି କରି କାହିଁକି ଏତେ କଷ୍ଟ କଲୁ । ଗୁଡ଼ାଏ ପଇସା ବି ବରବାଦ କଲୁ ।

 

କମଳେଶ କହିଲେ ତୋର ଯଦି ଅସୁବିଧା ନ ଥାଏ ତେବେ ଏଠାରେ ସ୍ଥାୟୀ ବାସିନ୍ଦା ହେବାରେ କ୍ଷତି କ’ଣ ? ମୋର ଏଡ଼େ ବଡ଼ ବଙ୍ଗଳାଟା ଭୂତକୋଠି ଭଳି ବର୍ଷ ବର୍ଷ ଧରି ପଡ଼ି ରହିଛି । ବର୍ଷକରୁ ଛଅ ମାସ ମୁଁ ବାହାରେ । ଚାକରମାନେ ଆରାମରେ ରହି ଆଡ଼୍ଡ଼ା କରୁଛନ୍ତି । ତୁ ଯଦି ରହୁ ମୋର ବା କ’ଣ କ୍ଷତି – ଅନ୍ତତଃ ଭାଉଜଙ୍କ ରୋଷେଇ ଛୁଙ୍କର ବାସ୍ନାଟା ତ ପ୍ରତିଦିନ ମିଳିବ !

 

ଦ୍ରାକ୍ଷା ହସିଲା I ସୁଖେନ୍ଦୁ କହିଲେ– ତୁ କ’ଣ ଏମିତି ଭାଗାବଣ୍ଡ ହେଇ ବୁଲୁଥିବୁ ନା କ’ଣ-? ଏ ବିରାଟ ବଙ୍ଗଳାଟା ଯେମିତି ସମ୍ପୂର୍ଣ୍ଣ ତୋର ବ୍ୟବହାରରେ ଲାଗିପାରିବ, ଆଉ ତୁ ଯେମିତି ବର୍ଷକରେ ଗୋଟାଏ ଦିନ ବି ବାହାରେ ରହି ନ ପାରିବୁ ତାର ଦାୟିତ୍ୱ ଦ୍ରାକ୍ଷା ନେଇଛନ୍ତି-। ସେତେବେଳେ ଆମକୁ ବାହାରି-ଯିବାପାଇଁ କହିବା ଆଗରୁ ଆମେ ଘରଟିଏ ଦେଖି ଚାଲିଯିବା ଉଚିତ ହେବନି କି ?

 

ହସି ହସି କମଳେଶ କହିଲେ ଏ ବିରାଟ ବଙ୍ଗଳାକୁ ସମ୍ପୂର୍ଣ୍ଣ ବ୍ୟବହାରରେ ଲଗାଇବା ପାଇଁ ଅତି କମ୍‌ରେ ମତେ ଅନେଶ୍ୱତ ରାଣୀ ଦେଖିବାକୁ ହେବ; ବୁଝିପାରୁଛୁ ତ । ତେଣୁ ବନ୍ଧୁ ! ତମମାନଙ୍କର ଅସୁବିଧା ହେବାର କୌଣସି ସମ୍ଭାବନା ନାହିଁ । ଯେତେଦିନ ଚାହୁଁ ଏଠାରେ ତୁ ରହିପାରୁ । ଏ ସହରରେ ମନମୁତାବକ ଘରଟିଏ ଖୋଜି ପାଇବାକୁ ଅନ୍ତତଃ ତତେ ଛଅ ମାସରୁ କମ୍ ଲାଗିବ ନାହିଁ । ଏଠି ଘରଟିଏ ପାଇବା ଏକବାର ଦୁର୍ମୂଲ୍ୟ ।

 

ଦ୍ରାକ୍ଷା ସଲ୍ଲଜ କଣ୍ଠରେ କହିଲେ– ଆମକୁ ଏମିତି ଭାବେ ଋଣୀ କରି ପକାଉଛନ୍ତି ଯେ, ଆମର ସେଥିରୁ ମୁକୁଳିବାର ଉପାୟ ନାହିଁ । ଏ ବଙ୍ଗଳା ଭଡ଼ା ନେବାର କ୍ଷମତା ବି ଆମର ନାହିଁ । ତା ହୋଇଥିଲେ ଆମେ ସେଇଆ କରନ୍ତୁ ।

 

କମଳେଶ ବଡ଼ ବଡ଼ ଆଖିରେ ଦ୍ରାକ୍ଷାକୁ ଚାହିଁଲେ । ତାଙ୍କର ମୁଖ ହଠାତ୍ କଠିନ ହେଇଗଲା । ଆଖି ଦୁଇଟା ଧୀରେ ଧୀରେ କରୁଣ ମନେରେ ଆର୍ଦ୍ର କଣ୍ଠରେ ସେ କହିଲେ– ଭାଉଜ-! ସୁଖେନ୍ଦୁ ଓ ମୋର ସମ୍ପର୍କ ବିଷୟ ଆପଣଙ୍କର ଏ ପର୍ଯ୍ୟନ୍ତ ଧାରଣା ଜନ୍ମି ନାହିଁ । ଆମ ସମ୍ପର୍କର ସୀମା ନିର୍ଦ୍ଧାରଣ କରିବା ମଣିଷ ମନର ଶକ୍ତି ବାହାରର କାମ । ଆପଣ ସୁଖେନ୍ଦୁର ଅର୍ଦ୍ଧାଙ୍ଗନୀ ମାତ୍ର ମୁଁ ତାର ହୃଦୟର ଅର୍ଦ୍ଧେକ । ବାସ୍, ୟା’ଠାରୁ ଅଧିକ ବ୍ୟାଖ୍ୟା କରି ମୁଁ ଉଚିତ ଭାବୁନି ।

 

ଦ୍ରାକ୍ଷା ଲଜ୍ଜିତ ହେଲା । ସୁଖେନ୍ଦୁ କହିଲେ ଦ୍ରାକ୍ଷା, ଆମେ ଦୁହେଁ କେଉଁ ବନ୍ଧନରେ ବନ୍ଧା ତାହା କହିବା ମୋ ଶକ୍ତିର ବାହାରେ । ଆମ ବନ୍ଧନ ଭିତରେ ଲାଭ, କ୍ଷତି, ସୁବିଧା, ଅସୁବିଧା, ସ୍ୱାର୍ଥ ଓ ସୁଖର ହିସାବ ହୁଏନ। । ହିସାବକୁ ନେଇ ଯେଉଁ ବନ୍ଧୁତ୍ୱ ତାହା ଠିକ୍ ବନ୍ଧୁତ୍ୱ ନୁହେଁ । ତମକୁ କହିଥିଲି ମୋ ଲାଗି କମଳେଶ କେମିତି ତାର ପ୍ରିୟ ସବ୍‌ଜେକ୍ଟ ଛାଡ଼ି ଦେଇଥିଲ ସେତିକିରୁ ତମେ ତା’ ହୃଦୟର ମହାନତା ଜାଣି ପାରିଥିବ ।

 

ହସି ଉଠି କମଳେଶ କହିଲେ– ମୋ ଲାଗି ତୁ ବି ସେମିତି କିଛି ପ୍ରିୟ ତ୍ୟାଗ କରିଛୁ ବୋଲି ଭାଉଜଙ୍କୁ କହୁଛୁ ତ । ଦ୍ରାକ୍ଷା ଓଠ ଚିପି ହସିବାକୁ ଲାଗିଲେ ସୁଖେନ୍ଦୁ କହିଲେ– ନିଶ୍ଚୟ । ଦ୍ରାକ୍ଷାଠାରୁ ଗୋପନ ରଖିବା ଭଳି କାମ ମୁଁ କିଛି କରିନାହିଁ, କରିଥିଲେ ମଧ୍ୟ ତାହା ମୁଁ ଲୁଚାଇ ରଖନ୍ତିନାହିଁ । ମୋ ଜୀବନ କୌଣସି କଥା ତାଙ୍କୁ ଅଜଣା ନାହିଁ ।

 

ବାଃ ! ତୁ ଯେ ଏମିତି ଭାବେ ଶତକଡ଼ା ଶହେ ଦଶ ପତ୍ନୀର ଦେଖେଇବୁ ତା ମୁଁ ଜାଣିଥିଲି । କମଳେଶ ମଧୁର ପରିହାସ କଲେ ।

 

ଦୁଇ ବନ୍ଧୁଙ୍କର ପ୍ରବଳ ଉତ୍ତାଳ ହସ ଭିତରେ ଦ୍ରାକ୍ଷାର ହସ ବୀଣାର ଝଙ୍କାର ଭଳି ମନେ ହେଉଥିଲା ।

 

ରାତ୍ରିର ଶଯ୍ୟାରେ ସୁଖେନ୍ଦୁ ଦ୍ରାକ୍ଷାଙ୍କୁ ଆଦର କରୁ କରୁ କହିଲେ ଦ୍ରାକ୍ଷା, କମଳେଶ ଭଳି ବନ୍ଧୁ ଖୁବ୍ କ୍ୱଚିତ ମିଳିବେ । ହଠାତ୍ କେମିତି ଦୁହିଁଙ୍କ ମନରେ ଏମିତି ଗଣ୍ଠି ପଡ଼ିଗଲା, ତାହା ମୁଁ ଠିକ୍ ଜାଣେନାହିଁ । ତେବେ ତା ଜୀବନରେ ଗୋଟାଏ ବଡ଼ ଅଭାବ – ବାଲ୍ୟକାଳରୁ ସେ ପିତୃମାତୃହୀନ, ଭାଇ-ଉଉଣୀଟିଏ ବି ତାର ନାହିଁ ସ୍ନେହ ଆଦର କରିବାକୁ । ବାପା ତାର ସେ କାଳର ଜମିଦାର ଥିଲେ । ଅଚଳାଚଳ ସମ୍ପତ୍ତି ଛାଡ଼ି ଯାଇଛନ୍ତି । ଭୋଗ କରିବାକୁ କେହି ନାହାନ୍ତି । କମଳେଶ ସବୁଦିନେ ଅର୍ଥ ବିଷରେ ଉଦାର । ରୋଜଗାର ଯେମିତି ଖର୍ଚ୍ଚ ସେମିତି । ଅନେକ ଅନୁଷ୍ଠାନ ସହ ସେ ସଂପୃକ୍ତ । ପ୍ରତି ମାସରେ ବିଭିନ୍ନ ଅନୁଷ୍ଠାନକୁ ସେ ଅର୍ଥ ସାହାଯ୍ୟ କରିଥାଏ । ଅନେକ ଦରିଦ୍ର ମେଧାବୀ ଛାତ୍ରଙ୍କୁ ସେ ସାହାଯ୍ୟ କରିଥାଏ । କରିବାକୁ ଗଲେ, ମୋର ଶିକ୍ଷା ସମାପ୍ତ କେବଳ ତାରି ଯୋଗୁ ହିଁ ସମ୍ଭବ ହେଇଛି । ତାର ବା କୋଉ କଥାରେ ଅଭାବ ଯେ କିଛି ଦେଇ ଆମେ ଋଣମୁକ୍ତ ହେବା । ଯେଉଁ ଜିନିଷଟିରେ ତାର ଚିରଦିନ ଅଭାବ,ତାକୁ ସେତିକି ଦେଇ ପାରିଲେ ସେ ଖୁସି ହେବ–ଆମ ଋଣଭାର କମିବ ।
 

–କ’ଣ ସେ ଜିନିଷଟି? ଦ୍ରାକ୍ଷା ନିର୍ବୋଧ କିଶୋରୀଙ୍କ ଭଳି ପ୍ରଶ୍ନ କଲା ।

 

ସୁଖେନ୍ଦୁ କହିଲେ– ଟିକିଏ ସ୍ନେହ । ତାକୁ କେବେ ପର ବୋଲି ଭାବିବ ନାହିଁ । ମୋର ବନ୍ଧୁ ଦୃଷ୍ଟିରେ ଦେଖିବ ନାହିଁ, ମୋର ସହୋଦର ଭାଇ ବୋଲି ଭାବିବ । ବୋଉ ଠିକ୍ ସେମିତି ଦୃଷ୍ଟିରେ ଦେଖେ ଆମ ଦୁହିଁଙ୍କୁ । ବାସ୍ ସେତିକିରେ ଯେ ସ୍ଵର୍ଗ ପାଇଲା ଭଳି ମନେ କରିବ । ଭାରି ସ୍ନେହରଙ୍କୁଣା ମଣିଷଟା ତ ! ବିଚରା ଜୀବନରେ ସ୍ନେହ ବୋଲି କ’ଣ ବା ସେ ଜାଣିଛି ।

 

ଦ୍ରାକ୍ଷା କହିଲା– ତମର ବନ୍ଧୁଙ୍କୁ ତମ ଭାଇ ଦୃଷ୍ଟିରେ ଦେଖିବାରେ ମୋର କିଛି ଅସୁବିଧା ନାହିଁ । କିନ୍ତୁ ସବୁଦିନ ଏଠାରେ ରହିବା କଥା ହେବ ନାହିଁ । ତମେ ଜାଣ ନାହିଁ– ପୁରୁଷଙ୍କଠାରୁ ନାରୀ ମନର ଅହଂକାର ଭାବ ଖୁବ୍‍ ବେଶି । ସବୁଦିନ ତମ ବନ୍ଧୁଙ୍କ ବଙ୍ଗଳାରେ ରହିବାଟା ମୋ ଦ୍ଵାରା ସହ୍ୟ ହେବ ନାହିଁ । ତମର ବନ୍ଧୁ ଉଦାର ହେଇପାରନ୍ତି । ତମେ ବି ତାଙ୍କଠୁ ଆହୁରି ବେଶି ଉଦାର ହେଇପାର । କିନ୍ତୁ ମୁଁ ତ ଦୁହିଁଙ୍କ ପରି ନୁହେଁ । ମୁଁ ସାଧାରଣ ନାରୀଟିଏ । ମାସ ମାସ ଧରି ବନ୍ଧୁଘରେ ରହିବାଟାକୁ ମୁଁ ପସନ୍ଦ କରେ ନାହିଁ । ଅନ୍ୟତ୍ର ରହିଲେ ବି କମଳେଶଙ୍କୁ ସ୍ନେହ ଦାନ କରିବାରେ ମୁଁ କାର୍ପଣ୍ୟ କରିବି ନାହିଁ ।

 

ଦ୍ରାକ୍ଷାକୁ ଚିଡ଼ାଇବା ପାଇଁ ସୁଖେନ୍ଦୁଙ୍କର ହଠାତ୍ ଇଚ୍ଛା ହେଲା । ସେ ମୃଦୁ ହସି ରସିକତା କରି କହିଲେ–କମଳେଶ ଇଚ୍ଛା କରିଥିଲେ ତମେ ହିଁ ତ ଏ ଘରର କର୍ତ୍ତ୍ରୀ ହେଇଥାନ୍ତ । ସେତେବେଳେ କ’ଣ ମତେ ଏଠାରେ ରହିବାକୁ ଦେଇ ନ ଥାନ୍ତ । ମୁଁ ଯଦି ମୋ ପତ୍ନୀ ସହ ତମ ଘରେ ଓହ୍ଲାଇଥାନ୍ତି ମତେ କ’ଣ ତମେ ତଡ଼ି ଦେଇଥାନ୍ତ !

 

ଦ୍ରାକ୍ଷା କହିଲା– କମଳେଶ ଇଚ୍ଛା କରିଥିଲେ ବି ତାହା ହୁଅନ୍ତା ନାହିଁ; କାରଣ ମୋର ଜନ୍ମ ହିଁ ତମରି ପାଇଁ । ସେମିତି ହେଲେ ମୁଁ ନିଶ୍ଚୟ, ତମରି ହେଇଥାନ୍ତି । କମଳେଶ ପାଇଁ ମୁଁ ଉଦ୍ଦିଷ୍ଟ ନୁହେଁ ।

 

ସୁଖେନ୍ଦୁ ଦ୍ରାକ୍ଷାଙ୍କୁ ଆଲିଙ୍ଗନ ଭିତରକୁ ଟାଣି ନେଉ ନେଉ କହିଲେ ତମକୁ ପାଇବାର ସୁଯୋଗ ଦେଇଥିବାରୁ ମୁଁ କମଳେଶଠାରେ ସେ ଆଜୀବନ ଋଣୀ ହେଇ ରହିବି, ଏକଥା ତମର ଜାଣି ରଖିବା ଉଚିତ । ଯାହା ପାଖରେ ମୁଁ ଋଣୀ ତା ପାଖରେ ତମେ ବି ଋଣୀ । ଆମେ ଦୁହେଁ ଜୀବନସାର ତାର ଋଣ ସୁଝିବା ।

 

ଦ୍ରାକ୍ଷା ସୁଖେନ୍ଦୁଙ୍କର ଗଳା ବେଷ୍ଟନ କରି କହିଲା– ତମେ କିନ୍ତୁ ଘରଟିଏ ଖୋଜୁଥାଅ । ଭଲ ଘରଟିଏ ପାଇଲେ ଆମେ ଚାଲିଯିବା । ଅତି ପରିଚୟେ ଗୌରବ ନଷ୍ଟ । ଦୂର ବନ୍ଧୁ ସୁନ୍ଦର । କଥାଟା ଏକବାର ଠିକ୍।

 

ସୁଖେନ୍ଦୁ କହିଲେ– କମଳେଶ ତ ମୋର, ବନ୍ଧୁ ନୁହେଁ– ଭାଇ ସେଠାରେ ଦୂରତାର ପ୍ରଶ୍ନ ଉଠୁଛି ବା କେଉଁଠୁ ? ତେବେ ଆମେ ନିଶ୍ଚୟ ଆମ ଘରକୁ ଯିବା । ତମକୁ ତ, ଏମିତି ସେମିତି ଘରଟିଏ ମାନିବ ନାହିଁ । ଭାବୁଛି ଗୋଟାଏ ସୁନ୍ଦର, ଘରଟିଏ କିଣିବି । ତା’ପରେ ତ ସେଠାକୁ ଯିବା ପାଇଁ କମଳେଶ କିଛି ଭାବିବ ନାହିଁ । ନାହିଁ, କରି ପାରିବ ନାହିଁ । ତମେ କଣ କହୁଛ ? ଏ ଘରଟି ତମକୁ ଯେମିତି ମାନୁଛି, ଭଡ଼ାଘରଟିଏ ସେମିତି ମାନିବ ନାହିଁ । ମୁଁ ଏ ଭିତରେ ନିଶ୍ଚୟ ଘରଟିଏ କଣିବି ।

 

ସୁଖେନ୍ଦୁଙ୍କ ଛାତିରେ ମୁଣ୍ଡ ରଖି ସ୍ୱପ୍ନଭରା କଣ୍ଠରେ ଦ୍ରାକ୍ଷା କହିଲା– ତମର ଯାହା ଇଚ୍ଛା, ମୋର ସେଥିରେ ଖୁସି ।

 

ଦ୍ରାକ୍ଷାଙ୍କର ଭିଜା ଭିଜା କଣ୍ଠର ଭାଷା ସୁଖେନ୍ଦୁଙ୍କ ଦେହ– ମନକୁ ସଞ୍ଚର ଆସିଲା ।

 

ତା’ ପରଦିନ ଦ୍ରାକ୍ଷା ଉଠିବା ମାନେ ପ୍ରଥମେ କମଳେଶଙ୍କୁ ଭେଟିଲା । କମଳେଶ ବାରଣ୍ଡାରେ ବସି ଚା’ ପିଉ ପିଉ ସମ୍ବାଦପତ୍ର ପଢ଼ୁଥିଲେ । ଦ୍ରାକ୍ଷାଙ୍କୁ ସେ ସୁପ୍ରଭାତ ଜଣାଇ ଚା’ ପିଇବାକୁ ଡାକିଲେ ।

 

ଦ୍ରାକ୍ଷା ସଙ୍ଗେ ସଙ୍ଗେ ଦାନ୍ତଟା ଘଷି ପକାଇ କମଳେଶଙ୍କ ସାମ୍ନା ଚେୟାରରେ ବସୁ ବସୁ କହିଲା–ଆପଣମାନଙ୍କ ପରି ସାହେବ ହେବାପାଇଁ ମୁଁ ଛତିଆ ଢୋକେ ନାହିଁ ଚା’ ସଙ୍ଗରେ । ଆପଣଙ୍କ ଭାଇଙ୍କର ସେ ଅସନା ଅଭ୍ୟାସଟା ମୁଁ ଭାଙ୍ଗି ଦେଇଛି ।

 

କମଳେଶ ଅଘଷା ପାଟିରେ ଚା ଢୋକୁ ଢୋକୁ କହିଲେ– କିଛି ଲାଭ ନାହିଁ । ଗୋଟାଏ ବଦଭ୍ୟାସ ଛଡ଼ାଇ ଶହେଟା ନୂଆ ବଦଭ୍ୟାସି ତାର ବଢ଼ାଇଛନ୍ତି ।

 

–କେମିତି ? ଦ୍ରାକ୍ଷା ଚା’ କପ୍‌ଟା ନେଉ ନେଉ ପ୍ରଶ୍ନ କଲା ।

 

–ଏଇ ଦେଖନ୍ତୁ; ସେ ତ ମୋତେ ଲେଟ୍ ରାଇଜର ନ ଥିଲା । ଖୁବ୍ ସକାଳୁ ଉଠିପଡ଼ିବା ତାର ଗୋଟିଏ ପୁରୁଣା ଅଭ୍ୟାସ । ଆଜି ତାର ଏ ବଦଭ୍ୟାସଟା ମୁଁ ନୂଆ ଦେଖିଲି । ଏଇଟା କ’ଣ ଆପଣଙ୍କ ପାଇଁ ନୁହେଁ? କମଳେଶ ଓଠ ଚିପି ହସିଲେ ।

 

ଦ୍ରାକ୍ଷା ସଲ୍ଲଜ କଣ୍ଠରେ କହିଲା– ନୂଆ ଜାଗା କି ନା, ଟିକେ ଭଲ ନିଦ ହେଇନାହିଁ ବୋଧହୁଏ । ସକାଳୁ ସକାଳୁ ନିଦ ଲାଗିଯାଇଛି ।

 

କମଳେଶ ହୋ ହୋ ହେଇ ହୋ ହେଇ, ହସି ଉଠି କହିଲେ ନୂଆ ଜାଗା ? ସେ ତ ଏ ଘରର ଜଣେ ପୁରୁଣା ବାସିନ୍ଦା ।

 

ଦ୍ରାକ୍ଷା ଆଉ କିଛି କହିଲେ ନାହିଁ । ତା ମୁହଁ ରେ ସକାଳ ସୂର୍ଯ୍ୟର ରକ୍ତିମ ଆଭା ପଡ଼ି ଆହୁରି ପାଟଳ ହେଇ ଉଠିଥିଲା । କମଳେଶ ନୀରବରେ ଚା’ ପିଉ ପିଉ ଦ୍ରାକ୍ଷାର ଅପରୂପ ସୌନ୍ଦର୍ଯ୍ୟରେ ମୁଗ୍ଧ ହେଉଥିଲେ । ଦ୍ରାକ୍ଷାର କପାଳର ସିନ୍ଦୂର ବିନ୍ଦୁଟି ସାମାନ୍ୟ ନେସି ହେଇଯାଇ ଅଧିକ ସୁନ୍ଦର ଦିଶୁଥାଏ । ତା ଦେହରେ ଏକ ଅପୂର୍ବ ସିମେଟ୍ରି । ପାଦ ଦୁଇଟି ପଦ୍ମପରି ସୁନ୍ଦର, ମନୋରମ । ହାତରେ ସରୁ ସରୁ ଅଙ୍ଗୁଳିଗୁଡ଼ିକ ସତେ ବା ଫୁଲର କେତୋଟି କଅଁଳ ପାଖୁଡ଼ା । ଦ୍ରାକ୍ଷାର ତାଳୁରୁ ତଳିପାଯାଏ ବାଛିବାକୁ କିଛି ନାହିଁ ।

 

କମଳେଶ ସୁଖେନ୍ଦୁଙ୍କୁ ଏମିତି ଝିଅଟିଏ ବାଛି ଦେଇଥିବାରୁ ମନେ ମନେ ନିଜକୁ ତାରିଫ୍ କଲେ । ଚା’ ପର୍ବ ସାରି ଦ୍ରାକ୍ଷା ସ୍ନାନ କରିବାକୁ ଚାଲିଗଲା । ଖୁବ୍ ଶୀଘ୍ର ଗାଧୋଇ, ସାମାନ୍ୟ ପ୍ରସାଧନରେ ନିଜକୁ ସଜ୍ଜିତ କରି ସେ ବ୍ରେକ୍‌ଫାଷ୍ଟର ଆୟୋଜନ କଲେ ।

 

ବ୍ରେକ୍‌ଫାଷ୍ଟ ଟେବୁଲ୍‌ରେ ବସି କମଳେଶ ଦ୍ରାକ୍ଷାଙ୍କ ହାତରନ୍ଧାର ତାରିଫ କରିବାକୁ ଲାଗିଲେ । ସୁଖେନ୍ଦୁ କହିଲେ– କମଳେଶ, ତତେ ଆମର ଗୋଟିଏ କଥା ରକ୍ଷା କରିବାକୁ ହେବ । ଆଜିଠାରୁ ସେପଟେ ତୋର ରୋଷେଇ ବନ୍ଦ, ଆମର ରୋଷେଇ ଏକାଠି ହେବ । ଅନ୍ତତଃ ଆମେ ଏଠି ଯେତିକି ଦିନ ଅଛୁ, ଏକାଠି ଏକା ସଙ୍ଗେ ଖାଇବା । ନା କ’ଣ କହୁଛ ଦ୍ରାକ୍ଷା ?

 

ଦ୍ରାକ୍ଷା ମୁଣ୍ଡ ଟୁଙ୍ଗାରିଲା । କମଳେଶ କହିଲେ– ତମ ଦୁହିଁଙ୍କର ଜୟ ହେଉ । ହେଲେ ମୋ ଭଳି ଭାଗାବଣ୍ତକୁ ସାଙ୍ଗ କଲେ ଭାଉଜ ହିଁ ହଇରାଣ ହେବେ । କେଉଁଦିନ ଫେରୁ ଫେରୁ ରାତି ଦୁଇ ତ କେଉଁଦିନ ଚାରି । ଶେଷକୁ ଟେବୁଲ୍ ଉପରେ ଥଣ୍ଡା ଭାତ ତରକାରୀ ଘୋଡ଼େଇଦେଇ ତମେ କବାଟ ବନ୍ଦ କରିଦବ– ଏମିତି ତ ସିଝା ହେଉ ବା କଞ୍ଚା ହେଉ ପୂଝାରୀ ଗରମ କରି ଦେଉଛି-। ଶେଷକୁ ମୁଁ ଏ କୂଳର ହେବିନି କି ସେ କୂଳର ହେବିନି ।

 

ସୁଖେନ୍ଦୁ କହିଲେ– ଦ୍ରାକ୍ଷା ହାତରେ ତୋ ସବୁ ଭଗାମୀ ଛାଡ଼ିଯିବ । ଠିକଣା ବାଟରେ ଚଳାଇବାର କାଇଦା ତାଙ୍କୁ ଠିକ୍ ଜଣା ।

 

ଦ୍ରାକ୍ଷା ହସି ହସି କହିଲା– ମୁଁ ତ ଏ ସବୁ ଏକା ପାରିବି ନାହିଁ; ମତେ ପୁଣି ଏଥିପାଇଁ ଖୁବ୍‌ ଶୀଘ୍ର ସଙ୍ଗୀଟିଏ ଖୋଜି ନେବାକୁ ପଡ଼ିବ ।

 

କମଳେଶ କହିଲେ– ଠିକ୍ ତମ ସଙ୍ଗେ ମାନିବା ଭଳି ସଙ୍ଗୀଟିଏ ଖୋଜିବା ଦରକାର, ନ ହେଲେ ଚଳିବ ନାହିଁ । ସୁଖେନ୍ଦୁ ପାଇଁ ମୁଁ ତୁମକୁ ବାଛିଚି । ମୋ ରୁଚି କେମିତି ତମେ ସେଥିରୁ ବେଶ୍ ବୁଝୁଥିବ ।

 

ଦ୍ରାକ୍ଷା କହିଲା– ମୋ ଭଳି ଏକ ତରୁଣୀ ଦରକାର ତ?

 

ସୁଖେନ୍ଦୁ ହୋ ହୋ ହୋଇ ହସି ଉଠିଲେ । ତା’ପରେ କମଳେଶ ସୁଖେନ୍ଦୁଙ୍କ ପରିବାରର ଜଣେ ହୋଇଗଲେ । ପ୍ରଥମ ପରିଚୟରର ଲୌକିକତା ହଜିଗଲା ଆତ୍ମୀୟତାର ସୁଅରେ । ଆପଣରୁ ତମେ ହୋଇଗଲେ ଦ୍ରାକ୍ଷାଭାଉଜ । ସାନ ଗେହ୍ଲାଦିଅରଟି ଭଳି ବେଳେ ବେଳେ ସେ ଦ୍ରାକ୍ଷାଙ୍କ ଉପରେ ଅଭିମାନ କରି ବସିଲେ । ଦ୍ରାକ୍ଷା ବୟସ୍କ ବଡ଼ ଭାଉଜଟି ଭଳି ବେଳ ଅବେଳରେ ତାଙ୍କୁ ଶାସନ କରିବାକୁ କୁଣ୍ଠିତା ହେଲାନାହିଁ । ତାରି ଭିତରେ ସୁଖେନ୍ଦୁ ଦ୍ରାକ୍ଷାଙ୍କ ଅନୁରେଧକ୍ରମେ ମନମୁତାବକ ଘରଟିଏ ଖୋଜିବାକୁ ଲାଗିଲେ କିଣି ନେବାପାଇଁ । ହେଲେ ମନଲାଖି ଘରଟିଏ କିଣିପାରିବା ଏତେ ସହଜ କଥା ତ ନୁହେଁ ।

 

ଏଇ ଅବସରରେ ଦିନେ ବନ୍ଧୁ ଓ ବନ୍ଧୁପତ୍ନୀଙ୍କୁ ସ୍ୱାଗତ କରିବା ପାଇଁ ଏକ ପାର୍ଟିର ଆୟୋଜନ କଲେ କମଳେଶ । ଯେତେ ମନା କଲେ ମଧ୍ୟ ସୁଖେନ୍ଦୁର ବାରଣ ମାନିଲେ ନାହିଁ ।

 

ପାର୍ଟିରେ ବହୁ ମାନ୍ୟଗଣ୍ୟ ଅଭିଜାତ ପରିବାର ବ୍ୟକ୍ତିଙ୍କର ସମାଗମ ହୋଇଥିଲ । ଦ୍ରାକ୍ଷାଙ୍କର ଅପରୂପ ସୌନ୍ଦର୍ଯ୍ୟର ଭୂରି ଭୂରି ପ୍ରଶଂସାରେ ସୁଖେନ୍ଦୁଙ୍କର ବୁକୁ ଫୁଲି ଉଠିଥିଲା । ଦାମିକା ଷ୍ଟୋନ୍ ସେଟ୍‌ର ସ୍ୱଳ୍ପ ଗହଣା ଗାଢ଼ ଲାଲ ରଙ୍ଗର ସୁନେଲୀ ଜରିଫୁଲଫୁଟା ବନାରସୀ ପାଟରେ ଦ୍ରାକ୍ଷା ଅପୂର୍ବ ଦେଖା ଯାଉଥାଏ । ତା’ ଦେହର ସୁନାରଙ୍ଗ ରଙ୍ଗୀନ ଶାଢ଼ୀ ଭିତରେ ନିଆଁ ଭଳି ଉଜ୍ଜ୍ୱଳ ଦିଶୁଥାଏ । ଅନେକ ଉପହାରରେ ବିରାଟ ହଲ୍‌ର ଲମ୍ବା ଟେବୁଲ୍‍ ଭରପୂର । ଅନେକ ରାତିରେ ଭୂରି ଭୋଜନରେ ଆପ୍ୟାୟିତ ହୋଇ ବନ୍ଧୁମାନେ ଫେରିଗଲେ । ସମସ୍ତଙ୍କୁ ବିଦାୟ ଦେଇ କମଳେଶ ଫେରି ଆସିଥିଲେ । ହାତରେ ଗୋଟିଏ ଲମ୍ବା ଲଫାପା ଧରି ଦ୍ରାକ୍ଷାଙ୍କ ହାତକୁ ବଢ଼ାଇଦେଇ କହିଲେ–ଅଧୀନର ଭେଟି ଗ୍ରହଣ କରିବା ହେଉ ।

 

ସୁଖେନ୍ଦୁ କହିଲେ ସେ ପୁଣି କ’ଣ ? ପାର୍ଟିରେ ତ ଗୁଡ଼ାଏ ଟଙ୍କା ଅଯଥାରେ ଖର୍ଚ୍ଚ କରିଦେଲୁ ।

 

କମଳେଶ କହିଲେ– ତା ବୋଲି ଭାଉଜଙ୍କୁ ମୁହଁଚୁହାଁ ଦେବି ନାହିଁ ? ତୋ ବାହାଘର ବେଳେ ମୁଁ ତ କିଛି ଦେଇନାହିଁ । ଭାଉଜଙ୍କ ମୁହଦେଖା ପୂର୍ବରୁ ତ ମତେ ଫେରି ଆସିବାକୁ ହେଲା ।

 

କୌତୂହଳରେ ଦ୍ରାକ୍ଷାର ସୁନ୍ଦର ମୁହଁଟା ଚମକି ଉଠିଲା । ସେ ଲଫାପା ଖୋଲୁ ଖୋଲୁ କହିଲା ଲଫାପା ଭିତରେ ପୁଣି କି ମୁହଁଚୁହାଁ ଦେଖିବା ?

 

ଲଫାପା ଭିତରୁ ତିନି ଚାରି ପୃଷ୍ଠାର କାଗଜ ବାହାର କରି ପଢୁ ପଢୁ ଦ୍ରାକ୍ଷାର ଉଜ୍ଜ୍ଵଳ ମୁହଟା ହଠାତ୍ ମଳିନ, କଠୋର ହୋଇଉଠିଲା । ସେ ଦୃଢ଼ କଣ୍ଠରେ କହିଲା ନା, ଏ କଥା ହେଇପାରେନା । ତମର ଏ ଭେଟି ମୁଁ ଗ୍ରହଣ କରିବାକୁ ବାଧ୍ୟ ନୁହେଁ ।

 

କମଳେଶଙ୍କର ଆନନ୍ଦ ଛଳ ଛଳ ମୁହଁଟା ଛୋଟପିଲାର କାନ୍ଦୁରା ମୁହଁଭଳି କରୁଣ ହୋଇଉଠିଲ । ସେ କହିଲେ–ଭାଉଜ ! ମୋର ବଡ଼ ଦୁଃଖ ସେ ତମେ ମତେ ଏ ପର୍ଯ୍ୟନ୍ତ ଆପଣାର ଭାବିଲା ନାହିଁ । ସବୁଦିନ ପାଇଁ ମୁଁ ଏକା ହୋଇ ରହିଗଲି ଏ ସଂସାରରେ । ବନ୍ଧୁ କେବେହେଲେ ଭାଇ ହୋଇପାରେନା ?

 

ସୁଖେନ୍ଦୁ କିଛି ବୁଝିପାରିଲେ ନାହିଁ । ତଥାପି ସେ ବୁଝିଲେ, କମଳେଶ ଖୁବ୍ ଆଘାତ ପାଇଯାଇଛି ।

 

ପରସ୍ଥିତିକୁ ସୁଧାରିଦେବା ପାଇଁ ସୁଖେନ୍ଦୁ ଦ୍ରାକ୍ଷା ହାତରୁ କାଗଜତକ ନେଉ ନେଉ କହିଲେ– ସେ କ’ଣ ଦ୍ରାକ୍ଷା ! କମଳେଶର ଉପହାର ଗ୍ରହଣ ନ କଲେ ସେ ଯେ ଦୁଃଖ କରିବ ।

 

ଦ୍ରାକ୍ଷା କହିଲା ଉପହାର ନାମରେ କମଳେଶ ଯେ ଆମକୁ ଦାନ କରିବାକୁ ବସିଛନ୍ତି । ତାଙ୍କ ଦାତାପଣିଆକୁ ମୁଁ ବରଦାସ୍ତ କରିପାରୁ ନାହିଁ ।

 

ସୁଖେନ୍ଦୁ କାଗଜ ଉପରେ ଥରେ ଆଖି ବୁଲାଇନେଇ ଗମ୍ଭୀର ହୋଇଗଲେ । କହିଲେ ଏ କ’ଣ କମଳ, ଏତେ ବଡ଼ ବଙ୍ଗଳାର ଅର୍ଦ୍ଧେକ ଅଂଶ ତୁ ଆମକୁ ବିବାହର ଭେଟି ଭାବେ ଦେଇଦେବା କ’ଣ ଯୁକ୍ତିସଙ୍ଗତ । ଏକଥା ତ ଆଦୌ ହୋଇ ପାରେନା । ମୁଁ ଏକଥା କଦାପି ଅନୁମୋଦନ କରିବି ନାହିଁ ।

 

କମଳେଶ ଦୁଃଖଭରା କଣ୍ଠରେ କହିଲେ– ସୁଖେନ୍, ତୁ ମଧ୍ୟ ଏକଥା କହିଲୁ ? ଭାଇ– ଏତେ ବଡ଼ ବଙ୍ଗଳାଟା ଭୂତକୋଠି ଭଳି ମତେ ଖାଇବାକୁ ଗୋଡ଼ାଉଛି । ମୁଁ ବିବାହ କରି ସଂସାର କଲା ପରେ ମଧ୍ୟ ଏ ବଙ୍ଗଳାର ଅନେକ ଅଂଶ ବ୍ୟବହାରରେ ଲାଗିବ ନାହିଁ । ତୁ ଜାଣିନାହୁଁ । ଏ ଘରର ପ୍ରତ୍ୟେକଟି ଇଟାର ସିମେଣ୍ଟରେ ମୋ ଅତୀତର କେତେ ମଧୁର ସ୍ନେହସିକ୍ତ ବାଲ୍ୟ ସ୍ମୃତି ଲିପିବଦ୍ଧ ।

 

ବୟସ ମୋର ସେତେବେଳେ ହୋଇଥିଲା ମାତ୍ର ତେର । ସେଇ ଅଶୁଭ ବୟସର ଏକ ଅଶୁଭ ଦିନରେ ବାବା-ମାଆ ଏକ ସମୟରେ ଗୋଟାଏ ଶୋଚନୀୟ କାର୍ ଆକ୍ସିଡେଣ୍ଟରେ ମତେ ଅସହାୟ କରି ଚାଲିଗଲେ । ମୁଁ ସେଦିନ ସେମାନଙ୍କ ସଙ୍ଗେ ଯାଇ ନ ଥିଲି । ବଞ୍ଚିଗଲି ଚିରଦିନ ଏକା ହୋଇ । ଗୋଟାଏ ଭାଇ କିମ୍ବା ଭଉଣୀ ମଧ୍ୟ ମୋର ନ ଥିଲେ ଏଇ ବଙ୍ଗଳାରେ ମୋ ସହ ଅଂଶୀଦାର ହେବା ପାଇଁ । ସେଇ ଘଟଣା ପରେ ମୁଁ ମାମୁଁଙ୍କ ଘରେ ହିଁ ରହିଲି । କଲେଜଜୀବନ ହିଁ କଟିଲା ହଷ୍ଟେଲରେ । ଛାତ୍ର ଜୀବନ ପରେ ଆଉ ତ ମାମୁଁଙ୍କ ଘରେ ରହି ହୁଏନା । ଫେରିଆସିଲି ଏଇ ବଙ୍ଗଳାକୁ । ହେଲେ ପ୍ରତି ମୁହୂର୍ତ୍ତରେ ବାବା ମା’ଙ୍କର ସ୍ମୃତି ମତେ ଏଠି ଅସ୍ଥିର କରିଛି । ମୋ ଶୈଶବର ମୂକ ସାକ୍ଷୀ ବାବାଙ୍କର ଅତି ଆଦରର ଏଇ ସୌଖୀନ ବଙ୍ଗଳାର ଗୋଟାଏ ଇଞ୍ଚ ମୁଁ ବିକିଦେଇ ପାରିବି ନାହିଁ । ତୁ ତ ମୋର ବନ୍ଧୁ ନୋହୁଁ– ସହୋଦର । ସେଥିପାଇଁ ତତେ ସବୁଦିନ ପାଇଁ ଏଇ ବଙ୍ଗଳାରେ ମୋ ସ୍ମୃତିର ଅଂଶୀଦାର କରି ରଖିବା ପାଇଁ ମୋର ଏଇ ଭେଟି । ମଣିଷର କ୍ଷଣିକ ଜୀବନରେ ଏଇ ଟିକେ ବନ୍ଧୁତ୍ୱ କେଡ଼େ ଦୁର୍ଲଭ କେଡ଼େ ବାଞ୍ଛନୀୟ କହ ତ ! ଏଇ ବଙ୍ଗଳା ସେମିତି ପଡ଼ିରହିଛି, ବାବା ଚାଲିଗଲେ, ମା’ ଚାଲିଗଲେ– ଆମେ ବି ଚାଲିଯିବା । ଏଥିରୁ ଗୋଟାଏ ଇଟା ବା ଇଞ୍ଚଟିଏ ସିମେଣ୍ଟ ଆମେ ନେଇଯିବା ନାହିଁ । ଏଇ ତୁଚ୍ଛ ଜିନିଷଟା ଗ୍ରହଣ କରିବା ପାଇଁ ତମ ମନରେ ଏତେ କୁଣ୍ଠା । ଛି, ସୁଖେନ୍‌ ! ଏତେ ଦିନଯାଏ ତୋ ବାହାରଟା ହିଁ ମୁଁ ଦେଖିଥିଲି, ତୋ ଭିତରଟା ଏତେ ଛୋଟ । ଆମ ବନ୍ଧୁତାର ସୀମାରେଖା ମାତ୍ର ଏତିକି?

 

କମଳେଶଙ୍କର ମୁହଁଟା ଦୁଃଖ– ବିରକ୍ତିରେ ବିବର୍ଣ୍ଣ ହୋଇ ଉଠିଥିଲା । ସୁଖେନ୍ଦୁ କମଳେଶର ଦୁଃଖକୁ ଊଣା କରିବା ପାଇଁ ଚେଷ୍ଟା କରି କହିଲେ– କିନ୍ତୁ ଏମିତି ଗୋଟାଏ ଅଦ୍ଭୁତ ଖିଆଲ ତୋର ବା କାହିଁକି ହେଲା କହ ତ ! ବନ୍ଧୁ ପତ୍ନୀଙ୍କୁ ଭେଟି ଦେବାପାଇଁ ସଂସାରରେ ଅନେକ ଜିନିଷ ଅଛି ।

 

କମଳେଶ କହିଲେ– ତୁ କ’ଣ ଘରଟିଏ ଖୋଜୁ ନାହୁଁ ? ଏ ପର୍ଯ୍ୟନ୍ତ ମନମୁତାବକ ଘରଟିଏ କିଣିବାକୁ ପାଇନାହୁ ବୋଲି ଭାଉଜଙ୍କ ପାଖରେ ଦୁଃଖ କରିନହୁଁ ? ଠିକ୍ ଏମିତି ବଙ୍ଗଳାଟିଏ ଭାଉଜଙ୍କୁ ମାନନ୍ତା ବୋଲି ତୋର ଇଚ୍ଛା ତାଙ୍କ ଆଗରେ ପ୍ରକାଶ କରୁନାହୁଁ । ତୁ ତ ଜାଣୁ ତୋର କୌଣସି ଇଚ୍ଛା ଅପୂର୍ଣ୍ଣ ରଖିବା ମୋ ପକ୍ଷେ କଷ୍ଟଦାୟକ । ତୋର ଯେଉଁ ଇଚ୍ଛାଟା ପୂର୍ଣ୍ଣ ହେବା ମୋ ଶକ୍ତିର । ଭିତରେ, ତାହା କ’ଣ କେବେ ଅପୂର୍ଣ୍ଣ ରହିବାର ତୁ ଦେଖିଛୁ । ଏଇ ବଙ୍ଗଳାର ଅର୍ଦ୍ଧେକ ଅଂଶ ମୋ ପକ୍ଷେ ବା କ’ଣ ? ତୋର ଇଚ୍ଛା କ’ଣ ତା’ଠାରୁ ବେଶି ମୂଲ୍ୟବାନ୍ ନୁହେଁ । ତା’ଛଡ଼ା ବେଶି ପ୍ରଲୋଭନ ତୋର ସଙ୍ଗସୁଖ– ଭାଉଜଙ୍କର ସ୍ନେହ ସ୍ପର୍ଶ । ତୁମକୁ ଛାଡ଼ିଦେଲେ ମୋର ବା କିଏ ଅଛି ଆତ୍ମୀୟସ୍ୱଜନ !

 

ଦ୍ରାକ୍ଷାର କୋମଳହୃଦୟ ଦ୍ରବୀଭୁତ ହୋଇ ଉଠିଥିଲା । ସେ ଦଲିଲଟିକୁ ସୁଖେନ୍ଦୁଙ୍କ ହାତରୁ ଆଣୁ ଆଣୁ କହିଲେ– ଭଲ କଥା । ଆମେ ଏ ଉପହାର ଗ୍ରହଣ କଲୁ । କିନ୍ତୁ ତୁମକୁ ଏମିତି ଆମର କେତେ କଥା ମଧ୍ୟ ରଖିବାକୁ ପଡ଼ିବ । ବଙ୍ଗଳାର ଦାମ୍‌‌ଟା ତୁମକୁ ଆମେ ଅନ୍ୟ ଯେ କୌଣସି ଭାବରେ ଫେରାଇ ଦେବୁ । ତମେ ତାକୁ ମାନିନେବ ଯେମିତି ।

 

କମଳେଶ କହିଲେ– ଆଦେଶ କରନ୍ତୁ ଦେବୀ । ଏ ଦୀନ ଆପଣଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ସୁଖେନ୍ଦୁ ରାମଚନ୍ଦ୍ର ହେଲେ ମୁଁ ତ ଲକ୍ଷ୍ମଣ ନୁହେଁ– ମୁଁ ଭକ୍ତ ହନୁମାନ । ଦରକାର ପଡ଼ିଲେ ସମୁଦ୍ର ବି ଲଙ୍ଘିପାରେ ।

 

ସୁଖେନ୍ଦୁ କହିଲେ– ଦ୍ରାକ୍ଷା, ମନେରଖ । କମଳେଶର ବିବାହ ଉପହାରଟା ଯେମିତି ଆମର ସବୁଠାରୁ ମୂଲ୍ୟବାନ ବସ୍ତୁଟିଏ ହୁଏ । ଏ ପ୍ରାସାଦଠାରୁ ଅଧିକ ଦାମର ହୁଏ । ତାକୁ ପାରିବାର ଅନ୍ୟ ବାଟ ନାହିଁ । ତାର ଏ ମହାନ୍ ବନ୍ଧୁତ୍ୱର ସୀମାରେଖା ସେ କେତେଦୂର ହୋଇପାରେ ଏବେ ସେ କଥା ମୋର କଳ୍ପନାର ବାହାରେ ।

 

ଦ୍ରାକ୍ଷା କମଳେଶଙ୍କର ଉପହାର ଗ୍ରହଣ କଲେ ମଧ୍ୟ ଖୁସି ହେବାଭଳି ମନେ ହେଲାନାହିଁ-। ଗୋଟିଏ ଗଭୀର ଚିନ୍ତାରେ ବୁଡ଼ିଯାଇ ସେ ଭାବିଲେ ଅନ୍ୟ ପାଖରେ ଆଜୀବନ କୃତଜ୍ଞ ରହିବାର ଦୁଃଖ କଛି କମ୍ ନୁହେଁ । କମଳେଶ ପ୍ରତି କୃତଜ୍ଞତାର ଭାର ତାଙ୍କର ବନ୍ଧୁତ୍ୱକୁ ଭାରାକ୍ରାନ୍ତ କରିଦେବ ନାହିଁ ତ । ଏ ବିରାଟ ଋଣଭାରକୁ ସୁଝିବାର ବାଟ ସେ ଖୋଜି ପାଉନାହାନ୍ତି-। ସେ ଟିକେ ଅସୁଖୀ ହୋଇପଡ଼ିଲେ ।

 

ଦିନ ଗଡ଼ିଚାଲିଲା ଅନେକ ଛନ୍ଦପତନର ସ୍ଵର ତୋଳି । କମଳେଶ ସୁଖେନ୍ଦୁଙ୍କର ବନ୍ଧୁ ବୋଲି ସମସ୍ତଙ୍କର ବିସ୍ମରଣ ହୋଇଗଲା । କମଳେଶ ଅନେକ ସମସ୍ତରେ ବ୍ୟବସାୟ ନେଇ ହିଁ ବ୍ୟସ୍ତ ରହୁଥିଲେ । ଦ୍ରାକ୍ଷା ଅନେକ ରାତି ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରି ବସେ । ସୁଖେନ୍ଦୁ ସବୁଦିନ ଶୀଘ୍ର ରାତ୍ରିଭୋଜନ କରନ୍ତି । କମଳେଶକୁ ଅପେକ୍ଷା କରନ୍ତି ନାହିଁ । ଶଯ୍ୟା ଗ୍ରହଣ କରି ସେ ଦ୍ରାକ୍ଷାକୁ ଡାକନ୍ତି । ଦ୍ରାକ୍ଷା ଖାଦ୍ୟପଦାର୍ଥ ଘୋଡ଼ାଇ ରଖି ସୁଖେନ୍ଦୁଙ୍କ ପାଖକୁ ଯାଆନ୍ତି । କମଳେଶ ଆସିବାର ଶବ୍ଦ ଶୁଣିବା ମାତ୍ରେ ଦ୍ରାକ୍ଷା ଧଡ଼ପଡ଼ ହୋଇ ଉଠି ଆସି କବାଟ ଖୋଲନ୍ତି । କମଳେଶ ଚୋରି କଲାଭଳି ମଳିନ ପଡ଼ିଯାଇ କହନ୍ତି ଭାଉଜ ! ତମେ କାହିଁକି ଉଠିଲ– ମୁଁ ତ ଖାଇନେଇ ଥାଆନ୍ତି । ଅଯଥାରେ ମୋ ଲାଗି ହଇରାଣ ହେଲ । ଦ୍ରାକ୍ଷା କଟ୍‌ମଟ୍ କରି କମଳେଶକୁ ଚାହାଁନ୍ତି । କଠୋର କଣ୍ଠରେ କହନ୍ତି, ତମ ମନଟା ବି କିଛି କମ୍ ନୁହେଁ । ଟଙ୍କା ଥିଲେ ବନ୍ଧୁକୁ ପ୍ରାସାଦ ଭେଟିଦେଇ କେହି ଉଦାର ହୋଇଯାଏ ନାହିଁ । ମୁଁ ଯଦି ତମର ନିଜର ଭାଉଜ ହୋଇଥାନ୍ତି, ତମକୁ ଅପେକ୍ଷା କରି ବସିବାରେ ତମେ କ’ଣ ଏତେ ଲଜ୍ଜିତ ହୁଅନ୍ତ ? ବରଂ ଦିନଟିଏ ଭାଉଜ ତମର ବାଟ ଚାହିଁ ନ ବସିଲେ ତମେ ତା’ର ସପ୍ତପୁରୁଷର ଶ୍ରାଦ୍ଧ ବାଢ଼ନ୍ତ । ଦିଅରଟି ଖାଇ ନ ଥିଲେ ଭାଉଜ ଖାଇଦେଇ ଶୋଇପଡ଼ିବାର କେଉଁଠି ଦେଖିଛ ? ଦ୍ରାକ୍ଷାର ମୁହଁରେ ମମତାର ମଧୁର ସ୍ପର୍ଶ । ଆଖି ଦୁଇଟା ସ୍ନେହପ୍ରବଣତାରେ ଉଜ୍ଜ୍ଵଳ ।

 

କମଳେଶ ପୁଲକିତ ହୋଇଉଠନ୍ତି । ଭାରି ଭାରି ଗଳାରେ କହନ୍ତି– ସେଇ ତେର ବର୍ଷ ବୟସ ପରେ ମୋର ଖାଇବା ପାଇଁ କେହି ଚାହିଁ ବସନ୍ତି ନାହିଁ । ତେଣୁ କେହି ଚାହିଁ ନ ବସିଲେ ମୋର ଦୁଃଖ ହୁଅନ୍ତା ନାହିଁ । ସେ ଅଭ୍ୟାସ ତ ମୋର ନାହିଁ । ଖାଇବା ପାଇଁ ମୁଠାଏ ରଖା ହୋଇଥିଲେ ଯଥେଷ୍ଟ । ସୁଖେନ୍ କଥା ଅଲଗା । ତା’ର ମା’ ଅଛନ୍ତି ତା’ ଖାଇବା ପାଖରେ ବସି ବଳେଇ ଖୋଇବା ପାଇଁ । କହୁ କହୁ କମଳେଶଙ୍କର ତଣ୍ଟିରେ ଲାଗିଯାଏ । ଆଖି ଦୁଇଟା କରୁଣ ମନେହୁଏ।

 

ଦ୍ରାକ୍ଷା ସ୍ନେହସିକ୍ତ କଣ୍ଠରେ କହନ୍ତି କମଳ । ପଛ କଥା ଭାବିହେଲେ ଫେରିଆସେ ନାହିଁ-। ତମର ଖାଇବା ପାଖରେ ବସିବାକୁ ମୁଁ ଅଛି– ତମର ଭାଉଜ । କାଲି ପୁଣି ଆଉ ଜଣେ ଆସିବ– ସେତେବେଳେ ମୁଁ ତମକୁ ଚାହିଁ ବସିବିନି । ସେ ବ୍ୟବସ୍ଥା ଚଞ୍ଚଳ କରିଦିଅ । ମୁଁ ଛୁଟି ପାଇଯିବି । ଦ୍ରାକ୍ଷା ନିଜେ ମଧ୍ୟ ପଟେ ରୁଟି ତର ତର କରି ଖାଇ ପାଣି ପିଏ । ଏତେ ରାତିରେ ବେଶି କିଛି ଖାଇ ହୁଏ ନାହିଁ ।

 

କମଳେଶ ଚଟାପଟା ଖାଇଦେଇ ଉଠି ପଡ଼ନ୍ତି । ସୁଖେନ୍ଦୁଙ୍କର ନିଦ ଭାଙ୍ଗି ଗଲେ ସେ ଡାକ ଛାଡ଼ନ୍ତି– କିରେ ମୋ ପାଇଁ କିଛି ରଖିଛ ନା ନାହିଁ– ମୋର ରାତି ଖାଇବା ହଜମ ହୋଇଗଲାଣି-

 

କମଳେଶ ଦ୍ରାକ୍ଷାଙ୍କୁ ଆଖିଠାର ମାରି କହନ୍ତି– ଯାଅ ଭାଉଜ, ସୁଖେନ୍‌ର ଭୋକ ବଢ଼ି ଗଲାଣି । ପେଟରେ କିଏ ପଶିଛି କେଜାଣି ? ଆଉ ଟିକେ ଡେରିକଲେ ତମକୁ ଗୋଟାପଣେ ଚଳୁ କରିଦେବ ।

 

ଦ୍ରାକ୍ଷାର ମୁହଁଟା ରଙ୍ଗୀନ ହୋଇଉଠେ । ସେ ତର ତର ହୋଇ ସୁଖେନ୍ଦୁଙ୍କ ପାଖକୁ ଫେରିଯାଆନ୍ତି ।

 

କମଳେଶଙ୍କର ଋଣଭାର ନାନା ଉପାୟରେ ବୁଝିବାକୁ ଦ୍ରାକ୍ଷାଙ୍କର ଅନେକ ବ୍ୟଗ୍ରତା । କମଳେଶଙ୍କର ଖାଇବାର ଯତ୍ନ ନେବାରେ ତାଙ୍କର ଆନ୍ତରିକତା ଅନେକ । ସେତିକିରେ ତ ମନ ମାନେ ନାହିଁ । ତାଙ୍କର ଲୁଗାପଟା, ଶୋଇବାଘର, ଲାଇବ୍ରେରୀ ସବୁର ଯନ୍ତ୍ର ସେ ନିଅନ୍ତି । ବଗିଚା, ଘର ସବୁ ସେ ନିଜେ ବୁଝନ୍ତି । ତଥାପି କମଳେଶଙ୍କର ଋଣବୋଝ ହାଲୁକା ହୁଏ ନାହିଁ । ହୃଦୟ ଭାରି ଭାରି ଲାଗେ ।

 

ଦ୍ରାକ୍ଷାର ମନ ଭିତରେ ଅସନ୍ତୋଷ କୁହୁଳି ଉଠେ । ଆଗାମୀ ଶୀତରେ କମଳେଶଙ୍କୁ ନୂଆ ଡିଜାଇନ୍‌ର ଗୋଟାଏ ଉଲେନ୍ ସ୍ୱେଟର ବୁଣିଦେଲେ କେମିତି ହୁଅନ୍ତା ? ସଙ୍ଗେ ସଙ୍ଗେ ଦ୍ରାକ୍ଷା ବଜାର ଯାଇ କମଳେଶଙ୍କୁ ମନେଇବା ଭଳି ରଙ୍ଗର ଉଲ୍ କିଣି ଆଣି ବୁଣା ଆରମ୍ଭ କରିଦିଅନ୍ତି । ଦ୍ରାକ୍ଷା ହାତରେ ଅଧାବୁଣା ସ୍ୱେଟର ଦେଖି ସୁଖେନ୍ଦୁ ପୁଲକିତ ହୋଇ ଉଠନ୍ତି । କହନ୍ତି– ବାଃ ସୁନ୍ଦର ବୁଣୁଛ ତ ! କାହାପାଇଁ ? ଦ୍ରାକ୍ଷା ଆଖିନଚାଇ କହେ ଆଗରୁ କହିଲେ ମଜ୍ଜା ରହିବନି । ସୁଖେନ୍ଦୁ କହନ୍ତି– ନିଶ୍ଚୟ ମୋ ପାଇଁ– ରଙ୍ଗଟା ତ ମୋରି ଫେଭରେଟ୍ । ତମେ ତ ମୋ ରୁଚି ଜାଣିପାରିଛ । ସ୍ୱେଟରଟା ମତେ ଖୁବ୍ ଭଲ ଲାଗୁଛି ।

 

ଦ୍ରାକ୍ଷା ଦୁଷ୍ଟାମୀର ହସ ହସି କହେ– ତମ ବନ୍ଧୁଙ୍କର ରୁଚି ସହ ତମ ରୁଚିର ଅନେକ ମେଳ ଅଛି । ତମ ବନ୍ଧୁଙ୍କର ମଧ୍ୟ ଠିକ୍ ରଙ୍ଗଟି ପସନ୍ଦ ହୋଇଥିବ ବୋଲି ମୁଁ ଭାବୁଛି । ତାଙ୍କର ପସନ୍ଦ ନ ହେଲେ ତମର ବି ପସନ୍ଦ ହେବନାହିଁ ।

 

ସୁଖେନ୍ଦୁ ହଠାତ୍‌ କହିପକାନ୍ତି– ସତେ ତ ! ତା ପାଇଁ ବି ଏମିତି ଗୋଟାଏ ବୁଣିପାରିଲେ ମନ୍ଦ ହୁଅନ୍ତା ନାହିଁ । ତମେ ତ ଚଟାପଟ ବୁଣିପାର, ଠିକ୍ ମେସିନ ଭଳି ।

 

ଦ୍ରାକ୍ଷା କହେ– କହି ବୋଲି କାମ ହାସଲ କରିବାରେ ତମେମାନେ ବେଶ୍‍ ଧୁରନ୍ଧର । ଗୋଟାଏ ସ୍ୱେଟରରେ କେତେ ପରିଶ୍ରମ ଜାଣ ନା ? କହିଦେବାଟା ତ ଖୁବ୍‍ ସହଜ । ଶେଷରେ ଆଖି ଦୁଇଟା ଖରାପ କରି ବସିବି ଦେଖୁଛି ।

 

ସୁଖେନ୍ଦୁ କିଛି କହନ୍ତି ନାହିଁ । ଦ୍ରାକ୍ଷାଙ୍କୁ କଷ୍ଟଦେଇ କିଛି କରିବା ପାଇଁ ସେ ଚାହାନ୍ତି ନାହିଁ-

 

କମଳେଶ ସ୍ୱେଟରଟା ଦେଖୁ ଦେଖ କୁରୁଳି ଉଠି କହନ୍ତି ତମର ଆଙ୍ଗୁଳିଠାରୁ ତମ ଅଙ୍ଗୁଳିର କାମ ଚମତ୍କାର, କ’ଣ ସୁଖେନ୍ଦୁ ପାଇଁ ?

 

ଦ୍ରାକ୍ଷା ଗମ୍ଭୀର ହୋଇକହେ– କାହିଁକି, ମୋର କ’ଣ ବନ୍ଧୁ ପରିଜନ ଆଉ କେହି ନାହାନ୍ତି-? ସୁଖେନ୍ଦୁଙ୍କ ପାଇଁ ସବୁ କରିବି ବୋଲି ଲେଖିଦେଇଛି ?' ତାଙ୍କ ଆଖିରେ କୌତୁକଭରା ଚାହାଣି ।

 

–ତେବେ ଆଉ କାହା ପାଇଁ ? ସ୍ୱେଟରର ଆକାରରୁ ଜଣାଯାଉଛି ଭବିଷ୍ୟତରେ ସୁଖେନ୍ଦୁର ଅନାଗତ ଅତିଥି ପାଇଁ ନୁହେଁ, ତେବେ ସୁଖେନ୍ଦୁର ନିଶ୍ଚୟ । ନା କାହାର ?

–ସସ୍‌ପେନ୍‌ସ ନ ଥାଇ ଡ୍ରାମା ଭଲ ଲାଗେ କି ? ଦ୍ରାକ୍ଷା କହେ ।

–ଆଚ୍ଛା, ଆଚ୍ଛା.... କମଳେଶ ହସନ୍ତି ।

ଶେଷରେ ଦୁଇଟା ସ୍ୱେଟର ପକାରଙ୍ଗର ଏକା ଡିଜାଇନ୍‌ର ହିଁ ବୁଣନ୍ତି ଦ୍ରାକ୍ଷା । କମଳେଶଙ୍କୁ ସ୍ୱେଟରଟା ପିନ୍ଧିବାକୁ ଦେଇ ଦ୍ରାକ୍ଷା କହନ୍ତି ସ୍ୱେଟରଟା ତମକୁ କେମିତି ମାନୁଛି ତା କେବଳ ତମର ବନ୍ଧୁ କହିପାରିବେ । କାରଣ ସେ ପରା ତମର ଦର୍ପଣ । ତାଙ୍କୁ ଯାଇ ଦେଖାଇ ଆସନା ।

ଠିକ୍ ସେଇକଥା ହିଁ ସୁଖେନ୍ଦୁଙ୍କୁ କହନ୍ତି ଦ୍ରାକ୍ଷା । ସୁଖେନ୍ଦୁ ଓ କମଳେଶ ସ୍ୱେଟର ଦୁଇଟା ପିନ୍ଧି ସାମ୍ନାସାମ୍ନା ହେବା ପରେ ଦୁହେଁ ଚକିତରେ ନିଜ ଦେହକୁ ଚାହାନ୍ତି । ନା ତ, ତାଙ୍କ ସ୍ୱେଟର ତାଙ୍କ ଦେହରେ ହିଁ ଅଛି । ଦ୍ରାକ୍ଷା ହସି ହସି ଦୁହିଁଙ୍କୁ ଆବାକ୍ କରି ଦେଇ ଆନନ୍ଦିତ ହୁଅନ୍ତି ।

ଜୀବନ ଏକ ସୁମଧୁର ସଙ୍ଗୀତ ଭଳି ମନେହୁଏ । ସୁଖେନ୍ଦୁଙ୍କର ଗଭୀର ଆଶ୍ଵାସଭରା ପ୍ରେମ, କମଳେଶଙ୍କର ପବିତ୍ର ସ୍ନେହବନ୍ଧନ ଭିତରେ ଦ୍ରାକ୍ଷାକୁ ପୃଥିବୀଟା ରଙ୍ଗୀନ ଦିଶେ ।

କମଳେଶଙ୍କ ପାଇଁ ଅନେକ କନ୍ୟା ଦେଖାହୁଏ; କିନ୍ତୁ ପସନ୍ଦ ହୁଏ ନାହିଁ । ତିନଜଣଙ୍କର ମତ ହୁଏ ନାହିଁ । କମଳେଶ କହନ୍ତି, ଏ ବଙ୍ଗଳାର ଶୂନ୍ୟତାକୁ କଳରୋଳରେ ଭରିଦେବାପାଇଁ ଜଣେ ତରୁଣୀ ଅପେକ୍ଷା ଗୋଟିଏ ଛୋଟ ଶିଶୁର ଆବଶ୍ୟକତା ଅଧିକ ।

ସୁଖେନ୍ଦୁ ହାତ ଯୋଡ଼ନ୍ତି । କହନ୍ତି– ନା ବାବା; ଗୋଟାଏ ନୂତନ ଗବେଷଣାରେ ମତେ ଖୁବ୍ ନିକଟରେ ବିଦେଶ ଯିବାକୁ ପଡ଼ିପାରେ ତିନି ବର୍ଷ ପାଇଁ । ଦ୍ରାକ୍ଷାଙ୍କୁ ତ ଛାଡ଼ି ଏତେଦିନ ରହିବା ସମ୍ଭବ ନୁହେଁ । ସେ ଜଞ୍ଜାଳକୁ ନେଇ କରିବୁ ବା କ’ଣ ? ସେ ପ୍ରସ୍ତାବ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇପାରେ ।

 

ସେଦିନ ସୁଖେନ୍ଦୁ ରାତ୍ରି ଭୋଜନ ଆସରରେ କମଳେଶଙ୍କୁ କହିଲେ– କିରେ, ଶୀଘ୍ର କନ୍ୟା ପସନ୍ଦ କରୁନୁ କାହିଁକି ? ତୁ ତ ଜାଣୁ ଏ ଭିତରେ ମୋର ଲଣ୍ଡନ ଯିବା ତୁରନ୍ତ ହୋଇଯାଇପାରେ । ମୁଁ ଯିବା ସଙ୍ଗେ ସଙ୍ଗେ ଦ୍ରାକ୍ଷା ବି ଯିବ । ତିନିବର୍ଷ ଜାଗାରେ ପାଞ୍ଚବର୍ଷ ବି ରହିପାରୁ । ତୋ ବାହାଘର । ଶେଷରେ ଆମକୁ ବାଦଦେଇ ହିଁ ଅନୁଷ୍ଠିତ ହେବ ନା କ’ଣ ?

 

କମଳେଶ କହିଲେ । ପାଞ୍ଚ ବର୍ଷ ଛାଡ଼ି ଦଶ ବର୍ଷ ରହିପାର । କିନ୍ତୁ ଏକଥା ମନେରଖ, ଦ୍ରାକ୍ଷା ଭାଉଜଙ୍କ ଅନୁପସ୍ଥିତିରେ ଏ ଘରେ ମୋର ବିବାହ ଅନୁଷ୍ଠିତ ହେବନାହିଁ । ମୋର ତ ମା’ ନାହିଁ, ଭଉଣୀ ବି ନାହିଁ । ନୂଆବୋହୁକୁ ଏଡ଼େ ବଡ଼ ବଙ୍ଗଳାରେ କିଏ ଚଲେଇବ ? ଭାଉଜ ନ ଥାଇ ମୋର ପୁଣି ବାହାଘର ! ସେ କଥା ହେଇପାରେନା ।

 

ଦ୍ରାକ୍ଷା ହସି ହସି କହିଲେ ଆମେ ଯଦି ଆଉ ନ ଫେରୁ ?

 

ତେବେ ଭକ୍ତ ହନୁମାନ ସୀତାଦେବୀଙ୍କୁ ପ୍ରଣାମ ଜଣାଇ ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରିବ । କମଳେଶ ରହସ୍ୟ କରି କହିଲେ ।

 

ଦ୍ରାକ୍ଷା ଆଉଟିକେ ମାଂସ ସୁଖେନ୍ଦୁଙ୍କ ପ୍ଲେଟରେ ଦେଉ ଦେଉ କହିଲେ– ତମେ କ’ଣ ସତକୁ ସତ ଲଣ୍ଡନ ଯାଉଛ ନା କ’ଣ ?

 

ସୁଖେନ୍ଦୁ କହିଲେ– ଯେତେଦୂର ସମ୍ଭବ ଯାଉଛି । ଏଇ ମାସ ଶେଷ ସୁଦ୍ଧା ଜଣା ପଡ଼ଯିବ-। ମୁଁ ଯିବା ପରେ ପରେ ହିଁ ତମକୁ ନେବାର ବ୍ୟବସ୍ଥା କରିବି ।

 

ଦ୍ରାକ୍ଷାଙ୍କର ହସନ୍ତ ମୁହଁ ମଉଳିଗଲା । କମଳେଶ ତାହା ଲକ୍ଷ୍ୟ କରି କହିଲେ– ଭାଉଜଙ୍କୁ ଏକାଥରକେ ନେଇଯା । ତତେ ଛାଡ଼ି ତାଙ୍କର ଖୁବ୍ କଷ୍ଟ ହେବ । ତାଙ୍କ ମୁହଁ ରେ ଦୁଃଖର ସ୍ପର୍ଶ ଆଦୌ ବରଦାସ୍ତ କରି ହୁଏନା, ଏବେ ଦେଖ ତ ତାଙ୍କ ମୁହଁ ! ବରଂ ତୁ ଆଦୌ ନ ଯା-। ଭାଉଜଙ୍କୁ କଷ୍ଟ ଦେଇ କିଛି କାମ କଲେ ତୋର ଉନ୍ନତି ହେବନାହିଁ କହିରଖୁଛି ।

 

ଲଜ୍ଜିତ ଭଙ୍ଗୀରେ ଦ୍ରାକ୍ଷା କହିଲେ କଷ୍ଟ କ’ଣ ? କେବଳ ତାଙ୍କ ଚିନ୍ତାଟା ହିଁ ଅସହ୍ୟ ହେବ । ଏତେ ବାଟ ଯେ…

 

ସୁଖେନ୍ଦୁ କହିଲେ ସଙ୍ଗେ ସଙ୍ଗେ ତ ନେଇହେବନି; ତା’ଛଡ଼ା ବୋଉ ଗାଁରେ । ବୟସ ହୋଇଗଲାଣି । କେତେବେଳେ କେଉଁ କଥା । ତାକୁ ଏଥର ଏଠାକୁ ନେଇ ଆସିବାକୁ ହେବ । ମୋର ଯିବା ପରେ ଦ୍ରାକ୍ଷାଙ୍କ ଯିବାର ବ୍ୟବସ୍ଥା କରିବି । ଦ୍ରାକ୍ଷା ଚାଲିଯିବେ ନିଜେ । ବୋଉର ଦାୟିତ୍ୱରେ ରହିବୁ ତୁ । ତୋର ବିବାହ ସେଇଥିପାଇଁ ଖୁବ୍ ଆବଶ୍ୟକ ହୋଇଉଠିଛି । ତା ନହେଲେ ବୋଉକୁ ଛାଡ଼ି ଦ୍ରାକ୍ଷା ଯିବ କେମିତି ? ଦ୍ରାକ୍ଷାର ଯିବାଟା ବରଂ ତୋ ଉପରେ ନିର୍ଭର କରେ ।

 

ବିବାହ ନ କରି ମଧ୍ୟ ମୁଁ ଖୁବ୍ ବୁଝିପାରିବି ମା’ଙ୍କର କଥା । ସେ ବିଷୟରେ ତୋର ମୁଣ୍ଡବ୍ୟଥା କାହିଁକି ? କମଳେଶ କହିଲେ ।

 

କମଳେଶର ଏଇ ପଦକ କଥା ସୁଖେନ୍ଦୁଙ୍କ ପାଇଁ ପରମ ଆଶ୍ୱାସନାର ବାଣୀ ଥିଲା ।

 

ରାତ୍ରିରେ ଦ୍ରାକ୍ଷା ସୁଖେନ୍ଦୁଙ୍କର ଘନିଷ୍ଠ ହୋଇପଚାରିଲେ– ତମେ ଲଣ୍ଡନ ଯିବା ନିଶ୍ଚୟ ମୋ ପାଇଁ ଗୌରବର ବିଷୟ । ହେଲେ ତମ ଅନୁପସ୍ଥିତିରେ ସେଇ କେତେଟା ଦିନ ମୋର କେମିତି କଟିବ କହ ତ ! ତମକୁ ଛାଡ଼ି ଦିନଟିଏ ରହିବା କଥା ମୁଁ ଚିନ୍ତା କରିପାରୁ ନାହିଁ ।

 

ସୁଖେନ୍ଦୁ ଦ୍ରାକ୍ଷାଙ୍କୁ ଆଦର କରି କହିଲେ– ତମକୁ ଛାଡ଼ି ଗୋଟିଏ ମୁହୂର୍ତ୍ତ ବି ରହିବା ମୋ ପକ୍ଷରେ ଦାରୁଣ କଷ୍ଟଦାୟକ । ତଥାପି ଜୀବନରେ ବଡ଼ ହେବାକୁ ହେଲେ ଓ ଜ୍ଞାନଆହରଣ କରିବାକୁ ହେଲେ କିଛି କଷ୍ଟ ବରଣ କରିବାକୁ ହେବ । ତମକୁ ମୁଁ ବେଶି ଦିନ ଅଲଗା ରଖିବି ନାହିଁ-। ଖୁବ୍ ଶୀଘ୍ର ତମକୁ ନବାର ବ୍ୟବସ୍ଥା ମୁଁ ନିଶ୍ଚୟ କରିବି । ମୋର ଇଚ୍ଛା ତମେ ବି ସେଠି ରସର୍ଚ୍ଚ କରିବ । ତମେ ତ ଭଲ ଛାତ୍ରୀ ଥିଲ । ଶିକ୍ଷାକୁ କାମରେ ଲଗାଇ ଜୀବନକୁ ଉଜ୍ଜ୍ୱଳ ନ କଲେ ଶିକ୍ଷାର କି ମୂଲ୍ୟ ? ଆମର ଅଧୟନ, ଜ୍ଞାନ, ଶିକ୍ଷା ଇତ୍ୟାଦି ଆମ ଅନାଗତ ପିଲାଙ୍କ ପାଇଁ ଖୁବ୍ ମଙ୍ଗଳକର ହେବ । ଆମେ ହେବା ଆଦର୍ଶ ଦମ୍ପତି ଆଦର୍ଶ ପିତା ମାତା ଆଉ ଆଦି ସନ୍ତାନଙ୍କର ଜନକ ଜନନୀ । ମୁଁ ସେଠି ପହଞ୍ଚିବା ପରେ ତମପାଇଁ ଗୋଟାଏ ଫେଲେସିପ୍‌ର ବ୍ୟବସ୍ଥା କରିବି । ତମଭଳି ମେଧାବିନୀ ଝିଅଟିକୁ ପତ୍ନୀ ରୂପେ ପାଇବା ମୋ ଜୀବନରେ ଅନ୍ୟତମ ଲକ୍ଷ୍ୟ ଥିଲା । କେବଳ ରୂପ ତ ନାରୀ ଜୀବନର ସବୁକିଛି ନୁହେଁ । ରୂପସର୍ବସ୍ୱ ଝିଅଙ୍କର ଅଭାବ ନାହିଁ ଏ ସଂସାରରେ ।

 

ଦ୍ରାକ୍ଷା ସ୍ଵାମୀଙ୍କର ଛାତିରେ ମୁହଁ ଲୁଚାଇ ଏକ ସୁନ୍ଦର ନିରଙ୍କୁଶ ଜୀବନର ସ୍ଵପ୍ନ ଦେଖୁ ଦେଖୁ ତାର ଦୁଇ ଆଖି ଭିଜି ଆସିଲା ପରିପୂର୍ଣ୍ଣତାର ଆନନ୍ଦରେ ।

 

ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ କମଳେଶ । ବାହାରକୁ ଗଲେ ଖାଦ୍ୟପେୟର ଅନିୟମିତ ବିଶୃଙ୍ଖଳ ଜୀବନ ଓ ନିଜ ସ୍ୱାସ୍ଥ୍ୟପ୍ରତି ଅତ୍ୟଧିକ ଉଦାସୀନତା ଫଳରେ ଏମିତି ଅସୁସ୍ଥ ହୋଇପଡ଼ିବା ଖୁବ୍ ସ୍ୱାଭାବିକ । ସୁଖେନ୍ଦୁ ବିଚଳିତ ହେଲେ । ଦ୍ରାକ୍ଷା ବ୍ୟସ୍ତ ହୋଇପଡ଼ିଲେ । ସୁଖେନ୍ଦୁ ବାହାରକୁ ଯିବାପାଇଁ ପ୍ରସ୍ତୁତି ପର୍ବ ଭିତରେ ବ୍ୟସ୍ତ, ବିବ୍ରତ ଥିବାବେଳେ କମଳେଶଙ୍କ ଅସୁସ୍ଥତା ତାଙ୍କୁ ବିଚଳିତ କରିବା ସ୍ୱାଭାବିକ । କମଳେଶର ଖୁବ୍ ଯତ୍ନ ନେବା ପାଇଁ ଦ୍ରାକ୍ଷାଙ୍କୁ ତାଙ୍କର ନିର୍ଦ୍ଦେଶ । ଦ୍ରାକ୍ଷା ମଧ୍ୟ କମଳେଶଙ୍କ ସେବା ଯତ୍ନରେ ଆଦୌ ତ୍ରୁଟି କରିପାରେ ନାହିଁ । କମଳେଶଙ୍କର ଆଉ ବା କିଏ ଅଛି ?

 

ରୋଗଶଯ୍ୟାରେ ଶୋଇ ଶୋଇ କମଳେଶ ଦ୍ରାକ୍ଷାର ଆଦର ଯତ୍ନ ଭିତରେ ସୁସ୍ଥ ହୋଇ ଉଠୁଥିଲେ ମଧ୍ୟ ଲଜ୍ଜିତ ହୋଇପଡ଼ନ୍ତି । ଏ କେତେଦିନ ହେଲା ଦ୍ରାକ୍ଷା ଅଧିକ ପରିଶ୍ରମ କରି କ୍ଳାନ୍ତ ଜଣାପଡ଼ୁଛି । ସୁଖେନ୍ଦୁ ଖୁବ୍ ଶୀଘ୍ର ଚାଲିଯିବ । ଦ୍ରାକ୍ଷା କିନ୍ତୁ ତାଙ୍କ ପାଇଁ ଅଧିକ ସମୟ ବ୍ୟୟ କରିବାକୁ ବାଧ୍ୟ ହେଉଛି । ଠିକ ସମୟରେ ଔଷଧ ଦେବା ଦାୟିତ୍ୱ ଦ୍ରାକ୍ଷାର । ଚାକରମାନଙ୍କ ହାତରେ ସେ ଦାୟିତ୍ୱ ଦିଆଯାଇପାରେ ନା । ସୁଖେନ୍ଦୁର ଏହା କଡ଼ା ନିର୍ଦ୍ଦେଶ । ଅନେକ ରାତିଯାଏ ଦ୍ରାକ୍ଷା ତାଙ୍କ ଶଯ୍ୟାଧରରେ ଜଗି ବସେ ଔଷଧ ଦେବାପାଇଁ, ଯେତେ ତଡ଼ିଲେ ମଧ୍ୟ ନିଜ ଶୟନ କକ୍ଷକୁ ଯାଏ ନାହିଁ । କମଳେଶ କହନ୍ତି, ମଝିରେ ଆସି ଔଷଧ ଦେଇଗଲେ ଚଳିବ । ଦ୍ରାକ୍ଷା ପ୍ରତିବାଦ କରନ୍ତି । ଥରେ ଶୋଇପଡ଼ିଲେ ଠିକ୍ ସମୟରେ ନିଦ ଭାଙ୍ଗିବ ନାହିଁ, ଔଷଧ ଠିକ୍ ସମୟରେ ନ ଖାଇଲେ ଶୀଘ୍ର ଆରୋଗ୍ୟ ହେବା ସମ୍ଭବ ନୁହେଁ ।

 

କମଳେଶ ବ୍ୟସ୍ତ ହୋଇ ପଡନ୍ତି । ତାଙ୍କର ମନେହୁଏ ସୁଖେନ୍ଦୁ ପ୍ରତି ଅବିଚାର ହେଉଛି-। ବିଚରା ବିଛଣାରେ ପଡ଼ି ଛଟପଟ ହେଉଥିବ । ଦ୍ରାକ୍ଷା ଶଯ୍ୟାକୁ ନ ଗଲେ ତାକୁ ନିଦ ହେବ ନାହିଁ । ବନ୍ଧୁତ୍ୱ ଖାତିରରେ କିଛି ନ କହିପାରିଲେ ବି ସେ ମନେ ମନେ ଅସନ୍ତୁଷ୍ଟ ହେଉନାହିଁ ତ ? ଦ୍ରାକ୍ଷାଙ୍କୁ ବିରକ୍ତ ହେଉନାହିଁ ତ ? ଦ୍ରାକ୍ଷା ସ୍ନେହମୟୀ ନାରୀଟିଏ । ସ୍ୱାମୀର ବିରକ୍ତିକୁ ହଜମ କରି ଅସହାୟ ବନ୍ଧୁଙ୍କର ରୋଗଶଯ୍ୟା ପାଖରେ ଅନେକ ରାତିଯାଏ ବସିରହିବା ତା’ ପକ୍ଷେ ଅସମ୍ଭବ ନୁହେଁ । କମଳେଶ ଦିନେ କହିଲେ ଭାଉଜ, ଔଷଧ ଓ ପ୍ରେସ୍‌କ୍ରିପ୍‌ସନ ମୋ ହାତ ପାଖରେ ରଖିଯାଅ । ଘଣ୍ଟା ଦେଖି ମୁଁ ଠିକ୍ ସମୟରେ ଔଷଧ ଖାଇଦେବି । ସେ ଘରେ ସୁଖେନ୍ ଛାତକୁ ଜଳଜଳ ଚାହିଁ ମତେ ଅଭିଶାପ ଦେଉଥିବ । ତମେ ଯେତେ ଠିକ୍ ସମସ୍ତରେ ଔଷଧ ଦେଲେ ମଧ୍ୟ ତା ଅଭିଶାପରେ ମୋର ଦେହ ଭଲ ହେବନାହିଁ ।

 

ଦ୍ରାକ୍ଷା ପରିହାସଭରା ଗଳାରେ କହନ୍ତି– ଯେଉଁ ଲୋକଟି ଠିକ ସମୟରେ ନ ଖାଇ ନ ପିଇ ସ୍ୱାସ୍ଥ୍ୟ ନଷ୍ଟ କରିବସିଛି, ତା ଉପରେ ଠିକ୍ ସମୟରେ ଔଷଧ ଖାଇବାର ଗୁରୁଦାୟିତ୍ୱ ଦେଇଯିବି ? ତମ ବନ୍ଧୁ ଆଉ ରଖିବେ ତ ? ତମେ କ’ଣ ତାଙ୍କୁ ଏ ଯାଏ ଜାଣି ନାହିଁ ? ମୁଁ ଯେତେ ଡେରିରେ ତମ ପାଖରୁ ଗଲେ ମଧ୍ୟ ସେ ପଚାରିବେ– କମଳକୁ ଔଷଧ ଦେଇସାରି ଆସିଛ ତ ? ଦେଖ, ତୁମକୁ ନିଶ୍ଚୟ ଏ କେତେଦିନ ହେବ ଟିକେ କଷ୍ଟ ପଡୁଛି । କ’ଣ ଆଉ କରାଯାଏ । ମୁଁ ତ ମୋ କାମରେ ବ୍ୟସ୍ତରହି ତା ପାଖରେ ଟିକେ ବସି ପାରୁନାହିଁ । ମୋ କାମଟା ତମେ ଚଳାଇ ନ ନେଲେ ସେ ଭଲହେବ କେମିତି ?

 

କମଳଙ୍କର କଣ୍ଠ ବାଷ୍ପାକୁଳ ହୁଏ । ଆଖି ହୁଏ ସଜଳ । ସୁଖେନ୍ଦୁ ମଣିଷ ନୁହେଁ, ଦେବତା-। ସୁଖେନ୍ଦୁର ତ୍ୟାଗର ତୁଳନା ନାହିଁ । ନିଜର ପ୍ରାଣପ୍ରିୟା ତରୁଣା ରୂପସୀ ପତ୍ନୀକୁ ବନ୍ଧୁର ଶଯ୍ୟାଧାରରେ ରାତ୍ରୀର ବିଳମ୍ବିତ ପ୍ରହରରେ ବସି ରହିବାକୁ ଅନୁମତି ଦେବା ତ୍ୟାଗ ନୁହେଁ ତ ଆଉ କ’ଣ ?

 

ସୁଖେନ୍ଦୁଙ୍କର ଅତ୍ୟଧିକ ବନ୍ଧୁବତ୍ସଳତା ଦ୍ରାକ୍ଷାର ବେଳେବେଳେ ସହ୍ୟ ହୁଏ ନାହିଁ । ବିଶେଷକରି ରାତି ଅଧଯାଏ କମଳେଶର ଶଯ୍ୟା–ଧାରରେ ବସିରହିବାକୁ ତାକୁ ଭଲଲାଗେ ନାହିଁ । ସ୍ଵାମୀ ତାର ଖୁବ୍ ଶୀଘ୍ର ବିଦେଶ ଚାଲିଯିବେ । ପୁଣି ସେ କେବେ ତାଙ୍କ ସହ ମିଳିତ ହେବ ଜଣାନାହିଁ, ଅଥଚ ଏ କେତେଦିନ ଧରି ସେ ସୁଖେନ୍ଦୁଙ୍କ କଥା ଆଦୌ ବୁଝିପାରୁନାହିଁ । ତାର ବହୁସମୟ ବ୍ୟୟିତ ହେଉଛି କମଳଙ୍କ ସେବାରେ । କମଳଙ୍କ ଉପରେ ବେଳେବେଳେ ରାଗ ହୁଏ-। ଆଜିଯାଏ ବିବାହ ନ କରି ବନ୍ଧୁ ପତ୍ନୀର ସ୍ନେହ, ଆଦର, ସେବା ଯତ୍ନକୁ ପାଣ୍ଠି କରି କେତେଦିନ ଚଳିବ ? ଏଇଟା କ'ଣ କମଳଙ୍କର ଅନ୍ୟାୟ ନୁହେଁ । ମନଲାଖି ଝିଅଟିଏ ବାଛି ବାଛି ଶେଷରେ ବୁଢ଼ା ହେବେ ନା କ’ଣ ? ଗୋଟାଏ ନିର୍ଦ୍ଦିଷ୍ଟ ବୟସରେ ପୁରୁଷର ସଙ୍ଗୀନୀଟିଏ ଲୋଡ଼ାହୁଏ । ନିଜ ଜୀବନର ସାମାନ୍ୟତମ ଦାୟିତ୍ୱ ବୋଝ ଭଳି ମନେହୁଏ । ସେ ବୋଝକୁ ହାଲକା କରିନିଏ ସଙ୍ଗୀନୀ-। କମଳଙ୍କର ଠିକ୍ ସେଇ ବୟସ; ଅଥଚ ସେ ନିର୍ବିକାର । ନିଜ ପାଇଁ ତାଙ୍କର କିଛି ଚିନ୍ତା ନାହିଁ । ବିବାହ କଥା ସେ ମୁଣ୍ଡରେ ସ୍ଥାନ ହେଉନାହାନ୍ତି । ଦ୍ରାକ୍ଷା ଆସିବା ଦିନଠାରୁ କମଳଙ୍କ ଜୀବନର ସବୁ ଦାୟିତ୍ୱ ନିଜହାତକୁ ନେଇଯାଇଛି । ତା ବୋଲି ସେ କ’ଣ ସବୁଦିନ କମଳଙ୍କ ସଂସାରର ଦାୟିତ୍ଵ ନେଇପାରିବ ? ତାର ସଂସାର ବଢ଼ିବ ଜଞ୍ଜାଳ ବଢ଼ିବ । ମନଥିଲେ ମଧ୍ୟ ସମୟ ମିଳିବ ନାହିଁ କମଳଙ୍କ କଥା ବୁଝିବା ପାଇଁ । କମଲ କ’ଣ ସେକଥା ବୁଝିପାରୁ ନାହାନ୍ତି ?

ଦ୍ରାକ୍ଷା ଭାବେ ଏଣିକି ସେ କମଳଙ୍କ ପ୍ରତି କିଛିଟା ଉଦାସୀନ ରହିବାକୁ ଚେଷ୍ଟା କରିବ । ପୁରୁଷ ଜୀବନରେ ନାରୀର ଆବଶ୍ୟକତା କମଳ ବୁଝିବା ଉଚିତ୍ । କମଳଙ୍କର ସ୍ତ୍ରୀ ଥିଲେ ସେ କାହଁକି ଏତେ କଷ୍ଟ ସ୍ୱୀକାର କରି ତାଙ୍କର ସେବା ଯତ୍ନ କରନ୍ତି ନିଜ ସ୍ୱାମୀଙ୍କ ପ୍ରତି ଅବହେଳା କରନ୍ତି । ରୋଗଶଯ୍ୟା ହିଁ କମଳଙ୍କୁ ପତ୍ନୀର ଆବଶ୍ୟକତା ବୁଝାଇବା ପାଇଁ ଉପଯୁକ୍ତ ହେବ । ଏଣିକି ସେ ପ୍ରକୃତରେ ରାତିରେ ଜଗି ରହିବ ନାହିଁ କମଳଙ୍କୁ । କହିବା ଅନୁସାରେ ରାତି ଔଷଧଟା ସେ ନିଜେ ଖାଇନେବେ ।

 

ସେଦିନ କମଳଙ୍କୁ ସେଇକଥା ଜଣାଇ ଦେଲା ଦ୍ରାକ୍ଷା । ଅତ୍ୟଧିକ ପରିଶ୍ରମ କରି ସେ ଯେ ଅସୁସ୍ଥବୋଧ କରୁଛି ଓ ତାର ଟିକେ ବିଶ୍ରାମ ଦରକାର ଏଭଳି କହି ସେ କମଳଙ୍କଠାରୁ ବିଦାୟ ମାଗିଲା । କମର ହାତଯୋଡ଼ି କହିଲେ ଭାଉଜ, ମୁଁ ଖୁବ୍ ଦୁଃଖିତ ତମକୁ କଷ୍ଟ ଦେଇ । ମୋ ଭଳି ଗୋଟାଏ ଭାଗାବଣ୍ଡ ପାଇଁ ତମେ ଖୁବ୍ କଲଣି । ମତେ ଲଜ୍ଜା ଦେଲଣି ମଧ୍ୟ । ମୁଁ ଆଜି ଭୀଷଣ ଖୁସି । ତମକୁ ଏଇ କଥାଟି ବହୁ ଆଗରୁ କହି ଆସିଛି ।

 

ଦ୍ରାକ୍ଷା କ୍ଳାନ୍ତଭଙ୍ଗୀରେ କହିଲେ– କମଳ, ମୋର ସେବା–ଯତ୍ନକୁ ତମେ ଯେ ସହଜଭଙ୍ଗୀରେ ଗ୍ରହଣ କରିପାରୁନାହଁ ଓ ଲଜ୍ଜିତ ହେଇପଡୁଛ– ଏକଥା ମତେ କଷ୍ଟ ଦେଉଛି । ତମେ ମଧ୍ୟ ଏ ପର୍ଯ୍ୟନ୍ତ ମତେ ନିଜର ଭାଉଜ ଦୃଷ୍ଟିରେ ଦେଖିପାର ନାହଁ । ସେମିତି ହେବା ବାସ୍ତବିକ୍ ସ୍ୱାଭାବିକ । ଆମେ ଦୁହେଁ ତ ବାହାରର ମଣିଷ । ବଙ୍ଗଳାଟା ବନ୍ଧୁଙ୍କ ନାମରେ କରିଦେଲ ବୋଲି ଆମେ ତ ଆଉ ଘରଲୋକ ହେଇପାରିନାହୁଁ । ତମ ବୟସର ପୁରୁଷର ଘରଲୋକଟି ହେଉଛ ସେଇ ଜଣେ– ଯିଏ ତାର ସୁଖ–ଦୁଃଖର ସାଥି ହେବା ପାଇଁ ହାତ ଧରେ । ସେ ପୁରୁଷର ସୁଖରେ ଅଂଶୀଦାର ହୁଏ ଦୁଃଖରେ ବି । ତାର ସେବା–ଯତ୍ନ ଉତ୍ସର୍ଗୀକୃତ ଜୀବନରେ ପୁରୁଷ ଲଜ୍ଜାବୋଧ କରେ ନାହିଁ–ଗର୍ବ ଅନୁଭବ କରେ–ଉଲ୍ଲସିତ ହୁଏ । ତମର ଏବେ ସେଇ ସାଥିଟି ଆବଶ୍ୟକ ହେଲାଣି । ଆଜି ଏକା ଏକା ବିଛଣାରେ ଶୋଇ ଶୋଇ ଘଣ୍ଟା କଣ୍ଟାକୁ ଚାହିଁ ଚାହିଁ ନିଜେ ଔଷଧ ଖାଇବାବେଳେ ମୋ କଥାଟାର ସଭ୍ୟତା ତମେ ବେଶ୍ ବୁଝିପାରିବ, କିନ୍ତୁ ମୁଁ ନାଚାର କମଳ-! ଆଜି ତମ ପାଖରେ ରାତି ଅଧଯାଏ ଜଗିବସିଲେ, କାଲି ମୁଁ ବେମାର ପଡିଯିବି । କିଛି ଖରାପ ଭାବିବ ନାହଁ । ମନେକର ଔଷଧ ଖାଇନେବ ।

 

ଦ୍ରାକ୍ଷା ନିଜ ଶୟନକକ୍ଷକୁ ଫେରିଆସିଲା । ସୁଖେନ୍ଦୁ ପଢ଼ାପଢ଼ି କରୁଥିଲେ । ବହିରୁ ମୁହଁ ନ ଉଠାଇ ପ୍ରଶ୍ନ କଲେ– ଏତେ ଶୀଘ୍ର ଆସି ଶୋଇପଡ଼ିଲ ଯେ ! କମଳର ଔଷଧ ଖାଇବା ବେଳ ହୋଇନାହିଁ ତ ।

 

ଦ୍ରାକ୍ଷା ଚିଡ଼ିଉଠି କହିଲା– କମଳ ଆଜି ନିଜେ ଔଷଧ ଖାଇବେ । ଏବେ ସେ ପୂର୍ବାପେକ୍ଷା ଭଲ ଅଛନ୍ତି । କେତେଦିନ ମୁଁ ଆଉ ତାଙ୍କୁ ରାତି ଅଧଯାଏ ଜଗି ବସିବି ? ମୋର ତ ଦେହମୁଣ୍ଡ ଅଛି ?

 

ସୁଖେନ୍ଦୁ ଦ୍ରାକ୍ଷୀଙ୍କୁ ଚାହିଁଲେ । ଆଖିର ଦୃଷ୍ଟି ଅସ୍ଵାଭାବିକ ମନେହେଉଛି । ସାମାନ୍ୟ ବିବ୍ରତ ହୋଇପଡ଼ିଛନ୍ତି ଯେମିତି ! ପ୍ରଶ୍ନ କଲେ– ତମ ଦେହ କିଛି ଖରାପ ହେଲା କି ? ଭଗବାନ୍ କରନ୍ତୁ ତା ନ ହେଉ ।

 

ଦ୍ରାକ୍ଷା କହିଲେ– ଦେହ ଖରାପ ହୋଇନାହିଁ । ହେବାକୁ କ’ଣ ମନା ଅଛି ? ତା ବୋଲି ମୁଁ କେତେଦିନ ଆଉ କମଳଙ୍କର ସେବା ଯତ୍ନ କରିପାରିବି ? ସବୁ ଜିନିଷର ଗୋଟାଏ ସୀମା ତ ଅଛି-? ଦିନେ ଅଧେ ତ କଥା ଅଲଗା । କମଳ ପନ୍ଦର ଦିନ ଧରି ବିଛଣାରେ ପଡ଼ି ରହିଛନ୍ତି । ମତେ ବିଶ୍ରାମ ଟିକେ ମିଳୁନାହିଁ ।

 

ସୁଖେନ୍ଦୁଙ୍କର ଦୃଷ୍ଟି କଠୋର ମନେହେଉଛି । ମୁଖ ଗମ୍ଭୀର । ଭାରି ଭାରି କଣ୍ଠରେ ସେ କହିଲେ– ତମକୁ ମୁଁ ସାଧାରଣ ନାରୀଠାରୁ ଊର୍ଦ୍ଧ୍ୱରେ ରଖିଥିଲି ; ମାସ ଦେଖୁଛି ତମେ ସମସ୍ତଙ୍କ ସଙ୍ଗେ ସମାନ । କମଳ ଭଲଥିଲା ବେଳେ ତମେ ତା ପାଇଁ ଅନେକ କରିଛ । ଏବେ ଦୁଃଖରେ ପଡ଼ିବାବେଳେ ତମେ ତା କଷ୍ଟକୁ ଊଣା କରିବା ପାଇଁ କୁଣ୍ଠାବୋଧ କରୁଛ । ଆଚ୍ଛା କମଳ ନ ହେଇ ମୁଁ ଯଦି ଅସୁସ୍ଥ ହୋଇପଡ଼ିଥାନ୍ତି ତେବେ ତମେ କ’ଣ ପନ୍ଦର ଦିନ ସେବା କଲ ବୋଲି ବିରକ୍ତ ହୋଇ ମୋ ଉପରେ ଔଷଧ ଖାଇବାର ଦାୟିତ୍ଵ ଛାଡ଼ିଦେଇ ନିଶ୍ଚିନ୍ତ ହୋଇ ଶୋଇପାରନ୍ତି ?

 

ଦ୍ରାକ୍ଷା ବିଗିଡ଼ିଯାଇ କହିଲା କମଳ ପାଇଁ କରିବା ଓ ତମ ପାଇଁ କରିବା ଏକ କଥା ନୁହେଁ-। କମଳ ବୁଝିବା ଉଚିତ୍ ତାଙ୍କ ସଂସାରର ଦାୟିତ୍ୱ ଏଣିକି ଅନ୍ୟ କେହି ବୁଝିବା ଦରକାର । ସେ ଯେମିତି ଝିଅ ବାଛିଲେଣି ଦେଖୁଛି ସବୁଦିନ ପାଇଁ ସେ ଏକା ରହଯିବେ; ଆଉ ତାଙ୍କ ସଂସାରଟା ଆମେ ଚଳାଇନେବା । ଏ କଥା ତ ସବୁଦିନ ଚଳେନା ।

 

ସୁଖେନ୍ଦୁ ବିମର୍ଷ ହୋଇପଡ଼ି କହିଲେ କମଳର ଏବେ ବିବାହ କରିଯିବା ଉଚିତ୍ ଏ କଥା ସତ । ତା ବୋଲି ଏ ଅବସ୍ଥାରେ ତା’ ପ୍ରତି ସାମାନ୍ୟ ଅବହେଳା ହେଲେ ସେ ଖୁବ୍‌ ଆଘାତ ପାଇବ-। ତମ ପ୍ରତି ତାର ପ୍ରଗାଢ଼ ଶ୍ରଦ୍ଧା । ଏ କଥା ଶୁଣିଲେ ସେ କଣ ଭାବିବ ?

 

ଦ୍ରାକ୍ଷା କଡ଼ବୁଲାଇ ଶୋଉ ଶୋଉ କହିଲା– କମଳେଶ ଅମଣିଷ ନୁହନ୍ତି । ମତେ ସେ ସବୁଦିନ ବାଧ୍ୟ କରନ୍ତି ରାତିଅନିଦ୍ରା ହୋଇ ନ ବସିବାକୁ । ତମେ ଆଉ କେତେଦିନ ରହିବ । ଦିନସାରା ଏଣେତେଣେ ଘୂରି ବୁଲୁଛ । ରାତିରେ ମୁଁ ଜାଗିବାସିଛି କମଳ ପାଖରେ । ତମ କଥା ଟିକେ ବୁଝିପାରୁ ନାହିଁ । ଏ କଥା ସେ ବୁଝିପାରୁଛନ୍ତି ଓ ଲଜ୍ଜିତ ହେଉଛନ୍ତି । ତେଣୁ ସେ କିଛି ଖରାପ ଭାବିବେ ନାହିଁ ।

Unknown

 

ସୁଖେନ୍ଦୁ ଗମ୍ଭୀର ହେଇ ବସିରହିଲେ କିଛିକ୍ଷଣ । ଦ୍ରାକ୍ଷା କଥାର ଆଉ କିଛି ଜବାବ ଦେଲେ ନାହିଁ । ଟେବୁଲ୍ ଲାଇଟ୍ ଲିଭାଇ ବହି ବନ୍ଦ କଲେ । ଟିଉବ୍ ଲାଇଟ୍ ଲିଭାଇ ବେଡ୍ ଲାଇଟ୍ ଜଳାଇ ଦେଲେ ।

 

ଦ୍ରାକ୍ଷା ଭବିଲା ସୁଖେନ୍ଦୁ ଏଥର ଶଯ୍ୟାକୁ ଆସିବେ । ବହୁ ଦିନ ହେଲା କମଳଙ୍କ ସ୍ଵାସ୍ଥ୍ୟ ନେଇ ବ୍ୟସ୍ତତା ଭିତରେ ନିଜ ଜୀବନର କଥାକୁ ଏଡ଼େଇ ଦେବାକୁ ହେଇଛି । ସୁଖେନ୍ଦୁ ଚାଲିଯିବେ ବୋଲି ଦ୍ରାକ୍ଷା ଅନ୍ତରରେ ଖୁସି ହେଲେ ମଧ୍ୟ କଥାଟା ଚିନ୍ତା କଲାବେଳେ ଭାଙ୍ଗିପଡ଼ୁଛି ସେ ଭିତରେ ଭିତରେ । ବିବାହ ପରେ ସୁଖେନ୍ଦୁଙ୍କଠାରୁ ବିଚ୍ଛିନ୍ନ ହୋଇ ସେ ରହିନାହିଁ ।

 

ସୁଖେନ୍ଦୁ ଏବେ ତାକୁ ଆଦର କରୁକରୁ ଆଶ୍ୱାସନାର ବାଣୀ ଶୁଣାଇବେ । ସୁଖେନ୍ଦୁଙ୍କର ଆଶ୍ୱାସନାଭରା କଥା ତାର ଭାରାକ୍ରାନ୍ତ ମନଟାକୁ ହାଲୁକା କରିଦିଏ ଦ୍ରାକ୍ଷା କ୍ଳାନ୍ତରେ ଆଖି ମୁଦିଦେଲା

ସୁଖେନ୍ଦୁ କବାଟ ଖୋଲି ବାହାରକୁ ଯାଉ ଯାଉ କହିଲେ– ତମେ ଶୋଇପଡ଼ । ବିଶ୍ରାମ କଲେ ସକାଳକୁ ଭଲ ଲାଗିବ । ମୁଁ ଆଜି କମଳକୁ ଔଷଧ ଦେଇଦେବ । ସେ ଯେମିତି ଦାୟିତ୍ୱହୀନ ଠିକ୍ ସମୟରେ ଆଦୌ ଔଷଧ ଖାଇବନି ।

 

ସୁଖେନ୍ଦୁ କବାଟ ଆଉଜେଇ ନେଲେ । ଦ୍ରାକ୍ଷା ମନେ ମନେ ଆହତ ହେଲେ ମଧ୍ୟ ତା’ର ମନେହେଲ ସୁଖେନ୍ଦୁ ଦେବୋପମ ବ୍ୟକ୍ତିଟିଏ । ବନ୍ଧୁ ପାଇଁ ତାଙ୍କ ପ୍ରେମର ସୀମା ନାହିଁ । ଏମିତି ଉଦାର ବ୍ୟକ୍ତଟିକୁ ସ୍ଵାମୀ ଭାବରେ ପାଇ ସେ ଧନ୍ୟ ହେଇଛି ।

 

ତା’ ପରଦିନ ଦ୍ରାକ୍ଷା ପୁଣି ଜଗିବସିଲା କମଳଙ୍କ ଶଯ୍ୟାଧାରରେ । ସେ ନ ବସିଲେ ସୁଖେନ୍ଦୁ ବସି ରହିବେ । ସୁଖେନ୍ଦୁଙ୍କୁ କଷ୍ଟ ଦେବାକୁ ତାର ଇଚ୍ଛା ନୁହେଁ ଦିନସାରା ସେ ଖଟୁଛନ୍ତି ।

 

କମଳେଶଙ୍କ ମନରେ ସୁଖ ନ ଥିଲା । ଦ୍ରାକ୍ଷା ସେ କଥା ଜାଣିନେଲା ଆଗତୁରା ସେ କହିଲା କମଳ, ତମର ବିବାହ କରିବାରେ ଯେ ସମୟ ହେଇଛି ଏବଂ ସେଇଟା ଏଣିକି ଅପରିହାର୍ଯ୍ୟ ହେଇପଡ଼ିଲାଣି ସେ କଥା ତମକୁ ବୁଝାଇବା କାଲି ଔଷଧ ନ ଦେଇ ଶୋଇପଡ଼ିଥିଲି । ହେଲେ ତମର ବନ୍ଧୁ ସେ କଥା କରିବାକୁ ଦେଲେନାହିଁ । କିନ୍ତୁ ତମେ ଏଣିକି ଜାଣିରଖ, ତମ ସ୍ତ୍ରୀଙ୍କର ସେବାଯତ୍ନ ପାଉଥିଲେ ତମେ ଏତେବେଳକୁ ସୁସ୍ଥ ହୋଇ ଉଠନ୍ତଣି । ନାରୀ ହେଉଛି ପୁରୁଷର ମନୋବନ । ଯେତେ ଦାମ୍ଭିକ ପୁରୁଷ ହେଲେ ମଧ୍ୟ ନାରୀ ବିନା ସେ ଦୁର୍ବଳ–ଅସହାୟ । ତମେ ଅନ୍ତତଃ ଏତିକି ବୁଝିବା ଉଚିତ୍ ।

 

କମଳେଶ ଅଭିମାନଭରା କଣ୍ଠରେ କହିଲେ– ମୁଁ ତମକୁ ଖୁବ୍ ହଇରାଣ କରୁଛି ଭାଉଜ-! ତମେ ମୋ ବେକରେ ଯେ କୌଣସି ନାରୀଟିଏ ଛନ୍ଦିଦେଇ ମୋର ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛ; କିନ୍ତୁ ଏତିକି ମନେରଖ, ମୋ ପତ୍ନୀ ରୂପରେ ନ ପାଇଲେ ପୁରୁଷର ଅସହାୟତାର ସୀମା ରହେନାହିଁ । ସେ ଅବସ୍ଥାକୁ ସମ୍ଭାଳିବାକୁ ତମେ ପ୍ରସ୍ତୁତ ତ?

 

ଦ୍ରାକ୍ଷା ହସିଦେଇ କହିଲେ– ତମର ମନଲାଖି ଝିଅ ପାଇଁ ମତେ ସ୍ୱର୍ଗକୁ ଯିବାକୁ ପଡ଼ିବ ଦେଖୁଛି । ମତେ ସ୍ୱର୍ଗକୁ ନ ପଠାଇ ତମେ କଣ ଛାଡ଼ୁଛ ? ତମର ବନ୍ଧୁ ତ ତମ ଦାୟିତ୍ୱ ମୋ ଉପରେ ଛାଡ଼ିଦେଇ ନିଶ୍ଚିନ୍ତ । ମୁଁ ଏବେ କରେ କଣ ? ସ୍ୱର୍ଗକୁ ନ ଗଲେ ତମ ପାଇଁ ଅପ୍‌ସରାଟିଏ ପାଇବି କେଉଁଠୁ ?

 

କମଳେଶ ହସି ଉଠିଲେ । କୌତୁକଭରା କଣ୍ଠରେ କହିଲେ ତମକୁ ସ୍ୱର୍ଗକୁ ପଠାଇଦେଲେ ସୁଖେନ୍ ମତେ ନର୍କକୁ ନ ପଠାଇ ଛାଡ଼ିବନାହିଁ । ବିଚାରୀ ଝିଅଟିର ଦଶା କଣ ହେବ ଭାବୁଛ ତ ! ବରଂ ତମେ ଗୋଟାଏ କଥା କର । କିଛିଦନ ମୋର ଯତ୍ନ ନେବାପାଇଁ ଗୋଟିଏ ନର୍ସ ଆପଏଣ୍ଟମେଣ୍ଟ କରିଦିଅ । ଆଉ ପନ୍ଦରଟା ଦିନରେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବି । ସୁଖେନ୍ ଯିବା ଆଗରୁ ମୋର ଭଲ ହୋଇଯିବା ଦରକାର । ଗାଁରୁ ମାଆଙ୍କୁ ଆଣିବାକୁ ହେବ । ଆହୁରି ଅନେକ କାମ ସୁଖେନ୍‌ର ବାକି ଅଛି । ଏକା ଏକା ସେ ତ ଏତେ କାମ କରିବା ସମ୍ଭବ ନୁହେଁ । କଣ କହୁଛ ?

 

ଦ୍ରାକ୍ଷା କଟ୍‌ମଟ୍ କରି କମଳେଶଙ୍କୁ ଚାହିଁଲା । ଆଖିରେ ଅଜସ୍ର ଭର୍ତ୍ସନା । ରାଗରେ ଗୁମୁରି ଗୁମୁରି କହିଲା ତା ମାନେ ଆମେ ଏ ଘର ଛାଡ଼ି ଚାଲିଯିବା କଥା କହୁଛ ?

 

–ଆରେ ସେ କଥା କେତେବେଳେ କହିଲି ? ଅର୍ଥକୁ ଅନର୍ଥ କରିବା ଝିଅଗୁଡ଼ାଙ୍କର ଅଭ୍ୟାସ ନା କଣ ? କମଳେଶ ଅପ୍ରତିଭ ହୋଇଉଠି କହିଲେ ।

 

ଦ୍ରାକ୍ଷା ଅଭିମାନଭରା କଣ୍ଠରେ କହିଲେ ମୁଁ ଏ ଘରେ ଥାଉ ଥାଉ ତମପାଇଁ ନର୍ସଟିଏ ନଯୁକ୍ତ ହେବ ? ତା ହେଲେ ମୋର ଏଠି ରହିବା କଣ ଦରକାର । ଭାଉଜ ଥାଉ ଥାଉ ଅସୁସ୍ଥ ଦିଅରର ଯତ୍ନ ନେବାପାଇଁ ନର୍ସଟିଏ ବ୍ୟବସ୍ଥା କରିବା କଥାଟା କେଡ଼େ ଅବାସ୍ତବ କୁହ ତ ! ତମର ବନ୍ଧୁ ମତେ ଆଉ ରଖିବେ ତ ? କାଲି ତୁମକୁ ଔଷଧ ଦେଇଗଲି ନାହଁ ବୋଲି ସାରାରାତି ସେ ମତେ ପାଟି ଫିଟାଇ ନାହାନ୍ତି । ନାରୀ ଜାତିଟା ସ୍ଵାର୍ଥପର ବୋଲି ସକାଳୁ ସକାଳୁ ଭାଷଣ ଦେଇଛନ୍ତି-। ଏ କଥା ଶୁଣିଲେ ସେ ମତେ ଆଉ ଘରେ ରଖିବେ ତ ? ତମର ମତଲବ୍‌ଟା କଣ ଶୁଣେ ?

 

କମଳେଶ ବିହ୍ୱଳିତ କଣ୍ଠରେ କହିଲେ– ସୁଖେନ୍ ସହ ଅନ୍ୟ କୌଣସି ପୁରୁଷର ତୁଳନା ହୁଏନା । ତା ଭଳି ବନ୍ଧୁଟିଏ ପାଇଁ ମୁଁ ଧନ୍ୟ ହୋଇଛି ।

 

ଦ୍ରାକ୍ଷା ମଧୁର ପରିହାସରେ କହିଲେ ତମେ ତାଙ୍କୁ ପାଇ ଧନ୍ୟ ହୋଇଛ, ସେ ତମକୁ ପାଇ ଧନ୍ୟ ହୋଇଛନ୍ତି । କେବଳ ମଝିରେ ମୁଁ କାହାରିକୁ ଧନ୍ୟ କରିପାରିଲି ନାହିଁ ।

 

କମଳେଶ ହସି ଉଠିଲେ ଦ୍ରାକ୍ଷାର ହସରେ ହସ ମିଶାଇ । ଜୀବନ ପୁଣି ଥରେ ସ୍ୱଚ୍ଛନ୍ଦରେ ଗଡ଼ିଚାଲିଲା । କମଳେଶ ସମ୍ପୂର୍ଣ୍ଣ ସୁସ୍ଥ ହୋଇଉଠି ନିଜ ବ୍ୟବସାୟରେ ହଜିଗଲେ । ଦ୍ରାକ୍ଷା କମଳେଶଙ୍କ ପାଇଁ ମନଲାଖି ଝିଅଟିଏ ଖୋଜି ବୁଲିଲେ ।

 

ସେଦିନ କମଳେଶଙ୍କର ଜନ୍ମଦିନ । ହଷ୍ଟେଲ୍‌ରେ ଥିଲାବେଳେ କମଳେଶ ସେଇ ତାରିଖରେ ଖୁବ୍ ଖୁଆଉଥିଲେ ସାଙ୍ଗମାନଙ୍କୁ । ମାମୁଁ ଟଙ୍କା ପଠାଉଥିଲେ ନୂଆ ପ୍ୟାଣ୍ଟ ସାର୍ଟ କିଣିବା ପାଇଁ । ସୁଖେନ୍ଦୁ ନିଜ ପସନ୍ଦରେ କମଳେଶଙ୍କ ପାଇଁ ପୋଷାକ କିଣି ଆଣୁଥିଲେ । ବ୍ୟବସାୟରେ ମନଦେବା ପରେ କମଳେଶଙ୍କର ସେ ତାରିଖଟିର ତାତ୍ପର୍ଯ୍ୟ ବୋଧହୁଏ ବିସ୍ମରଣ ହୋଇଛି । ସେଇ ତାରିଖଟିକୁ ବିଶେଷ ଭାବେ ପାଳନ କରିବା ପାଇଁ ତାଙ୍କର ବା କିଏ ଅଛି ? ସୁଖେନ୍ଦୁ କମଳେଶଙ୍କ ଅଜ୍ଞାତରେ ତାଙ୍କ ପାଇଁ ସୁନ୍ଦର ଦାମିକା ସୁଟ୍‌ଟିଏ ତିଆରି କରାଇଥିଲେ । କମଳେଶଙ୍କର ପ୍ରିୟ ଖାଦ୍ୟ ତିଆରି କରିବା ପାଇଁ ଦ୍ରାକ୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବେ କମଳେଶ ତାଙ୍କ ପରିବାରର ଜଣେ । ଦ୍ରାକ୍ଷା ସେଦିନ ପ୍ରତ୍ୟୁଷରୁ ସ୍ନାନକରି ମନ୍ଦିର ଯାଇଥିଲେ । ପୂଜା ସାରି ଫେରିଲା ବେଳକୁ କମଳେଶ ଅଫିସ ଯିବାପାଇଁ ପୋଷାକ ପିନ୍ଧୁଛନ୍ତି । ଦ୍ରାକ୍ଷାକୁ ଅପଲକ ନୟନରେ ସେ ଚାହିଁ ରହିଲେ । ଦ୍ରାକ୍ଷା ବାସନ୍ତୀ ରଙ୍ଗର ଶାଢ଼ୀଟିଏ ପିନ୍ଧିଥିଲେ । ଚଉଡ଼ା ନାଲି ଧଡ଼ିଟି ଶାଢ଼ୀର ସୌନ୍ଦର୍ଯ୍ୟ ବଢ଼ାଉଥିଲା । ଦ୍ରାକ୍ଷାଙ୍କର ମୁକୁଳା ଓଦା କେଶଦାମ ନୀଳସମୁଦ୍ରର ଢେଉପରି ତାଙ୍କର ହଳଦୀରଙ୍ଗର ଦେହର ଶୋଭାବର୍ଦ୍ଧନ କରୁଥିଲା । ମନେହେଉଥିଲା ଦ୍ରାକ୍ଷା ଯେମିତି ସମୁଦ୍ର ସ୍ନାନ କରୁଛନ୍ତି । କପାଳରେ ସିନ୍ଦୁରବିନ୍ଦୁ, ସକାଳର ସୂର୍ଯ୍ୟଠାରୁ ଅଧିକ ରମଣୀ ଦିଶୁଥିଲା । କମଳେଶ ଦ୍ରାକ୍ଷାଙ୍କର ସୌନ୍ଦର୍ଯ୍ୟକୁ ମନେ ମନେ ତାରିଫ କରୁ କରୁ କହିଲେ । ସକାଳୁ ସକାଳୁ ଦେବୀଙ୍କ ଦର୍ଶନ ମିଳିଲାଣି । କଥା କଣ ? କିଛି ସୁସମ୍ବାଦ ଅଛି ନା କଣ ?

 

ଦ୍ରାକ୍ଷା ମଧୁର କଣ୍ଠରେ କହିଲେ– ନିଶ୍ଚୟ ଅଛି । ତମେ ଜୋତା ଖୋଲି ଭୋଗ ପାଅ । ତା’ପରେ କହିବି ।

 

କମଳେଶ ଚଟାପଟ୍ ଜୋତା ଖୋଲି ପକାଇଲେ । ଦ୍ରାକ୍ଷାଙ୍କ ହାତରୁ ଭୋଗ ନେଲେ । ଦ୍ରାକ୍ଷା ଆଦେଶ ଦେବା ଭଙ୍ଗୀରେ କହିଲେ– ସୁସମ୍ବାଦଟା କଣ ଶୁଣିବ ? ତମେ ଆଜି ଅଫିସ ଯାଇପାରିବ ନାହିଁ ।

 

ଆଶ୍ଚର୍ଯ୍ୟ ! ଏ ପୁଣି କି ପ୍ରକାର ସୁସମ୍ବାଦ । ଅଫିସରେ ଗଦାଏ କାମ ସେ ବାକୀ ପଡ଼ିଛି– କମଳେଶ ବିସ୍ମୟରେ ପ୍ରଶ୍ନ କଲେ ।

 

ଦ୍ରାକ୍ଷା ସେଥିକି ଭ୍ରୂକ୍ଷେପ ନ କରି ଓ୍ୱାଡ୍‌ରୋବ୍‌ ଖୋଲି ନୂଆ ପୋଷାକଟି କମଳେଶଙ୍କ ହାତକୁ ବଢ଼ାଇ ଦେଉ ଦେଉ କହିଲେ ଏଇଟା ପିନ୍ଧି ନିଅ । ତମ ବନ୍ଧୁ ଆଜି କେତେଜଣଙ୍କୁ ନିମନ୍ତ୍ରଣ କରିଛନ୍ତି । ମତେ ଠିକ୍ ସମୟରେ ରୋଷେଇ ସାରିବାକୁ ହେବ ।

କମଳେଶ ଆହୁରି ଅବାକ୍ ହୋଇଯାଇ କହିଲେ– ସୁଖନ୍ କାହାକୁ ନିମନ୍ତ୍ରଣ କରିଛି, କିନ୍ତୁ ମୁଁ ପୋଷାକ ବଦଳାଇବି କାହିଁକି ?

ଦ୍ରାକ୍ଷା ମୃଦୁ ହସି କହିଲେ ତମ ବନ୍ଧୁଙ୍କର ନିର୍ଦ୍ଦେଶ ତମେ ଏଇଟା ପିନ୍ଧିବ । ତାଙ୍କ ପସନ୍ଦରେ ତିଆରି ହୋଇଛି ।

କମଳେଶ ହସିଉଠି କହିଲେ– ସେମାନେ କନ୍ୟାପକ୍ଷର ଲୋକ ନା କ'ଣ ? କଥାଟା ଖୋଲି କହିଲେ ମୁଁ ଟିକେ ସେଇ ଅନୁସାରେ ପ୍ରସ୍ତୁତ ହୁଅନ୍ତି ।

ଦ୍ରାକ୍ଷା ଆକ୍ଷେପଭରା କଣ୍ଠରେ କହିଲେ– ପୁରୁଷମାନଙ୍କୁ ପୁଣି ଦେଖିବାର କଣ ଅଛି ? ସେମାନେ ତ ପୁରୁଷ । ଝିଅମାନଙ୍କୁ ସିନା ତାଳୁରୁ ତଳିପାଯାଏ ସମୀକ୍ଷା କରିବାକୁ ବନ୍ଧୁ ପରିଜନଙ୍କୁ ନେଇ ପ୍ରଦର୍ଶନୀକୁ ଯିବା ଭଳି ଯାଆନ୍ତି । ଯେମିତି ତମେ ଦୁଇ ବନ୍ଧୁ ଯାଇଥିଲ ସାଙ୍ଗରେ ପୁଣି ମାମୁ ମା’ ସମସ୍ତେ ।

କମଳେଶ ଚିଡ଼ାଇବା ଭଙ୍ଗୀରେ କହିଲେ ସୁଖେନ୍ ଆଉ ସେଦିନ ତମକୁ ତାଳୁରୁ ତଳିପାଯାଏ ଦେଖିଲ କେଉଁଠି ? ତମ ମୁହଁକୁ ତ ଚାହିଁଛି ଯେ ଚାହିଁଛି; ଆଉ ତାର ହୋସ୍ ନାହିଁ । ମୁଁ ସେଦିନ ପାଖରେ ନଥିଲେ କଣ ହୋଇଥାନ୍ତା କିଏ କହିବ; ବରଂ ତମେ ତ ତାକୁ ଆଡ଼ନୟନରେ ଭଲରକମ ଦେଖିଛ । ପୁଅମାନଙ୍କର ସିଧାସଳଖ ଚାହାଣି ଯାହା ଦେଖିପାରେ ନାହିଁ, ଝିଅମାନଙ୍କ ଆଡ଼ନୟନରେ ତା’ଠାରୁ ଅଧିକ କଥା ଧରା ପଡ଼ିଯାଏ । ତା’ ନ ହୋଇଥିଲେ । ତମେ ପ୍ରଥମଦେଖାରୁ ଆମ ଦୁହିଁଙ୍କ ଭିତରୁ ତାକୁ ତମର ଉପଯୁକ୍ତ ପାତ୍ର ବୋଲି ଧରି ନେଇଥାନ୍ତି କିପରି-?

ଦ୍ରାକ୍ଷା ଲଜ୍ଜା ପାଇଗଲା । ବିରକ୍ତିଭରା କଣ୍ଠରେ କହିଲା ମୋର କାମ ବନ୍ଦ ହେଉଛି । ନିଅ ଏଇଟା ପିନ୍ଧି ପକାଅ । ତମେ କାକରା ପିଠା ଭଲପାଅ ପରା ! ଆଜି ତମ ପାଇଁ ସେଇଟା ସ୍ପେଶାଲ୍ ଆଇଟମ୍ । ବେଶି ବିରକ୍ତ କଲେ ଆଦୌ ଦେବି ନାହିଁ ।

କମଳେଶ ପୋଷାକଟି ହାତକୁ ନେଇ ତାରିଫ କରୁ କରୁ କହିଲେ– କିନ୍ତୁ ଅକେଜନଟା କଣ ? ମୋର ସ୍ପେଶାଲ୍ ଆଇଟମ୍‌ଟା ଉପରେ ତମର ଝୁଙ୍କ ଉଠୁଛି କାହିଁକି ଆଜି ?ମତେ ଫୁସୁଲେଇ କେଉଁଠି ଛନ୍ଦି ଦେବ ନା କଣ ?

ଦ୍ରାକ୍ଷା କଥା ନ ବଢ଼ାଇ କହିଲା– ନିଜର ଜନ୍ମତାରିଖଟା ଯିଏ ମନେ ରଖିପାରେ ନାହିଁ ତାକୁ ପୁଣି ଝିଅ ଦେବ କିଏ ?

କମଳେଶ ଦଣ୍ଡେ ଗୁମ୍‌ମାରି ରହିଗଲେ । ପରକ୍ଷଣରେ ତାଙ୍କର ସୁନ୍ଦର ଆଖି ଦୁଇଟା କରୁଣ ହେଇ ଉଠିଲା । ମେଘାଚ୍ଛନ୍ନ ମନେହେଲା ଆଖିର ଉଜ୍ଜ୍ଵଳ ଆକାଶ । ବର୍ଷା ଝରିବାକୁ ଆଉ ଯେମିତି ଅଳ୍ପକ୍ଷଣ ବାକୀ । ଭାରି ଭାରି ଗଳାରେ ସେ କହିଲେ ଭାଉଜ ! ଏଇ ଦିନ ସ୍ମରଣକୁ ଆସିଲେ ବାବା ମାଆ ସ୍ମରଣକୁ ଆସିଯାନ୍ତି । ସ୍ମୃତିପଟରେ ଭାସିଉଠେ ସେଇ ଗତଦିନର ଛବି । ତେର ବର୍ଷ ପରଠୁ ମୋର ଆଉ ଜନ୍ମଦିନ ପାଳିତ ହୋଇନାହିଁ । ମୋର ଦୀର୍ଘଜୀବନ କାମନା କରି ଆଉ କେହି ମନ୍ଦିର ଯାଇନାହିଁ । ଠିକ୍ ତମର ଭଳି ମାଆ ମନ୍ଦିର ଯାଉଥିଲେ । ପିଠାପଣା କରୁଥିଲେ । ଘରେ ସେଦିନ ରୀତିମତ ଗୋଟାଏ ଉତ୍ସବ ହେଉଥିଲା । ତା’ପରେ ସବୁ ଶୁନ୍‌ଶାନ୍– ମୁଁ ଏକା । ମୋର ଶୁଭ ମନାସିବାକୁ କେହି ରହିଲେ ନାହିଁ । କଲେଜକୁ ଯିବାପରେ ସୁଖେନ୍ ଏଇ ଦିନଟାକୁ ପାଳନ କରୁଥିଲା । ଦିନସାର ଏମିତି ଜମେଇ ରଖୁଥିଲା ଯେ ମୋର ବାବା ମାଆଙ୍କ କଥା ଭାବି ଦୁଃଖ କରିବାର ଅବସର ମିଳୁ ନ ଥିଲା । କଲେଜ ଛାଡ଼ିବା ପରେ ପୁଣି ମୁଁ ଏକା ହେଇଗଲି । ଜାଣି ଜାଣି ଭୁଲିଗଲି ଏଇ ଦିନଟାକୁ ମନେରଖି ଲାଭ କଣ ? ନିଜ ଜନ୍ମଦିନ ନିଜେ ପାଳିବାରେ ଆନନ୍ଦ ଅପେକ୍ଷା ଦୁଃଖ ହିଁ ବେଶି ହୁଅନ୍ତା । ଆଜି ତମେ ପୁଣି ସେଇ ପୁରୁଣାକଥାଗୁଡା ମନେପକାଇଲ । ସେଇ ଅଶୁଭ ଘଟଣା ପରଠୁ ଏ ଘରେ ମୋର ଜନ୍ମଦିନ ଆଉ ପାଳନ ହୋଇନାହିଁ । କାଲିଭଳି ସବୁକଥା ଜଳଜଳ ହୋଇ ଦିଶୁଛି । ଆଉ ମୋର ଶୁଭ କାମନା କରିବାକୁ କିଏ ଥିଲା ଯେ ଜନ୍ମଦିନ ପାଳନ ହୁଅନ୍ତା ?

ଦ୍ରାକ୍ଷା ଅନ୍ତର ଭିତରେ ବ୍ୟଥା ଅନୁଭବ କଲେ ମଧ୍ୟ ମୁଖରେ ହସ ଫୁଟାଇ କହିଲେ– କମଳ, ଏ ସଂସାରରେ ଦୁଃଖ ଅଜସ୍ର । ସୁଖ ମାତ୍ର କେତୋଟି ପଲକର ସ୍ମୃତି; ତଥାପି ମଣିଷ ବଞ୍ଚି ରହେ । ପଛକଥାକୁ ଧରି ବସିଲେ ଜୀବନ ଅଟକି ରହେ ନାହିଁ । ସମୟର ଗତି ବ୍ୟାହତ ହୁଏ ନାହିଁ-। ବରଂ ନିଜର ଦେହ ଓ ମନ ଅସାଡ଼ ହେଇପଡେ । ଆମେ କଣ ତମର ନିଜର ନୋହୁଁ ? ତମର ଶୁଭ କାମନା କରିବାର ଅଧିକାର କଣ ଆମର ନାହିଁ ?

କମଳେଶ ବୁଝିଲେ ଦ୍ରାକ୍ଷା ବ୍ୟଥା ପାଇଛି ।

ସେ ମୁଖରେ ହସ ଫୁଟାଇଲେ । କଥା ବୁଲାଇନେଇ କହିଲେ– କିନ୍ତୁ ଭାଉଜ ଏ ତ ସୁଖେନ୍‌ର ଉପହାର ତୁମ ଉପହାର କାହିଁ ? ଖାଲି କାକରାପିଠା ଖାଇବାକୁ ଦେଇ ଠକିଦେବ ବୋଲି ଭାବିଛ ନା କଣ ?

ଦ୍ରାକ୍ଷା ହସିଦେଇ କଲ– ମୋ ଉପହାର ଦେଖିଲେ ତମର ଆଖି ଜଳକା ହୋଇଯିବ । ଭୋକ ଶୋଷ ଉଭେଇଯିବ । ସେ କଥା ଏବେ ନୁହେଁ । ନ ହେଲେ କିଛି ଖାଇପାରିବ ନାହିଁ ଯେ !

 

କମଳେଶ ହାତଯୋଡ଼ି କହିଲେ ନା ବାବା । ମୋର ଆଗ ଥାଳିଏ କାକରା ପିଠା ଦରକାର ।

 

ଦ୍ରାକ୍ଷା ତରତର ହୋଇ ରୋଷେଇ ଘରେ ପଶିଲେ । ସୁଖେନ ବନ୍ଧୁମାନଙ୍କୁ ଧରି ପହଞ୍ଚିଲେ । ସମସ୍ତେ ଦ୍ରାକ୍ଷାଙ୍କ ହାତ ରନ୍ଧାର ତାରିଫ କରିବା ଭିତରେ କମଳେଶ ସତକୁ ସତ ଚୁପଚାପ କାକରା ଥାଳୀଟାକୁ ଶେଷ କରି ଦେଇଥଲା । ଶେଷରେ ସୁଖେନ୍ଦୁ ତା ସାମ୍ନାରୁ ଥାଳୀଟାକୁ ଉଠାଇ ନେଇ ଭର୍ତ୍ସନା କଲା– ପୁଣି ଥରେ ବେମାର ପଡ଼ିବାକୁ ଇଚ୍ଛା ନା କଣ ?

 

କମଳେଶ ହସି ହସି କହିଲା ନିଶ୍ଚୟ । ଭାଉଜଙ୍କର ସେବା ଯତ୍ନ ମିଳୁଥିଲେ ବେମାର ପଡ଼ିବାକୁ କାହାର ଇଚ୍ଛା ନ ହେବ ? ତୋର ଅନ୍ୟ କାମ ନ ଥିଲେ ତୁ ତ ବିଛଣାରୁ ଉଠନ୍ତୁ ନାହିଁ । ପ୍ରତିଦିନ ନୂଆ ନୂଆ ଅଦ୍ଭୁତ ରୋଗର ପେଖନା କାଢ଼ନ୍ତୁ ।

 

ସୁଖେନ୍ଦୁ ହସି ଉଠୁ ଉଠୁ ଦ୍ରାକ୍ଷା କହିଲେ । ସତେ ଯେମିତି ୟାଙ୍କର ସେବାଯତ୍ନ କରିବା ପାଇଁ ମୁଁ ଲେଖିଦେଇଛି । ଏଥର କିଛି ହେଲେ ପଥି ମଧ୍ୟ ରାନ୍ଧ ଦେବି ନାହିଁ, ସେବା ଯତ୍ନ ତ ଦୂରର କଥା ।

 

କମଳେଶ ଅଭିମାନରେ ମୁହଁ ଫୁଲାଇ ବସିଲା । ସୁଖେନ୍ଦୁ କହିଲା ସତକୁ ସତ ଦ୍ରାକ୍ଷା ତୋ ଉପରେ ଖୁବ୍ ବିଗିଡ଼ିଗଲାଣି । ଏଥର ବାହା ହେଇପଡ଼ ।

 

କମଳେଶ ଆକ୍ଷେପ କରି କହିଲା ସ୍ୱାର୍ଥପର । ସତେ ଯେମିତି ମୋ ପାଇଁ କନ୍ୟାଟିଏ ଖୋଜି ଦେଇଛୁ । ନିଜକଥା ଛଡ଼ା ତୋର ତ ଏବେ କାହାର ଚିନ୍ତା ନାହିଁ ଦେଖୁଛି ।

 

ସୁଖେନ୍ଦୁ ହସି ହସି କହିଲେ– ମତେ ମିଛରେ ଗାଳି ଦେଉଛୁ । ସେ ଦାୟିତ୍ୱ ତ ଦ୍ରାକ୍ଷାର-

 

ଦ୍ରାକ୍ଷା ଏଥର ରଙ୍ଗୀନ କାଗଜର ଲଫାପାଟିଏ କମଳେଶଙ୍କ ହାତକୁ ବଢ଼ାଇ ଦେଉ ଦେଉ କହିଲା– ନିଅ । ଏଇଟା ମୋ ତରଫରୁ ଜନ୍ମଦିନର ଉପହାର ।

 

କମଳେଶ ଆଗ୍ରହରେ ଲଫାପାଟି ଖୋଲୁ ଖୋଲୁ କହିଲେ । ଏ ପୁଣି କି ଉପହାର ?

 

ଦ୍ରାକ୍ଷା ଓ ସୁଖେନ୍ଦ, ଓଠ ଚପି ହସୁଥିଲେ ।

 

କମଳେଶ ଲଫାପା ଭିତରେ ଥିବା ସୁନ୍ଦରୀ ତରୁଣୀର ଫଟୋଟିକୁ ନିରୀକ୍ଷଣ କରୁ କରୁ କହିଲେ– କାଇଁ ! ଏ ତ ତମର ଭଉଣୀର ଫଟୋ ନୁହେଁ । ତା ହୋଇଥିଲେ ନିଶ୍ଚୟ ଗ୍ରହଣ କରନ୍ତି-

 

ଦ୍ରାକ୍ଷା ବିଗିଡ଼ିଯାଇ କହିଲେ– ମୋର ଭଉଣୀ ନାହିଁ, ଏ କଥା ତମେ ତ ଜାଣ । ଥିଲେ ବା ତମକୁ କିଏ ଦିଅନ୍ତା ଜାଣୁ ଜାଣୁ । ତମଭଳି ଭାଗାବଣ୍ଡ ଲୋକଟି ହାତରେ ମୁଁ ତ ମୋ ଭଉଣୀକୁ ଦିଅନ୍ତି ନାହିଁ ।

 

କମଳେଶ ଓ ସୁଖେନ୍ଦୁ ଏକ ସଙ୍ଗେ ହସି ଉଠିଲେ । ଦ୍ରାକ୍ଷା ଗମ୍ଭୀର କଣ୍ଠରେ କହିଲେ ମୁଁ ପରିହାସ କରୁନାହିଁ । କଥାଟା ପ୍ରାୟ ପକ୍କା ହେବା ଉପରେ । ତମେ ହ କହିଲେ ହେଲା ।

 

କମଳେଶ ଦ୍ରାକ୍ଷୀଙ୍କୁ ଗଭୀର ଦୃଷ୍ଟିରେ ଚାହିଁ କହିଲେ– ମୁଁ ଜାଣେ ସବୁ ଝିଅଗୁଡ଼ା ଈର୍ଷାତୁରା । ନିଜଠାରୁ ଅଧୁକ ସୁନ୍ଦର ଝିଅକୁ ସେମାନେ ପସନ୍ଦ କରନ୍ତି ନାହିଁ । ସେଇଥିପାଇଁ ତମର ମନ ଏଠି ଖୁବ୍ ମାନିଯାଇଛି । ତମ ପାଖରେ ଏ ଝିଅଟା କଣ ଦିଶିବ କହ ତ ! ତମଠୁ ସୁନ୍ଦରୀ ନ ହେଲା ନାହିଁ ଏ ଘରେ ତମ ସହ ମାନିଲା ଭଳି ଝିଅଟିଏ ପସନ୍ଦ କରିବା ତ ଉଚିତ ।

 

ଦ୍ରାକ୍ଷା ସତକୁ ସତ ରାଗିଗଲା । ବିରକ୍ତିଭରା କଣ୍ଠରେ କହିଲା– ତମ ପାଇଁ ମୁଁ ଏଥର ସ୍ୱର୍ଗକୁ ଯାଇପାରିବି ନାହିଁ କି ଅପ୍‌ସରାଟିଏ ବାଛି ପାରିବି ନାହିଁ ।

 

କମଳେଶ ବି ଚିଡ଼ିଗଲେ । ସୁଖେନ୍ଦୁଙ୍କୁ ଚାହିଁ କହିଲେ– ବେଶ୍ ମୋ ପସନ୍ଦରେ ତୁ ବାହା ହେଇଛୁ । ତୋ ପସନ୍ଦରେ ମୁଁ ବାହାହେବି । ନାରୀଦେହର ସୌନ୍ଦର୍ଯ୍ୟର ଉପଯୁକ୍ତ ବିଚାରକ ପୁରୁଷ ହୋଇପାରେ ନାରୀ ନୁହେଁ । ପୁରୁଷ ଆଖିରେ ନାରୀଅଙ୍ଗର ମାନଚିତ୍ରରେ ପାହାଡ଼, ନଦୀ, ବନ, ଉପତ୍ୟକା ଠିକ୍ ଧରା ପଡ଼ିଯାଏ । ନାରୀ ସେଥିପାଇଁ ଉପଯୁକ୍ତ ନୁହେଁ । ଭାଉଜଙ୍କ ଉପରେ ସେ ଦାୟିତ୍ୱ ଦେଇ ଆମେ ଭୁଲ କରିଛେ ।

 

ଦ୍ରାକ୍ଷା କହିଲା– ନାରୀକୁ ଦୋଷ ଦେବା ତମ ପୁରୁଷ ଜାତିର ପ୍ରକୃତି । ଏ ଝିଅଟିକୁ ପସନ୍ଦ କରିଛନ୍ତି ତମର ବନ୍ଧୁ । ମୁଁ ତ ଝିଅଟିକୁ ଆଦୌ ଦେଖି ନାହିଁ । ଫଟୋରୁ ପ୍ରକୃତ ଚେହେରା ସବୁବେଳେ ଜାଣି ହୁଏନାହିଁ । ସୁଖେନ୍ଦୁଙ୍କ ମନରେ ଝିଅଟିର ପ୍ରକୃତ ସୌନ୍ଦର୍ଯ୍ୟ ଫଟୋରେ ଠିକ୍ ଭାବରେ ଫୁଟିନାହିଁ ।

 

ସୁଖେନ୍ଦୁ ସମ୍ମତି ଜଣାଇ କହିଲେ– ଦ୍ରାକ୍ଷା ଠିକ୍ କହୁଛି । ଝିଅଟିକୁ ମୁଁ ପସନ୍ଦ କରିଛି । ଖୁବ୍ ଭଲ ଝିଅଟିଏ ।

 

କମଳେଶ ଭ୍ରୂକୁଞ୍ଚିତ କରି କହିଲେ ଛି ସୁଖେନ୍, ତୋର ରୁଚି ଏତେ ନିମ୍ନସ୍ତରକୁ ଗଲାଣି-? ନିଜ ପସନ୍ଦରେ ବାହା ହୋଇଥିଲେ ତୋ ଅବସ୍ଥାଟା କ’ଣ ହୋଇଥାନ୍ତା ଭାବୁଛି । ଭାଉଜଙ୍କୁ ବିବାହ କଲା ପରେ ମଧ୍ୟ ତୋ ରୁଚିର ମାନ ଉନ୍ନତ ହୋଇପାର ନାହିଁ ? ତୋର ଦୃଷ୍ଟିଶକ୍ତି ଠିକ୍ ଅଛି ତ ! ଥରେ ଆଖିଟା ପରୀକ୍ଷା କରଇନେ ବିଦେଶ ଯିବା ପୂର୍ବରୁ । ନଚେତ୍ ପୃଥିବୀର ସମସ୍ତ ନାରୀ ତତେ ରମ୍ଭା, ଉର୍ବଶୀ ମନେ ହେବେ । ତା’ ପର ଅବସ୍ଥାଟା ଯାହା ହେବ ଭାବିପାରୁଛୁ ତ ! ବିଚାରୀ ଭାଉଜଟି ମୋର ଆଉ ଦେହଧରି ରହିବେ ଭଲା ?

 

ସୁଖେନ୍ଦୁ କହିଲେ ଅସଭ୍ୟ ! ମତେ କ’ଣ ଭାବିଲୁ କି ? ତା’ଛଡ଼ା ତୋ ଭାଉଜ ସହଜ ଝିଅଟିଏ ବୋଲି ମନେକରିଛୁ ? ଝିଅମାନେ ବାହାରକୁ ଯେତିକି ଶାନ୍ତ ସୁଧାର ଜଣାପଡ଼ନ୍ତି, ସେମାନେ ଭିତରେ ଠିକ୍ ତାର ଓଲଟା । ଆଉ କେଉଁ ଝିଅକୁ ଆଡ଼ ଆଖିରେ ଚାହିଁଲେ । ତୋର ଏ ସୁଧାର ଭାଉଜ ମତେ ସଂସାରରେ ରଖିବ ନାହିଁ ।

 

କମଳେଶ କହିଲେ– ଭାଉଜଙ୍କ କଥା ଛାଡ଼ । ତୋ ସହ ଭାଉଜଙ୍କ ବିବାହରେ ମଧ୍ୟସ୍ଥ ମୁଁ, ତେଣୁ ଭାଉଜଙ୍କ ସୁଖ ସଂସାରରେ ଟିକିଏ ବ୍ୟତିକ୍ରମ ଦେଖିଲେ ମୁଁ ତତେ ତଳିତଳାନ୍ତ କରିଦେବ I ସେ କଥା ଯେପରି ମନେଥାଏ ।

 

ସୁଖେନ୍ଦୁ ହସିଦେଇ କହିଲେ– ତୋ ଭାଉଜଙ୍କୁ ସ୍ତ୍ରୀ ରୂପରେ ପାଇଥିଲେ ପାଷାଣ୍ଡ ବି ଉର୍ବଶୀ, ରମ୍ଭାଙ୍କୁ ଆଡ଼ଆଖିରେ ଚାହିଁବ ନାହିଁ । ମୁଁ ଦେବତା ନ ହେଇପାରେ– ହେଲେ ପାଷାଣ୍ଡ ନୁହେଁ, ତୁ ତ ଜାଣୁ । ସେ ବାଜେ କଥା ଉଠୁଛି କାହିଁକି ! ଏଥର ତୋ ମତାମତଟା କ’ଣ କହ ।

କମଳେଶ ରାୟଦେବା ଭଙ୍ଗୀରେ କହିଲା– ତୋ ରୁଚି କ’ଣ ଜାଣିବା ପରେ ଆଉ କେବେହେଲେ ମୁଁ ତୋ ପସନ୍ଦରେ ବାହା ହେବି ନାହିଁ । ସବୁକଥା ଭାଉଜଙ୍କ ଉପରେ ଛାଡ଼ି ଦିଆଯାଉ । ତୋ’ଠାରୁ ସେ ନିଶ୍ଚୟ ଭଲ ବିଚାରକ ହେବେ ଏ କ୍ଷେତ୍ରରେ ।

ଦ୍ରାକ୍ଷା ସ୍ଥିର କଣ୍ଠରେ ସିଦ୍ଧାନ୍ତ ଘୋଷଣା କରି କହିଲା ଏଣିକି ତମର ମତାମତ ମଧ୍ୟ ମୁଁ ନେବି ନାହିଁ, ତମେ ତ ଆଖୁ କିଆରୀରେ ପଶିଲା ଭଳି ହେଉଚ । କନ୍ୟା ନିର୍ବାଚନର ଦାୟିତ୍ୱ ମୋର । ମୋର ମତାମତ ହିଁ ଚୂଡ଼ାନ୍ତ । ଏମିତି କି ବିବାହ ପୂର୍ବରୁ ତମକୁ କନ୍ୟାର ଫଟୋ ସୁଦ୍ଧା ଦେଖିବାକୁ ଦେବି ନାହିଁ ।

କମଳେଶ ହାତଯୋଡ଼ି ଅଭିନୟ ଭଙ୍ଗୀରେ କହିଲେ ତାହେଲେ ଏଣିକି ପ୍ରତିଦିନ ଫୁଲ ଚନ୍ଦନ ଦେଲେ ଦେବୀଙ୍କୁ ପୂଜା କରିବାକୁ ହେବ । ଦେବୀ ଅସନ୍ତୁଷ୍ଟ ହେଲେ ମୋ ଭାଗ୍ୟରେ ସାପ ଅଛ କି ବେଙ୍ଗ ଅଛି କିଏ ଜାଣେ ? ଏ ତ କିଛି କମ୍ କଥା ନୁହେଁ !

ଦୁଇବନ୍ଧୁ ଏକ ସଙ୍ଗେ ହସିଉଠିଲେ ଅପରାହ୍ନର ନିର୍ଜନତାକୁ ମୁଖରିତ କରି ।

ଦ୍ରାକ୍ଷାଙ୍କୁ ଫଟୋଟି ଫେରାଇ ଦେଉ ଦେଉ ହଠାତ୍ କମଳେଶଙ୍କର ଦ୍ରାକ୍ଷାଙ୍କ ହାତ ଉପରେ ଦୃଷ୍ଟି ସ୍ଥିର ହୋଇଗଲା । ହୋ–ହଲ୍ଲା ଓ ଖାଇବା ପିଇବାର ଧୂମ ଭିତରେ ସେ ଦ୍ରାକ୍ଷାଙ୍କୁ ଲକ୍ଷ୍ୟ କରି ନ ଥିଲେ । ତାଙ୍କର ମୁଖ ବିଷର୍ଣ୍ଣ ହେଲା ।

ମର୍ମାହତ ହୋଇ ସେ କହିଲେ– ଭାଉଜ, ତମେ ଏ କ’ଣ କରି ବସିଛ ? ମତେ କାକରା ଖୋଇବ ବୋଲି ନିଜ ହାତଟାକୁ ପୋଡ଼ି ପକାଇଛ ? ବାସ୍ତବିକ୍ ମୁଁ ଖୁବ୍ ଦୁଃଖିତ ଓ ଲଜ୍ଜିତ । ମୋରି ପାଇଁ ତମର ଏ ଅବସ୍ଥା । ମୋ ଭଳି ଲକ୍ଷ୍ମୀ ଛଡ଼ା ଲୋକଟାର ଜନ୍ମଦିନ କରିବାକୁ କିଏ କହୁଥିଲା ?

 

ଦ୍ରାକ୍ଷା କହିଲ– କ’ଣ ହେଇଛି ଯୋ ଏମିତି । ଗରମତେଲ ପଡ଼ି ଫୋଟକା କେତେଟା ହୋଇଛି । ରାନ୍ଧିଲାବେଳେ ଏମିତି କେତେଥର ହୁଏ । ତମର ଦୋଷ କ’ଣ ହେଲା ଏଥିରେ ?

 

କମଳେଶ ସେମିତି ବିମର୍ଷ ହୋଇ କହିଲେ– ମତେ କାକରା ଖୋଇବା ଯୋଗୁଁ ତମର ଏ ଅବସ୍ଥା । ପେଟେ କାକରା ଖାଇସାରି ମୁଁ ପୁଣି ସେକଥା ଦେଖୁଛି । ମୋ ପେଟ ଫାଟି ଯାଉନି କାହିଁକି ?

 

ସୁଖେନ୍ଦୁ ହସି ହସି କହିଲେ– ହେ, ତୋ ବ୍ରହ୍ମ ଅଭିଶାପଟା ଯଦି ସତକୁ ସତ ଫଳିଯାଏ ତେବେ ତୋର ନୁହେଁ– ମୋର ପେଟ ହିଁ ଫାଟିବ । ତୁ ତ କାକରା ଖାଇଛୁ । ଭାଉଜ ହାତରେ ତେଲ ପଡ଼ିଛି ମାଛ ଭାଜିବା ବେଳେ । ଆଉ ମାଛତକ ତ ମୁଁ ଖାଇଛି ।

 

କମଳେଶ ସେମିତି ମୁହଁ ଶୁଖାଇ କହିଲା– ଯାହା ହେଲେ ବି ସବୁ ତ ମୋରି ପାଇଁ । କ'ଣ ଦରକାର ଥିଲା ଏ ବୟସରେ ମୋର ଗୋଟାଏ ଜନ୍ମଦିନ ପାଲା କରିବାପାଇଁ ! ସବୁ ନାଟର ଗୋବର୍ଦ୍ଧନ ହଉଛୁ ତୁ ।

 

ଦ୍ରାକ୍ଷା ହସି ହସି କହିଲା ଅନ୍ୟଦିନମାନଙ୍କରେ ଦୁଇ ବନ୍ଧୁ ସତେ ଯେମିତି ମୁହଁରେ ତୁଣ୍ଡି ଦେଇଥାଅ ଆଜି ଖାଲି ତମ ଜନ୍ମଦିନ ବୋଲି ମୁଁ ରାନ୍ଧିଲି ।

 

କମଳେଶ ସେମିତି ଦୁଃଖିତ କଣ୍ଠରେ କହିଲା ସେ ଯାହାହେଲେ ବି ମୁଁ ଦୁଃଖିତ ଭାଉଜ-। ଆଜି ସକାଳୁ ତମେ ମୋ ପାଇଁ ଖଟୁଛ । କ’ଣ ଦରକାର ଏ ସବୁରେ ?

 

ଦ୍ରାକ୍ଷା ଗମ୍ଭୀର ହେଲା । ଅଭିମାନଭରା କଣ୍ଠରେ କହିଲା– ପ୍ରକୃତ କଥା । ମୁଁ ତ ପରଲୋକଟିଏ । ତମ ଜନ୍ମଦିନରେ ଏତେ ଖଟିବା କ’ଣ ଦରକାର ? ନିଜ ଭାଉଜ ହୋଇଥିଲେ । ତମେ ତ ଏମିତି ଦୁଃଖିତ ହୁଅନ୍ତୁନି ; ବରଂ ଜନ୍ମଦିନ ପାଳିବାରେ ଟିକେ ଏପଟ ସେପଟ ହେଲେ ମହାଭାରତ ସୃଷ୍ଟି କରନ୍ତୁ । ତମ ବନ୍ଧୁ ତମକୁ ଯେତେ ଭାଇ ଭାଇ କହିଲେ ବି ମୁଁ ତମର ଭାଉଜ ନୁହେଁ ଏକଥା ସତ । ଠିକ୍ ଅଛ । ଆସନ୍ତାବର୍ଷ ତମ ଜନ୍ମଦିନରେ ମୁଁ ଖାଲି ଖାଇବି । ତମ ନିଜଲୋକଟି ସବୁ କଥା ତୁଲାଇବ ।

 

କମଳେଶ ଆହୁରି ଲଜ୍ଜିତ ହୋଇ ପଡ଼ୁ ପଡ଼ୁ ସୁଖେନ୍ଦୁ କହିଲେ– କହୁଥିଲି ନା ତୋ ଭାଉଜ ସହଜ ଝିଅଟିଏ ନୁହେଁ । ତାକୁ ତୁ କଥାରେ ପାରିବୁ ନାହିଁ । ଏବେ ବୁଝିଲୁ ତ; ତା ପାଖରୁ ଖସିଯିବା ଏଡ଼େ ସହଜ କଥା ନୁହେଁ ।

 

ଦ୍ରାକ୍ଷା ହସି ହସି ରାତ୍ରିଭୋଜନର ବରାଦ କରିବା ପାଇଁ ଚାଲି ଯାଉ ଯାଉ କହିଲେ– ମୋ ଠାରୁ ଖସିଯିବା ପାଇଁ ଦୁଇ ବନ୍ଧୁ ମସୁଧା କରୁଥାଅ । ହେଲେ ହାରିଯିବ । ସେତେବେଳେ ବୁଝିବ ଝିଅମାନଙ୍କୁ ହରାଇଦେବା ଖୁବ୍ ସହଜ ମନେହେଲେ ବି ତାଙ୍କ ପାଖରେ ବହୁ ସମୟରେ ପରାଜୟ ସ୍ୱୀକାର କରିବାକୁ ହୋଇଥାଏ ।

 

ସୁଖେନ୍ଦୁଙ୍କର ଲଣ୍ଡନ ଯିବା ସ୍ଥିର ହୋଇଗଲା । ମାଆଙ୍କୁ ଗାଁରୁ ନେଇ ଆସିଲା ସୁଖେନ୍ଦୁ-ସୁଖେନ୍ଦୁ ଏତେଦୂରକୁ ଯିବାରେ ମାଆ ଖୁସି ହେଲେ ନାହିଁ । ଦ୍ରାକ୍ଷା ସୁଖେନ୍ଦୁଙ୍କର ଉଜ୍ଜ୍ଵଳ ଭବିଷ୍ୟତର ସ୍ୱପ୍ନରେ ବୁଡ଼ିରହି ନିଜ ଭିତରର କ୍ଷୀଣ ଦୁର୍ବଳତାକୁ ଚାପିନେବାର ଚେଷ୍ଟା କରୁଥିଲା ।

 

ସୁଖେନ୍ଦୁଙ୍କ ସମ୍ୱର୍ଦ୍ଧନା ଉପଲକ୍ଷେ କମଳେଶଙ୍କର ବିରାଟ ପାର୍ଟିର ଆୟୋଜନ । ଦ୍ରାକ୍ଷାର ବାରଣ ସୁଖେନ୍ଦ୍ରଙ୍କର ଆପତ୍ତିର କୌଣସି ଗୁରୁତ୍ୱ ନ ଥିଲା । ପାର୍ଟିରେ ଅଭିନନ୍ଦନଟା ଦ୍ରାକ୍ଷାଙ୍କୁ ହିଁ ସେମିତି ଉପଲକ୍ଷ୍ୟ କରି । ସୁଖେନ୍ଦୁ ଯେଉଁ ସ୍କଲାରସିପ ପାଇ ଲଣ୍ଡନ ଯିବାପାଇଁ ଅନେକ ଦିନଧରି ଚେଷ୍ଟା କରି ଆସୁଥିଲେ ତାହା ବିବାହର ମାତ୍ର ନଅମାସ ପରେ ସଫଳ ହୋଇଥିବାରୁ କୃତିତ୍ୱଟା ଦ୍ରାକ୍ଷାଙ୍କର ବୋଲି ସର୍ବସମ୍ମତିକ୍ରମେ ଗୃହୀତ ହୋଇଗଲା । ତା’ପରେ ଅଭ୍ୟର୍ଥନା, ଅଭିନନ୍ଦନ, ପ୍ରଶଂସାର ଅଜସ୍ର ଆଡ଼ମ୍ବରପୂର୍ଣ୍ଣ ଉପସ୍ଥାପନା । ସେଥିରେ ସାମୟିକ ସ୍ଵାମୀ ବିଚ୍ଛେଦଜନିତ ଦୁଃଖ ବିସ୍ମରି ଯାଇ ଦ୍ରାକ୍ଷାଙ୍କର ବୁକୁ ଗର୍ବରେ ଫୁଲି ଉଠିଥିଲା । ସୁଖେନ୍ଦୁଙ୍କର କୃତିତ୍ୱରେ ତାଙ୍କର ବିହ୍ଵଳିତ ଅବସ୍ଥା ।

ଅନେକ ରାତିରେ କ୍ଳାନ୍ତ ଶରୀରକୁ ଶଯ୍ୟାରେ ଲୋଟେଇ ଦେଉ ଦେଉ‌ ଦ୍ରାକ୍ଷା ସୁଖେନ୍ଦଙ୍କୁ ନିବିଡ଼ ଆଶ୍ଳେଷରେ ବାନ୍ଧି ରଖି ସୋହାଗଭରା ଗଳାରେ କହିଲେ ତମକୁ ପାଇ ମୁଁ କି ଗର୍ବ ଅନୁଭବ କରୁଛୁ– ତାହା ଭାଷାରେ ପ୍ରକାଶ କରିବା କଷ୍ଟ ।

 

ସୁଖେନ୍ଦୁ ଦ୍ରାକ୍ଷାଙ୍କୁ ସ୍ନେହର ସ୍ପର୍ଶରେ ବିହ୍ଵଳିତ କରି ଦେଉ ଦେଉ କହିଲେ– ଠିକ୍ ଓ କଥା ମୁଁ କହୁଛ । ତୁମକୁ ନେଇ ମୋର ଗର୍ବର ସୀମା ନାହିଁ । ମୋ କୃତିତ୍ୱ ପଛରେ ତମରି ଶୁଭେଚ୍ଛା ହିଁ ପ୍ରଚ୍ଛନ୍ନଭାବରେ ନିହିତ । ତମେ କେବଳ ସୁନ୍ଦରୀ ନୁହଁ ସୁଲକ୍ଷଣା, ତମକୁ ଛାଡ଼ିଯିବାରେ ମୋର କି କଷ୍ଟ ତା’ ଯଦି ତମେ ବୁଝନ୍ତି..... ।

 

ଦ୍ରାକ୍ଷା ସ୍ଵାମୀଙ୍କ ବକ୍ଷରେ ମୁଣ୍ଡ ରଖି ଭାରି ଗଳାରେ କହିଲା । ମୋର ଦୁଃଖ ତମ ଠାରୁ ଅଧିକ ; ତଥାପି ଆମେ ଦୁଃଖ କରିବା ନାହିଁ । ତମର ଯାତ୍ରା ଶୁଭଙ୍କର ହେବା ପାଇଁ ଆମେ ମନକୁ ପ୍ରଫୁଲ୍ଲ ରଖିବା ଉଚିତ୍ । କିନ୍ତୁ ତମେ ମତେ ବେଶିଦିନ ନିର୍ବାସନ ଦଣ୍ଡ ଦେବ ନାହିଁ ତ ?

 

ସୁଖେନ୍ଦୁ ଦୃଢ଼ ଗଳାରେ କହିଲେ ଅସମ୍ଭବ । ତମର ସାନିଧ୍ୟ ବିନା ମୋର ଗବେଷଣା ଆଗେଇପାରିବ ନାହିଁ । ତମେ ପାଖରେ ନ ଥିଲେ ଗବେଷଣାରେ ଏକାଗ୍ରତା ରହିବ ନାହିଁ । ସେଠି ପହଞ୍ଚିବା ମାତ୍ରେ ମୁଁ ତମ ଯିବାର ବ୍ୟବସ୍ଥା କରିବି । ମାସ ଖଣ୍ଡେ କଷ୍ଟ କରି ରହିପାରିବ ନାହିଁ ?

 

ଦ୍ରାକ୍ଷା ଭିଜା ଭିଜା ଗଳାରେ କହିଲି ତମର ମଙ୍ଗଳ ପାଇଁ ଉନ୍ନତ ପାଇଁ ଏଠକ ଟିକେ କଷ୍ଟ ସ୍ୱୀକାର ବା କ’ଣ ବଡ଼ କଥା ? ତମେ ଭଲରେ ପହଞ୍ଚି ଖବର ନ ଦେବାଯାଏ ମୋର ଶାନ୍ତି ନାହିଁ । ପହଞ୍ଚିବା ମାତ୍ରେ କେବଳ ଦ୍ୱାରା ତମର ସୁସମ୍ବାଦ ଜଣାଇବାକୁ ଯେମିତି ନ ଭୁଲ । ଆଉ ପ୍ରତି ସପ୍ତାହରେ ତମଠୁ ଯେମିତି ଚିଠିଖଣ୍ଡେ ପାଇବି । ବେଶି ନାହିଁ, ମାତ୍ର ଦୁଇ ଧାଡ଼ି–ତମେ ଭଲରେ ଅଛ । ବାସ୍, ଏତିକି ଜାଣିଲେ ତମର ସଫଳତା ପାଇଁ ଚାରି ବର୍ଷ ବି ମୁଁ ଏଠାରେ ରହିପାରେ ।

 

ସୁଖେନ୍ଦୁଙ୍କର ଆଖି ଦୁଇଟା ବି ଭିଜି ଆସିଲା । ସେ ସ୍ନେହପୂର୍ଣ୍ଣ ଗଳାରେ କହିଲେ– ଦ୍ରାକ୍ଷା, ଆମ ଦେଶର ପତି–ପତ୍ନୀର ଏ ପବିତ୍ର ସ୍ୱର୍ଗୀୟ ପ୍ରେମ କେଡ଼େ‌ ଦୁର୍ଲ୍ଲଭ କହ ତ ! ସ୍ୱାମୀର ସୁଖପଥରେ ଆହୁତି ଦେଇ ନିଃଶେଷ ହୋଇଯିବା କଥା କେବଳ ଆମ ଦେଶର ନାରୀ ହିଁ ଚିନ୍ତା କରିପାରେ । ତମର ଏଇ ସ୍ୱର୍ଗୀୟ ଭାବନା ହିଁ ମତେ ଜୟଯୁକ୍ତ କରାଇବ । ତମକୁ ମୁଁ ନିଶ୍ଚୟ ଖୁବ୍ ଶୀଘ୍ର ପାଖକୁ ନେଇଯିବି । ଯେତିକି ଦିନ ତମେ ଏଠାରେ ରହିବ, ତମର କିଛି ଅସୁବିଧା ହେବ ନାହିଁ । କମଳେଶ ଅଛି, ବୋଉ ଅଛି, ବୋଉର ସେବାରେ ତ୍ରୁଟି କରିବ ନାହିଁ ।

 

ଦ୍ରାକ୍ଷା କହିଲା– ଶାଶୁଙ୍କ ପାଇଁ ଚିନ୍ତା କରିବାର କିଛି ନାହିଁ, ଦ୍ରାକ୍ଷା ତା କର୍ତ୍ତବ୍ୟରେ ତ୍ରୁଟି କରିବ ନାହିଁ ।

 

ସୁଖେନ୍ଦୁ ଦ୍ରାକ୍ଷା କଥାରେ ଅଶେଷ ଶାନ୍ତି ଲାଭ କଲେ ।

 

ସେଇ ନିର୍ଦ୍ଦିଷ୍ଟ ଦିନ ଠିକ୍ ସମୟରେ ସୁଖେନ୍ଦୁ ସମସ୍ତଙ୍କର ଶୁଭ କାମନା ନେଇ ଲଣ୍ଡନ ଅଭିମୁଖେ ଯାତ୍ରା କଲେ । ଦ୍ରାକ୍ଷା ଶେଷ ପର୍ଯ୍ୟନ୍ତ ହର୍ଷୋତ୍‌ଫୁଲ୍ଲ ରହିବା ପାଇଁ ଚେଷ୍ଟା କରୁଥିଲା । ପ୍ଲେନ୍‌ଟା ଭୂଇଁ ଛାଡ଼ି ଆକାଶ ଛୁଇଁବା ମାତ୍ରେ ତାର ଆଖି ଦୁଇଟାରୁ ଅବାଧ୍ୟ ଜଳଧାରା ଝରିପଡ଼ିଥିଲା-। ସୁଖେନ୍ଦୁଙ୍କର ଆଖି ସଜ୍ଜଳ ହୋଇଥିଲା ।

 

ମାଆ ତ ରୀତିମତ କାନ୍ଦୁଥାନ୍ତି । କମଳେଶ ମନ ଭିତରେ ବ୍ୟଥା ଅନୁଭବ କଲେ ମଧ୍ୟ ତାହା ଗୋପନ ରଖି ସମସ୍ତଙ୍କୁ ନାନା ହାସ୍ୟକର କଥା କହି ପ୍ରଫୁଲ୍ଲ ରଖିବାକୁ ଚେଷ୍ଟା କରୁଥିଲା ।

 

ସମସ୍ତେ ଫେରି ଆସିଲେ ଘରକୁ । ସୁଖେନ୍ଦୁଙ୍କ ବିନା ଦ୍ରାକ୍ଷାକୁ ସବୁ ଶୂନ୍ୟ ମନେହେଉଥିଲା । ଦ୍ରାକ୍ଷାର ମନ ଭୁଲାଇବା ପାଇଁ କମଳେଶ ତାର ପାଖେ ପାଖେ ରହି ପ୍ରଗଳ୍‌ଭ ବାଳକଟି ଭଳି ଅନେ ଅସଂଲଗ୍ନ କଥାର ଖିଅ ଧରୁଥିଲା ।

 

ଦିନ ଗଡ଼ି ଚାଲିଲା । କମଳେଶ ନିଜ ବ୍ୟବସାୟରେ ପୁଣି ବୁଡିରହିଲେ । ମାଆ ହଜିଗଲେ ଠାକୁର ପୂଜାରେ । ଦ୍ରାକ୍ଷାଙ୍କର ନିଃସଙ୍ଗ ଦିନଗୁଡ଼ା ଅସହ୍ୟ ହୋଇଉଠିଲା । ସୁଖେନ୍ଦୁଙ୍କର ସେଇ ପ୍ରେମଭରା ଚିଠିଗୁଡ଼ିକ ହିଁ ତାଙ୍କ ଶୂନ୍ୟଜୀବନର ଏକମାତ୍ର ସାଥି ଥିଲା । ସୁଖେନ୍ଦୁ ସପ୍ତାହରେ ଦୁଇ ଖଣ୍ଡ କରି ଚିଠି ଲେଖୁଥିଲେ । ପ୍ରେମପୂର୍ଣ୍ଣ ଦୀର୍ଘ ପତ୍ର । ବିରହ ବେଦନାରେ ଅଶ୍ରୁସିକ୍ତ ଚିଠିର ସମସ୍ତ ପଂକ୍ତି । ଦ୍ରାକ୍ଷା ଉତ୍ତର ଦେଉଥିଲା ତଦନୁରୂପ । ବେଳେବେଳେ ଡାକ ଗୋଳମାଳ ଯୋଗୁଁ ଦ୍ରାକ୍ଷା ବିଭିନ୍ନ ତାରିଖର ଅନେକ ଚିଠି ଏକ ସମୟରେ ପାଉଥିଲା ।

ସୁଖେନ୍ଦୁଙ୍କର ଚିଠିକୁ ନେଇ କମଳେଶ ଦ୍ରାକ୍ଷାଙ୍କୁ ଖୁବ୍ ହଇରାଣ କରି ବେଳେ ବେଳେ ମଜା ଉଠାଉଥିଲେ । ଅକସ୍ମାତ୍ ତାଙ୍କ ହାତରେ ସୁଖେନ୍ଦୁଙ୍କର ଚିଠି ଖଣ୍ଡେ ପଡ଼ଗଲେ ଦ୍ରାକ୍ଷାଙ୍କ ଅବସ୍ଥା କହିଲେ ନସରେ । ସେଦିନ କମଳେଶ ଆସି କହିଲେ ଭାଉଜ ! ତମେ ଖୁବ୍ ଶୀଘ୍ର ସୁଖେନ ପାଖକୁ ଯିବା ଉଚିତ୍ । ତା’ ନ ହେଲେ ତା’ର କିଛି ଭଲ ହେବ ନାହିଁ ।

ଦ୍ରାକ୍ଷା ଚମକି ଉଠିଲା । ଉଜ୍ଜ୍ଵଳ ମୁହଁଟା ବିବର୍ଣ୍ଣ ହୋଇଉଠିଲା । ସେ କମ୍ପିତ ଗଳାରେ କହିଲା– କ’ଣ ହେଇଛି ମତେ ଖୋଲି କୁହ କମଳ । ସେ ଭଲ ଅଛନ୍ତି ତ ? ତମ ପାଖକୁ କିଛି ଲେଖିଛନ୍ତି ନା କ’ଣ ?

ଦ୍ରାକ୍ଷାର ଭାବାନ୍ତର ଲକ୍ଷ୍ୟ କରି କମଳେଶ ଆମୋଦିତ ହୋଇଉଠିଲେ । ହସି ହସି କହିଲେ । ବାସ୍ ! ଏତିକି କଥାରେ କାନ୍ଦିବାର ଉପକ୍ରମ କରିଦେଲ । କି ବୀରା ନାରୀ । ନିଅ ସୁଖେନର ତିନି ଖଣ୍ଡ ଚିଠି । ଚିଠିର ଓଜନ ମଧ୍ୟ ପରୀକ୍ଷା କର । ସେ ଆଉ କି ଗବେଷଣା ସେଠି କରୁଥିବ ବୁଝିପାରୁଛ ତ ?

ଦ୍ରାକ୍ଷାଙ୍କର ବିବର୍ଣ୍ଣ ମୁହଁଟା ତତ୍‌କ୍ଷଣାତ୍ ରଙ୍ଗୀନ୍ ହୋଇଉଠିଲ । ପ୍ରଥମ କରି ପ୍ରେମପତ୍ର ପାଇଥିବା ଫ୍ରକ୍ ପିନ୍ଧା କିଶୋରୀ ଝିଅଟି ଭଳି ସେ କମଳେଶଙ୍କ ହାତରୁ ଚିଠିତକ ଝାମ୍ପି ନେଇ ନିଜର ଶୟନକକ୍ଷକୁ ଶୀଘ୍ର ପଳାଇଲା ।

ଦ୍ରାକ୍ଷାର ଚପଳ ଚରଣର ଛନ୍ଦ, ମୁଖର ରଙ୍ଗରାଗ, ଦୃଷ୍ଟିର ଆକୁଳ ଆବେଗକୁ ନିରୀକ୍ଷଣ କରି କମଳେଶ ଅନୁଭବ କଲେ ସୁଖେନ ଭାଗ୍ୟବାନ ବ୍ୟକ୍ତିମାନଙ୍କ ଭିତରେ ଅନ୍ୟତମ ।

ଦ୍ରାକ୍ଷାର ଲଣ୍ଡନ ଯିବାର କୌଣସି ସୁବିଧା କରିପାରିଲେ ନାହିଁ ସୁଖେନ୍ଦୁ । ଦିନ ଗଡ଼ି ଚାଲିଲା । ସୁଖେନ୍ଦୁଙ୍କ ଯିବାର ବର୍ଷଟିଏ ଅତିକ୍ରମ କରିବାର ଦିନ ଆସିଗଲା । କମଳେଶ ବ୍ୟବସାୟଜନିତ ଗସ୍ତରେ ଅନେକ ଦିନ ବାହାରେ ରହିବାକୁ ଲାଗିଲେ । ସୁଖେନ୍ଦୁଙ୍କ ପ୍ରେମପୂର୍ଣ୍ଣ ପତ୍ରଗୁଡ଼ିକୁ ନିଃସଙ୍ଗ ଜୀବନର ଏକମାତ୍ର ପାଥେୟ କରି ଦ୍ରାକ୍ଷା ସମୟର ଦୁଃସହ ସ୍ରୋତକୁ ଅତିକ୍ରମ କରୁ କରୁ ହଠାତ୍ ନିଜକୁ ଦିନେ ଅସହାୟ ମନେକଲା । ସୁଖେନ୍ଦୁଙ୍କ ପ୍ରେମପତ୍ରର ଭାଷା, ଆବେଗ, ଦୈର୍ଘ୍ୟ ଓ ବ୍ୟବଧାନରେ ନାନା ବ୍ୟତିକ୍ରମ ଲକ୍ଷ୍ୟ କରିପାରିଲା ବୁଦ୍ଧିମତୀ ଦ୍ରାକ୍ଷା । ଶେଷକୁ ମାସକରେ ଖଣ୍ଡେ ଚଠି ପାଇବା ମଧ୍ୟ କଷ୍ଟକର ହୋଇଉଠିଲା । ଚିଠିରେ ମାତ୍ର କେତେ ଧାଡ଼ି ଅସଂଲଗ୍ନ କଥା ।

–ବୋଉର ଯତ୍ନ ନେବ । ଗବେଷଣା କାର୍ଯ୍ୟରେ ଖୁବ୍ ବ୍ୟସ୍ତ । ବର୍ତ୍ତମାନ ତମକୁ ଆଣିପାରୁ ନାହିଁ । ଅନ୍ୟ କୌଣସି କାମ ପାଇଁ ମୋର ସମୟର ଅଭାବ । ଏମିତି କି ଚିଠି ଲେଖିବାକୁ ମଧ୍ୟ ।

ଦ୍ରାକ୍ଷାର ସ୍ଵପ୍ନର ଆକାଶଟା ଧୀରେ ଧୀରେ ତମସାଚ୍ଛନ୍ନ ହୋଇଉଠେ । ତା ବିନା ସୁଖେନ୍ଦୁଙ୍କର ଗବେଷଣାରେ ଏକାଗ୍ରତା ଆସୁଛି ତ ! ଅଭିମାନର ଭସାମେଘ ସବୁ ମନ ଭିତରେ ଜମାଟ ବାନ୍ଧିଯାଏ । ସେ ଅଭିମାନର ସ୍ପର୍ଶ ସୁଖେନ୍ଦୁଙ୍କ ପାଖରେ ପହଞ୍ଚି ପାରେ ନାହିଁ । ପୁଅର ଖାପ୍ ଛଡ଼ା ଢଙ୍ଗରେ ଶାଶୁ ଚିନ୍ତାରେ ରୁଗ୍‌ଣ ହୋଇ ଶଯ୍ୟାଶାୟୀ ହୋଇପଡ଼ନ୍ତି । ଆଖିରୁ ଲୁହ ଢ଼ାଳି ବୋହୂର ପିଠିରେ ହାତ ବୁଲେଇ କହନ୍ତି– କେଡ଼େ ହାଡୁଆ ହୋଇଗଲୁଣି । ନିଜର ଯତ୍ନ ନେଉନୁ । ମୋର ସେବାରେ ଲାଗିଛୁ । ସୁଖ ଉପରେ ଅଭିମାନ କରିଛୁ । ଦେଖି ପାଠ ପଢ଼ି ତା’ର ବୃଦ୍ଧି ହଜିଲାଣି l ମା’ର ଦୁଃଖ ଯିଏ ନ ବୁଝିଛି ସେ କ’ଣ ସ୍ତ୍ରୀର ଦୁଃଖ ବୁଝିବ ? କେଜାଣେ କୋଉଦିନ ସେପାରିର ଡାକରା ଆସିଯିବ ତା’ ମୁହଁ ମୁଁ ଆଉ ଦେଖି ପାରିବିନି ।

 

ବୁଢ଼ୀ ଝର ଝର ଲୁହ ଢାଳନ୍ତି ରୋଗଶଯ୍ୟାକୁ ସିକ୍ତ କରି । ମନକୁ ଟାଣ କରି ଦ୍ରାକ୍ଷା ଶାଶୁଙ୍କୁ ଧେର୍ଯ୍ୟ ଦିଏ ବ୍ୟସ୍ତ ହୁଅ ନାହିଁ ବୋଉ ! ଭିଡ ପାଠ, ସମୟ ମିଳୁନି, ପ୍ରତି ଚିଠିରେ ତମରି କଥା ଲେଖୁଛନ୍ତି । ତମ ପାଇଁ ସେ ବି ସେଠି ଝୁରି ହେଉଛନ୍ତି ।

 

ବୁଢୀ ଚିଡ଼ି ଉଠନ୍ତି– କି ପାଠ ପଢ଼ୁଛି ଏତେ । ଆମ ଦେଶରେ କ’ଣ ପାଠ ନାହିଁ ? ମୋର ବାରଣ ମାନିଲା ନାହିଁ । ଦେଶଭୂଇଁ ଛାଡ଼ି ପରଦେଶରେ ଯାଇ ରହିଲା । ଆଉ ତାକୁ ମୁଁ ଦେଖିବି ନାହିଁ । ମୋ ମନ କହୁଛୁ, ତା’ ମୁହଁ ନ ଦେଖି ଆଖି ବୁଜିବି । ପୁରୁଷ ମାତ୍ରେ ସ୍ୱାର୍ଥପର– ସେ ସ୍ୱାମୀ ହେଉ କି ପୁଅ ହେଉ । ସମ୍ମାନ, ଧନ, ଯଶ ଆଗରେ ମାଆର ସ୍ନେହ, ସ୍ତ୍ରୀର ଦୁଃଖ ତାଙ୍କ ପାଖରେ ତୁଚ୍ଛ ।

 

ଦ୍ରାକ୍ଷା ଅନୁଭବ କରେ ଶାଶୁଙ୍କର କଥା ସତ୍ୟ । ଶାଶୁଙ୍କର ଅବସ୍ଥା ଦିନୁଦିନ ଖରାପ ହେଉଛି । ଦିନେ ଭଲ ହେଲେ ଆଠ ଦିନ ଖରାପ । ଚିନ୍ତା ହିଁ ତାଙ୍କର କାଳ ହୋଇଛି । ସେଇକଥା ଜଣାଇ ସେ ସୁଖେନ୍ଦୁଙ୍କୁ ଚିଠି ଲେଖେ । ମଝିରେ ଥରକ ପାଇଁ ଆସି ବୋଉକୁ ଦେଖିଯିବା ପାଇଁ ଅନୁରୋଧ କରେ । ଶାଶୁଙ୍କ ଅସୁସ୍ଥତାର ବିଶଦ ବର୍ଣ୍ଣନା କରି ତା’ ସଙ୍ଗେ ସଙ୍ଗେ ନିଜ ଆକୁଳପ୍ରାଣର ବ୍ୟଥା ବି ଜଣାଏ ଦ୍ରାକ୍ଷା । ଆଶା, ଥରକ ପାଇଁ ହେଲେ ପ୍ରାର୍ଥୀଙ୍କର ଦର୍ଶନ ରହି ପାଇବ– ତା’ ହୃଦୟର ଅଭିମାନର ବର୍ଷାରେ ତାଙ୍କୁ ପ୍ଳାବିତ କରିବ ।

 

ସୁଖେନ୍ଦୁଙ୍କର ଉତ୍ତରରେ ସେ ବ୍ୟଥା ପାଏ । ସୁଖେନ୍ଦୁଙ୍କର ନିଷ୍ଠୁର ଚିଠିର ଛତ୍ରେ ଛତ୍ରେ ବାସ୍ତବତାର ସ୍ପର୍ଶ । ସେଠି ମନ, ହୃଦୟ ଭାବପ୍ରବଣତାର ସ୍ଥାନ ନାହିଁ । ‘‘ବୋଉର ବୟସ ହେଲାଣି-। ଅସୁସ୍ଥ ହେବା ସ୍ୱାଭାବିକ । ତା’ବୋଲି ଗବେଷଣା ଅଧା ପଳାଇ ଆସିବା ତ ସମ୍ଭବ ନୁହେଁ– ବାଟ କିଛି କମ୍ ନୁହେଁ– କିଛି କମ୍ ପଇସା ବି ତ ଲାଗିବ ନାହିଁ । ବୋଉର ଅସୁସ୍ଥତା ଯୋଗୁଁ ତମର ଆସିବା ମଧ୍ୟ ଉଚିତ୍‍ ହେବ ନି । ମୋର ଗବେଷଣା କେତେ ବର୍ଷ ଲାଗିବ ଠିକ ନାହିଁ । ବୋଉର ଯତ୍ନ ନେବ । ବର୍ତ୍ତମାନ ଯିବା ସମ୍ଭବ ନୁହେଁ । ଏଣୁତେଣୁ ଲେଖି ମତେ ବିଚଳିତ କରିନାହିଁ । ଜୀବନରେ ସମସ୍ୟା ଆସିବ– ନିଜେ ସମାଧାନ କରି ଆଗେଇବାକୁ ଚେଷ୍ଟା କର ।”

 

ଦ୍ରାକ୍ଷା ମନର ପ୍ରଶାନ୍ତ ସାଗର ଜଳରେ ହଠାତ୍‍ ଏକ ବିସ୍ଫୋରଣ ହୋଇଗଲା ଯେମିତି । ଏ କଥା କ’ଣ ସୁଖେନ୍ଦୁଙ୍କ ମନର ଭାଷା ? ସୁଖେନ୍ଦୁ କ’ଣ ତା’ର ପତ୍ର ଦେବାଟାକୁ ସୁଖ ମଣୁ ନାହାନ୍ତି ? ଦ୍ରାକ୍ଷା ମନକୁ ଟାଣ କରି ଶାଶୁଙ୍କୁ ନାନା ମନଗଢ଼ା କଥା କହି ବୋଧଦେବା ପାଇଁ ଚେଷ୍ଟା କରେ । ଶାଶୁଙ୍କ ପାଖରେ ସୁଖେନ୍ଦୁଙ୍କ ଚିଠିର ବିନ୍ଦୁ ବିସର୍ଗ ମଧ୍ୟ ପ୍ରକାଶ କରେନାହିଁ ।

 

ନିଜର ନିଃସଙ୍ଗ ଶୟନକକ୍ଷରେ ଆଉ ଥରେ ଚିଠିଟାକୁ ପଢ଼ିଲା ଦ୍ରାକ୍ଷା ଏତେଦିନର ସଞ୍ଚିତ ଅଭିମାନ ବର୍ଷା ହୋଇ ଝରିପଡ଼ିଲା ସୁଖେନ୍ଦୁଙ୍କର ସେଇ ନିଷ୍ପ୍ରାଣ, ନିଷ୍ଠୁର ଚିଠିକୁ ସିକ୍ତ କରି । ସୁଖେନ୍ଦୁଙ୍କର ଗବେଷଣା ଶେଷ ନ ହେବାଯାଏ ସେ ଦ୍ରାକ୍ଷାଙ୍କୁ ପାଖକୁ ନେବେ ନାହିଁ । ଗବେଷଣାର ସଫଳତା ପାଇଁ ସମୟର କିନ୍ତୁ ନିର୍ଦ୍ଧିଷ୍ଟ ସୀମା ରଖିନାହାନ୍ତି ସୁଖେନ୍ଦୁ । ନିଜ ଜୀବନର ସମସ୍ୟାକୁ ଏକା ଏକା ସମାଧାନ କରି ଆଗେଇଯିବାକୁ ସୁଖେନ୍ଦୁ ନିର୍ଦ୍ଦେଶ ଦେଇଛନ୍ତି । ଅଥଚ ସୁଖେନ୍ଦୁଙ୍କୁ ବାଦଦେଇ ନିଜର କୌଣସି ସମସ୍ୟାର ସମାଧାନ କଥା ସେ ଚିନ୍ତା କରିପାରେ ନାହିଁ ।

 

ତେବେ ତା’ର ଦିନଗୁଡ଼ା କଟିବ କାହାକୁ ପାଥେୟ କରି ?

 

କମଳେଶ ଅନେକ ଦିନ ପରେ ଘରକୁ ଫେରି ସିଧା ଦ୍ରାକ୍ଷାଙ୍କୁ ଦେଖା କରିବା ପାଇଁ ତାର ଶୟନକକ୍ଷରେ ପହଞ୍ଚିଗଲେ । ଅବାକ୍ ଆଖିରେ ସେ ଚାହିଁ ରହିଲେ ଦ୍ରାକ୍ଷାର କ୍ରନ୍ଦନରତ ସୁନ୍ଦର ମୁହଁଟାକୁ ।

 

କମଳେଶଙ୍କୁ ଦେଖିବା ମାତ୍ରେ ଦ୍ରାକ୍ଷାର ଶୁଷ୍କ ପ୍ରାୟ ଲୁହଧାର ଆଉ ଥରେ ଝରି ପଡ଼ିଲା ଝର ଝର ହୋଇ । ନୀରବରେ ଚିଠିଟାକୁ କମଳେଶଙ୍କ ହାତକୁ ବଢ଼ାଇ ଦେଇ ସେ ମୁହଁ ଲୁଚାଇ ଛୋଟ ଝିଅଟି ଭଳି ସକେଇ ସକେଇ କାନ୍ଦିବାକୁ ଲାଗିଲା ।

 

କମଳେଶ ଆଶଙ୍କାଜଡ଼ିତ ମନରେ ଚିଠିଟାକୁ ଖୋଲି ପଢ଼ି ନେଲା ପରେ କକ୍ଷକୁ ମୁଖରିତ କରି ହସିବାକୁ ଲାଗିଲା । ଦ୍ରାକ୍ଷା ଆଚମ୍ୱିତ ହୋଇ ତାଙ୍କୁ ମୁହଁ ଉଠାଇ ଚାହିଁ ରହିଲା । ତାର ମନେହେଲା କମଳେଶଙ୍କ ଭଳି ନିଷ୍ଠୁର ହୃଦୟର ପୁରୁଷ ସଂସାରରେ କେହି ନାହାନ୍ତି ।

 

କମଳେଶ କହିଲେ ଭାଉଜ, ସୁଖେନ୍‌ର ଚିଠି ପଢ଼ି ତମେ ଖୁସି ହେବା ବଦଳରେ କାନ୍ଦୁଛ ? ଛିଃ, ମୁଁ ତମକୁ ସାଧାରଣ ନାରୀଙ୍କ ଠାରୁ ଅନେକ ଉଚ୍ଚରେ ରଖିଥିଲି । ମାତ୍ର ମୋର ଧାରଣା ଭୁଲ ପ୍ରମାଣିତ ହେଇଛି । ପୁରୁଷର ଚାଟୁବାକ୍ୟ, ବାହୁଲ୍ୟ ପ୍ରଶଂସା, ଅତିରଞ୍ଜିତ ପ୍ରେମଧାରା ପ୍ରତ୍ୟେକ ନାରୀକୁ ସୁଖ ଦିଏ । ତମେ ବି ସେଇଥୁରୁ ଜଣେ । ସୁଖେନ୍‌ର ଏ ଚିଠିରେ ଚାଟୁବାକ୍ୟ ନାହିଁ, ଅଛି ତା ଗବେଷଣାର ସଫଳ ପଦଯାତ୍ରାର କଥା; ଅଛି ନିଛୁକ ବାସ୍ତବତାର ଏଥିରେ ଲୁହ ଝରାଇବାର କ’ଣ ଅଛି ? ତମେ କ’ଣ ଚାହଁ ନାହଁ ସୁଖେନ୍ ନିଶ୍ଚିତ ମନନେଇ ଗବେଷଣାରେ ସଫଳତା ଲାଭ କରି ଶୀଘ୍ର ଫେରିଆସୁ ବୋଲି ଏ ଚିଠିରେ ସେ ତାହାହିଁ ଲେଖିଛି । ଲେଖିଛି, ତାକୁ ଏବେ ବ୍ୟସ୍ତ ବିବ୍ରତ କରିବା ପାଇଁ । ଏଥିରେ ଦୁଃଖ କରିବାର କଣ ଅଛି ?

 

ଦ୍ରାକ୍ଷାର ଅଶ୍ରୁଝରା ମୁହଁଟା ଧୀରେ ଧୀରେ ଉଦୟଭାନୁର ଉଜ୍ଜ୍ଵଳତାର ମଣ୍ଡିତ ହୋଇଗଲା । ସେ ସରଳ ଛୋଟ ଝିଅଟି ଭଳି ପ୍ରଶ୍ନ କଲା– ତମର ବଦଳି ଯାଇନାହାନ୍ତି ତ କମଳ-? ମୁଁ କଣ ତାଙ୍କୁ ଭୁଲ ବୁଝି ଅପରାଧ କରିଛି ?

 

–ନିଶ୍ଚୟ । ସୁଖେନକୁ ତମଠାରୁ ଅଧିକ ମୁଁ ଜାଣେ । ଜ୍ଞାନପାର ମଣିଷ ସେ । ଜ୍ଞାନର ପିପାସା ଆଗରେ ସେ ସବୁକିଛିକୁ ତୁଚ୍ଛ କରିଦିଏ । ପଢ଼ିଲାବେଳେ ସାରା ସଂସାରକୁ ସେ ପାଶୋରି ଦିଏ । ଏଥିରେ ତାକୁ ଭୁଲ୍ ବୁଝିବାର କଥା ଆଦୌ ନାହିଁ । ମାଉସୀଙ୍କ ଅସୁସ୍ଥତା କଥା ତମେ ଲେଖି ତାକୁ ଆଉ ବିବ୍ରତ କରାଅ ନାହିଁ ।

 

କାନ୍ଦୁରା ଛୋଟ ପିଲାଙ୍କୁ ମିଛ କାହାଣୀ କହି ଭଣ୍ଡାଇ ଦେବାପରି କମଳେଶ ଦ୍ରାକ୍ଷାକୁ ଭୁଲାଇ ଦେଲେ ମଧ୍ୟ ନିଜେ ସାମାନ୍ୟ ଚିନ୍ତିତ ହୋଇପଡ଼ିଲେ । ଦ୍ରାକ୍ଷାକୁ‌ ଛାଡ଼ି ସୁଖେନ ବା ଏତେଦିନ ଅଲଗା ରହିବାର ଶକ୍ତି ପାଇଲା କାହାଠାରୁ ଏ ଚିଠିର ସ୍ଵର ତ ସୁଖେନର ବୋଲି ମନେ ହେଉନାହିଁ । କମଳେଶ ଗଭୀର ଚିନ୍ତାମଗ୍ନ ହେଲେ ।

ସେଇଥିଲା ସୁଖେନ୍ଦୁଙ୍କର ଶେଷ ଚିଠି । ତା ପରେ ଦ୍ରାକ୍ଷାର ଅନେକ ଚିଠି– କମଳେଶଙ୍କ ଏକାଧିକ ଚିଠିର କୌଣସି ଜବାବ ନାହିଁ । ସୁଖେନ୍ଦୁଙ୍କ ଏଇ ଦୀର୍ଘ ନୀରବତାର କୌଣସି ଉତ୍ତର ନାହିଁ ଦ୍ରାକ୍ଷା ପାଖରେ । ସୁଖେନ ସହ ବିତିଯାଇଥିବା କେତୋଟି ମଧୁର ସ୍ମୃତିକୁ ରୋମନ୍ଥନ କରି ସେ ବିଶ୍ଲେଷ କରୁଥିଲେ ସୁଖେନ୍ଦୁକୁ । ସୁଖେନ୍ଦଙ୍କୁ ସେ ଅନ୍ୟଥା ଭାବିବା ପଛରେ କିଛି ଯୁକ୍ତି ନାହିଁ । ସୁଖେନ୍ଦୁ କଣ ତେବେ ଅସୁସ୍ଥ ? ନା ତା ତ ହେବାର ନୁହେଁ । ଏମିତି ଦ୍ୱନ୍ଦର ଦୋଳନରେ ବିତିଗଲା ଛଅଟି ମାସ । ସତେ ବା ଛଅଟି ଯୁଗ । ବିଷୟ ପ୍ରତିମାଟି ପରି ଦ୍ରାକ୍ଷା କର୍ତ୍ତବ୍ୟ କରିଯାଉଥିଲା । ସତେ ବା ସେ ମୌନାବତୀ ପାଲଟିଛି।

ଶାଶୁ ଟିକେ ସୁସ୍ଥ ହୋଇଛନ୍ତି । ମନକୁ ଦମ୍ଭ କରିଛନ୍ତି । ସୁଖେନ୍ ସେ ଏଇ ହାତରେ ଶାସନ କରି ମଣିଷ କରିଛନ୍ତି । ସୁଖେନର ବାପା ଛାଡ଼ି ସେପାରିକୁ ଯିବା ସମୟକୁ ସୁଖେନ ମାତ୍ର ଦଶ ବର୍ଷର । ଶାନ୍ତା ଓ କାନ୍ତା ଅବଶ୍ୟ ବାହା ହେଇଯାଇଥିଲେ । ସୁଖେନ ତାଙ୍କ ହାତରେ ମଣିଷ । ତାକୁ ଆଜି ଏମିତି ଲଗାମ୍ ଛଡ଼ା କରି ଛାଡ଼ିଦେବା କଥାଟା ଠିକ୍ ନୁହେଁ । ପୁରୁଷ ପୁଅଙ୍କର ମନ ଅରଣା ମଇଁଷୀ । ହାତରେ ଲଗାମଟା ଠିକ୍ ନ ଧରିଲେ ତାଙ୍କର ବା ଦୋଷ କଣ ? ବୋହୂଟା ଏତେଦିନ ଧରି ପୁଅଠାରୁ ଅଲଗା ରହିବା ଉଚିତ ହେଇନି । କଞ୍ଚା ମନା କିଛି ଗୋଟାଏ ଭୁଲ ଭଟକା ହେଇଯିବା କିଛି ବିଚିତ୍ର ନୁହେଁ । ବୋହୂକୁ ସଙ୍ଗରେ ନେଇ ଯାଇଥିଲେ । ତିନି ବର୍ଷର ପାଠକୁ ଦୁଇ ବର୍ଷରେ ଶେଷକରି ଫେରି ଆସିବ ସୁଖେନ ପକ୍ଷରେ ବଡ଼କଥାଟିଏ ହୁଅନ୍ତାନାହିଁ । ପ୍ରଥମରୁ ସୁଖେନ ସହ ଦ୍ରାକ୍ଷାକୁ ପଠାଇଥିଲେ ସୁଖେନ ଫେରିଆସନ୍ତାଣି ।

କମଳେଶଙ୍କୁ ଡାକି ସେଇକଥା କହିଲେ ବୁଢ଼ୀ । ଦ୍ରାକ୍ଷାକୁ ନେଇ ତାଙ୍କୁ ବିଲାତ ଯିବାକୁ ହେବ । ସୁଖେନ୍‌କୁ ଖୁବ୍ ଶୀଘ୍ର ଫେରାଇ ଆଣିବା ଦରକାର । ଦ୍ରାକ୍ଷା ନ ଗଲେ ସେକଥା ଆଉ କାହାଦ୍ଵାରା ସମ୍ଭବ ହେବନାହିଁ । ଦରକାର ହେଲେ ଦ୍ରାକ୍ଷାକୁ ତା’ ପାଖରେ ଛାଡ଼ିଦେଇ କମଳେଶ ଫେରି ଆସିବେ । ଯାହା ଟଙ୍କା ଲାଗିବ ଗାଁର ଜମି ଓ ଘର ବିକ୍ରି କରି ସେ ଆଣିଦେବେ ।

କମଳେଶ କିଛି କହିବା ପୂର୍ବରୁ ଦ୍ରାକ୍ଷା କଥାଟାର ଘୋର ପ୍ରତିବାଦ କରିଥିଲା । ଶାଶୁଙ୍କୁ ଛାଡ଼ି ଯିବାଟା ଏକାନ୍ତ ସ୍ୱାର୍ଥପରତା ହେବ ବୋଲି ଦୃଢ଼ ମତ ଦେଇଥିଲା I ଶାଶୁ ଦ୍ରାକ୍ଷାକୁ ନିଜ ଯୁକ୍ତିରେ ପରାସ୍ତ କରିଦେଇଥିଲେ । କହିଥିଲେ । ଦ୍ରାକ୍ଷାଙ୍କ ଯିବା ପଛରେ ତାଙ୍କ ନିଜ ସ୍ୱାର୍ଥ ହିଁ ଜଡ଼ିତ-। ତାଙ୍କ ପୁଅର‌ଭଲ ପାଇଁ ଦ୍ରାକ୍ଷାକୁ ଯିବାକୁ ହେବ । ତା ନହେଲେ ତା’ଭଳି ଶିକ୍ଷିତା ଝିଅକୁ ବୋହୂକରି ଆଣିବାର ମୂଲ୍ୟ ରହିବ ନାହିଁ । ବଡ଼ଝିଅ ଶାନ୍ତାକୁ କିଛିଦିନ ପାଇଁ ନିଜ ପାଖକୁ ଡକାଇ ଆଣିବେ । ତାର ପିଲାମାନେ ବଡ଼ ବଡ଼ ହେଇଗଲେଣି । ଜଞ୍ଚାଳ କିଛି ନାହିଁ ତାର ।

ଶେଷରେ ତାହାହିଁ ହେଲା । ସୁଖେନଙ୍କ ଦୀର୍ଘ ନୀରବତାର ରହସ୍ୟ ଭେଦ କରିବା ପାଇଁ ଦ୍ରାକ୍ଷା କମଳେଶଙ୍କ ସହ ଆକାଶପଥରେ ଲଣ୍ଡନ ଉଡ଼ି‌ଯାଇଥିଲେ ମନରେ ନାନା ଆଶା ଓ ଆଶଙ୍କା ନେଇ । କମଳେଶ ଭାବୁଥିଲେ ଦୀର୍ଘ ବିଚ୍ଛେଦ ପରେ ହଠାତ୍ ସୁଖେନ୍‌ର ସାମ୍ନାରେ ଦ୍ରାକ୍ଷାଙ୍କୁ ପହଞ୍ଚାଇ ଦେଇ ସେ ତାକୁ ଚମତ୍କୃତ କରିଦେବେ । ତାଙ୍କ ମନରେ କୌତୁକ ହେଉଥିଲା । ଦ୍ରାକ୍ଷା କିନ୍ତୁ ସମଗ୍ର ଯାତ୍ରାପଥରେ ଗମ୍ଭୀର ଓ ଚିନ୍ତିତ ହେଇ ରହିଥିଲେ ।

ସୁଖେନଙ୍କର ଫ୍ଲାଟ୍‌ଟି ପାଇବାରେ କିଛି ଅସୁବିଧା ହେଲାନି । ଘରେ ତାଲା ଝୁଲୁଥୁବା ଦେଖି କମଳେଶ ବିବ୍ରତ ହେଲେ । କେହି କଣେ ପ୍ରତିବେଶୀ କହିଲେ ସୁଖେନ୍ଦୁ ହସପିଟାଲରେ ଅଛନ୍ତି ।

 

ଦ୍ରାକ୍ଷାର ଚେହେରା ସମ୍ପୂର୍ଣ୍ଣ ଫିକା ପଡ଼ିଗଲା । ସେ ବିବର୍ଣ୍ଣ ହେଇ ଯାଉ ଯାଉ ନିଜକୁ ସମ୍ଭାଳି ନେଲା । ସୁଖେନ୍ଦୁଙ୍କର କଣ ହେଇଛି ? ସେ ପ୍ରଶ୍ନ କଲା ।

 

–ନା ତାଙ୍କର ନୁହେଁ । ତାଙ୍କ ସ୍ତ୍ରୀର ଦେହ ଅସୁସ୍ଥ । ପ୍ରତିବେଶୀ କହିଲେ ।

 

ଦ୍ରାକ୍ଷା ଶୀଘ୍ର ଟାକ୍‌ସି ଭିତରେ ବସୁ ବସୁ କହିଲେ– କମଳ, ଆମେ ଭୁଲ ଠିକଣାରେ ପହଞ୍ଚିଯାଇଛେ । ତମେ ଠିକଣାଟା ଭଲକରି ମିଳାଇ ଦେଖ ତ !

 

କମଳ ସେ ପର୍ଯ୍ୟନ୍ତ ସଂବିତ ଫେରିପାଇ ନ ଥିଲେ । ପ୍ରତିବେଶୀଙ୍କ ସହ ନିମ୍ନ କଣ୍ଠରେ କ’ଣ କଥାବାର୍ତ୍ତା କରି ଗାଡ଼ିକୁ ଫେରି ଆସୁ ଆସୁ ସେ କହିଲେ– ବୋଧହୁଏ ସେୟା । ଦ୍ରାକ୍ଷା ଗାଡ଼ିର ପଛସିଟ୍‌ରେ ବସି ଅଶେଷ କ୍ଳାନ୍ତିରେ ଆଖି ବୁଜିଦେଇ ବିଳିବିଳେଇଲା ପରି କହିଲେ– କମଳ ! ଆମେ ଫେରଯିବା ଚାଲ । ତମ ବନ୍ଧୁଙ୍କ ସହ ଆଦୌ ଦେଖା ନ କରି ହିଁ ଫେରିଯିବା । ହଁ, ତାହାହିଁ ଠିକ୍ ହେବ ବୋଧହୁଏ ।

 

କମଳ ଗାଡ଼ି ଚଳାଇବାକୁ ନିର୍ଦ୍ଦେଶ ଦେଇ ଦ୍ରାକ୍ଷାଙ୍କୁ କହିଲେ– ତମେ ବ୍ୟସ୍ତ ହୁଅନାହିଁ ଭାଉଜ ! ସୁଖେନ୍ଦୁ ଆଜି ସନ୍ଧ୍ୟାକୁ ଘରକୁ ଫେରବ । ତା ସହ ଦେଖା କରି କଥାଟାର ସତ୍ୟାସତ୍ୟ ପରଖି ନେବା ଠିକ ହେବ ।

 

ଦ୍ରାକ୍ଷା ସେମିତି ଆଖିବୁଜି ବାଉଳା ସ୍ୱରରେ କହିଲା କମଳ । କଥାଟା ଯଦି ସତ୍ୟ ହୁଏ ତେବେ ମୁଁ ତାଙ୍କର ସୁଖପଥରେ ବାଧା ଦେବି ନାହିଁ । ନୀରବରେ ତାଙ୍କଠାରୁ ଦୂରକୁ ଚାଲିଯିବ । କେହି ଜାଣିବେ ନାହିଁ ମୁଁ ତାଙ୍କର ବିବାହିତା ପତ୍ନୀ ବୋଲି । ତା ଜାଣିଲେ ତାଙ୍କର ସମ୍ମାନ କ୍ଷୁର୍ଣ୍ଣ ହେବ ବ୍ୟକ୍ତିତ୍ୱ କଳଙ୍କିତ ହେବ । ତାଙ୍କର ଦାମ୍ପତ୍ୟ ପ୍ରେମରେ ଦ୍ୱନ୍ଦ ଉପୁଜିବ । ମୁଁ ତାହା ଚାହେଁ ନାହିଁ-। ସେଥିରେ ମୋର କିଛି ଲାଭ ହେବ ନାହିଁ ।

 

କମଳେଶ ଗମ୍ଭୀର କଣ୍ଠରେ କହିଲେ ମୁଁ କିନ୍ତୁ ତାକୁ ସେମିତି ଛାଡ଼ିଦେବି ନାହିଁ । ଯଦି କଥାଟା ସତ୍ୟହୁଏ ମୁଁ ତାର ଇମେଜ୍ ଏକବାର ନଷ୍ଟ କରିଦେବି ତାର ସ୍ତ୍ରୀ ଆଗରେ । ତାର ବାଦସାହୀ ରସିକପଣିଆ ଛଡ଼ାଇଦେବି । ହଁ, ମୁଁ ତାକୁ ଉଚିତ୍ ଶିକ୍ଷାଦେବି ।

 

ଉତ୍ତେଜନାରେ କମ୍ପିଉଠିଲା କମଳେଶଙ୍କ ସ୍ୱର । ଦ୍ରାକ୍ଷା ଦୃଢ଼ କଠୋର କଣ୍ଠରେ କହିଲା ମୁଁ ତାହା କରାଇ ଦେବି ନାହିଁ । ଏ ସବୁ କଲେ ମୁଁ ଆଉଥରେ ତାଙ୍କୁ ଫେରି ପାଇବି ନାହିଁ । ସ୍ୱାମୀଙ୍କୁ ସେପରି ଫେରିପାଇ ମୁଁ ସୁଖୀ ହେବି ନାହିଁ । ତେବେ ତାଙ୍କୁ ବା କାହିଁକି ସୁଖୀ ହେବାକୁ ବାଧା ଦେବି-? ସେ ଯଦି ଦୁଃଖ ପାଆନ୍ତି ମୁଁ କଦାପି ସୁଖୀ ହେବି ନାହିଁ । ତମେ ମତେ କଥା ଦିଅ କମଳ । ସେପରି କିଛି କାଣ୍ଡ କରିବ ନାହିଁ । ମୋର ପରିଚୟ ଯେମିତି କେହି ଜାଣିବେ ନାହିଁ । ତା ନ ହେଲେ ମୁଁ ଯାହ କରିବି ସେଥିକି ତମେ ଦାୟୀ ହେବ । ଦ୍ରାକ୍ଷା କମଳେଶଙ୍କର ହାତ ଉପରେ ହାତ ରଖିଲେ ପ୍ରତିଶ୍ରୁତି ଆଶାରେ....

 

କମଳେଶ ଦ୍ରାକ୍ଷାଙ୍କ ହାତରେ ଦରଦଭରା ସ୍ନେହର ସ୍ପର୍ଶ ଦେଇ ପ୍ରତିଶ୍ରୁତି ଦେଲେ ।

 

ତା ପରଦିନ ଦ୍ରାକ୍ଷା ଓ କମଳେଶ ପୁଣି ଥରେ ସୁଖେନ୍ଦୁଙ୍କ ଫ୍ଲାଟ୍‌ରେ ପହଞ୍ଚିଲେ । ଦ୍ଵାର ଖୋଲିଲେ ଜଣେ ସୁନ୍ଦର କ୍ଷୀଣାଙ୍ଗୀ ଶ୍ୱେତାଙ୍ଗିନୀ ତରୁଣୀ । ଦ୍ରାକ୍ଷା ଓ କମଳେଶଙ୍କୁ ଦେଖି ସେ ଅବାକ ଆଖିରେ ଚାହିଁରହିଲେ । କମଳେଶ ସୁଖେନ୍ଦୁଙ୍କର କଥା ପଚାରିଲେ । ତରୁଣୀ କହିଲେ ସୁଖେନ୍ଦୁ ବାହାରକୁ ଯାଇଛନ୍ତି । ସଂଧ୍ୟାରେ ଫେରିବେ । କମଳେଶ ତରୁଣୀଙ୍କର ପରିଚୟ ଜିଜ୍ଞାସା କଲେ । ସୁଖେନ୍ଦୁଙ୍କର ପତ୍ନୀ ବୋଲି ନିଜକୁ ପରିଚୟ ଦେଲେ ଇଭା । ତା ସଙ୍ଗେ ସଙ୍ଗେ ସେ କମଳେଶଙ୍କ ପରିଚୟ ଜିଜ୍ଞାସା କଲେ । କମଳେଶ ସୁଖେନ୍ଦୁଙ୍କର ଘନିଷ୍ଠତମ ବନ୍ଧୁ ବୋଲି ଜାଣିବା ପରେ ଇଭା ଉଚ୍ଛ୍ୱସିତ ଆନନ୍ଦରେ କହିଲେ– ବାଃ, ଏ ଆପଣଙ୍କର ମିସେସ୍ । ହାଓ ସୁଇଟ୍ ! ମୁଁ ଖୁବ୍ ଖୁସି ହେଲି ଆପଣଙ୍କୁ ଦେଖି ।

 

କମଳେଶଙ୍କ ମୁହଁ ରକ୍ତିମ ହୋଇ ଉଠିଲା ଇଭାଙ୍କର ଉକ୍ତିରେ– ମାତ୍ର ଦ୍ରାକ୍ଷାର ମୁହଁ ସମ୍ପୂର୍ଣ୍ଣ କଳା ପଡ଼ିଗଲା ।

 

ଇଭା ସେଥିକି ଭ୍ରୂକ୍ଷେପ ନ କରି ସେମାନଙ୍କୁ ଭିତରକୁ ଡାକିନେଲେ ଏବଂ ସେମାନଙ୍କ ରହିବାର ସମସ୍ତ ଆୟୋଜନରେ ଲାଗିପଡ଼ିଲେ । ଇଭାଙ୍କୁ ଚାହିଁ ଚାହିଁ ଦ୍ରାକ୍ଷା ସୁଖେନ୍ଦୁଙ୍କର ରୁଚିକୁ ତାରିଫ୍ କଲେ ମନେ ମନେ । ଇଭା ବାସ୍ତବରେ ସୁନ୍ଦରୀ ଏବଂ ବିଚକ୍ଷଣା ଅତ୍ୟନ୍ତ ମିଷ୍ଟଭାଷିଣୀ । ସୁଖେନ୍ଦୁଙ୍କର ପୁରୁଷ ପ୍ରାଣକୁ ଚହଲାଇ ଦେବାର ସମସ୍ତ କଳାରେ ନିପୁଣା । ଯଦି ସୁଖେନ୍ଦୁଙ୍କର ମନ ସେଥିରେ ଚହଲିଯାଇଛି ତାଙ୍କର ବା ଦୋଷ କ’ଣ ?

 

କମଳେଶ ନିଷ୍ଫଳ ଆକ୍ରୋଶରେ ଗୁମୁରି ଗୁମୁରି ଗମ୍ଭୀର ମୁଖରେ ବସି ରହିଲେ । ସତେ ବା ସୁଖେନ୍ଦୁଙ୍କ ସହ ଦେଖାହେବା ମାତ୍ରେ ତାଙ୍କ ଉପରକୁ ଝାମ୍ପି ପଡ଼ିବେ । ଦ୍ରାକ୍ଷା କିନ୍ତୁ ଏକବାର ନିର୍ବିକାର । ଶାନ୍ତ, ଶୀତଳ, ନିସ୍ତରଙ୍ଗ ସରସଟିଏ ଯେମିତି । ତା ଭିତରର କୌଣସି କଥା ତା ମୁହଁ ରେ ପଢ଼ି ହେଉନାହିଁ । ସେ ଯେମିତି ଏକ ଗଦ୍ୟକବିତା ପାଲଟିଯାଇଛି । ଦ୍ରାକ୍ଷାର ଆଖିରେ କମଳେଶ ପ୍ରତି କଠୋର ଆଦେଶ । କମଳେଶ ନିଜକୁ ଯଥାଶକ୍ତି ପ୍ରକୃତିସ୍ଥ କରିବାରେ ଚେଷ୍ଟା କରୁଛନ୍ତି ।

 

ଇଭାଙ୍କର ପରମ ଆତିଥ୍ୟ ଏବଂ ସହଜ ଆଳାପ ଭିତରେ ଦ୍ରାକ୍ଷା ନିଜର ଏତେବଡ଼ ସର୍ବନାଶର କଥା ବିସ୍ମରି ଯାଉଛି । ଇଭାଙ୍କଠାରୁ ତାଙ୍କ ପ୍ରେମ ବିବାହର କାହାଣୀ ଶୁଣୁ ଶୁଣୁ ସେ ସେମିତି ଏକ ରଙ୍ଗୀନ ଚଳଚିତ୍ରର ରୋମାଞ୍ଚକର ପ୍ରେମ-ଦୃଶ୍ୟ ଭିତରେ ହଜିଯାଉଛି । ସେଠି କେବଳ ସୁଖେନ୍ଦୁ ଓ ଇଭା । ଇଭା ଓ ସୁଖେନ୍ଦୁ । ତା ନିଜର ସତ୍ତା ସେ ଖୋଜି ପାଉନି ।

 

ଇଭା ସୁଖେନ୍ଦୁଙ୍କର ଅତୀତ ଜୀବନର ବିନ୍ଦୁ ବିସର୍ଗ ଜାଣନ୍ତି ନାହିଁ । ଇଭାଙ୍କର ଦୋଷ ତେବେ କ’ଣ ? ତେବେ କ’ଣ ସୁଖେନ୍ଦୁ ତା ଜୀବନର ସର୍ବନାଶ ପାଇଁ ସମ୍ପୂର୍ଣ୍ଣ ଦାୟୀ ? ଦ୍ରାକ୍ଷା ମନ ଭିତରେ ସୁଖେନ୍ଦୁଙ୍କ ପାଇଁ ଅନେକ ଅଭିଯୋଗପତ୍ର I ମାତ୍ର ତାହା ଯେମିତି ଅପ୍ରକାଶିତ ରହିଯିବ । ସେ ଅଭିଯୋଗର ପରିପ୍ରକାଶରେ ତା ଜୀବନର ଆଉ କିଛି ଅଦଳ ବଦଳ ହେବନାହିଁ । ସେ ଏବେ ମୂକ ନାୟିକାଟିଏ ପାଲଟିଯିବ । ସଂଳାପବିହୀନ ଅଭିନୟ କରିଯିବ ଇଭାଙ୍କ ଆଗରେ ।

 

ଦ୍ୱାରମୁହଁରେ ସୁଖେନ୍ଦୁଙ୍କର ଆଗମନର ସଙ୍କେତ ପାଇ ଇଭା ହସ ହସ ମୁହଁରେ ତାଙ୍କୁ ପାଛୋଟି ଆଣିବାକୁ ଗଲେ । ସୁଖେନ୍ଦୁ ଇଭାଙ୍କୁ ଦୁଇ ବାହୁ ପ୍ରସାରି ଆଲିଙ୍ଗନ କରି ତାଙ୍କ ଅଧରରେ ଏକ ମଧୁର ଚୁମ୍ବନ ଆଙ୍କି ଦେଉ ଦେଉ ପ୍ରଶ୍ନ କଲେ– ଡାର୍ଲିଂ, କେମିତି ଅଛ ?

 

ଫାଇନ୍ । ଦେଖ ତ ଆଜି ତମ ପାଇଁ କ’ଣ ମୁଁ ରଖିଛି ? ଇଭା ବୁଲିପଡ଼ି କମଳେଶ ଓ ଦ୍ରାକ୍ଷାଙ୍କୁ ଇଙ୍ଗିତରେ ଦେଖାଇଦେଲେ ।

 

କଥାଟା ସୁଖେନ୍ଦୁଙ୍କ ପାଇଁ ଏକବାର ଅଭାବିତ । ହଠାତ୍ ସେ ଚମକି ପଡ଼ିଲେ । ପରେ ପରେ ବିବ୍ରତଭାବେ ଇଭାଙ୍କୁ ଥରେ ଆଡଆଖିରେ ଦେଖିନେଇ ଦ୍ରାକ୍ଷାଙ୍କୁ ଚାହିଁ ରହିଲେ ଅପଲକ ଆଖିରେ । ସତେ ବା ଚିହ୍ନିପାରୁନାହାନ୍ତି । ଏଇ ଯେମିତି ପ୍ରଥମ ଦେଖା ଦୁହିଁଙ୍କର । ଦ୍ରାକ୍ଷା ନିସ୍ତେଜ ଅବସନ୍ନ ଭଙ୍ଗୀରେ ବସିରହିଛି । ଯେମିତି ସୁନ୍ଦର ସୁନ୍ଦର ନୂତନ ଡ୍ରଇଂରୁମ୍‌ରେ ଏକ ନିର୍ଜୀବ ସ୍ଥାପତ୍ୟ– ନିଷ୍ପ୍ରାଣ ଭାସ୍କର୍ଯ୍ୟ । ସେ ଶୋଫା ଉପରୁ ଉଠିବା କଥା ଚିନ୍ତା ବି କରିପାରୁ ନାହିଁ । ସେ ସେମିତି ଅକସ୍ମାତ୍‌ ପଙ୍ଗୁ ହୋଇପଡ଼ିଛି । ତାର ଭାବଭରା ଆଖି ଦୁଇଟା ନିର୍ବିକାର କାଚର ଆଖି ଭଳି ସୁଖେନ୍ଦୁଙ୍କ ମୁହଁରେ ସ୍ଥିର ହୋଇ ରହିଛି । ଇଭା ହସି ଉଠିଲେ । କହିଲେ ହାଓଷ୍ଟ୍ରେଞ୍ଜ ! ତମର ବନ୍ଧୁପତ୍ନୀଙ୍କୁ ଦେଖି ତମେ ଚିହ୍ନି ବି ପାରୁନାହିଁ ?

 

ସୁଖେନ୍ଦୁଙ୍କର ମୁହଁଟା ବିବର୍ଣ୍ଣ ହୋଇ ଉଠୁ ଉଠୁ ସେ ମୁହଁରେ ରଙ୍ଗ ଫେରାଇ ଆଣିବାକୁ ଚେଷ୍ଟା କରୁ କରୁ କହିଲେ– କିନ୍ତୁ ଏମିତି ହଠାତ୍..... । କଥା କଣ କମଳ ?

 

କଥା ଛଡ଼ାଇ ନେଇ କମଳେଶ କହିଲେ– ସବୁ କଥା ହଠାତ୍ ହୁଏ । ତୋର ଇଭାଙ୍କ ସଙ୍ଗେ ସଂସାର କରିବାଟା ମଧ୍ୟ ହଠାତ୍ ନୁହେଁ କି ?

 

ସୁଖେନ୍ଦୁ କିଛି ଜବାବ୍ ନ ଦେଇ ନିଜ ଭିତରର ଦୁର୍ବଳତାକୁ ହସରେ ଉଡ଼ାଇ ଦେବାପାଇଁ ହୋ ହୋ ହସି ଉଠିଲେ । ଇଭା ଏ ଭିତରେ ଚା’ ଏବଂ ଜଳଖିଆର ବରାଦ୍ ପାଇଁ ଭିତରକୁ ପ୍ରସ୍ଥାନ କରିଥିଲେ ।

 

ହସୁ ହସୁ ହଠାତ୍ ସୁଖେନ୍ଦୁଙ୍କର ମୁଖମୁଦ୍ରା କଠିନ ହୋଇଉଠିଲା । ସେ କମଳେଶଙ୍କୁ କଠୋର ଦୃଷ୍ଟିରେ ଚାହିଁରହି ପ୍ରଶ୍ନ କଲେ– ହଠାତ୍ କିଛି ନ ଜଣାଇ ପହଞ୍ଚିଗଲୁ ଯେ... କ’ଣ ଗୁଇନ୍ଦାଗିରି ? ବୋଉକୁ ଏକା ଛାଡ଼ି ଦୁହେଁ ଚାଲିଆସିବାଟାକୁ ମୁଁ କୌଣସି ପ୍ରକାର ଅନୁମୋଦନ କରେ ନାହିଁ । ବୋଉର ଯାହା ଅବସ୍ଥା ତାକୁ ଛାଡ଼ି ଆସିଲ କେମିତି ?

 

ଏଥର ହସିବାର ପାଳି କମଳେଶଙ୍କର । ଅବଜ୍ଞାର ହସ ହସି ସେ କହିଲେ– ଏବେ ମଧ୍ୟ ମୁଁ ଆଶା କରୁ ଯେ, ତୋର ଅନୁମୋଦନକୁ ସବୁ କିଛି ଅପେକ୍ଷା କରିଛି ?

 

ବାହାରେ ଇଭାଙ୍କର ପଦଶବ୍ଦର ସଙ୍କେତ । ସୁଖେନ୍ଦୁ ନିଜକୁ ସଞ୍ଜତ କରିନେଲେ । କମଳେଶ ନିମ୍ନ କଣ୍ଠରେ କହିଲେ– ଭୟ କରନାହିଁ ସୁଖେନ ! ଇଭା ଏବେ ବି ତୋର ବିଶ୍ୱାସଘାତକତାର ସୂଚନା ପାଇନାହାନ୍ତି । ଭାଉଜଙ୍କୁ ମୋ ସହ ଦେଖି ଏକ ଅନୁଚିତ ସମ୍ପର୍କର ପ୍ରତିଷ୍ଠା ଆପେ ଆପେ ସେ କରିଥିଲେ ମଧ୍ୟ ତାହା ତୋର ଦାମ୍ପତ୍ୟ ସୁଖ ପାଇଁ ମଙ୍ଗଳକର ହେବ । ଭାଉଜଙ୍କର ମଧ୍ୟ ତାହା ହିଁ ଇଚ୍ଛା । ଏଠାରୁ ଯିବା ପର୍ଯ୍ୟନ୍ତ ଆମର ପରିଚୟ ତାହା ହିଁ ରହିବ । ତୋର ଏଥିରେ କିଛି ଆପତ୍ତି ନାହିଁ ତ ?

 

ସୁଖେନ୍ଦୁଙ୍କର କ୍ଷଣିକ ପୂର୍ବର ସମସ୍ତ ଦର୍ପ ଚୂର୍ଣ୍ଣ ହୋଇଗଲା ଯେମିତି । କାନ୍ଦୁରା, ଅବୁଝା ପିଲାଟିର ମୁହ ଭଳି ତାଙ୍କର ମୁହଁଟା କରୁଣ ଅସହାୟ ହୋଇଉଠିଲା । ଆଉ କ୍ଷଣକରେ ବର୍ଷିଯିବେ ସତେ କି !

 

ହଠାତ୍ ସୁଖେନ୍ଦୁଙ୍କର ଅସହାୟବୋଧ ସଂକ୍ରାମକ ରୋଗ ଭଳି ଦ୍ରାକ୍ଷାର ପ୍ରାଣକୁ କରୁଣତାରେ ବିଦୀର୍ଣ୍ଣ କରିଦେଲା । ତାର କାଚର ଆଖି ଦୁଇଟା ସଂପୂର୍ଣ୍ଣ ଭିଜିଗଲା ଅବାଧ ଜଳାଧାରରେ । ନିଜକୁ ସେ ଆଉ ରୋକି ପାରିଲା ନାହିଁ ।

 

କିନ୍ତୁ ନାଁ ସୁଖେନ୍ଦୁଙ୍କ ଭଳି ଜଣେ ହୃଦୟହୀନ ପୁରୁଷ ସାମ୍ନାରେ ସେ ନିଜର ଅସହାୟତା ପ୍ରକାଶ କରିବ ନାହିଁ । ସୁଖେନ୍ଦୁଙ୍କ ପାଖରେ ନିଜ ଅଶ୍ରୁତର୍ପଣରେ ଆଜି ତାର ଭାଗ୍ୟ ପରିବର୍ତ୍ତନ ହେବ ନାହିଁ ।

 

ଦ୍ରାକ୍ଷା ପଦଟିଏ ବି ନ କହ ଅବଜ୍ଞାର ଏକ ଘୃଣିତ କଟାକ୍ଷ ସୁଖେନ୍ଦୁଙ୍କୁ ଫିଙ୍ଗି ଦେଇ କକ୍ଷତ୍ୟାଗ କଲେ । ପଥର ବୁକୁରେ ମୁଣ୍ଡ କୋଡ଼ିଲେ ମୁଣ୍ଡରେ ଆଘାତ ଲାଗିବ ସିନା ପଥରର କିଛି ହେବନାହିଁ ।

 

ସେଦିନ ରାତିରେ ଇଭାଙ୍କର ଶୟନକକ୍ଷରେ ଦ୍ରାକ୍ଷାଙ୍କ ଶୋଇବାର ବ୍ୟବସ୍ଥା ହେଲା । କମଳେଶ ଓ ସୁଖେନ୍ଦୁଙ୍କର ସୁଖେନ୍ଦୁଙ୍କ ଷ୍ଟଡ଼ିରୁମ୍‌ରେ ଶଯ୍ୟା ପ୍ରସ୍ତୁତ ହେଲା । ଇଭା ଦ୍ରକ୍ଷାଙ୍କଠାରୁ କ୍ଷମା ମାଗି ନେଇ କହିଲେ ଗେଷ୍ଟରୁମ୍‌ରେ ହିଁ ଦ୍ରାକ୍ଷା ଓ କମଳେଶଙ୍କର ଏକ ଶୟନ ବ୍ୟବସ୍ଥା ସେ ପରଦିନ କରିଦେବେ । ଅନେକଦିନ ଧରି ଗେଷ୍ଟରୁମ୍‌ଟା ଅବ୍ୟବହୃତ ହୋଇପଡ଼ିଛି । ଦ୍ରାକ୍ଷା କିଛି କହିପାରିଲେ ନାହିଁ । ଏ କ୍ଷେତ୍ରରେ ସେ ଏକବାର ଅସହାୟ ।

 

ସେଦିନ ରାତିରେ କମଳେଶ ଓ ସୁଖେନ୍ଦୁଙ୍କର ଶଯ୍ୟା ଅବ୍ୟବହୃତ ରହିଗଲା । ଦୁଇ ବନ୍ଧୁଙ୍କର ରାତିସାରା ଉନିଦ୍ର ରହି ଅନେକ ବାକ୍ ବିତଣ୍ଡା ଯୁକ୍ତିତର୍କ । ମଣିଷ ଏମିତି, ନିଜର ପକ୍ଷ ନେଇ ଯୁକ୍ତି କଲାବେଳେ ସେ ଯେଉଁଟା ଠିକ୍ ପ୍ରମାଣିତ କରିବା ପାଇଁ ଏକାଧିକ ଯୁକ୍ତି ଦେଖାଇପାରେ ଅପର ପାଇଁ ସେଇ କଥାଟା ଭୁଲ ପ୍ରମାଣିତ କରିବା ପାଇଁ ତା’ ପାଟିରେ ବାଟୁଳି ବାଜେ ନାହିଁ ।

 

ଏମିତି ଯୁକ୍ତିତର୍କ ବାକ୍ ବିତଣ୍ଡାରେ ପଛକଥା ଫେରିଆସେ ନାହିଁ । ଦ୍ରାକ୍ଷାର ସୁଖଭରା ଦିନଗୁଡ଼ିକ ଆଉ ଥରେ ଫେରିଆସିବ ନାହିଁ । କ’ଣ ହେବ ଦ୍ରାକ୍ଷାଙ୍କର ଦୀର୍ଘ ଭବିଷ୍ୟତର ପାଥେୟ-? କମଳେଶଙ୍କର ବାରମ୍ବାର ଏଇ ଗୋଟିଏ ମାତ୍ର ପ୍ରଶ୍ନର ଉତ୍ତର ସୁଖେନ୍ଦୁଙ୍କର ନିଥର ନୀରବତା ବ୍ୟତୀତ ଅନ୍ୟ କ’ଣ ବା ହୋଇପାରେ ? ଅପରାଧବୋଧରେ ସୁଖେନ୍ଦୁ ଅସ୍ଥିର ହେଉଛନ୍ତି । କମଳେଶଙ୍କର ସେଇ ଗୋଟିଏ ସ୍ୱର– ଏକମାତ୍ର ଚିନ୍ତା କ’ଣ ହେବ ଦ୍ରାକ୍ଷାର ?

 

ଆଉ ଦ୍ରାକ୍ଷା ! ସେ ଯେମିତି ଏକ ମହମର ମୂର୍ତ୍ତି । ନିର୍ବାକ–ନିଥର–ନିର୍ବିକାର । ସେ କିଛି ଭାବିପାରୁନାହିଁ । ଚିନ୍ତା କରି ପାରୁନାହୁଁ । ତା ଜୀବନର ଏଇ ନାଟକୀୟ ପରିଣତି ଏକବାର ଅଭାବିତ । ସୁଖେନ୍ଦୁଙ୍କ ସହ ବିତିଯାଇଥିବା ମଧୁର ଦିନଗୁଡ଼ା କୌଣସି ନାଟକର କେତୋଟି ରୋମାଞ୍ଚକର ମିଳନାନ୍ତକ ଦୃଶ୍ୟ ଭଳି ତାର ମନେ ହେଉଛି । ସେ ସବୁ ଦିନେ ସତ୍ୟ ଥିଲା ବୋଲି ଆଜି ପ୍ରତ୍ୟୟ ହେଉନାହିଁ । ଇଭା ଶୋଇଛନ୍ତି । ପତଳା ନାଇଟ୍ ଗାଉନ୍ ତଳେ ଇଭାଙ୍କ ଦେହର ସମସ୍ତ ଅଙ୍ଗସୌଷ୍ଠବ ପ୍ରକାଶ ପାଉଛ । ତାଙ୍କର ଈଷତ୍ ପୃଥୁଳ ନିତମ୍ବଦେଶକୁ ବିକଳ ଆଖିରେ ଚାହିଁ ଚାହିଁ ଦ୍ରାକ୍ଷା ଦୀର୍ଘଶ୍ଵାସରେ ଭାରାକ୍ରାନ୍ତ କରୁଛି ବାୟୁମଣ୍ଡଳକୁ । ସୁଖେନ୍ଦୁଙ୍କର ସନ୍ତାନ ଇଭାଙ୍କ ଜଠରରେ ତା’ର ସ୍ଥିତି ଘୋଷଣା କରୁଛି । ସୁଖେନ୍ଦୁଙ୍କ ଜୀବନରେ ଦ୍ରାକ୍ଷାଙ୍କ ଅଧ୍ୟାୟର ପୂର୍ଣ୍ଣଚ୍ଛେଦ ଟଣାହୋଇଛି ।

 

ଆଜି ସେଥିପାଇଁ ଭାବି ହୋଇ ଲାଭ ନାହିଁ । ସୁଖେନ୍ଦୁଙ୍କର ସୁଖର ସଂସାରରୁ ସେ ନିଃଶବ୍ଦରେ ଅପସରି ଯିବ । ସୁଖେନ୍ଦଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି କିଛି ଲାଭ ହେବ ନାହିଁ । ପୁରୁଷର ଖିଆଲ ବିରୁଦ୍ଧରେ ନାରୀର ଯୁଦ୍ଧ ଘୋଷଣା ଅର୍ଥହୀନ ।

 

ତା’ପରଦିନ ସନ୍ଧ୍ୟାରେ ଇଭାଙ୍କ ଅନୁରୋଧରେ ବନ୍ଧୁ ଓ ବନ୍ଧୁ-ପତ୍ନୀଙ୍କ ଆଗମନାର୍ଥେ ସୁଖେନ୍ଦୁଙ୍କ ଘରେ ବନ୍ଧୁ ମିଳନର ଆୟୋଜନ ।

 

ଇଭାଙ୍କର ଉତ୍ସାହ ବାଧା ମାନୁନାହିଁ । ଦ୍ରାକ୍ଷା ଭଳି ଏଡ଼େ ସୁନ୍ଦରୀ ଭାରତୀୟ ବାନ୍ଧବୀଟିକୁ ଅନ୍ୟ ବନ୍ଧୁମାନଙ୍କ ପାଖରେ ପରିଚିତ କରାଇବାରେ ତାଙ୍କର ଅଶେଷ ଆନନ୍ଦ ।

 

ଜଣ ଜଣ କରି ସମସ୍ତଙ୍କ ସହ ପରିଚୟ କରାଇ ଦେଉଛନ୍ତି ଇଭା– ଏ ହେଲେ ବନ୍ଧୁ କମଳେଶ ଓ ମିସେସ୍ କମଳେଶ ।

 

ଦ୍ରାକ୍ଷା ଯେମିତି ଚାବିଦିଆ ଏକ ସୁନ୍ଦର ଜାପାନୀ କଣ୍ଢେଇ । ସେମିତି ସେ ନମସ୍କାର କରୁଛି– ମନରଖା ହସ ହସୁଛି । ବନାରସୀ ଶାଢ଼ୀ ଓ ସାମାନ୍ୟ ପ୍ରସାଧନରେ ସେ ଜଳୁଛି । ସମସ୍ତଙ୍କର ମୁଗ୍‌ଧ ଦୃଷ୍ଟି ଦ୍ରାକ୍ଷା ଉପରେ । ଦ୍ରାକ୍ଷାଙ୍କର ବାହାରର ଉଜ୍ଜ୍ୱଳତାରେ ସମସ୍ତେ ମୁଗ୍‌ଧ । ଭିତରର ବିଷର୍ଣ୍ଣତା କେହି ଦେଖିପାରୁନାହାନ୍ତି । ବାହାରର ଚାକଚକ୍ୟ ସମସ୍ତଙ୍କୁ ଆନନ୍ଦ ଦେଉଛି I ଭିତରର କାରୁଣ୍ୟ କେବଳ ଦ୍ରାକ୍ଷାର । ସେଥିରେ କେହି ଅଂଶୀଦାର ହେବାକୁ ନାହାନ୍ତି କେବଳ କମଳେଶ ଛଡ଼ା । ସେ ଭିତରେ ଭିତରେ ଜଳୁଛନ୍ତି । ଅଥଚ ଓଠରେ ହସ । ସେ ମଧ୍ୟ ସୁନ୍ଦର ଅଭିନୟ କରିପାରନ୍ତି । ଦ୍ରାକ୍ଷା ଭାବୁଥିଲା, ଏ ସଂସାରରେ ସମସ୍ତେ ଜଣେ ଜଣେ ପେଶାଦାର ଅଭିନେତା । ଅଭିନୟ ହିଁ ଜୀବନର ପାଥେୟ । ଅଭିନୟକୁ ଛାଡ଼ି ବଞ୍ଚି ହୁଏ ନାହିଁ ।

 

ଦ୍ରାକ୍ଷାକୁ ଘେରି ଅନେକ ମଧୁଗୁଞ୍ଜନ । ସୁଖେନ୍ଦୁ ହସୁଛନ୍ତି । ସେ ହସ କାନ୍ଦଠାରୁ ଆହୁରି କରୁଣ ବିକୃତ । କମଳେଶ ମନେ ମନେ ଆମୋଦିତ ହେଉଛନ୍ତି । ସୁଖେନ୍ଦୁର ଏ କି ବିପର୍ଯ୍ୟୟ ହୋଇଗଲା ସତେ !

 

ରକ–ଏନ୍ ରୋଲ୍‌ର ତାଳେ ତାଳେ ନାଚୁଛନ୍ତି ଯୋଡ଼ି ଯୋଡ଼ି ସ୍ତ୍ରୀ ପୁରୁଷ । ଇଭା ସୁଖେନ୍ଦୁଙ୍କର କଟିବେଷ୍ଟନ କରି ସୁନ୍ଦର ଷ୍ଟେପିଂ ନେଇ ନାଚିବାକୁ ଆରମ୍ଭ କଲେଣି । ଆଖିର ଇଙ୍ଗିତରେ କମଳେଶଙ୍କୁ ଦ୍ରାକ୍ଷାଙ୍କ ସହ ନାଚିବାକୁ କହୁଛନ୍ତି । କମଳେଶ ହାତ ବଢ଼ାଇ ଦ୍ରାକ୍ଷାକୁ ନାଚିବାକୁ ଆମନ୍ତ୍ରଣ ଜଣାଉଛନ୍ତି । ହଁ, ଏଠାରେ ନାଚିବାକୁ ହିଁ ହେବ । କିନ୍ତୁ ଦ୍ରାକ୍ଷା ଯେମିତି କାଠଫ୍ରେମ୍‌ର ବନ୍ଧେଇ ଏକ ତୈଳଚିତ୍ର– ଅଥବା ଏକ ସୁନ୍ଦର ଭାରତୀୟ ଭାସ୍କର୍ଯ୍ୟର ପାଷାଣ ପ୍ରତିମା-। ତା’ଠାରେ କୌଣସି ସ୍ପନ୍ଦନ ନାହିଁ । ଜୀବନ ନାହିଁ । ସେ ନିଜ ଉପରେ ନିଜକୁ ଖୋଜି ପାଉନାହିଁ । କାହିଁ ଦ୍ରାକ୍ଷା କ’ଣ ତାର ପରିଚୟ !

 

କମଳେଶ ବିଷମ ସଂକଟରେ ପଡ଼ିଯାଇଛନ୍ତି । ଇଭା ଦ୍ରାକ୍ଷା ପାଖକୁ ଘୂରି ଆସୁ ଆସୁ ଗ୍ରୀବା ବଙ୍କେଇ କହିଲେ ୟୁ ଇଣ୍ଡିଆନ୍ ଗାର୍ଲସ ଆର ସୋ ସାଏ ....ଅଫ୍‌ଟର ଅଲ୍ ଇଟ୍ ଇନ୍ ଇଣ୍ଡିସେଣ୍ଟ ଟୁ ରିଫିଉଜ୍ ୟୋର ହଜବ୍ୟାଣ୍ଡ, ମିସେସ୍ କମଳେଶ.... ।

 

ଦ୍ରାକ୍ଷାର ଧବଳ– ଶଙ୍ଖର ହାତ ଯନ୍ତ୍ରଚାଳିତ ଭଳି ଲମ୍ବି ଆସିଲା କମଳେଶ ପାଖକୁ । କମଳେଶ ଚଟ୍ କର ତାର ହାତଟାକୁ ଧରିନେଇ ପରମ ଆଦରରେ ଦ୍ରାକ୍ଷାର କଟିବେଷ୍ଟନ କରି ନାଚିବାର ଷ୍ଟେପିଂ ନେଲେ । ଇଭାଫିସ୍, ଫିସ୍ କରି କହିଲେ, ଏ ଫାଇନ୍ କମ୍ବି ନେସନ....ଆନ୍ ଆଇଡ଼ିଆଲ୍ ମ୍ୟାଚ ।

 

କମଳେଶଙ୍କର ସମସ୍ତ ଅବୟବରେ ଏକ ମଧୁର କମ୍ପନ । ଦ୍ରାକ୍ଷାର ଶୀତଳ ନିଷ୍କମ୍ପ ଶରୀରଟାର ସ୍ପର୍ଶ ମାତ୍ରକେ ତାଙ୍କ ମନର ସମସ୍ତ ଜଡ଼ତା ନିମିଷକେ ନିଶ୍ଚିହ୍ନ ହୋଇଗଲ । ସେ ଦ୍ରାକ୍ଷାକୁ ନିବିଡ଼ ଆଶ୍ଳେଷରେ ଭିଡ଼ି ନେଉ ନେଉ ଅନୁଚ୍ଚ ଅଧୀର ସ୍ୱରରେ କହିଲେ– ଲେଟ୍ ଅସ୍ ଫରଗେଟ୍ ଦି ପାଷ୍ଟ୍ ଆଣ୍ଡ୍ ବିଗିନ୍ ଏ ନିଉ ଲାଇଫ...

 

ଦ୍ରାକ୍ଷାର କାଚର ଆଖି ଦୁଇଟାରୁ ଠପ୍ ଠପ୍ ଦୁଇଧାର ଲୁହ ଝରି ଆସିଲା । ସେ ନିଜର ପ୍ରବଳ କୋହଚ୍ଛ୍ୱାସକୁ ଘେନ ନେବା ପାଇଁ ମାତାଲଙ୍କ ଭଲ ନାଚିବାକୁ ଲାଗିଲା ।

 

ରାତିରେ ଗେଷ୍ଟରୁମ୍‌ରେ ଇଭା, କମଳେଶ ଓ ବନ୍ଧୁ ପତ୍ନୀଙ୍କର ଶୟନ ବ୍ୟବସ୍ଥା କରିଥିଲେ । ଦ୍ରାକ୍ଷା କ୍ଳାନ୍ତ ଅବସନ୍ନ ଭଙ୍ଗୀରେ ଶୟନ କକ୍ଷରେ ପଦାର୍ପଣ କରି ନିଜକୁ ଅତ୍ୟନ୍ତ ଅସହାୟ ମନେକଲେ । ଅବସନ୍ନ ମନରେ ସେ ପାଖ ଚେୟାରରେ ବସିପଡ଼ିଲେ । କମଳେଶ ରୁମ୍‌ରେ ପଶି ଦ୍ୱାର ବନ୍ଦ କଲେ । ଦଣ୍ଡେ ଠିଆହୋଇ କ’ଣ ଭାବିଲେ । ତାପରେ ଶଯ୍ୟା ଧାରରେ ବସିରହି ଦ୍ରାକ୍ଷାକୁ ଅପଲକ ଆଖିରେ ଚାହିଁ ରହିଲେ । ସେ ଯେମିତି ବିଷମ ସଙ୍କଟରେ ପଡ଼ିଯାଇଛନ୍ତି ।

 

ଦ୍ରାକ୍ଷାର କରୁଣ ବିମର୍ଷ ମୂର୍ତ୍ତିଟି ତାଙ୍କ ଆଖିକୁ ଅପୂର୍ବ ମନେହେଲା । ଦ୍ରାକ୍ଷା ପ୍ରତି ତାଙ୍କ ମନର ଊଷର ଭୂଇଁରେ ହଠାତ୍‌ ପ୍ରେମର ପ୍ରବଳ ବନ୍ୟା ଆସିଗଲା । ଏତେଦିନ ଧରି ଦ୍ରାକ୍ଷାଙ୍କୁ ବନ୍ଧୁପତ୍ନୀ ଭାବରେ ଦେଖି ଆସିବାବେଳେ କ୍ଷଣିକ ପାଇଁ ଦ୍ରାକ୍ଷାଙ୍କୁ ନେଇ କୌଣସି ଅନୁଚିତ ଇଚ୍ଛା ତାଙ୍କ ମନକୁ ଛୁଇଁ ନ ଥିଲା । ଆଜି ଦ୍ରାକ୍ଷାର ଏଇ ଅସହାୟ କରୁଣ ମୁଖମୁଦ୍ରା । ତାଙ୍କ ଭିତରର ଦାମ୍ଭିକ ପୁରୁଷତ୍ୱକୁ ଏକ ସ୍ଵର୍ଗୀୟ ପ୍ରେମସ୍ରୋତରେ ଭସାଇଦେଲା । ନାରୀର ଅସହାୟତା ପୁରୁଷର କେଡ଼େ କାମ୍ୟ ସତେ ! ସେଇ ଅସହାୟତାର ଲାଭ ଉଠାଇବାର ନାମ ଯେମିତି ପ୍ରେମିକପଣିଆ ସ୍ଵାମୀତ୍ୱ ପୁରୁଷତ୍ୱ ।

 

ସତେ ତ! କ’ଣ ହେବ ଏଇ ନାରୀଟିର ପରିଣତି ! ଏଇ ମାତ୍ର ଜୀବନ ଯୌବନର ଆରମ୍ଭ । ଅନେକ ଦୀର୍ଘପଥ ଅତିକ୍ରମ କରିବାକୁଅଛି । କାହାକୁ ଆଶ୍ରୟ କରି ଏଇ ରୂପସୀ ନାରୀଟିର ଜୀବନତରୀ ସମୟର ଦୁର୍ବାର ସ୍ରୋତରେ ଭାସିଯିବ?

 

କମଳେଶ ହଠାତ୍ ଏଇ ନାରୀଟିର ସମସ୍ତ ବିପର୍ଯ୍ୟୟ ପାଇଁ ନିଜକୁ ଦୋଷୀ ସାବ୍ୟସ୍ତ କରିବସିଲେ । ବାସ୍ତବରେ ଦ୍ରାକ୍ଷାଙ୍କୁ ତାଙ୍କର ହିଁ ବିବାହ କରିବାର ପ୍ରସ୍ତାବ ଥିଲା । ତାଙ୍କର ଇଚ୍ଛା ନ ଥିଲେ ସେ ମନା କରିଦେଇ ପାରିଥାନ୍ତେ । ଦ୍ରାକ୍ଷା ଅନ୍ୟ ଯେକୌଣସି ସୁପୁରୁଷର ଜୀବନକୁ ଧନ୍ୟ କରି ସୁଖୀ ହୋଇଥାନ୍ତା । ସେ ଯଦି ସୁଖେନ୍ଦୁ ପାଇଁ ମଧ୍ୟସ୍ଥତା ନ କରିଥାନ୍ତେ ତେବେ ଦ୍ରାକ୍ଷା ଆଜି ଏମିତି ଅସହାୟହେଇ ପଡ଼ି ନଥାନ୍ତା ।

 

ଦ୍ରାକ୍ଷା ପାଇଁ କମଳେଶଙ୍କ ପ୍ରାଣ ବେଦନାରେ ଦ୍ରବୀଭୂତ ହେଇଗଲା । ସେ ଦ୍ରାକ୍ଷୀଙ୍କୁ ପ୍ରେମପୂର୍ଣ୍ଣ ଚାହାଣୀ ଢ଼ାଳି ମନେମନେ ଭାବିଲେ, ସେ ନୀଳକଣ୍ଠ ଭଳି ଏଇ ନାରୀଟିର ଜୀବନର ସମସ୍ତ ନୈରାଶ୍ୟର ବିଷକୁ ପାନକରି ତାକୁ ଅମୃତର ସ୍ଵାଦ ଚଖାଇବେ । ତାହା ହିଁ ତାଙ୍କର କରଣୀୟ ହେବ । ସେ ନାରୀଟି ଦିନେ ଅନ୍ୟର ପତ୍ନୀ ଥିଲେ ମଧ୍ୟ ସେ ବରଣୀୟା ।

 

ଦ୍ରାକ୍ଷା କମଳେଶଙ୍କର ବିମୁଗ୍‌ଧ ଚାହାଣୀକୁ ଅବଜ୍ଞା କରି ଧଡ୍ କରି ତକିଆଟାଏ ଡବଲ ଖଟରୁ ଟାଣି ଆଣି ତଳେ ପକାଇଦେଲା । ଚଦରଟା ଟାଣିଆଣି ତଳେ ପକାଇଦେଇ ସେଥିରେ କ୍ଳାନ୍ତ ଭଙ୍ଗୀରେ ଶରୀର ଲୋଟାଇ ଦେଇ ଆଖି ବୁଜିଲା । କମଳେଶଙ୍କ ଆଖିର ନୂତନ ଭାଷା ତାର ମନକୁ କଣ୍ଟକିତ କରିଦେଲା ।

 

କମଳେଶ ତଥାପି ସେମିତି ବସିରହିଲେ କୌଣସି ଏକ ଗୁରୁତ୍ୱପୁର୍ଣ୍ଣ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବା ଭଳି । ସେ କିଛି ସ୍ଥିର କରିପାରୁ ନାହାନ୍ତି ।

 

ତାଙ୍କ ଆଖି ଆଗରେ ଦ୍ରାକ୍ଷାର ତରଙ୍ଗାୟିତ ତନୁଲତା । ସେଇ ନଦୀ ଉପତ୍ୟକାଭରା ସୁନ୍ଦରୀ ନାରୀ ଦେହଟିକୁ ଚାହିଁଥିବା ବେଳେ କମଳେଶଙ୍କ ମନର ଆଦିମ ଅରଣ୍ୟରୁ ଏକ ରକ୍ତପିପାସୁ ହିଂସ୍ର ବ୍ୟାଘ୍ର ହେଣ୍ଟାଳ ଛାଡ଼ି ଉଠିଆସିଲା । କମଳେଶଙ୍କର ବିବେକର ହଣ୍ଟର ମାଡ଼କୁ ଭୃକ୍ଷେପ ନ କରି ସେ ଜିଭ ଚାଟିଲା– ନଖ ପଜେଇଲା । ରକ୍ତପିପାସାରେ ମତ୍ତ ହେଲା । ମଣିଷ ଭିତରର ଜାନୁଆରଟା ମତ୍ତ ହେଲେ ତାକୁ ରୋକିବ କିଏ ?

 

କମଳେଶ ନିଜ ମନର ସେଇ ଆଦିମ ବ୍ୟାଘ୍ରର ତାଡ଼ନରେ ଉଠିଆସି ଦ୍ରାକ୍ଷାର ଶଯ୍ୟାଧାରରେ ଠିଆହେଲେ । ଦ୍ରାକ୍ଷା କଡ଼ ବୁଲେଇ ଆଖିବୁଜି ଶୋଇଛି ‌। ତାର ଉର୍ମିଳା ତନୁ ବଲ୍ଲରୀ ଆଶ୍ରୟହୀନ ଛିନ୍ନ ଲତାଟି ଭଳି ଥରୁଛି– କମ୍ପି ଉଠୁଛି ବେଳୁବେଳ । ଦ୍ରାକ୍ଷା ଓଠ ଚିପି ଚିପି ନିଦ୍ଦେଶରେ କାନ୍ଦୁଛୁ । କ୍ରନ୍ଦନରତା ନାରୀ ପୁରୁଷମନର ବ୍ୟାଘ୍ରକୁ ଅଧିକ ମତ୍ତ କରିଦିଏ । କମଳେଶଙ୍କର ତାହାହିଁ ହେଲା । ସେ ଧୀରେ ଧୀରେ ଦ୍ରାକ୍ଷାର ପାଖରେ ବସିପଡ଼ିଲେ । ତାଙ୍କର ଉତ୍ତପ୍ତ ହାତ‌ ଦ୍ରାକ୍ଷା ପିଠିରେ ରଖିଲେ । ଦ୍ରାକ୍ଷା କିଛି କହିଲା ନାହିଁ । କିନ୍ତୁ ତାର ନବନୀତ ଶରୀରଟି କ୍ରନ୍ଦନର ଉଚ୍ଛ୍ୱାସରେ ଅଧିକ ବେଗରେ କମ୍ପ ଉଠିଲା । ଦ୍ରାକ୍ଷାର ନୀରବତା, କ୍ରନ୍ଦନର ବେଗ, ଅସହାୟତା କମଳେଶଙ୍କର ପୁରୁଷ ମନକୁ ଅଧିକ ଉତ୍ସାହିତ କରିଦେଲା । ତାଙ୍କର ମନେହେଲା, ଦ୍ରାକ୍ଷା ଯେମିତି ତାଙ୍କର ଆମନ୍ତ୍ରଣକୁ ଅନୁମୋଦନ କରୁଛି । ସେ ଗୋଟାଏ ଆବେଗରେ ଦ୍ରାକ୍ଷାର ଅଶ୍ରୁସିକ୍ତ ମୁହଁଟିକୁ ଦୁଇହାତରେ ଟେକି ଧରି ଅତ୍ୟନ୍ତ ମଧୁର ଅନୁଚ୍ଚ ଗଳାରେ କହିଲେ– ତମକୁ ମୁଁ ସୁଖୀ କରିବି । ସୁଖେନ୍ଦୁର ପତ୍ନୀ ହୋଇ ତମେ ଯେଉଁ ଦୁଃଖ ଭୋଗୁଛ ସେଥିପାଇଁ ମୁଁ ଦାୟୀ । ମୁଁ ସେଇ ଭୁଲଟାକୁ ନିଜେ ସୁଧାରିନେବି ।

 

ଦ୍ରାକ୍ଷାଙ୍କର କମ୍ପିତ ଶରୀରଟି ହଠାତ୍‌ ସ୍ଥିର କଠିନ ହୋଇଗଲା । ସେ କମଳେଶଙ୍କର ଦୃଢ଼ ହୋଇ ଉଠୁଥିବା ଉଷ୍ମ ଆଲିଙ୍ଗନକୁ ଶକ୍ତ ଆଘାତରେ ପ୍ରତ୍ୟାକ୍ଷାନ କରି ଚିତ୍କାର କଲା ଚାଲିଯାଅ ତମେ କମଳ ! ମୋ ମୁହଁ ସାମ୍ନାରୁ ଚାଲିଯାଅ । ତମେ ସୁଖେନ୍ଦୁ ସମସ୍ତେ ସମାନ । ନାରୀଦେହଟା ହିଁ ତମ ଆଖିରେ ସବୁ କିଛି । ଛିଃ–ଛିଃ । ମୋ ମନର ଅବସ୍ଥା ତମେ ତିଳେହେଲେ ବୁଝିନାହିଁ । ମନେ ହେଉଛି, ଏମିତି ସୁଯୋଗର ଅପେକ୍ଷାରେ ତମେ ଯେମିତି ଥିଲ ?

 

ଦ୍ରାକ୍ଷା ଦୁଇ ହାତରେ ମୁହଁ ଘୋଡ଼ାଇ ଅସହ୍ୟ ଲଜ୍ଜାବୋଧରେ ଭାଙ୍ଗି ପଡ଼ି ପୁଣି ଥରେ କାନ୍ଦି ଉଠିଲା ।

 

ମଦ୍ୟପାନ କରିଥିବା ବ୍ୟକ୍ତଟିକୁ ମଦ୍ୟପ କହିଦେଲେ ତାର ନିଶାଟା ଯେମିତି ହଠାତ୍‌ ଖସିଯାଏ ଏବଂ ମଦ୍ୟପ ନୁହେଁ ବୋଲି ସେ ଯେମିତି ନାନା ଯୁକ୍ତି କରି ବସେ, ଠିକ୍ ସେମିତି ଦ୍ରାକ୍ଷାର ଭର୍ତ୍ସନାରେ କମଳେଶଙ୍କ ମନର ହିଂସ୍ର ବ୍ୟାଘ୍ରଟା ପୋଷା ବିଲେଇଟି ଭଳି ଜାକିଜୁକି ହୋଇ ଘୁମେଇ ପଡ଼ିଲା । କମଳେଶଙ୍କ ମୁଣ୍ଡର ଉତ୍ତାପଟା ବରଫ ପାଲଟି ଗଲା । ସେ ନିଜର ଏ ଆକସ୍ମିକ ତ୍ରୁଟି କଥା ଭାବି ଲଜ୍ଜାରେ ମିୟମାଣ ହୋଇଗଲେ । କାନ୍ଦୁରା ପିଲାଟି ଭଳି ଅଝଟିଆ ସ୍ୱରରେ କହିଲେ– ଭାଉଜ–ମତେ କ୍ଷମା କର । ଜାଣେନା । ଆଜି ସେଇ ନାଚ ଏବଂ ଭୋଜି ଆସରରେ ମୁଁ କେତେ ପିଇ ଦେଇଥିଲି.....ବିଶ୍ୱାସ କର, ମତେ ବିଶ୍ୱାସ କର, ମୁଁ ଜାଣି ଜାଣି ତମକୁ ଅପମାନ କରି ନାହିଁ ।

 

ଥାଉ । ତମଠାରୁ କୌଣସି କୈଫିୟତ ମୁଁ ଚାହୁଁ ନାହିଁ । ନିଜ ଉପରେ ନିୟନ୍ତ୍ରଣ ନ ରଖିପାରିବା ଭଳି ପିଇବାଟା କିଛି ବାହାଦୂରୀ କଥା ନୁହେଁ । ଦ୍ରାକ୍ଷା କାନ୍ଦ ବନ୍ଦ କରି ଗମ୍ଭୀର କଣ୍ଠରେ କହିଲା ଏବଂ ପୁଣି କଡ଼ ବୁଲେଇ ଆଖି ବୁଜିଦେଲା । କମଳେଶ ଶାନ୍ତ ପିଲାଟି ଭଳି ନିଜ ଶଯ୍ୟାକୁ ଫେରିଆସି ଚିଟ୍ କରି ଶୋଇପଡ଼ିଲେ । ସତେ ବା କିଛି ଘଟି ନାହିଁ ।

ତା ପରଦିନ ଅନେକ ଡେରିରେ କମଳେଶଙ୍କର ନିଦ୍ରାଭଙ୍ଗ ହେଲା । ଦ୍ରାକ୍ଷା ସେତେବେଳକୁ ନିଜର ସମସ୍ତ ନିତ୍ୟକର୍ମ ଶେଷ କରି ବ୍ରେକ୍‌ଫାଷ୍ଟର ବ୍ୟବସ୍ଥା କରୁଥିଲା ଇଭାଙ୍କ ସହ । କମଳେଶ ଶୀଘ୍ର ନଜର ନିତ୍ୟକର୍ମ ଶେଷ କରିନେଲେ । ବ୍ରେକ୍‌ଫାଷ୍ଟ ଟେବଲ୍‌ରେ ଦ୍ରାକ୍ଷା ସତେଜ ଦିଶୁଥିଲା । ଗତରାତିର କୌଣସି ବିଷର୍ଣ୍ଣତାର ସ୍ପର୍ଶ ତା’ଠାରେ ନ ଥିଲା । ସେକଥା ଲକ୍ଷ୍ୟ କରି କମଳେଶ ମଧ୍ୟ ନିଜକୁ ସହଜ ମନେକଲେ ।

ବ୍ରେକ୍‌ଫାଷ୍ଟ ଶେଷ କରି କମଳେଶ ନିଜ ରୁମ୍‌କୁ ପଶିବା ମାତ୍ରେ ଦ୍ରାକ୍ଷା ତାଙ୍କୁ ଅନୁସରଣ କଲା ଏବଂ କହିଲା– କମଳ ! ଏଥର ଆମର ଫେରିବା ବ୍ୟବସ୍ଥା, କର । ଆଉ ଏଠାରେ ରହିବାର କୌଣସି ଆବଶ୍ୟକତା ନାହିଁ ।

–କିନ୍ତୁ ଭାଉଜ !

–କୁହ ?

ମୁଁ ଭାବୁଥିଲି ତମେ ଏଠାରେ କିଛିଦିନ ରହିଯିବା ପାଇଁ । ତମେ ଯଦି ଚାହିଁବ ତ ସବୁଦିନ ପାଇଁ । ଏ ଭିତରେ ତମର ରିସର୍ଚ୍ଚ କରିବା ପାଇଁ ବ୍ୟବସ୍ଥା କରିବାକୁ ମୁଁ ସୁଖେନ୍‌କୁ କହିଛି-। କମଳ ଛେପ ଢ଼ୋକି କହିଲେ ।

ଦ୍ରାକ୍ଷା ମଧୁର ଆମୋଦରେ ହସି ହସି କହିଲେ– କଥା କଣ ? ହଠାତ୍ ଏଠାରେ ଏମିତି ମନ ଲାଗିଗଲା କାହିଁକି ? ବନ୍ଧୁଙ୍କ ଭଳି କେଉଁ ବିଦେଶିନୀର ପାଲରେ ପଡ଼ିଗଲ ନାଁ କଣ ?

 

ନା । ମୋ କଥା ନୁହେଁ– ମୁଁ ତମରି କଥା ହିଁ କହୁଥିଲି । ମୁଁ ତ ଫେରିଯିବି । ଏ ଭିତରେ ମତେ ଅନେକ ବ୍ୟବସାୟଗତ କ୍ଷତିର ସମ୍ମୁଖୀନ ହେବାକୁ ହେବ । ଏଠାରେ ନିଜକୁ ଭୁଲିବା ପାଇଁ ଓ ଜୀବନକୁ ସରସ ସୁନ୍ଦର କରିବା ପାଇଁ ନାନା ଉପାଦାନ ଅଛି । ତମେ ଏଠାରେ କିଛିଦନ ରହଯିବା ପରେ ତମର ଏଇ ଦୃଷ୍ଟିକୋଣ ରହିବ ନାହିଁ । ଦୁଇ ଦିନର ଏଇ ଜୀବନକୁ ବୃଥା ଅହମିକାରେ, ଫାଙ୍କା ଆଦର୍ଶବାଦରେ, ହାହାକାରରେ ନଷ୍ଟ କରିଦେବା ଅନୁଚିତ ବୋଲି ବୁଝିପାରିବ ଏବଂ ଚାହିଁଲେ ତମେ ଜୀବନକୁ ସୁଖମୟ କରି ତୋଳିବ । ମୁଁ ତମକୁ ସୁଖୀ ହେବା ଦେଖିଲେ ମୋ ଭିତରର ଅପରାଧ ବୋଝ କମିଯିବ । ମୁଁ ବି ସୁଖୀ ହେବି । ତମ ଜୀବନର ଏଭଳି ବିପର୍ଯ୍ୟୟ ପାଇଁ ଏକମାତ୍ର ମୁଁ ଦାୟୀ । କଥା ଶେଷକରି କମଳେଶ ମୁଣ୍ଡ ଝୁଙ୍କାଇ ବସି ରହିଲେ ।

 

ଦ୍ରାକ୍ଷା ହସିଲା । କହିଲା– କମଳ ! ଜୀବନକୁ ଭୁଲିବାକୁ, ଜୀବନକୁ ବୁଝିବାକୁ ଆମ ଦେଶରେ କ’ଣ ବା ନାହିଁ ? ଆମ ଦେଶର ନିରୋଳା ନଈକୂଳ,ବଣ, ପାହାଡ଼, ମନ୍ଦିରର ଶଙ୍ଖ–ଘଣ୍ଟା ଏବଂ ମନ୍ଦିର ବେଢ଼ାର ଚମ୍ପା, କନିଅରର ସୁଗନ୍ଧରେ ମଣିଷ କ’ଣ ବା ଭୁଲି ନ ପାରେ ? ସେଇଠି ଘଡ଼ିଏ ବସିଗଲେ କି ଶାନ୍ତି ବା ନ ମିଳେ ? ସେଇ କଳା କଳା ଚକାଡୋଳା ଦୁଇଟାକୁ ଚାହିଁଦେଲେ ଜୀବନର ଅର୍ଥ କିଏ ବା ନ ବୁଝେ । ଯିଏ ଆମ ଦେଶର ସେଇ ଗ‍ଭୀର ପ୍ରଶାନ୍ତ ଭିତରେ ସୁଖ ପାଏ ନାହିଁ, ସେ ଏ ପୃଥିବୀର କେଉଁ କୋଣରେ ବି ସୁଖୀ ହୁଏ ନାହିଁ । ତମ ବନ୍ଧୁଙ୍କ ଭଳି ଆମ ଦେଶର ଅନେକ ଶିକ୍ଷିତ ବ୍ୟକ୍ତି ସୁଖ ଆଶାରେ ପାଗଳ ହୋଇ ଦେଶ ଛାଡ଼ୁଛନ୍ତି । ସେମାନେ ନିଜକୁ ଥରେ ଏକାନ୍ତରେ ପ୍ରଶ୍ନ କଲେ ବୁଝି ପାରୁଥିବେ, ସେମାନେ ବାସ୍ତବରେ କି ସୁଖ ଲାଭ କରିଛନ୍ତି । ତମକୁ ବି ସେଇ ପାଗଳାମୀ ଗ୍ରାସ କଲାଣି ଦେଖୁଛି ।

 

କମଳେଶ ଗମ୍ଭୀର ମୁଖରେ ବସି ରହି ପ୍ରଶ୍ନ କଲେ ତମ ପାଇଁ ମୋର ଚିନ୍ତାର ଅନ୍ତ ନାହିଁ ଭାଉଜ ! ସୁଖେନ୍ଦୁଙ୍କୁ ଫେରାଇ ନେବାର ଏକମାତ୍ର ବ୍ୟକ୍ତି ତମେ । ମାଉସୀ ତାହାହିଁ କହିଥିଲେ । ତମେ ଫେରିଗଲେ ତାକୁ ଫେରାଇ ନେବ କିଏ ?

 

ଦ୍ରାକ୍ଷା କହିଲେ ସୁଖେନ୍ଦଙ୍କୁ ଇଭାଙ୍କଠାରୁ ଛଡ଼ାଇ ନେଇ ମୁଁ ଆଉ ଥରେ ତାଙ୍କ ସହ ପତିପତ୍ନୀର ସଂସାର କରିବାକୁ ଚାହେଁ ନାହିଁ । ତା’ ଦ୍ଵାରା ଆମେ କେହି ସୁଖୀ ହେବୁ ନାହିଁ । ତା’ ଛଡ଼ା ଇଭା ସୁଖେନ୍ଦୁଙ୍କୁ ସୁଖୀ କରିଛନ୍ତି । ସେ ଏଇ ପୃଥିବୀର ମଣିଷ-ନାରୀ । ନାରୀ ପୁରୁଷର ମିଳନରେ ଏ ସୃଷ୍ଟି ସୁନ୍ଦର । ଇଭା ବିଦେଶିନୀ ବୋଲି ତାଙ୍କ ଦେହରେ ଦୋଷ ଲାଗିଯାଇ ନାହିଁ । ସେ ଯଦି ସୁଖେନ୍ଦୁଙ୍କୁ ସୁଖ ଦେଇପାରିଛନ୍ତି– ସେ ସୁଖ ବନ୍ଧନକୁ ଛିନ୍ନ କରିଦେବା ମୋ ଦ୍ୱାରା ସମ୍ଭବ ହେବ ନାହିଁ । ତା’ଛଡ଼ା ମୁଁ ଏଠାରେ କେମିତି ବା ରହିପାରେ । ବୋଉଙ୍କର ଅବସ୍ଥା । ଆଖିରେ ଦେଖି ଆସିଛି । ତାଙ୍କର ବା ଆଉ କେତେ ଦିନ । ସୁଖେନ୍ଦୁଙ୍କର ହାତଧରି ମୁଁ ତାଙ୍କର ବୋହୂ ହୋଇଥିଲି । ଆଜି ସୁଖେନ୍ଦୁ ମତେ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ମୁଁ ତାଙ୍କୁ ଏ ଅସହାୟ ଅବସ୍ଥାରେ ପ୍ରତ୍ୟାଖ୍ୟାନ କରିପାରିବ ନାହିଁ । କେବଳ ତାଙ୍କର ପାଇଁ ମତେ ଖୁବ୍ ଶୀଘ୍ର ଫେରିଯିବାକୁ ହେବ । ସୁଖେନ୍ଦୁ ତାଙ୍କୁ ଯେଉଁ ଦୁଃଖ ଦେଇଛନ୍ତି ତା’ର କ୍ଷତିପୂରଣ ତାଙ୍କ ପାଖରେ ବିଭିନ୍ନ ଭାବରେ ଦେବାପାଇଁ ମୁଁ ପ୍ରସ୍ତୁତ-

 

କମଳେଶ କହିଲେ ତାହାହିଁ ହେବ ଭାଉଜ ! ଯାହା ତମର ଇଚ୍ଛା ମୁଁ ସେଥିରେ ବାଧା ଦେବି ନାହିଁ । ତଥାପି ମତେ ଶେଷଥର ପାଇଁ ସୁଖେନ୍ଦୁକୁ‌ କେତେ କଥା ପଚାରିବାକୁ ହେବ । ଏ ତ ପିଲାଖେଳ ନୁହେଁ । ତମକୁ ସେ କ’ଣ ବୋଲି ଭାବିଛି କି ?

 

ସେଦିନ ସଂଧ୍ୟାରେ ଇଭା କୌଣସି ବାନ୍ଧବୀ ସହ ବାହାରକୁ ଯିବା ଅବସରରେ କମଳେଶ ସୁଖେନ୍ଦୁଙ୍କୁ ପଚାରିଲେ ସୁଖେନ୍ ତୁ ଯାହା କରଛୁ ତାହା ଯେ କେତେ ନିନ୍ଦନୀୟ ତାହା ବୁଝିଛୁ । ଦ୍ରାକ୍ଷା ଭାଉଜଙ୍କ ପରି ପତ୍ନୀ ପାଇ ଯେଉଁ ପୁରୁଷ ଅନ୍ୟ ସ୍ତ୍ରୀ ପ୍ରତି ଆସକ୍ତି ହୋଇପାରେ ତାଙ୍କୁ କ’ଣ ବୋଲି କୁହାଯିବ ମୁଁ ଭାବିପାରୁନି ।

 

ଦ୍ରାକ୍ଷା ଗମ୍ଭୀର ମୁଖରେ ବସି ରହିଥିଲା । ଆସିବା ଦିନଠାରୁ ସେ ଥରଟିଏ ବି ସୁଖେନ୍ଦୁଙ୍କୁ କଥା କହି ନ ଥିଲା । ସୁଖେନ୍ଦୁଙ୍କ ସହ ନିରୋଳାରେ ରହିବାର ସୁଯୋଗକୁ ସୁନ୍ଦର ଭାବେ ଏଡ଼େଇ ଯାଉଥିଲା । ଇଭାଏ କଥାର ଟେର ବି ପାଉ ନଥିଲେ । ଭାରତୀୟ ନାରୀ ସ୍ଵଭାବତଃ ଲଜ୍ଜାଶୀଳା ମନେକରି ସେ କଥାଟାକୁ ସହଜଭାବେ ଗ୍ରହଣ କରି ନେଇଥିଲେ । ଦ୍ରାକ୍ଷା ଜାଣିଥିଲା ତାର ସମସ୍ତ ଦମ୍ଭ, ମୁହଁ ଟାଣ, ସୁଖେନ୍ଦୁଙ୍କ ସହ ଗୋଟିଏ ମାତ୍ର ନିଃସଙ୍ଗ ମୁହୂର୍ତ୍ତରେ ପାଣିଫୋଟକା ଭଳି ମିଳାଇଯିବ । ଯେଉଁ ପୁରୁଷ ନିକଟରେ ସେ ନିଜ କୁମାରୀତ୍ୱ, ଦେହ, ମନ, ସବୁକିଛି ଧର୍ମକୁ ସାକ୍ଷୀ ରଖି ଉତ୍ସର୍ଗ କରିଦେଇଛି, ଯାହାଙ୍କୁ ନେଇ ତା ଜୀବନର ଅନେକ ସବୁଜ ସ୍ଵପ୍ନ ଏବେ ବି ବେଳେବେଳେ ବିଭୋର କରୁଛି, ସେ ଯେଡ଼େ ଅମଣିଷ ହେଲେ ବି ତାଙ୍କ ପାଖରେ ଏଡେ ଆଣ୍ଟ କରି ରହିବ କେମିତି ? ସେ ସୁଖେନ୍ଦୁଙ୍କର ମୁହଁ ନ ଦିଶିବା ଭଳି ପତ୍ରିକାଟିଏ ଉଠେଇ ନେଇ ମୁହଁ ସାମ୍ନାରେ ଧରି ତାଙ୍କ ଉତ୍ତରକୁ କାନ ଡେରିଲା ।

 

ସୁଖେନ୍ଦୁ ଅନୁତପ୍ତ ଗଳାରେ କହିଲେ– ‘‘ଗତସ୍ୟ ଶୋଚନା ନାସ୍ତି ।’’ ଇଭାଙ୍କ ସହ ଗୋଟିଏ ଲାବୋରେଟରୀରେ ପାର୍ଟନର ଭାବେ କାମ କରୁ କରୁ ସେ ମୋର ଲାଇଫ୍ ପାର୍ଟନର ହୋଇଗଲେ । ତାଙ୍କୁ ବା ଆଉ ଛାଡ଼ିବ କେମିତି ? ମୁଁ ତ ସିଦ୍ଧାନ୍ତ କରିଛି ଏଇଠାରେ ହିଁ ଆଜୀବନ ବାସିନ୍ଦା ହୋଇଯିବା ପାଇଁ । ଅବଶ୍ୟ ଇଭାଙ୍କର ଏଥିରେ କୌଣସି ବାଧ୍ୟବାଧକତା ନାହିଁ । ମୁଁ ଚାହିଁଲେ ବି ଇଣ୍ଡିଆ ଫେରିଯାଇପାରେ । କିନ୍ତୁ ତୁ ଦେଖୁଛୁ ତ ମୋର ଏଠିକାର ଷ୍ଟାଣ୍ଡାର୍ଡ଼ ଅଫ୍ ଲିଭଙ୍ଗ । ଇଣ୍ଡିଆ ମତେ ଦେବ କ’ଣ ?

 

କମଳେଶ ସୁଖେନ୍ଦୁଙ୍କର ଅତ୍ୟଧିକ ଆତ୍ମକୈନ୍ଦ୍ରିକତାରେ ଅବାକ୍ ହୋଇଯିବା ସଙ୍ଗେ ସଙ୍ଗେ ବିରକ୍ତ ମଧ୍ୟ ହେଲେ । ସେ ଘୃଣାବ୍ୟଞ୍ଜକ କକଶ‌ କଣ୍ଠରେ କହିଲେ– ତୋର ଭବିଷ୍ୟତ ଯୋଜନା ଶୁଣି ମୋର କିଛି ଲାଭ ନାହିଁ । ମୁଁ ଭାଉଜଙ୍କ କଥା ବି ହିଁ ପଚାରୁଥିଲି । ତାଙ୍କର ଭବିଷ୍ୟତ ପାଇଁ ତୁ କ’ଣ ସ୍ଥିର କରିଛୁ ?

 

କମଳେଶଙ୍କର ମୁଖରେ ଘୃଣାର ମୁଦ୍ରାଙ୍କନ ଦେଖି ସୁଖେନ୍ଦୁ ଉତ୍‌କ୍ଷିପ୍ତ ହୋଇ ଉଠିଲେ ଏବଂ ତାଚ୍ଛଲ୍ୟଭରା କଣ୍ଠରେ କହିଲେ ଦ୍ରାକ୍ଷା ସହ ତୁ ଏକତ୍ର ଏକ ଶଯ୍ୟାରେ ରାତ୍ରିଯାପନ କରିବା ପରେ ତାର ଭବିଷ୍ୟତ ବିଷୟରେ ମତେ ଚିନ୍ତା କରିବାକୁ କହୁଛୁ ? ଆଶ୍ଚର୍ଯ୍ୟ ଦ୍ରାକ୍ଷାର ବି କ’ଣ ଏଇ ମତ ?

 

ହଠାତ୍ ଯେମିତି ଏକ ଆକସ୍ମିକ ପ୍ରଳୟ ଘଟିଗଲା ଦ୍ରାକ୍ଷାର ଆଖି ସାମ୍ନାରେ । ସେ ପତ୍ରିକାଟି ପକାଇଦେଇ ସକ୍ ମାରିବା ଭଳି ଉଠି ଛିଡ଼ା ହୋଇଗଲା । ତାର ଚକ୍ଷୁ ତାରକା ଦୁଇଟି ଦପ୍ ଦପ୍ ଜଳି ଉଠିଲା । ତାର ସମସ୍ତ ଚେହେରା ଏକ ଉତ୍ତପ୍ତ ଲୌହଖଣ୍ଡ ଭଳି ଲାଲ ହୋଇଗଲା-। ସେ ଘୃଣାବ୍ୟଞ୍ଜକ କର୍କଶ କଣ୍ଠରେ କହିଲା– ୟୁ ଆର୍ ଅନ୍‌ଗ୍ରେଟ୍‌ଫୁଲ୍....କାହା ପାଇଁ ମତେ କମଳ ସହ ଏକତ୍ରର ରାତ୍ରିଯାପନ କରିବାକୁ ହୋଇଛି ? କାହାପାଇଁ ମତେ ଏମିତି ମିଛ ଅଭିନୟ କରିବାକୁ ପଡ଼ିଛି ? ତା ବୋଲି ମୁଁ କ’ଣ ? ଛିଃ....ତମେ ମିନ୍... ତମେ କାଓ୍ୱାଡ଼ । ନିଜ ମନର ମାପକାଠିରେ ସମସ୍ତଙ୍କୁ ତଉଲିବାକୁ ବସିଚ... ।

 

ଦ୍ରାକ୍ଷା ଅଧିକ କିଛି କହିପାରିଲା ନାହିଁ । ଅତ୍ୟଧିକ ଭାବାବେଗରେ ତା’ର ବାକ୍ ରୁଦ୍ଧ ହେଲା । ସେ କେବଳ ନିଜର ଜ୍ୱଳନ୍ତ ଆଖି ଦୁଇଟିକୁ ସୁଖେନ୍ଦୁଙ୍କ ଦୁଇ ଡୋଳାରେ ନିବଦ୍ଧ କରି ଠିଆହୋଇ ରହିଲା ।

 

କମଳେଶ ସେଦିନର କ୍ଷଣିକ ଦୁର୍ବଳତା କଥା ମନେ କରି ମଳିନ ପଡ଼ିଗଲେ । ତାଙ୍କର ସେଇ କୁଣ୍ଠିତ, ଲଜ୍ଜିତ, ଅପରାଧଭାବର ସୁଯୋଗ ନେବାକୁ ସୁଖେନ୍ଦୁ ଛାଡ଼ିଲେ ନାହିଁ । ସେ କହିଲେ– ଅପ୍ରିୟସତ୍ୟ କଥାରେ ସମସ୍ତେ ଏମିତି ତାତି ଉଠନ୍ତି ନା କମଳ ?

 

କମଳ ବ୍ୟଥାଭରା ଗଳାରେ କହିଲେ– ସୁଖେନ୍, ତୋର ଏ କି ଅଧୋଗତ ହେଲା ? ଭାଉଜଙ୍କୁ ତୁ କ’ଣ ଏତେଦିନର ଘନିଷ୍ଠତା ଭିତରେ ବୁଝି ପାରିନାହୁଁ । ସେ ତ ସାଧାରଣ ଝିଅ ନୁହଁନ୍ତି....ତାଙ୍କ ଭଳି ଦୃଢ଼ମନା ଝିଅ ମୁଁ ତ କାହିଁ କେଉଁଠି ଦେଖିନାହିଁ ।

 

ସୁଖେନ୍ଦୁ ନାଟକର ଖଳନାୟକ ଭଙ୍ଗୀରେ ହସି ଉଠି କହିଲେ– ଚମତ୍କାର ଡାଇଲଗ । ହେଲେ ବନ୍ଧୁ ତୁ କ’ଣ ବିଶ୍ୱାମିତ୍ରଙ୍କଠାରୁ ବି ଅଧିକ ସଂଯମୀ ? ଦ୍ରାକ୍ଷା ଯେ ମେନକାଠାରୁ ଢେର୍ ସୁନ୍ଦରୀ ।

 

କମଳେଶଙ୍କର ଦୁର୍ବଳତା ଉପରେ ଆଘାତ କଲେ ସୁଖେନ୍ଦୁ । କମଳେଶ ଅପରାଧୀ ଗଳାରେ କହିଲେ– ମୁଁ ତ ନିରାଧମ । ପଶୁଠାରୁ ହୀନ । ହେଲେ ଭାଉଜ ସେ ମାନବୀ ନୁହନ୍ତି– ଦେବୀ । ମୁଁ ତାଙ୍କ ସହ ଗୋଟିଏ ରାତି ଏକତ୍ର ବିତାଇ ତାଙ୍କୁ ଯାହା ବୁଝିଛି ତୁ ତାଙ୍କ ସହ ଅନେକ ରାତ୍ରି ଯାପନରେ ତା’ର ବିନ୍ଦୁ ବିସର୍ଗ ବୁଝି ନାହୁଁ । ତାଙ୍କୁ ବୁଝିବା ପାଇଁ ତୋର ସମଗ୍ର ଜୀବନ ମଧ୍ୟ ଯଥେଷ୍ଟ ହେବ ନାହିଁ । ତୁ ଏକ ପାଷାଣ୍ଡ, ଅମଣିଷ ।

 

ଦ୍ରାକ୍ଷାର ଜ୍ଵଳନ୍ତ ଆଖି ଦୁଇଟା ଏଥିଭିତରେ କରୁଣ ଅସହାୟତାରେ ଛଳ ଛଳ ହୋଇ ଉଠିଥିଲା । ତାହା ଲକ୍ଷ୍ୟ କରି ସୁଖେନ୍ଦୁ ନରମ ହୋଇଉଠିଲେ । କୋମଳ କଣ୍ଠରେ ସେ କହିଲେ– ପରସ୍ପର ସହ ଯୁକ୍ତିତର୍କ କରି ବିଦ୍ୱେଷ ବଢ଼ାଇବା ମୋର ଇଚ୍ଛା ନୁହେଁ । ନାଓ ୟୁ ସୁଡ଼ ବି ଭେରି ପ୍ରାକ୍ଟିକାଲ – କମଳ ! ମୁଁ ଆଉ ଇଭାଙ୍କୁ ଛାଡ଼ିପାରିବ ନାହିଁ । ଦ୍ରାକ୍ଷା ପାଇଁ ମୋର ମଧ୍ୟ ଚିନ୍ତାର ଅନ୍ତ ନାହିଁ । ମୁଁ ଜାଣେ ମୁଁ ଭୁଲ କରିଛି । ମୁଁ ଅତିମାନବ ନୁହେଁ । ମୁଁ ମଣିଷ ପୁରୁଷ । ମୋର ଭୁଲ ପାଇଁ ସେ କାହିଁକି ଜୀବନସାରା ଦୁଃଖ ପାଇବ । ତୋର ତ ଦ୍ରାକ୍ଷାଙ୍କୁ ବିବାହ କରିବାର କଥା ଥିଲା । ତୁ ତ ଏତେଟା ସଂକୀର୍ଣ୍ଣମନା ନୋହୁଁ । ସେଦିନ ମୋର ପତ୍ନୀ ଥିଲା ବୋଲି ଆଜି ତୁ ତାଙ୍କୁ ଗ୍ରହଣ କରି ସୁଖର ସଂସାର ଗଢ଼ିବାରେ କିଛି ଆପତ୍ତି ଅଛି କି ? ଦ୍ରାକ୍ଷା ତତେ ନିଶ୍ଚୟ ସୁଖୀ କରିବ । ତୁ ତାର ପତ୍ନୀପଣିଆର ନମୁନା ତ ଦେଖିଛୁ । ଗୋଟାଏ କ୍ଷଣିକ ଉତ୍ତେଜନାରେ ଇଭାଙ୍କ ସହ ଘନିଷ୍ଠ ହୋଇପଡ଼ି ନ ଥିଲେ ମୁଁ ଦ୍ରାକ୍ଷାଙ୍କୁ ତ୍ୟାଗ କରିବା କଥା ଜୀବନରେ ବି ଚନ୍ତା କରିପାରି ନ ଥାନ୍ତି । ଏବେ ମଧ୍ୟ ଦ୍ରାକ୍ଷା ପାଇଁ ମୋ ମନ ତଳେ ଅଜସ୍ର ପ୍ରେମ– ଅସରନ୍ତି ମମତା । ତା ଭଳି ପତ୍ନୀ ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ଥାଏ; ମାତ୍ର ଆଜି ମୁଁ ନାଚାର । ଇଭାଙ୍କ ପ୍ରେମରେ ମୁଁ ସଂପୂର୍ଣ୍ଣ ବୁଡ଼ିଯାଇଛ । ତୁ ଦ୍ରାକ୍ଷାକୁ ଗ୍ରହଣ କରିନେଲେ ମୋ ଚିନ୍ତାର ଅବସାନ ହେବ ।

 

ଦ୍ରାକ୍ଷାର ମୁହଁଟା ଅପମାନରେ କଲା ପଡ଼ିଗଲା । ତା ଆଖିର ଲୁହଧାରରେ ତା’ ହୃଦୟର ଅଗ୍ନିନିର୍ବାପିତ ହେଲା । ତା’ ନାରୀତ୍ୱର ଲାଞ୍ଛନାର ଶେଷ କେଉଁଠି ସେ ସ୍ଥିର କରିପାରୁ ନ ଥିଲା । କରୁଣ ଅନୁନୟ ଭଙ୍ଗୀରେ ହାତଯୋଡ଼ି କୋହ ଉଚ୍ଛଳ କଣ୍ଠରେ ସେ କହିଲା ମୋ ପାଇଁ କାହାର ଚିନ୍ତା କରିବାର ଦରକାର ନାହିଁ । ତମେ ଭାବୁଛ, ମୁଁ କେବେ ତମ ସୁଖ ପଥରେ କଣ୍ଟକ ହୋଇ ଠିଆହେବି ? ସେଥିପାଇଁ ମତେ କମଳଙ୍କୁ ଦାନ କରି ତମେ ନିଶ୍ଚିତ ହୋଇଯିବାକୁ ବସିଛ । ବିଶ୍ଵାସ କର, ତମ ସହ ଇଭାଙ୍କୁ ଦେଖିବା ପରେ ତମ ସୁଖର ସଂସାରରେ ଅଶାନ୍ତିର ଗୋଟିଏ କ୍ଷୁଦ୍ର ଢ଼େଉ ଉଠାଇବାକୁ ବି ମୁଁ ଚିନ୍ତା କରି ପାରୁ ନାହିଁ । ଭବିଷ୍ୟତରେ ବି କରିବି ନାହିଁ । ଦୟାକରି ତମେ ମୋର ଅପମାନ କର ନାହିଁ । ସ୍ୱାମୀର ଅବହେଳା, ନିଷ୍ଠୁରତା, ପ୍ରତ୍ୟାଖ୍ୟାନ ସ୍ତ୍ରୀ ପକ୍ଷରେ ଦୁଃସହ । କିନ୍ତୁ ସ୍ୱାମୀ ମୁଖରେ ସ୍ତ୍ରୀର ନାରୀତ୍ୱର ଲାଞ୍ଛନା, ଅପମାନ ଏକବାର ଅସହ୍ୟ । ଦୟାକରି ସେତିକି କରନାହିଁ । ଦ୍ରାକ୍ଷା ଝର ଝର କାନ୍ଦି ପକାଇଲା ।

 

ସୁଖେନ୍ଦୁ ଚୁପ୍ ହୋଇଗଲେ । କମଳେଶ ପତିପତ୍ନୀଙ୍କର ଏଇ ଭାବପ୍ରବଣ ମୁହୂର୍ତ୍ତଟିକୁ ନିର୍ଜନତାରେ ଭରିଦେଇ କକ୍ଷରୁ ନିଷ୍କ୍ରାନ୍ତ ହୋଇଯାଉଥିଲେ । ଦ୍ରାକ୍ଷା ପୁଣି ଥରେ ସୋଫା ଉପରେ ବସିପଡ଼ି ମୁହଁ ଘୋଡ଼ାଇ କାନ୍ଦିବାକୁ ଲାଗିଲା ।

 

ସୁଖେନ୍ଦୁ ସନ୍ତର୍ପଣରେ ଦ୍ରାକ୍ଷା ପାଖକୁ ଆସି ଠିଆ ହେଲେ । ଦ୍ରାକ୍ଷାର ମୁଣ୍ଡଟିକୁ ସ୍ନେହରେ ଜଡ଼ାଇ ଧରି କହିଲେ ଦ୍ରାକ୍ଷା; ମୁଁ ଆଉ ମଣିଷ ହୋଇନାହିଁ ମୁଁ ପାଷାଣ୍ଡ ପାଲଟି ଯାଇଛି । ମଣିଷର ମନ ଥରେ ନିମ୍ନଗାମୀ ହେଲେ ତା’ର ନିମ୍ନଗତିରେ ଆଉ ଶେଷ ନାହିଁ । ଆଜି ମୋର ଅନୁତାପର ସୀମା ନାହିଁ । ତମେ ମୋର ସହଧର୍ମିଣୀ ଭାବରେ ଦିନଟିଏ ମଧ୍ୟ ଉପଯାଚିକା ହୋଇ ମୋଠାରେ ନିଜକୁ ଅର୍ପଣ କରି ନ ଥିଲ ; କିନ୍ତୁ ଇଭା ମୋର ସହକର୍ମିଣୀ ହୋଇ ମୋର ବିନା ଆମନ୍ତ୍ରଣରେ ମୋ ପାଖରେ ଏମିତି ନିଜକୁ ନିଃଶେଷ କରି ଅର୍ପଣ କରିଦେଲା ଯେ ମୁଁ ମୋର ଅତୀତ, ଭବିଷ୍ୟତ ବିସ୍ମୃତ ହୋଇଗଲି । ସେଇ ଦୁର୍ବଳତାର ସୁଯୋଗରେ ଇଭା ଅନ୍ତଃସତ୍ତ୍ୱା ହୋଇଯିବା ସଙ୍ଗେ ସଙ୍ଗେ ଆମର କୋର୍ଟ ମ୍ୟାରେଜ ହୋଇଗଲା । ଇଭା ପତ୍ନୀ ଭାବରେ ମତେ ସୁଖୀ କଲେ ମଧ୍ୟ ତମରି ଚିନ୍ତାରେ ଅନେକ ସମୟରେ ମୋର ସୁଖୀ ଭଙ୍ଗ ହୋଇଛି । ଆଜି ମୁଁ ସଂପୂର୍ଣ୍ଣ ଉପାୟହୀନ । ସୁଖେନ୍ଦୁଙ୍କ ଆଖିର ଗରମ ଲୁହ ଠପ୍ ଠପ୍ ହୋଇ ଝରି ପଡ଼ିଲା ଦ୍ରାକ୍ଷାର କପାଳରେ ।

 

ଦ୍ରାକ୍ଷା ସୁଖେନ୍ଦୁଙ୍କ ବୁକୁରେ ମଥାରଖି ଚିରଦିନ ପାଇଁ ଆଖିବୁଜି ଦେଇ ନିଶ୍ଚିନ୍ତ ହୋଇଯିବେ ବୋଲି ଭାବୁଥିଲେ ମଧ୍ୟ ତାଙ୍କୁ ଅଧିକ ଦୁର୍ବଳ କରିବାକୁ ଚାହିଁଲା ନାହିଁ । ସେ ନିଜକୁ ପ୍ରକୃତିସ୍ଥ କରିନେଇ ସୁଖେନ୍ଦୁଙ୍କଠାରୁ ଅଲଗା ହୋଇଗଲା । ନିର୍ବିକାର ଭଙ୍ଗୀରେ କହିଲା– ଇଭା ତମକୁ ସୁଖୀ କରିଛନ୍ତି ଜାଣି ମୁଁ ମଧ୍ୟ ନିଶ୍ଚିନ୍ତ ହୋଇଯାଇଛି । ମୋ ପାଇଁ ଦୁଃଖ କରି ଇଭାଙ୍କୁ ଦୁଃଖ କରିଦେବା ଅନ୍ୟାୟ । ଭୁଲ୍ ପରେ ଭୁଲ୍ କଲେ କେହି କ୍ଷମା ଦେବେ ନାହିଁ । ମୁଁ ନିଜର ବ୍ୟବସ୍ଥା କରିନେବି । କିନ୍ତୁ ମାଆଙ୍କର କ’ଣ ହେବ ? ଥରଟିଏ ତମକୁ ଦେଖିବା ପାଇଁ ତାଙ୍କର ଆଖିରେ ନିଦ ନାହିଁ । ତମେ ଅନ୍ତତଃ ଥରଟିଏ ପାଇଁ ଯିବ ନାହିଁ ?

 

ସୁଖେନ୍ଦୁ କହିଲେ– ମାଆ ପାଖରେ ଏ ମୁହଁ ଦେଖାଇବାର ସାହସ ମୋର ନାହିଁ । ମୁଁ ତା’ ସାମ୍ନାରେ କେମିତି ଯାଇ ଠିଆ ହେବି କୁହ ତ ?

 

ଦ୍ରାକ୍ଷା ଅଭୟ ଦେବା ଭଙ୍ଗୀରେ କହିଲା– ମାଆ ଇଭାଙ୍କ କଥା ଆଦୌ ଜାଣିବେ ନାହିଁ । ତମର ପାଠ ଶେଷ ହୋଇନାହିଁ ଓ ତମକୁ ଅନେକ ଦିନ ଧରି ଏଠାରେ ରହିବାକୁ ପଡ଼ିବ ବୋଲି ମୁଁ ତାଙ୍କୁ ବୁଝାଇଦେବି । ଶେଷପର୍ଯ୍ୟନ୍ତ ତାଙ୍କୁ ସୁଖ ଦେବା ପାଇଁ ମୁଁ କଥା ଦେଉଛି । ତମେ ଦିନକ ପାଇଁ ଯାଇ ତାଙ୍କୁ ଦେଖାଦେଇ ଆସ । ସେତିକି କରି ନ ପାରିଲେ ମୋ ଜୀବନରେ ଗୋଟାଏ ବଡ଼ ଅବଶୋଷ ରହିଯିବ । ମାଆ ତମର ବାଟ ଚାହିଁ ବସିଥିବେ । ତାଙ୍କର ସ୍ୱାସ୍ଥ୍ୟର ଅବସ୍ଥା ଯାହା ତାଙ୍କ ଉପରେ ମୋର ଆଉ ଭରସା ନାହିଁ ।

 

ସୁଖେନ୍ଦୁ ଅସହାୟ କଣ୍ଠରେ କହିଲେ– ମାଆକୁ ଦେଖିବା ପାଇଁ ମୁଁ ମଧ୍ୟ ଛଟ୍‌ପଟ୍ ହେଉଛି । ଅନେକ ଥର ଚେଷ୍ଟା କରିଛି ଥରଟିଏ ଯିବା ପାଇଁ । ଇଭା ମତେ ଛାଡ଼ିଦେଇ ନାହାନ୍ତି । ମୋ ସଙ୍ଗେ ଯିବା ପାଇଁ ଜିଦ୍ କରିଛନ୍ତି । ଏବେ ତ ସେ ଅନ୍ତସତ୍ତ୍ୱା । ତାଙ୍କୁ ଛାଡ଼ିଯିବା ଠିକ୍‍ ହେବ ନାହିଁ । ପିଲା ହେବା ପରେ ମୁଁ ଥରେ ନିଶ୍ଚୟ ଯିବି । ଛୋଟଛୁଆ ଧରି ଯିବା ସମ୍ଭବ ନୁହେଁ ବୋଲି ତାଙ୍କୁ ଛାଡ଼ିଯିବାର ସୁଯୋଗ ମିଳିଯିବ ।

 

ଦ୍ରାକ୍ଷା ଶାନ୍ତିର ଦୀର୍ଘଶ୍ଵାସ ଛାଡ଼ି କହିଲା– ସେତିକି ଭରସା ନେଇ ମୁଁ ଫେରିଯାଉଛି । ତମେ ଯେପରି ମତେ ମାଆଙ୍କ ପାଖରେ ମିଥ୍ୟାବାଦିନୀ କରିଦେବନାହିଁ । ମାଆଙ୍କର ସ୍ୱାସ୍ଥ୍ୟ ପାଇଁ ମୁଁ ଅତ୍ୟନ୍ତ ଉଦ୍‌‌ବିଗ୍ନ । ମତେ ଖୁବ ଶୀଘ୍ର ଫେରିଯିବାକୁ ହେବ... ।

 

ସୁଖେନ୍ଦୁଙ୍କର ଆଖି ଦୁଇଟା ଆଉ ଥରେ ଲୁହରେ ଭର୍ତ୍ତି ହୋଇଗଲା । ସେ ଗଦ‌୍‌ଗଦ୍ କଣ୍ଠରେ କହିଲେ–ମାଆ ପାଇଁ ମୋର ଏବେ ଆଉ ଚିନ୍ତା କରିବାର କିଛି ନାହିଁ । ମନେକର ମୁଁ ମରିଯାଇଛି । ତମେ ତା’ର ବୋହୂ, ପୁଅ, ସବୁକିଛି ଈଶ୍ୱର ତୁମକୁ ସୁଖୀ କରନ୍ତୁ ।

 

ଦ୍ରାକ୍ଷା ସୁଖେନ୍ଦୁଙ୍କର ପାଟିରେ ହାତଦେଇ ଶାସନ କରିବା ଭଙ୍ଗୀରେ କହିଲେ । ଏପରି ଅମଙ୍ଗଳ କଥା କହିବ ନାହିଁ । ତା’ଦ୍ଵାରା ମାଆ ସୁଖୀ ହେବେ ନାହିଁ, ମୁଁ ସୁଖୀ ହେବି ନାହିଁ । ତମେ ନର୍କରେ ଥିଲେ ବି ମାଆଙ୍କର ସେଇ ପୁଅ । ସେଥିରେ ବି ଟିକେ ଅଦଳବଦଳ ହେବ ନାହିଁ ।

 

ସୁଖେନ୍ଦୁ ଭାବୁଥିଲେ ନାରୀର ମନ ଅଦ୍ଭୁତ ପଦାର୍ଥରେ ଗଢ଼ା । ସ୍ଵାମୀର ସମସ୍ତ ଅକୃତଜ୍ଞତା ସତ୍ତ୍ୱେ ତା’ଜୀବନ ପ୍ରତି ସ୍ତ୍ରୀର ଅସୀମ ଲୋଭ ଅସରନ୍ତି ମମତା । ଏ କଥାକେବଳ ଦ୍ରାକ୍ଷା ଭଳି ଭାରତୀୟ ନାରୀ ପକ୍ଷେ ସମ୍ଭବ ସିନା !

 

ସୁଖେନ୍ଦୁ ଓ ଦ୍ରାକ୍ଷା ଉପରେ ଗୋଟାଏ ରକମର ବୁଝାମଣା ହୋଇଯିବା ସତ୍ତ୍ୱେ କମଳେଶ ଆକ୍ରୋଶରେ ଜଳୁଥିଲେ । ସୁଖେନ୍ଦୁର ଅକୃତଜ୍ଞତାକୁ ସେ କ୍ଷମା ଦେଇପାରୁ ନ ଥିଲେ । କଥା କଥାକେ ସେ ସୁଖେନ୍ଦୁଙ୍କୁ ଆଘାତ ଦେଉଥିଲେ ।

 

ସେଦିନ ସନ୍ଧ୍ୟା ଆସରରେ ଦ୍ରାକ୍ଷା ବେଶ୍ ପ୍ରଫୁଲ୍ଲ ମନେ ହେଉଥିଲା । ଆଶା ହିଁ ଦୁଃଖର କାରଣ । ସୁଖେନ୍ଦୁଙ୍କୁ ନେଇ ତାର ଆଶା ଓ କାମନାର ବିନାଶ ହେଇଛି । ସେ ଆଉ ଦୁଃଖ କରିବ କାହିଁକି ? ଦ୍ରାକ୍ଷାକୁ ମୁଗ୍‌ଧ ଆଖିରେ ଚାହିଁ ରହି ଇଭା କହିଲେ ମିଃ କମଳେଶ ! ତମର ବନ୍ଧୁ ଗୋଟାଏ ବିରାଟ ଭୁଲ କରି ପକାଇଛନ୍ତି । ଏବେ ସେ ହୁଏତ ଅନୁତାପ କରୁଥିବେ । ଦ୍ରାକ୍ଷାଙ୍କୁ ଦେଖିବା ପରଠାରୁ ତାଙ୍କ ଭୁଲ ସେ ବୁଝିପାରିଛନ୍ତି । ସେଇଦିନଠାରୁ ସେ ବିମର୍ଷ ଗମ୍ଭୀର। ତାଙ୍କର ପୂର୍ବର ଚପଳତା ଉଭେଇ ଯାଇଛି । କ’ଣ କହୁଛ ସୁଖେନ୍ଦୁ ? ମୁଁ ମିଛ କହୁଛି ?

 

–ତମେ ଏ କଣ କହୁଛ ଇଭ୍! ସେମିତି କିଛି ଲକ୍ଷ୍ୟ କରୁଛ ମୋଠାରେ ? ସୁଖେନ୍ଦୁ, ଅପ୍ରତିଭ ହେଇ ଉଠି କହିଲେ । ତାଙ୍କ ଆଖିରେ ସନ୍ଦେହର କଳା ମେଘ । କଠୋର ଦୃଷ୍ଟିରେ ସେ କମଳେଶଙ୍କୁ ଚାହିଁଲେ । ଦ୍ରାକ୍ଷାଙ୍କୁ ମଧ୍ୟ ଥରେ ଆଡ଼ନୟନରେ ଚାହିଁଦେଲେ ।

 

କମଳେଶ କୁଟିଳ ହାସ୍ୟ ଫୁଟାଇ କହିଲେ– ସୁଖେନ୍ ବିଷୟରେ ବିଶ୍ଵସ୍ତ ସୂତ୍ରରୁ କିଛି ଖବର ପାଇଲେ ନା କଣ ?

 

ଇଭା ଦୁଷ୍ଟ ହସ ହସି କହିଲେ– ଆମର ବିବାହଟା ଖୁବ୍ ତରବରରେ ହେଇଗଲା । ସବୁକଥା ସେ ବୋଧହୁଏ କହିନାହାନ୍ତି । ପ୍ରଥମେ ମୁଁ ତାଙ୍କ ପ୍ରତି ଆକୃଷ୍ଟ ହେଇ ପଡ଼ିଲି ତାଙ୍କର ବୁଦ୍ଧିମତ୍ତା, ବିଚକ୍ଷଣ ଜ୍ଞାନରେ ପ୍ରଭାବିତ ହୋଇ । ମୁଁ ଆକୃଷ୍ଟ ହୋଇପଡ଼ିବା ମାତ୍ରେ ନିଜକୁ ତାଙ୍କ ପାଖରେ ପ୍ରକାଶ କରିଦେବାରେ ବିଳମ୍ବ କଲିନାହିଁ । ସେ କିନ୍ତୁ ରୀତିମତ ମୋ ପ୍ରତି ମୋହାବିଷ୍ଟ ହୋଇପଡ଼ିଲେ । ଖୁବ ଶୀଘ୍ର ଆମେ ସାଧାରଣ ବନ୍ଧୁତ୍ୱର ସୀମାରେଖା ଡେଇଁଗଲୁ । ହଠାତ୍ ମୋ ଦିନେ ମନହେଲା ସୁଖେନ୍ଦୁଙ୍କ ଘର ତରଫରୁ କିଛି ଆପତ୍ତି ଉଠିବ ନାହିଁ ତ ? ଇଣ୍ଡିଆନ୍ ସେଣ୍ଟି ମେଣ୍ଟ ମୁଁ ଜାଣେ । ହୁଏତ ଭାରତୀୟ ସ୍ତ୍ରୀଟିଏ ଭଳି ମୁଁ ଏତେଟା ତ୍ୟାଗ, ଏକାଗ୍ରତା ଦେଖାଇ ନ ପାରେ । ସୁଖେନ୍ଦୁଙ୍କ ସ୍ଵାମୀତ୍ୱର ଅନ୍ଧ ଅହଂକାରକୁ ମୁଁ ହୁଏତ ସମୟ ଅସମୟରେ ବରଦାସ୍ତ ନ କରିପାରେ । ସୁଖେନ୍ଦୁ ପରେ ଅନୁତାପ କରିବେ ନାହିଁ ତ ? ମନ ପରିବର୍ତ୍ତନ କରିବେ ନାହିଁ ତ ? ଏମିତି ଅନେକ ଦୃଷ୍ଟାନ୍ତ ଅଛି ମୋ ଆଗରେ । ସେଇକଥା ମୁଁ ସୁଖେନ୍ଦୁଙ୍କୁ କହିଦେଲି ।

 

ସୁଖେନ୍ଦୁ କହିଥିଲେ– କୌଣସି ଭାରତୀୟ ଝିଅକୁ ସେ ଆଜିପର୍ଯ୍ୟନ୍ତ ପସନ୍ଦ କରିପାରି ନାହାନ୍ତି ।ସେମାନଙ୍କଠାରେ ଗୁଡ଼ାଏ ଲଜ୍ଜା, ଅଭିମାନ, ଅହଂକାର ଭରି ରହିଥାଏ । ବେଳେବେଳେ ଯୁଗ୍ମଜୀବନକୁ ତାହା ଦୁଃସହ କରେ । ମୋରି ଭଳି ଖୋଲା ଝିଅଟିଏ ସେ ମନେ ମନେ ପସନ୍ଦ କରି ଆସିଛନ୍ତି । କୌଣସି ଭାରତୀୟ ଝିଅ ତାଙ୍କର ପୌରୁଷକୁ ମୋ ଭଳି ଉଦ୍‌ବେଳିତ କରିନାହାନ୍ତି । ଭାରତୀୟ ଝିଅମାନଙ୍କୁ ସୁଖୀ କରିବାକୁ ହେଲେ ଜୀବନସାରା ଗୁଡ଼ାଏ ମିଥ୍ୟା ଚାଟୁବାକ୍ୟ କହି ଚାଟୁବାକ୍ୟ ପାଲଟିଯିବାକୁ ହୁଏ । ସେ କଥା ତାଙ୍କର ପସନ୍ଦ ନୁହେଁ । ପୁରୁଷର ପ୍ରେମ ପାଇଁ ପାଗଳିନୀ ପାଲଟିଲେ ବି ସେମାନେ କୌଣସି ଦିନ ସ୍ୱାମୀ ପାଖରେ ପ୍ରେମଯାଚନା କରନ୍ତି ନାହିଁ । ସେଥିରେ ତାଙ୍କର ନାରୀତ୍ୱ କୁଆଡ଼େ ଅପମାନିତ ହୁଏ । ପୁରୁଷକୁ ସବୁବେଳେ ସ୍ତ୍ରୀର କୃପାଭିକ୍ଷା କରିବାକୁ ହୋଇଥାଏ । ସେଥିରେ ନାରୀ ଖୁବ୍ ଆନନ୍ଦ ପାଇଥାଏ । ଏମିତି ଅନେକ କଥା କହିଲେ ସୁଖେନ୍ଦୁ । ତାପରେ ଆମର ବିବାହ ହୋଇଗଲା । ଆମେ ସୁଖୀ ଦମ୍ପତି ହୋଇଉଠିଲୁ, କିନ୍ତୁ.....

 

–କିନ୍ତୁ କଣ ଇଭ୍ । ଏବେ କଣ ତମେ ସୁଖୀ ନୁହଁ ? କ’ଣ ହୋଇଛି ତମର । ଏ ବଦ୍‌ମାସ୍, କିଛି ଚୁଗୁଲି କରିଛି ନା କ’ଣ ? ସୁଖେନ୍ଦୁ, ଉତ୍କଣ୍ଠାରେ ପ୍ରଶ୍ନ କଲେ ।

 

ଇଭା ହସିଦେଇ କହିଲେ– ନା ସେମିତି କିଛି କଥା ଘଟିନାହିଁ । ମୁଁ ତମ କଥା ହିଁ କହୁଥିଲି । ଦ୍ରାକ୍ଷାକୁ ଦେଖିବା ପରେ ତମେ ସବୁ ବୁଝିପାରିଛ; ଭାରତୀୟ ଝିଅଙ୍କ ବିଷୟରେ ତମେ ଭୁଲ୍ ମନ୍ତବ୍ୟ ଦେଇଥିଲ । ଦ୍ରାକ୍ଷାଙ୍କ ବ୍ୟକ୍ତିତ୍ୱରେ ଯେ କେହି ପ୍ରଭାବିତ ହେବାର କଥା । ସେ ମତେ ଇମ୍ପେୃସ କରିଛନ୍ତି । ଆଉ ତାଙ୍କର ସୌନ୍ଦର୍ଯ୍ୟ ତୁଳନା କରାଯାଏନା । ନାରୀର ଯେଉଁ ଲଜ୍ଜାଭାବଟିକୁ ତମେ ଦିନେ ଦୁଃସହ ମନେ କରୁଥିଲ ତାହା ସେ ନାରୀକୁ ଏତେ ରମଣୀୟ ଓ ଆକର୍ଷଣୀୟ କରିଦିଏ ଦ୍ରାକ୍ଷାଙ୍କୁ ଦେଖିବା ପରେ ମୁଁ ସେକଥା ବୁଝୁଛି । ତମେ ଦ୍ରାକ୍ଷାଙ୍କୁ ଆଗରୁ ଥରେ ମାତ୍ର ଦେଖିଥିଲେ ତମ ଜୀବନର ଗତି ଭିନ୍ନ ହୋଇଥାନ୍ତା । ତମର ଦୁର୍ଭାଗ୍ୟ, ତମ ସହ ଦ୍ରାକ୍ଷାଙ୍କର ଆଗରୁ ଭେଟ ହେଲା ନାହିଁ । ଭେଟ ହେଲାବେଳକୁ ମୁଁ ବ୍ୟବଧାନ ହୋଇ ଠିଆ ହୋଇଛି । ଆଉ ସେ ହୋଇଛନ୍ତି କମଳେଶଙ୍କର ପତ୍ନୀ ।

 

ସୁଖେନ୍ଦୁ, ଲଜ୍ଜାରେ ମଳିନ ପଡ଼ିଗଲେ । ଦ୍ରାକ୍ଷାକୁ ସେ ଚାହିଁପାରୁନାହାନ୍ତି। ଦ୍ରାକ୍ଷା ନିର୍ବିକାର । ସେ ଯେମିତି ଅନ୍ୟ କେଉଁ କଳ୍ପନା ରାଜ୍ୟରେ ହଜିଯାଇଛି ।

 

କମଳେଶ ଜଳିଉଠୁଛନ୍ତି ସୁଖେନ୍ଦୁର ମିଥ୍ୟାଚାରରେ । ରୁକ୍ଷ କଣ୍ଠରେ ସେ କହିଲେ ଇଭାଦେବୀ ! ଆପଣ ସୁଖେନ୍‌ର ପ୍ରକୃତ ସ୍ୱରୂପ ଜାଣନ୍ତି ନାହିଁ । ସେ ଗୋଟାଏ ମସ୍ତବଡ଼ ଚିଟ୍ ହି ଇଜ୍‌ ଏ ଲାୟାର....

 

ଚୁପ୍ କର । ଆସିବା ଦିନରୁ ମତେ ଜଳାଇବାରେ ଲାଗିଛୁ । କିଏ ତତେ ଡାକିଥିଲା । ତା କଥା ଶୁଣନାହିଁ ଇଭ୍ । ମତେ ଚଡ଼ାଇବା ତାର ଗୋଟାଏ ଅଭ୍ୟାସ । ସୁଖେନ୍ଦୁ, ଆତଙ୍କିତ ହୋଇପଡ଼ିଥିଲେ ମନେ ମନେ । କମଳେଶ ହୁଏତ ସବୁକଥା ପଦାରେ ପକାଇଦେବ । ଦ୍ରାକ୍ଷାର ଏଥିରେ ନିଶ୍ଚୟ ସମର୍ଥନ ଅଛି । କିଛି ନ ଜାଣିବା ଭଳି ଚୁପ୍ ଚାପ୍ ହୋଇ ବସିଛି । ହୁଏତ ସେ କିଛି କହିଛି ଇଭାଙ୍କୁ । ଇଭା ତାଙ୍କୁ ଜେରା କରୁଛନ୍ତି ଯେମିତି ।

 

ଇଭା କୌତୁହଳୀ ହୋଇ ପ୍ରଶ୍ନ କଲେ– ମିଃ କମଳେଶ; ତମ କଥାର ଅର୍ଥ କ’ଣ ? ଦ୍ରାକ୍ଷାଙ୍କ ସହ ସୁଖେନ୍ଦୁଙ୍କର କ’ଣ ଆଗରୁ ଭେଟ ହୋଇଥିଲା । ଦ୍ରାକ୍ଷାଙ୍କ ସହ ଭେଟ ହୋଇଥିଲେ ସେ ତ ମତେ ଏମିତି ତରବରରେ ବିବାହ କରିପକାଇ ନ ଥାନ୍ତେ । କଥାଟା ଖୋଲି କହନ୍ତୁ ନା ?

 

କମଳେଶ ଗମ୍ଭୀର କଣ୍ଠରେ କହିଲେ– ତାକୁ ପଚାରନ୍ତୁ । ଦ୍ରାକ୍ଷା ଭଳି ଝିଅ ତାର ପସନ୍ଦ ହୋଇଥିଲା କି ନା ସେ ନିଜେ ସବୁ କଥା ଖୋଲିକରି କହୁ...

 

ସୁଖେନ୍ଦୁ, ବିଷମ ସଙ୍କଟରେ ପଡ଼ିଯାଇଛନ୍ତି । ଇଭା ନ ଥିଲେ । ସେ କମଳେଶର ଗଳା ଟିପି ଧରନ୍ତେ । ସେ ଏବେ କ’ଣ କରିବେ ବୁଝିପାରୁନାହାନ୍ତି । ଦ୍ରାକ୍ଷାଂକ ପ୍ରତି ତାଂକ ଆଖିରେ ଭର୍ତ୍ସନା । କ’ଣ ଦରକାର ଥିଲା କମଳେଶଙ୍କୁ ଧରି ଏତେବାଟ ଧାଇଁ ଆସିବା ।

 

ଇଭା ପ୍ରଶ୍ନ କଲେ ସୁଖେନ୍ଦୁ, ତମ କଥା ତମେ କହ ?

 

–ସବୁ ବାଜେ କଥା । ସୁଖେନ୍ଦୁ, ଚିତ୍କାର କଲେ ରାଗରେ ।

 

ଦ୍ରାକ୍ଷା ଶାନ୍ତ କଣ୍ଠରେ କହିଲା– ତାଙ୍କ କଥା ମୁଁ କହିବି । ବିଶ୍ଵାସ ହେବ ତ ?

 

ଚମକି ପଡ଼ିଲେ ସୁଖେନ୍ଦୁ । ଉତ୍‌ଫୁଲ୍ଲ ହୋଇଉଠିଲେ କମଳେଶ । ଅବାକ୍ ହେଲେ ଇଭ୍! ଅନ୍ତରଙ୍ଗ କଣ୍ଠରେ ଇଭା କହିଲେ– କୁହ ଦ୍ରାକ୍ଷା । ତମକୁ ପୁଣି ଅବିଶ୍ୱାସ କରିବ କିଏ ?

 

ସୁଖେନ୍ଦୁ ଅସହାୟ ଭାବରେ ମୁଣ୍ଡ ଝୁଙ୍କାଇ ବସି ରହିଲେ । କମଳେଶଙ୍କ ଆଖିରେ ନିଷ୍ଠୁର ଉଲ୍ଲାସ ନୃତ୍ୟ କରି ଉଠିଲା । ଦ୍ରାକ୍ଷା ଆଖିରେ କମଳେଶଙ୍କ ପ୍ରତି କଠୋର ଆଦେଶ । ଯାହାର ଅର୍ଥ– ତମେ ଚୁପ୍ ରହ । ମୋ କଥା ମୁଁ ବୁଝିବି । ତମେ ଏଠି କିଏ ?

 

କମଳ ଗୁମ୍‌ମାରି ବସି ରହିଲେ । ଦ୍ରାକ୍ଷା ଆରମ୍ଭ କଲା ବନ୍ଧୁ କମଳେଶଙ୍କ ବାଧ୍ୟବାଧକତାରେ ପଡ଼ି ସୁଖେନ୍ଦୁ ଦ୍ରାକ୍ଷା ଭଳି ଝିଅର ଘନିଷ୍ଠ ସଂସ୍ପର୍ଶରେ ଦିନାକେତେ ଆସିଥିଲେ । ବନ୍ଧୁଙ୍କ ଖାତିର୍‌ରେ ସେ ଝିଅଟାକୁ ଖୁବ୍ ତାରିଫ୍‌ କରୁଥିଲେ । ତାର ରୂପ, ଗୁଣ, ବ୍ୟକ୍ତିତ୍ୱର ପ୍ରଶଂସାରେ ଶତମୁଖ ହୋଇ ଉଠିଥିଲେ । ଇଂଲଣ୍ଡ ନ ଆସିଥିଲେ ବନ୍ଧୁଙ୍କ ମତାମତ ଓ ରୁଚିବୋଧକୁ ସମ୍ମାନ ଦେବାକୁ ଯାଇ ହୁଏତ ଚିରଦିନ ଝିଅଟାକୁ ମିଥ୍ୟା ପ୍ରଶଂସା କରି ଜୀବନରେ କାଟିଥାନ୍ତେ । ତାଙ୍କ ମିଥ୍ୟା ପ୍ରେମକୁ ସତ୍ୟ ଭାବି ଝିଅଟା ଜୀବନରେ ଅନେକ ସ୍ୱପ୍ନକୁ ସାର୍ଥକ କରିଥାନ୍ତା । ହେଲେ ତାଙ୍କର ନିଜର କ’ଣ ଲାଭ ହୋଇଥାନ୍ତା । ସେ ସୁଖୀ ହୋଇଛନ୍ତି ବୋଲି ଅଭିନୟ କରିଥିଲେ ମଧ୍ୟ ନିଜେ ସୁଖୀ ହୋଇନାହାନ୍ତି । ବରଂ ଏଠାରେ ଆପଣଙ୍କୁ ପାଇ ସେ ସୁଖୀ ହୋଇଛନ୍ତି ଏବଂ ଆପଣଙ୍କୁ ସୁଖୀ କରିଛନ୍ତି । ଆମ ପକ୍ଷେ ଏହା ସୁଖର କଥା । କମଳେଶଙ୍କ ଦ୍ୱାରା ନିର୍ବାଚିତ ହେବା ଝିଅକୁ ସେ ପସନ୍ଦ କରିବାକୁ ବାଧ୍ୟ ନୁହନ୍ତି । ଏଥିରେ କମଳେଶଙ୍କର କ୍ଷୁଣ୍ଣ ହେବାର କ’ଣ ଅଛି ?

 

–ଆଉ ସେଇ ଝିଅଟା ? ତାର କ’ଣ ହେଲା ? ଇଭା ପ୍ରଶ୍ନ କଲେ ।

 

ଦ୍ରାକ୍ଷା ସେମିତି ନିର୍ବିକାର ଭଙ୍ଗୀରେ କହିଲେ– କ’ଣ ହେବ ଆଉ ? ସୁଖେନ୍ଦୁଙ୍କ ମିଥ୍ୟା ପ୍ରଶଂସାକୁ ସତ ମଣି କିଛିଟା ସ୍ଵପ୍ନ ଦେଖୁଥିଲା । ଏବେ ସେ ସ୍ୱପ୍ନଭଙ୍ଗ ହେଇଛି । ପୁରୁଷ ମୁଖରେ ନାରୀର ରୂପଗୁଣର ପ୍ରଶଂସାକୁ ପ୍ରେମ ମନେକରି ଅନେକ ଝିଅ ଦୁଃଖ ପାଆନ୍ତି; କିନ୍ତୁ ସେମିତି ପ୍ରଶଂସା କରିବାଟା ତ ଗୋଟାଏ ଲୌକିକ ଶିଷ୍ଟାଚାର ହୋଇଉଠିଛି ଆଜିର ଆଧୁନିକ ସଭ୍ୟ ମଣିଷ ପକ୍ଷରେ । ଝିଅଗୁଡ଼ା ସେ କଥା ବୁଝନ୍ତି ନାହିଁ ମୋଟେ । ନାରୀର ଦେହ, ରଙ୍ଗ, ମୁଖର ଗଠନ, ଶାଢୀର ରଙ୍ଗ, ଗହଣାର ଡ଼ିଜାଇନ୍, ହାତରନ୍ଧା ଇତ୍ୟାଦିର ପ୍ରଶଂସା କରିବାଟା ସାଧାରଣ ସୌଜନ୍ୟ-। ସୁଖେନ୍ଦୁ, ସେତିକି ମାତ୍ର କରିଥିଲେ । ସେ ଝିଅଟି ଯଦି ତାକୁ ପ୍ରେମ ମନେ କରିଥାଏ ତେବେ ସେଥିରେ ସୁଖେନ୍ଦୁ କ'ଣ କରିବେ ? ମୁଁ ଏଠାରୁ ଫେରିଗଲେ ଝିଅଟାକୁ ପ୍ରକୃତ କଥା ବୁଝାଇଦେବି-। ତା’ ପରେ ସେ ବୁଝିଯିବ । ଆମ ଦେଶରେ ଝିଅଗୁଡ଼ାକୁ ବୁଝାଇଦେବା ଖୁବ୍ ସହଜ-। କାରଣ ଅବୁଝା ହେବାପାଇଁ ତାଙ୍କୁ ସୁଯୋଗ ମିଳେନାହିଁ । ଅବୁଝା ହେବା ତାଙ୍କ ପକ୍ଷେ ଚଳେନା ।

 

ସୁଖେନ୍ଦୁଙ୍କର ଆଖି ଦୁଇଟା ଏ ଭିତରେ ସଜଳ ହୋଇ ଉଠିଥିଲା । ଗୋଟାଏ ଉପସ୍ଥିତ ବିପଦରୁ ଦ୍ରାକ୍ଷା ତାଙ୍କୁ ବଞ୍ଚାଇ ଦେଇଥିବା ଯୋଗୁଁ ସେ ଖୁସି ହୋଇଥିଲେ ମଧ୍ୟ ଅସହାୟ ହୋଇ ଉଠିଥିଲା ତାଙ୍କ ଦୃଷ୍ଟି । ଓଠ ନୁହେଁ, ତାଙ୍କ ଆଖି ଦୁଇଟା କହୁଥିଲା ଦ୍ରାକ୍ଷା ! ଦୟାକରି ସେପରି କୁହନାହିଁ । ତମପ୍ରତି ମୋର ପ୍ରେମ କୌଣସି ଦିନ ମିଥ୍ୟା ନ ଥିଲା । ଆଜି ମଧ୍ୟ ନୁହେଁ । କମଳେଶର ପସନ୍ଦକୁ ମୁଁ ସମ୍ମାନ ଦେବାପାଇଁ ତମକୁ ଗ୍ରହଣ କରି ନ ଥିଲି । ପ୍ରଥମ ଦେଖାରେ ହିଁ ମୁଁ ତମ ପ୍ରେମରେ ପଡ଼ି ଯାଇଥିଲି । ଗୋଟାଏ କ୍ଷଣିକ ସୁଖର ପ୍ରଲୋଭନରେ ପଡ଼ି ମୁଁ ତମ ପ୍ରେମକୁ ଅପମାନିତ କରିଥିଲେ ମଧ୍ୟ ମୋର ପ୍ରେମ ଛଳନା ନ ଥିଲା । ସେପରି କହି ମତେ କଷ୍ଟ ଦିଅ ନାହିଁ ।

 

ସୁଖେନ୍ଦୁଙ୍କ ଦୃଷ୍ଟିର ଭାଷାରେ ଲିପିବଦ୍ଧ କରୁଣ ରସଭରା ପ୍ରେମ କବିତାଟିକୁ ପଢ଼ିନେଇ ଦ୍ରାକ୍ଷା ଚୁପ୍ ହୋଇଗଲା । ଇଭା ହାଲ୍‌କା ହସ ହସି ପ୍ରଶ୍ନ କଲେ ଏ କଥା ମତେ କେବେ କହିନାହିଁ ତ ସୁଖେନ୍ଦୁ ?

 

ନିଜ ଭିତରର ଦୁର୍ବଳ ଅସହାୟତାକୁ ଜୋରକରି ଅତିକ୍ରମ କରି ଯିବାପାଇଁ ସୁଖେନ୍ଦୁ, ଅପ୍ରାସଙ୍ଗିକ ଭାବେ ହସି ଉଠି କହିଲେ ଏଇଟା କ’ଣ କହିବାର କଥା ? ପ୍ରତିଦିନ କେତେ ଝିଅଙ୍କର ଜୋତାଠାରୁ ଆରମ୍ଭ କରି ଛତାର ତାରିଫ କରିବାକୁ ପଡ଼େ ସେ କଥା ତମକୁ ଆସି କହିବାକୁ ହେବ ତେବେ ?

 

ଇଭା ଖିଲ ଖିଲ୍ ହସି ଉଠି କହିଲେ ଏପର୍ଯ୍ୟନ୍ତ ତମେ ବନ୍ଧୁପତ୍ନୀକୁ ତାରିଫ କରି ନାହଁ ଥରଟିଏ । ଅଥଚ ଲୌକିକତା ଯୋଗୁଁ ନୁହେଁ, ପ୍ରକୃତପକ୍ଷେ ସେ ଅନେକ ଭାବରେ ପ୍ରଶଂସନୀୟା ହେବାର ପାତ୍ରୀ । ତାଙ୍କୁ ବାଛିବାର କିଛି ନାହିଁ ।

 

କମଳେଶ ଭୃକୁଟି କରି କହିଲେ– ମଣିଷ ଯାହାକୁ ସବୁଠୁ ବେଶି ପସନ୍ଦ କରେ ତାକୁ ପ୍ରକାଶ କରିପାରେ ନାହିଁ । ସେଥିପାଇଁ ମୁଖର ଭାଷା ତ ଯଥେଷ୍ଟ ହେବ ନାହିଁ କିମ୍ବା ତାର ପସନ୍ଦଟା ସେ ଆପଣଙ୍କ ସାମ୍ନାରେ ଖୋଲି କହିପାରେ ନାହିଁ । ଏମିତି କିଛି ହୋଇଥିବ ।

 

ସୁଖେନ୍ଦୁ ପୁଣି ଥରେ ଅପ୍ରତିଭ ହେଇ ପଡ଼ୁ ପଡ଼ୁ ଦ୍ରାକ୍ଷା କହିଲା ନିଜର ଲୋକଙ୍କ ପାଖରେ ଲୌକିକତା ଚଳେନା । ମୁଁ ତ ବାହାରର ଝିଅଟିଏ ନୁହେଁ । ପ୍ରକୃତରେ ପସନ୍ଦ ନ କରି ମିଥ୍ୟା ପ୍ରଶଂସା କରିବେ କାହିଁକି ? ସେ ଯେ ମତେ ଆଦୌ ପସନ୍ଦ କରନ୍ତି ନାହିଁ, ଏକଥା ଏଥିରୁ ସ୍ପଷ୍ଟ । ସବୁ ଝିଅଙ୍କୁ ତ ସମସ୍ତେ ପସନ୍ଦ କରିବେ ନାହିଁ । ଇଭାଙ୍କ ସାମ୍ନାରେ ମୁଁ ବା କ’ଣ ? ମିଥ୍ୟା ପ୍ରଶଂସା କରି ସେ ମତେ ଲଜ୍ଜା ଦେବାକୁ ଚାହାନ୍ତି ନାହିଁ । ସେଥିପାଇଁ ମୁଁ ତାଙ୍କ ପାଖରେ କୃତଜ୍ଞ ।

 

କମଳେଶ କହିଲେ– ସୁଖେନ୍ଦୁ, ପ୍ରତି ତମ କୃତଜ୍ଞତାର ଋଣ ସୁଝିବା ପାଇଁ ତମ ସମଗ୍ର ଜୀବନର ତ୍ୟାଗ ଯଥେଷ୍ଟ ହେବ ନାହିଁ ଦେଖୁଛି । ମନେ ହେଉଛି ମୋଠାରୁ ତମେ ତାକୁ ଦେଖି ବୁଝି ନେଇଛ ।

 

ଆହୁରି ଥରେ ଅପ୍ରାସଙ୍ଗିକ ଭାବେ ହସି ଉଠିଲେ ସୁଖେନ୍ଦୁ । ସମଗ୍ର କଥୋପକଥନର ସାରମର୍ମ ଇଭାଙ୍କ ପାଖରେ ଅବୁଝା ରହିଗଲା ।

 

ସେଦିନ କମଳେଶ ଜାଣି ଜାଣି ଇଭାଙ୍କୁ ଧରି ବୁଲି ବାହାରିଲେ । ସୁଖେନ୍ଦୁଙ୍କୁ କହିଲେ– ସବୁଦିନ ତ ଇଭାଙ୍କୁ ଧରି ବୁଲୁଛୁ । ଆଜି ଟିକେ ଦ୍ରାକ୍ଷାକୁ ନେଇ ବୁଲିଆ । ମୁଁ କିଛି ମାଇଣ୍ଡ୍ କରିବିନି-। ମୁଁ ମଧ୍ୟ ଇଭାଙ୍କୁ ନେଇ ବୁଲି ବାହାରିଛି । ଗତାନୁଗତିକ ଜୀବନର ଧାରାରେ ଟିକେ ପରବର୍ତ୍ତନ ଭଲ ଲାଗେ ନାହିଁ କି ? ତୁ ତ ସେକଥା ଭଲଭାବେ ଅନୁଭବ କରୁଥିବୁ ।

 

Unknown

ସୁଖେନ୍ଦୁଙ୍କୁ ଆଉଥରେ ଆକ୍ଷେପ କରି ରକ୍ତାକ୍ତ କରିଦେଲେ କମଳେଶ ।

 

ଇଭାଙ୍କୁ ସଙ୍ଗରେ ନେଇ ଚାଲିଯିବା ପରେ ଫ୍ଲାଟ୍ ରେ ଏକା ସୁଖେନ୍ଦୁ ଓ ଦ୍ରାକ୍ଷା । ଏମିତି ସୁଯୋଗଟିଏ ଖୋଜୁ ଥିଲେ ସୁଖେନ୍ଦୁ । ଦ୍ରାକ୍ଷା ଫେରିଯିବା ପୂର୍ବରୁ ତା’ଠାରୁ କ୍ଷମା ମାଗି ନ ନେଲେ ଇଭା ସହ ସେ ସୁଖମୟ ଜୀବନ ଅତିବାହିତ କରିପାରିବେ ନାହିଁ । ଦ୍ରାକ୍ଷା ପ୍ରତି ଅନ୍ୟାୟ କରିଛନ୍ତି ଭାବି ସେ ଜୀବନସାରା ସନ୍ତୁଳି ହେବେ ।

 

ନିମ୍ନ କଣ୍ଠରେ ସେ କହିଲେ– ଦ୍ରାକ୍ଷା ! ମୁଁ ପ୍ରାୟଶ୍ଚିତ୍ତ କରିବାକୁ ଚାହେଁ । କୁହ କ’ଣ କଲେ ତମେ ସୁଖୀ ହେବ ?

 

ଦ୍ରାକ୍ଷା ଉପହାସ କରି କହିଲେ– ପାପୀ ଲୋକ ପ୍ରାୟଶ୍ଚିତ୍ତ କରନ୍ତି । ତମର ପୁଣି ପାପ କ’ଣ ? ତମେ ତ ପୁଣ୍ୟାତ୍ମା ।

 

–ମତେ ପରିହାସ କରୁଛ ? ସୁଖେନ୍ଦୁ ବ୍ୟଥିତ ଗଳାରେ ପଚାରିଲେ ।

 

ଦ୍ରାକ୍ଷା ସହଜ କଣ୍ଠରେ କହିଲେ ପରିହାସ କରୁନାହିଁ । ସତ କଥା କହୁଛି । ଆମ ଦେଶରେ ଏଭଳି କାମରେ ପୁରୁଷକୁ ପାପ ଲାଗେ ନାହିଁ । ଯେତେ ସବୁ ପାପର ତାଲିକା ସ୍ତ୍ରୀମାନଙ୍କ ପାଇଁ । ତମର ଏଇଟା ଗୋଟାଏ ଖିଆଲ ହୋଇପାରେ– ପାପ ନୁହେଁ । ପାପ ନ ଥାଇ ପ୍ରାୟଶ୍ଚିତ୍ତ କ’ଣ ପାଇଁ ?

 

ସୁଖେନ୍ଦୁ, ଅନ୍ତରଙ୍ଗ ଗଳାରେ କହିଲେ– ଦ୍ରାକ୍ଷା, ମୁଁ ଯୁକ୍ତି କରିବାକୁ ଚାହେଁ ନାହିଁ । ଯୁକ୍ତିରେ ସମସ୍ୟାର ସମାଧାନ ହୁଏ ନାହିଁ; ବରଂ ସମସ୍ୟା ଜଟିଳ ହୁଏ ।

 

–ମୋ ସମସ୍ୟାଟି ମୋ ଜୀବନର ଜଟିଳତମ ସମସ୍ୟା । ଆଉ ଅଧିକ ଜଟିଳ ହେବାର ଭୟ ନାହିଁ । ଦ୍ରାକ୍ଷା କହିଲେ ।

 

ସୁଖେନ୍ଦୁ, ଶାନ୍ତ କଣ୍ଠରେ କହିଲେ– ସବୁ ସମସ୍ୟାର ସମାଧାନ ଅଛି । ତା ନ ହେଲେ ଜୀବନ ଅଚଳ ହୁଅନ୍ତା ।

 

–ନିଶ୍ଚୟ ଅଛି । ସେ ଦାୟିତ୍ୱ ମୋର । ମୋ ଜୀବନ ସମସ୍ୟାର ସମାଧାନ ଏକା ଏକା କରି ଆଗେଇଯିବା ପାଇଁ ବହୁ ପୂର୍ବରୁ ତମେ ଚିଠିରେ ଲେଖି ଆସିଛ । ସେତେବେଳେ ମୁଁ ସେ କଥାର ଗୂଢ଼ ଅର୍ଥ ବୁଝି ନ ଥିଲି । ଦ୍ରାକ୍ଷା ନିଥର କଣ୍ଠରେ କହିଲା ।

 

ସୁଖେନ୍ଦୁ ଆଘାତ ପାଇଗଲେ । ଭାରି କଣ୍ଠରେ କହିଲେ– ମୁଁ ଜାଣେ ତମେ ଏ ଜନ୍ମରେ କ୍ଷମା ଦେବ ନାହିଁ । ଜୀବନସାରା ମୁଁ ଶାନ୍ତି ପାଇବି ନାହିଁ ।

 

ଦ୍ରାକ୍ଷା ନିସ୍ପୃହ କଣ୍ଠରେ କହିଲେ ଯେ ମୁଁ କ୍ଷମା କରିଦେଲେ ତମେ ଯଦି ଶାନ୍ତିରେ ରହିବ ତେବେ ମୁଁ ତମକୁ କ୍ଷମା କରିଦେଲି । ତମର ଶାନ୍ତି ନଷ୍ଟ ହେଲେ ମୋର କିଛି ଲାଭ ହେବନାହିଁ ।

 

ସୁଖେନ୍ଦୁ ଚୁପ୍‌ଚାପ୍‌ ବସି ରହିଲେ । ଦ୍ରାକ୍ଷା ମଧ୍ୟ । ଦ୍ରାକ୍ଷାଙ୍କ ଚିନ୍ତିତ ମୁଖକୁ ଚାହିଁ ସୁଖେନ୍ଦୁ, କହିଲେ– କ’ଣ ଭାବୁଛ ? ମତେ ଅଭିଶାପ ଦେଉଛ ।

 

ଦ୍ରାକ୍ଷାର ଚକ୍ଷୁ ଦ୍ୱୟ ଅଶ୍ରୁପୂର୍ଣ୍ଣ ହୋଇଗଲା । ସେ ଅଶ୍ରୁର ଜୁଆର ସୁଖେନ୍ଦଙ୍କ ଆଖି ଦୁଇଟାକୁ ପ୍ଳାବିତ କରିଦେଲା ।

 

ଦ୍ରାକ୍ଷା ଜଡ଼ିତ କଣ୍ଠରେ କହିଲେ– ମୁଁ ତମକୁ ଅଭିଶାପ ଦେବି ? ଏ ଜନ୍ମରେ ସେକଥା ସମ୍ଭବ ହେବ ନାହିଁ । ସେପରି କହି ତମେ ମତେ ଦୁଃଖ ଦେଉଛ ।

 

ପୁଣି ସୁଖେନ୍ଦୁଙ୍କର ନିଥର ନୀରବତା । କିଛିକ୍ଷଣ ପରେ ସୁଖେନ୍ଦୁ କହିଲେ– ଶୁଣିଲି ଦୁଇଦିନ ପରେ ତମେ ଚାଲିଯାଉଛ ।

 

–ଯିବାକୁ ତ ହେବ । କମଳ ବ୍ୟବସାୟ ଛାଡ଼ି ଆସିଛନ୍ତି । ମୋ ଲାଗି ଖୁବ୍, କ୍ଷତିଗ୍ରସ୍ତ ହେଲେଣି । ଦ୍ରାକ୍ଷା କହିଲା ।

 

–କମଳ ଖୁବ୍ ଭଲ ଥିଲା । ମୋ ଭଳି ପାଷାଣ୍ଡ ବର୍ବର ନୁହେଁ । ତମକୁ ସେ ଖୁବ୍ ଶ୍ରଦ୍ଧା କରେ । ତମ ଲାଗି ସେ ଯେକୌଣସି ତ୍ୟାଗ ସ୍ୱୀକାର କରିପାରେ । ସୁଖେନ୍ଦୁ, ଗଭୀର ଦୃଷ୍ଟିରେ ଚାହିଁ କହିଲେ ।

 

ଦ୍ରାକ୍ଷାର କରୁଣ ଦୃଷ୍ଟି କଠୋର ହେଲା । କଟ୍‌ମଟ୍‌ କରି ସେ ଚାହିଁଲେ ସୁଖେନ୍ଦୁଙ୍କୁ । ରୁକ୍ଷ କଣ୍ଠରେ କହିଲେ– ପୁରୁଷର ନାରୀ ପ୍ରତି ସ୍ନେହ ଶ୍ରଦ୍ଧା ବିଷୟରେ ମୋର ଭରସା ନାହିଁ । କମଳ ତ ମୋ ପାଖରେ ଜଣେ ତୃତୀୟ ପୁରୁଷ । ତା କଥା ଉଠୁଛି କାହିଁକି ?

 

–ସବୁଥିରେ ବ୍ୟତିକ୍ରମ ଥାଏ I କମଳ ପୁରୁଷ ଚରିତ୍ରର ଏକ ବ୍ୟତିକ୍ରମ । ତାର ସ୍ନେହ ଶ୍ରଦ୍ଧା ଉପରେ ନିର୍ଦ୍ୱନ୍ଦ୍ୱରେ ଭରସା ରଖାଯାଇପାରେ । ସୁଖେନ୍ଦୁ, ସ୍ଥିର କଣ୍ଠରେ କହିଲେ ।

 

ଦ୍ରାକ୍ଷା ତାତି ଉଠିଲା । ଜ୍ୱଳନ୍ତ ଦୃଷ୍ଟିରେ ସୁଖେନ୍ଦୁଙ୍କୁ ଚାହିଁରହି ପ୍ରଶ୍ନ କଲା– ତମେ କ’ଣ କହିବାକୁ ଚାହୁଁଛ ?

 

–ଦିନେ କମଳେଶ ସହ ତମର ବିବାହ ସ୍ଥିର ହୋଇଥିଲା । ସେତେବେଳେ ସେ ଥିଲା ତମ ପାଇଁ ସର୍ବୋତ୍କୃଷ୍ଟ ପାତ୍ର । ଏବେ ମଧ୍ୟ ସେ ତମକୁ ଶ୍ରଦ୍ଧା କରେ । ତମେ ମନ ସ୍ଥିର କଲେ...ସୁଖେନ୍ଦୁ କଥାଟା ଅଧାରଖି ଦ୍ରାକ୍ଷାଙ୍କ ଆଖିରେ ସମର୍ଥନ ଖୋଜିଲେ ।

 

ସକ୍ ଲାଗିଲା ଭଳି ଉଠି ପଡ଼ିଲେ ଦ୍ରାକ୍ଷା । ଦୃଷ୍ଟିର ନିଆଁରେ ସୁଖେନ୍ଦୁଙ୍କୁ ଜାଳି ପକାଇବେ ଯେମିତି । ରାଗରେ ଥରି ଥରି କହିଲେ ତମେ ଦିନେ ମୋର ସ୍ୱାମୀ ଥିଲ ବୋଲି ଆଜି ଭାବିଲେ ମୋର ଲଜ୍ଜାହେଉଛି । ଛି, ତମେ ଏତେ ଦୁର୍ବଳ । କୌଣସି ପୁରୁଷ ନିଜର ପରତ୍ୟକ୍ତା ପତ୍ନୀକୁ ଅନ୍ୟ ପୁରୁଷର ପ୍ରିୟଭାଜନ ହେବାକଥା ମଧ୍ୟ ସହ୍ୟ କରିପାରେ ନାହିଁ । ନିଜର ପତ୍ନୀକୁ ଅନ୍ୟର ପତ୍ନୀ ହେବାପାଇଁ ଉପଦେଶ ଦେବା କଥା ମହାପୁରୁଷଙ୍କ ପକ୍ଷେ ସମ୍ଭବ ହୋଇପାରେ ନଚେତ୍‍ କାପୁରୁଷ ପକ୍ଷେ; କିନ୍ତୁ ପୁରୁଷଦ୍ୱାରା ତାହା ସମ୍ଭବ ନୁହେଁ । ତମେ ପୁରୁଷ ନୁହଁ–କୌଣସି ନାରୀର ସ୍ୱାମୀ ହେବାର ଉପଯୁକ୍ତ ନୁହଁ

 

ସୁଖେନ୍ଦୁ, ଉତ୍ତ୍ୟକ୍ତ ହେଲେ ନାହିଁ । ଅବୁଝାପିଲାକୁ ବୁଝାଇବା ଢଙ୍ଗରେ କହିଲେ– ମୁଁ ତମର ଭଲ ପାଇଁ କହୁଛି । ସ୍ଵାମୀ ପରିତ୍ୟକ୍ତା ନାରୀଟିଏ ଆମ ସମାଜରେ ଏକା ଏକା ବାଟ ଚାଲିବାରେ ଅନେକ ବାଧା, ଲାଞ୍ଛନା, ଦୁଃଖ ଓ ଯନ୍ତ୍ରଣାର ସମ୍ମୁଖୀନ ହୁଏ । କମଳେଶ ତମକୁ ସେ ବିପତ୍ତିରୁ ରକ୍ଷା କରିବ ।

 

ଦ୍ରାକ୍ଷା ଉତ୍ତ୍ୟକ୍ତ ହୋଇଉଠି କହିଲେ ତମେ ଭାବୁଛ ମୁଁ କାଳେ ତମ ବିରୁଦ୍ଧରେ କିଛି ପଦକ୍ଷେପ ନେବି ? ସେଥିପାଇଁ ତମେ ମତେ କମଳର ଆଶ୍ରୟ ଭିତରକୁ ଜୋରକରି ଠେଲିଦେଇ ନିଶ୍ଚିନ୍ତ ହେବାକୁ ଚାହଁ । ମାତ୍ର ତମେ ବୁଝି ସାରିଥିବ ତମକୁ ଅସୁବିଧାରେ ପକାଇବା ଭଳି ଝିଅ ମୁଁ ନୁହେଁ । ମତେ ବେଶି ଆଘାତ ଦେଲେ ମୁଁ ଉତ୍ତ୍ୟକ୍ତ ହୋଇ ଇଭାଙ୍କ ଆଗରେ ସବୁ କଥା ହୁଏତ ପ୍ରକାଶ କରି ଦେଇପାରେ । ଦୟାକରି ମତେ ମୋ ବାଟରେ ଛାଡ଼ିଦିଅ । ତମକୁ ଅନୁରୋଧ, ଜୀବନରେ କୌଣସି ଦିନ ମୋର ଭଲମନ୍ଦ ନେଇ ମୁଣ୍ଡ ଖେଳାଇବ ନାହିଁ ।

 

ନିଶ୍ଚୁପ ହୋଇଗଲେ ସୁଖେନ୍ଦୁ । ଦ୍ରାକ୍ଷା ନିଜ ଭିତରେ ଜଳି ଜଳି ବସି ରହିଲା । ସୁଖେନ୍ଦୁ କଥାର ମୋଡ଼ ଘୂରାଇ ଦେଇ ପ୍ରଶ୍ନ କଲେ ଶୁଣିଲି, ଗାଁର ସବୁ ଜମି, ଘରଦ୍ୱାର ବିକ୍ରୀ କରି ମୋ ପାଖକୁ ଆସିବା ପାଇଁ ଟଙ୍କା ଯୋଗାଡ଼ କରିଛ ।

 

–ଏ ସବୁ ମୁଁ କିଛି ଜାଣେନା । ଏ ସବୁ ମାଆଙ୍କର କାମ । ମାଆ ଭାବିଥିଲେ ତାଙ୍କ ପୁଅକୁ ଫେରାଇନେଲେ ପୁଣି ଥରେ ସେ ଘରଦ୍ଵାର କିଣି ପକାଇବେ । ଦ୍ରାକ୍ଷା କହିଲା ।

 

ସୁଖେନ୍ଦୁ, ଶାନ୍ତ କଣ୍ଠରେ କହିଲେ ସେ ଯାହା ବି ହେଉ, ଏବେ କମଳେଶର ଦାନ ସେଇ ବଙ୍ଗଳାର ଅର୍ଦ୍ଧେକ ଅଂଶ ହିଁ ତମର । ସଂସାରରେ ମୁଣ୍ଡ ଗୁଞ୍ଜିବାର ଏକମାତ୍ର ସ୍ଥାନ । ସାରାଜୀବନ କମଳେଶର ଦାନ ଉପରେ ହିଁ ଯଦି ବଞ୍ଚିବାକୁ ହେବ...

 

–କାହାରି ଦାନ ଉପରେ ମୁଁ ବଞ୍ଚିବାକୁ ଚାହେଁ ନାହିଁ । ମୋ ବ୍ୟବସ୍ଥା ମୁଁ କରିନେବି । ଦ୍ରାକ୍ଷା ସେମିତି ଉତ୍ୟକ୍ତ କଣ୍ଠରେ କହିଲା ।

କଥା ଭଳି କାମଟା ଏତେ ସହଜ ନୁହେଁ । ତମେ ଏ ପର୍ଯ୍ୟନ୍ତ ବାସ୍ତବ ସଂସାରର ସଂଘର୍ଷର ମୁକାବିଲା କରିନାହଁ । ସୁନ୍ଦରୀ ନାରୀଟିର ଅସହାୟତାର ଫାଇଦା ଉଠାଇବାକୁ ସଂସାରରେ ଅସାମାଜିକ ବ୍ୟକ୍ତିଙ୍କର ଅଭାବ ନାହିଁ । ମୁଁ ତମପାଇଁ ଚିନ୍ତିତ । ସୁଖେନ୍ଦୁ କହିଲେ ।

ଧନ୍ୟବାଦ । ଦ୍ରାକ୍ଷା ଫୋପାଡ଼ିଲା ଭଳି ଉତ୍ତର ଦେଲା ।

ସୁଖେନ୍ଦୁ ପୂର୍ବଭଳି ଶାନ୍ତ କଣ୍ଠରେ କହିଲେ– ମୁଁ ଜାଣେ ତମେ କମଳେଶର ଦାନ ଉପରେ ବଞ୍ଚି ରହିବାକୁ ପସନ୍ଦ କରିବ ନାହିଁ । ତା’ ଛଡ଼ା ମୋ ଦେଶରେ ମୋର ନିଜର ଘର ଖଣ୍ଡିଏ ହେଇ କିଛି ତ ରହିବା ଆବଶ୍ୟକ । ଇଭାଙ୍କୁ ନେଇ ମୁଁ ହୁଏତ କେବେ ଇଣ୍ଡିଆ ବୁଲି ଯାଇପାରେ । ସେତେବେଳେ ରହିବି କେଉଁଠି ? ନିଜର ଜନ୍ମସ୍ଥାନକୁ ଯାଇ ହୋଟେଲରେ ରହିବି ?

ଦ୍ରାକ୍ଷା ସହଜ କଣ୍ଠରେ କହିଲା– କମଳେଶ ବଙ୍ଗଳାର ଅର୍ଦ୍ଧେକ ଅଂଶ ତମ ନାମରେ କରି ଦେଇଛନ୍ତି । ଆଇନତଃ ସେଇ ଅଂଶର ମାଲିକ ତମେ । ତମ ଘରେ ତମେ ରହିବ ।

ସୁଖେନ୍ଦୁ, କହିଲେ କମଳେଶ ଦିନେ ମୋର ବନ୍ଧୁ ଥିଲା । ଆଜି ସେ ମୋର ଶତ୍ରୁ । ତମ ପ୍ରତି ଅବିଚାର କରି ମୁଁ ତାର ସ୍ନେହଶ୍ରଦ୍ଧା ହରାଇଛି । ତାର ଦାନ ଆଉ ଗ୍ରହଣଯୋଗ୍ୟ ନୁହେଁ । ତେଣୁ ସେ ବଙ୍ଗଳାର ଅର୍ଦ୍ଧେକ ଅଂଶର ମୂଲ୍ୟ କମଳକୁ ବାଧ୍ୟ କରି ଦେଇ ଦେଇଛି । ଅର୍ଥାତ୍ ମୁଁ ସେଇ ଅଂଶତକ କିଣି ନେଲି ବୋଲି ଭାବ । ତମେ ମାଆ ସହ ସେଠାରେ ହିଁ ରହିବ ।

–ଠିକ୍ ଅଛି । ତମର ବଦାନ୍ୟତା ଚିରଦିନ ମନେ ରହିବ । ଅନ୍ୟ କିଛି ବ୍ୟବସ୍ଥା ନ କରିବା ଯାଏ ମୁଁ ସେଠାରେ ରହିବି । ତମ ଘର ତ ଆଉ ମୋ ଘର ହେଇ ନାହିଁ ? ପୁରୁଷର ମନ ବଦଳିଗଲେ ସ୍ତ୍ରୀର ଭାଗ୍ୟ ବଦଳିଯାଏ; ତା ସଙ୍ଗେ ସଙ୍ଗେ ଘର ବି ବଦଲାଇବାକୁ ପଡ଼େ । ପୁରୁଷର ମନ ବଦଳିବାଟା କେତେ ସହଜ ! କହୁ କହୁ ଦ୍ରାକ୍ଷାର ଆଖି ଅଶ୍ରୁପୂର୍ଣ୍ଣ ହୋଇଗଲା । ସୁଖେନ୍ଦୁ, ଦୀର୍ଘଶ୍ଵାସ ଛାଡ଼ିଲେ ।

ଦ୍ରାକ୍ଷା ବ୍ୟଥିତ କଣ୍ଠରେ କହିଲା– ମୁଁ ଏଠାକୁ ଆସି ତମ ମନକୁ ଭାରାକ୍ରାନ୍ତ କରିଛି । ଆସିବା ଆଗରୁ ଏମିତି କଥା କଳ୍ପନା କରିଥିଲେ ମୁଁ ଆସି ନ ଥାନ୍ତି । ଏ ସବୁ ତ ମୋ କଳ୍ପନା ବାହାରର କଥା । ତମକୁ ଅସୁବିଧାରେ ପକାଇ ମୁଁ ଅନୁତାପ କରୁଛି । ଆଉ ମାତ୍ର ଦୁଇଟା ଦିନ । ତାପରେ ହୁଏତ ଆଉ ଭେଟ ହେବ ନାହିଁ । ତମେ ଯଦ ମାଆଙ୍କୁ ଦେଖିବା ପାଇଁ ଯାଅ ସେଇ ହେବ ଆମର ଶେଷ ଦେଖା । ତାପରେ ତମେ ବା ଆଉ ଇଣ୍ଡିଆ ଯିବ କାହିଁକି ?

ସୁଖେନ୍ଦୁ, ଉଠି ଆସିଲେ ଦ୍ରାକ୍ଷା ନିକଟକୁ। ତାର ଥର ଥର କମ୍ପିତ ହାତ ପାପୁଲିକୁ ମୁଠାଇ ଧରିଲେ ଆବେଗରେ । ଭିଜା ଭିଜା ଗଳାରେ କହିଲେ– ଏମିତି ଘଟଣାଟିଏ ଘଟିଯିବା ପରେ ଇଭାଙ୍କୁ ବିବାହ କରିବାକୁ ମୁଁ ବାଧ୍ୟ ହେଲେ ମଧ୍ୟ ତମ ପାଇଁ ମୁଁ ଅନେକ ସମୟରେ ଝୁରିହୁଏ ନୀରବରେ । ଇଭା ଖୁବ୍ ଭଲ ଝିଅ । ସେ ମତେ ସୁଖୀ କରିଛି । ତା ସତ୍ୱେ ମୁଁ ତମ ପାଇଁ ବ୍ୟଥା ପାଏ। କୁହ–ଜୀବନର ଶେଷଥର ପାଇଁ ମୁଁ ତମର କ’ଣ କରିପାରେ ?

ଦ୍ରାକ୍ଷାର ଇଚ୍ଛାହେଲା ସ୍ଵାମୀଙ୍କର ପ୍ରଶସ୍ତ ବୁକୁରେ ମାତ୍ର ଥରକ ପାଇଁ ମୁଣ୍ଡ ରଖି ମନ ଭରି କାନ୍ଦି ନିଅନ୍ତି । ହୃଦୟର ବୋଝକୁ ଲଘୁ କରି ନିଅନ୍ତା ।

ଦ୍ରାକ୍ଷା ସୁଖେନ୍ଦୁଙ୍କର ସୁନ୍ଦର ମାୟାଭରା ଆଖି ଦୁଇଟା ଭିତରେ ନିଜକୁ ହଜାଇଦେଇ ଭାବପ୍ରବଣ ହୋଇ ଉଠିଲା । ଅନୁନୟଭରା ସ୍ୱରରେ କହିଲା– ଗୋଟିଏ ମାତ୍ର ଅନୁରୋଧ କରିବି ଜୀବନର ଶେଷଥର ପାଇଁ । ଦ୍ରାକ୍ଷା ଚୁପ୍ ହୋଇଗଲା । କିଛି କହିବା ପାଇଁ ଚୁହୁଁଥିଲେ ବି କହିପାରୁ ନ ଥିଲା ଯେମିତି ।

 

କୁହ ଦ୍ରାକ୍ଷା । ଅନ୍ତତଃ ମତେ ଟିକେ ଶାନ୍ତି ମିଳିବ । ଅଧୀର ଆବେଗରେ କହି ପକାଇଲେ ସୁଖେନ୍ଦୁ ।

 

ଦ୍ରାକ୍ଷା ଭାବିଲା ସୁଖେନ୍ଦୁଙ୍କର ସମସ୍ତ ଭାବପ୍ରବଣତା, ସମସ୍ତ ଆବେଗ ନିଜକୁ କେନ୍ଦ୍ରକରି-। ନିଜେ ଟିକେ ଶାନ୍ତି ପାଇବା ପାଇଁ ଓ ଇଭାଙ୍କୁ ନେଇ ନିରଙ୍କୁଶ ସୁଖ ସ୍ଵପ୍ନରେ ହଜିଯିବା ପାଇଁ ସେ ଛଟପଟ୍ ହେଉଛନ୍ତି ।

 

ସେ ନିଥର କଣ୍ଠରେ କହିଲା ଇଭାଙ୍କୁ ସୁଖୀ କରିବ । ସେ ଭଲ ଝିଅଟିଏ । ତାଙ୍କର କିଛି ଦୋଷ ନାହିଁ । ଯେକୌଣସି ପୁରୁଷର ପ୍ରେମାସ୍ପଦ ହେବାଭଳି ଉପାଦାନ ତାଙ୍କଠାରେ ଅଛି । ଏତିକି ମୋର ଅନୁରୋଧ, ମୋ ଭଳି ସୁଖସ୍ୱପ୍ନକୁ ପୋଡ଼ିଜାଳି ଭସ୍ମ କରିବ ନାହିଁ ।

 

ସୁଖେନ୍ଦୁ ଆଘାତ ପାଇଗଲେ । ଅଭିଯୋଗଭରା କଣ୍ଠରେ କହିଲେ– ବାସ ଏତିକି ! ତମ ନିଜ ପାଇଁ କିଛି କହିବାର ନାହିଁ ?

 

ଦ୍ରାକ୍ଷା ଅବସନ୍ନ ଭଙ୍ଗୀରେ ସୁଖେନ୍ଦୁଙ୍କୁ ଚାହିଁଲା । ତାଙ୍କର ସେଇ ପ୍ରଶସ୍ତ ବୁକୁରେ ମଥାରଖି କ୍ଲାନ୍ତି ମେଣ୍ଟାଇ ନେବାର ଦୁର୍ବାର କାମନା ବଳବତ୍ତର ହେଉଛି । ଅଥଚ ସେଥିପାଇଁ ତାଙ୍କର ଅନୁମତି ନେବାକୁ ହେବ । ନଚେତ୍ ସେ ଖରାପ ଭାବିପାରନ୍ତି । ଭାବିପାରନ୍ତି ଇଭାଙ୍କଠାରୁ ତାଙ୍କୁ ଛଡ଼ାଇ ନେବାପାଇଁ ସେ ତାଙ୍କୁ ପ୍ରଲୋଭିତ କରୁଛି ବୋଲି ।

 

ଦ୍ରାକ୍ଷା ମନ ସ୍ଥିର କରିନେଲା । ହୃଦୟର ଦୁଃଖଭରା ଲାଘବ କରିବା ପାଇଁ ତାଙ୍କର ଆଉ ଏ ସଂସାରରେ ବିଶ୍ୱସ୍ତ ସାଥିଟିଏ କାହିଁ ? ସୁଖେନ୍ଦୁ ହୃଦୟହୀନ ହେଲେ ମଧ୍ୟ ତାର ସ୍ୱାମୀ ଥିଲେ । ତା ହୃଦୟର ସ୍ପନ୍ଦନ, ତା ବୁକୁର ଭାଷା ତାଙ୍କଠାରୁ ଅଧିକ ବୁଝିବ କିଏ ? ହୃଦୟକୁ ହାଲୁକା କରି ନ ଦେଲେ ସେ ନିଜ ମନର ଭାରସାମ୍ୟ ରକ୍ଷା କରିପାରିବ ନାହିଁ ।

 

ସେ ଲଜ୍ଜାଜଡ଼ିତ କଣ୍ଠରେ କହିଲା ତମ ଛାତିରେ ମାତ୍ର ଥରକ ପାଇଁ ମୁଣ୍ଡ ରଖିବାର ଅନୁମତି ଦେବ ? କହୁ କହୁ ଝର ଝର କାନ୍ଦି ପକାଇଲା ଦ୍ରାକ୍ଷା । ସ୍ଵାମୀଙ୍କଠାରୁ ଏମିତି ଏକ ଅନୁମତି ମାଗିବାଠାରୁ ଦୁଃଖ ଆଉ କ’ଣ ଥାଇପାରେ ନାରୀ ଜୀବନରେ !

 

ସୁଖେନ୍ଦୁ ଆବେଗରେ ଦ୍ରାକ୍ଷାକୁ ଆଲିଙ୍ଗନ ଭିତରକୁ ଟାଣି ନେଉ ନେଉ ବାଷ୍ପାକୁଳ କଣ୍ଠରେ କହିଲେ–ଏଥିପାଇଁ ଅନୁମତି ମାଗି ମତେ ତମେ କେତେ ଦୂରକୁ ଠେଲିଦେଲ ତା ମୁଁ ବୁଝିଛି ଦ୍ରାକ୍ଷା । ତମ ମନର ସୀମା ଭିତରେ ମୁଁ ଆଉ ନାହିଁ । ମୋ ଭଳି ପାଷାଣ୍ଡର ତାହା ହିଁ ପ୍ରାପ୍ୟ-। ସୁଖେନ୍ଦୁଙ୍କର ଲୁହଧାର ଦ୍ରାକ୍ଷାର ଗଣ୍ଡଦେଶରେ ଉତ୍ତପ୍ତ ଲଭାସ୍ରୋତ ପରି ଝରିପଡ଼ିଲା ।

 

ଦ୍ରାକ୍ଷା ମନଭରି କାନ୍ଦି ଉଠିଲା ସୁଖେନ୍ଦୁଙ୍କ ବୁକୁରେ ମଥା ରଖି । ତାର ଆଉକିଛି ଲୋଡ଼ା ନାହିଁ । ତା ହୃଦୟର ବୋଝକୁ ସୁଖେନ୍ଦୁଙ୍କ ବୁକୁରେ ଢାଳିଦେଇ ସେ ଏଥର ଫେରିଯିବ ହାଲୁକା ମନରେ ।

 

ଦ୍ରାକ୍ଷାର ଅଶ୍ରୁସିକ୍ତ କରୁଣ ମୁଖଟିକୁ ଦୁଇ ହାତରେ ତୋଳିଧରି ସୁଖେନ୍ଦୁ ଗଭୀର ଆବେଗରେ ତାର ଅଧରରେ ଚୁମ୍ବନର ରେଖାଟିଏ ଆଙ୍କି ଦେଉ ଦେଉ ଅନୁଭବ କଲେ, ଯେଉଁ ଅଧରର ମଧୁରତା ତାଙ୍କୁ ଦିନେ ଉତ୍ତାଳ କରୁଥିଲା, ତାହା ଆଜି ଅଶ୍ରୁର ସ୍ପର୍ଶରେ ଲବଣାକ୍ତ, ଶୀତଳ, ନିସ୍ପନ୍ଦ । ଦ୍ରାକ୍ଷାର ମନତଳେ ତାଙ୍କ ପାଇଁ ଅଜସ୍ର ଅଭିଯୋଗ ଅଛି– ଅଶେଷ ଅଭିମାନ ଅଛି, ମାତ୍ର ଆଉ ଉଷ୍ମତା ନାହିଁ । ସେ ଦ୍ରାକ୍ଷାର ଅଧରରେ ଉଷ୍ମତା ଖୋଜୁ ଖୋଜୁ ଦ୍ରାକ୍ଷା ନିଜକୁ ମୁକ୍ତ କରିନେଲା ତାଙ୍କଠାରୁ ।

 

ଘୃଣିତ କଣ୍ଠରେ କହିଲା– ଇଭାଙ୍କ ପ୍ରତି ଅନ୍ୟାୟ କଲେ ସେ ତମକୁ ସହଜରେ ଛାଡ଼ିଦେବେ ନାହିଁ । ମନେରଖ, ସମସ୍ତେ ଦ୍ରାକ୍ଷା ନୁହଁନ୍ତି । ସବୁ ଝିଅଙ୍କୁ ନେଇ ଖେଳିହୁଏ ନାହିଁ ।

 

ସୁଖେନ୍ଦୁଙ୍କୁ ପଛକରି ଗେଷ୍ଟରୁମ୍‌କୁ ପଳାଇଗଲା ଦ୍ରାକ୍ଷା । ଭିତରୁ କବାଟ କିଳି ଦେଲା । କାଠଖୋଦେଇ ମୂର୍ତ୍ତିଟିଏ ଭଳି ଅନେକ ସମୟ ଧରି ନିଶ୍ଚଳ ଭାବେ ଠିଆହୋଇ ରହିଲେ ସୁଖେନ୍ଦୁ ।

 

ଦ୍ରାକ୍ଷା ସାଧାରଣ ଝିଅଟିଏ ନୁହେଁ । ତାର ବାହାରଟା ଯେତିକି କୋମଳ ଭିତରଟା ସେତିକି କଠୋର । ତା ଭଳି ଅଭିମାନୀ ଝିଅଟିଏ ସଂସାରରେ ନାହିଁ । ତା ହୃଦୟରେ ଅଭିମାନ– ସାଗରର ଥଳକୂଳ ନାହିଁ । ଏତେଗୁଡ଼ାଏ ଅଭିମାନ ନେଇ ସେ ଏ ବାସ୍ତବ ସଂସାରରେ ବାଟ ଚାଲିବ କେମିତି ?

 

କମଳେଶ ଓ ଦ୍ରାକ୍ଷା ଫେରିଆସିଲେ ନିଜ ସହରକୁ । ଇଭା ଅସୁସ୍ଥତା‌ ଯୋଗୁ ଆସିପାରି ନ ଥିଲେ ସି ଅଫ୍ କରିବାକୁ । ସୁଖେନ୍ଦୁ ଏକା ଆସିଥିଲେ । ଦ୍ରାକ୍ଷା ବିଦାୟର ସେଇ କରୁଣ ମୁହୂର୍ତ୍ତରେ ଭୁଲି ଯାଇଥିଲା ସେ ସୁଖେନ୍ଦୁ, ଆଉ ତାର ସ୍ଵାମୀ ନୁହନ୍ତି । ସେ ବିହ୍ୱଳିତ ଭାବେ ସୁଖେନ୍ଦୁଙ୍କର ଗୋଟାଏ ହାତକୁ ଚାପିଧରି ପ୍ରୀତି ସୋହାଗଭରା ବ୍ୟାକୁଳିତ କଣ୍ଠରେ କହିଲା ନିଜ ପ୍ରତି ଯତ୍ନଶୀଳ ହେବ । ମଝିରେ ମଝିରେ ତମର ସୁ ଖବର ଜଣାଇବାକୁ ଭୁଲିବ ନାହିଁ । ତମର ନୀରବତା ଏତେଦୂରରୁ ବଡ଼ କଷ୍ଟ ଦିଏ । ନାନା ଅଶୁଭ ଆଶଙ୍କାରେ ମନ ଛଟ୍‌ପଟ୍ ହୁଏ...

 

ସୁଖେନ୍ଦୁ, ଲଜ୍ଜିତ ଭଙ୍ଗୀରେ ଓ ଅଭିମାନଭରା କଣ୍ଠରେ କହିଲେ– ମୋର ସୁ ଖବର ଜାଣିବା ପାଇଁ ତମେ ଆଉ ଆତୁର ହେବ ନାହିଁ ଦ୍ରାକ୍ଷା । ମୋ ପାଇଁ ତମେ ବ୍ୟସ୍ତ ହେବ ନାହିଁ । ମୁଁ ତମର ସେଇ ସ୍ୱାମୀ ସୁଖେନ୍ଦୁ ନୁହେଁ....

 

ମୁଁ ଏକ ପାଷାଣ୍ଡ, ମୁଁ ଇଭାର ସ୍ୱାମୀ–

 

ଦ୍ରାକ୍ଷାର ଆଖିରୁ ଲୁହ ଦୁଇଧାର ଖସି ଆସିଲା । ସେ କମ୍ପିତ କଣ୍ଠରେ କହିଲା– ତମେ ଯାହାହେଲେ ବି ଯେଉଁଠି ଥିଲେ ମଧ୍ୟ ଏ ଅବାଧ୍ୟ ମନ ତମପାଇଁ ସତତ ଶଙ୍କାକୁଳ ହେବ । ତମର ସୁଖବର ପାଇଁ ଏ ମନ ଚାତକିନୀ ହେବ, ଏଥିରେ ସନ୍ଦେହ ନାହିଁ । ଏ କଥା ଯେମିତି ଭୁଲି ନ ଯାଅ-। ମା’ଙ୍କୁ ଦେଖିବା ପାଇଁ ଥରଟିଏ ଆସିବ– ଅନ୍ତତଃ ସେଇ ଥରକ....

 

ସୁଖେନ୍ଦୁ ମୁଣ୍ଡହଲାଇ ସମ୍ମତି ଦେଉ ଦେଉ ନିଜର ଉଦ୍‌ଗତ କୋହକୁ ଚିପିନେଲେ । ଦ୍ରାକ୍ଷାର ଗୋଟିଏ ହାତକୁ ଧରି ବିହ୍ୱଳିତ କଣ୍ଠଲେ ମୋ ଉପରେ ଅଭିମାନ କରି ଜୀବନଟାକୁ ଛାରଖାର କରିଦେବ ନାହିଁ, ଏତିକି ମୋର ଶେଷ ଅନୁରୋଧ ।

 

ଦ୍ରାକ୍ଷା ଆଖିରୁ ଲୁହଧାର ଝର ଝର ହୋଇ ଝରିପଡ଼ିଲା ।

 

କମଳେଶଙ୍କ ଦୁଇହାତକୁ ଜାବୁଡ଼ି ଧରି ସୁଖେନ୍ଦୁ, ବ୍ୟାକୁଳ କଣ୍ଠରେ କହିଲେ– ଦ୍ରାକ୍ଷା ତତେ ଲାଗିଲା । ତାର କିଛି ଗୋଟାଏ ବ୍ୟବସ୍ଥା କରିବୁ । ତାର ଏ ଅଭିମାନ ସବୁଦିନ ରହିବ ନାହିଁ-। ତାକୁ ବୁଝାଇବା ଦାୟିତ୍ୱ ତୋର । ମୋର ଅନେକ ଭୁଲ୍‌କୁ ତୁ ସୁଧାରି ନେଇଛୁ । ଏଇଟା ମୋ ଜୀବନର ଚରମ ଆଉ ସର୍ବଶେଷ ଭୁଲ । ତୋ ଉପରେ ସବୁ ଛାଡ଼ିଦେଲି ।

 

କମଳେଶ କିନ୍ତୁ ଜବାବ ଦେଲେ ନାହିଁ ।

 

ପ୍ଲେନ ଆକାଶ ଛୁଇଁବାର ଅନେକକ୍ଷଣ ଯାଏ ଦ୍ରାକ୍ଷାଙ୍କ ଆଖିରୁ ଝର ଝର ଲୁହ ଝରୁଥିଲା-। କମଳେଶଙ୍କର ମନ ସୁଖେନ୍ଦୁ, ପ୍ରତି ଘୃଣା ଓ ବିଦ୍ୱେଷରେ ଭାରିଯିବା ସଙ୍ଗେ ସଙ୍ଗେ ଦ୍ରାକ୍ଷାଙ୍କ ପ୍ରତି ସହାନୁଭୁତି ଓ ସ୍ନେହଭାରରେ ଦ୍ରବୀଭୁତ ହୋଇଗଲା । ଏଇ ନାରୀଟିର ପାଷାଣ ସ୍ୱାମୀଟି ପ୍ରତି ଅଗାଧ ପ୍ରେମ ତାଙ୍କୁ ଅଭିଭୂତ କରିଦେଲା । ସେ ଚାହିଁଥିଲେ ଏଇ ନାରୀଟିର ସ୍ଵାମୀ ହୋଇ ସ୍ୱର୍ଗୀୟ ପ୍ରେମର ଅଧିକାରୀ ହୋଇପାରିଥାନ୍ତେ । ଏଇ ଭାବନାରେ ତାଙ୍କର ପୁରୁଷ–ପ୍ରାଣରେ ଦ୍ରାକ୍ଷାଙ୍କ ପାଇଁ ଅଜସ୍ର ଦୁର୍ବଳତାର ଫୁଲ ଫୁଟିଉଠିଲା ।

 

ଦ୍ରାକ୍ଷା ଓ କମଳେଶଙ୍କ ସଙ୍ଗେ ସୁଖେନ୍‌କୁ ନ ଦେଖି ଶାଶୁ ଅନେକ କିଛି ଅନୁମାନ କରିନେଲେ । ଦ୍ରାକ୍ଷାଙ୍କର ନାନା କାଳ୍ପନିକ କୈଫିୟତ– କମଳେଶଙ୍କ ମିଥ୍ୟା ବର୍ଣ୍ଣନା ଚାତୁରୀ ତାଙ୍କର ମାତୃହୃଦୟର ଅସଂଖ୍ୟ ବ୍ୟାକୁଳ ପ୍ରଶ୍ନର ସନ୍ତୋଷ–ଜନକ ଉତ୍ତର ହେଲାନାହିଁ । ସେ ସେଇ ଦିନଠାରୁ ଶଯ୍ୟାଶାୟିନୀ ହେଲେ । ଧୀରେ ଧୀରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେଲା । ଶାଶୁଙ୍କର ସେବାରେ ଦ୍ରାକ୍ଷା ତ୍ରୁଟି କଲାନାହିଁ । ଶାଶୁଙ୍କର ମନକୁ ପ୍ରଫୁଲ୍ଲିତ ରଖିବାପାଇଁ ତାଙ୍କୁ ନାନା ମିଥ୍ୟା ପ୍ରବୋଧନା ଦେଲେ । ନିଜ ହୃଦୟର ହାହାକାରକୁ ଗୋପନ ରଖି ସୁଖେନ୍ଦୁଙ୍କର ସୁଖମୟ ଜୀବନର କଥା, ଯଶ, ଅର୍ଥ ଓ ଆରାମଦାୟକ ଜୀବନର କାହାଣୀ ବର୍ଣ୍ଣନା କରିବାକୁ ଲାଗିଲେ । କିଛିଦିନ ପରେ ସୁଖେନ୍ଦୁ ଆସିବେ ବୋଲି ମିଥ୍ୟା ପ୍ରତିଶ୍ରୁତି ବି ଦେଲେ । ଶାଶୁ ତଥାପି ସନ୍ତୁଷ୍ଟ ହେଲେ ନାହିଁ-। ସେ କହିଲେ– ସୁଖ, ଧନ,ଐଶ୍ୱର୍ଯ୍ୟ ଦେଖି କେହି କ’ଣ ମାଆକୁ ଭୁଲିଯାଏ ? ଗରିବ ମାଆର ପୁଅଟି କ’ଣ ଧନୀଘରେ ପୋଷିଆ ପୁଅ ହୋଇ ରହିବାକୁ ସୁଖପାଏ ? ନିଜ ଦେଶରେ ଧନ ମିଳିବ ନାହିଁ ବୋଲି ପରଦେଶରେ ଧନକୁ କାମୁଡ଼ି ଯେ ଦେଶ, ଗାଁ, ଭୂଇଁ, ଜନ୍ମକଲା ମାଆକୁ ଭୁଲିଯାଏ ସେ ମଣିଷ ନୁହେଁ । ସୁଖେନ୍ଦୁ, ମଣିଷ ହେଲା ନାହିଁ । ବେଶି ପାଠ ପଢ଼ି ପାଷାଣ୍ଡ ହୋଇଗଲା ।

 

ସୁଖେନ୍ଦୁ ମଧ୍ୟ ତା ପରଠୁ ନୀରବ । ଦ୍ରାକ୍ଷାଙ୍କର ଚିଠି, କମଳେଶଙ୍କ ଟେଲିଗ୍ରାମର ଜବାବ ନାହିଁ । କମଳେଶ ଅଜସ୍ର ପଇସା ଖର୍ଚ୍ଚ କରୁଛନ୍ତି ମାଆଙ୍କର ସ୍ୱାସ୍ଥ୍ୟ ଫେରାଇ ଆଣିବାପାଇଁ । ବୁଢ଼ୀ କହନ୍ତି, କମଳେଶ ହିଁ ତାଙ୍କର ପୁଅ । ସୁଖେନ୍ଦୁ ତ ପର ଦେଶକୁ ପୋଷ୍ୟପୁତ୍ର ହୋଇଯାଇଛି । ତା କଥା ଭାବି ଲାଭ ନାହିଁ ।

 

ତାପରେ ଶାନ୍ତା ଦିନେ ଆସିଲା ମାଆଙ୍କୁ ଶଙ୍ଖାଳିବା ପାଇଁ । ଶାନ୍ତା ଆସିବା ପରେ ସୁଖେନ୍ଦୁଙ୍କ ଦ୍ୱିତୀୟ ପତ୍ନୀ ଗ୍ରହଣ କଥା ମାଆଙ୍କୁ ଅଗୋଚର ରହିଲା ନାହିଁ । ଶାନ୍ତା ଦିଅରର ବିଲାତଫେରନ୍ତା ବନ୍ଧୁ ସବୁକଥା ଶାନ୍ତା ଆଗରେ କହିଛି । ମାଆଙ୍କର ଏତେଦିନର ଆଶଙ୍କା ସତ୍ୟ ପ୍ରମାଣିତ ହେଲା ।

 

ଦ୍ରାକ୍ଷାଙ୍କର ସେଦିନ ମାଆ କଥାଟା ପଚାରିଦେବା ମାତ୍ରେ ଦ୍ରାକ୍ଷାଙ୍କର ଏତେଦିନର ଧୈର୍ଯ୍ୟ– ବନ୍ଧ ଭାଙ୍ଗି ଗଲା । ଦ୍ରାକ୍ଷା ସେଦିନ ମାଆଙ୍କ ଛାତିରେ ମୁଣ୍ଡ ରଖି ଅବୁଝା ଝିଅଟି ଭଳି କାନ୍ଦିଥିଲା । ମାଆ ମଧ୍ୟ ସେଦିନ ବୋହୁକୁ କୁଣ୍ଢେଇ କାନ୍ଦିଥିଲେ । ମାଆଙ୍କର ସେଇ ଗୋଟିଏ ଚିନ୍ତା–କ’ଣ ହେବ ଦ୍ରାକ୍ଷାର ? କାହାକୁ ସମ୍ବଳ କରି ସେ ବଞ୍ଚିବ ? ସୁଖେନ୍ଦୁଙ୍କର ଅଧୋଗତି ପାଇଁ ତାଙ୍କ ମାତୃହୃଦୟରେ ବ୍ୟଥା ଜାଗିଥିଲେ ବି ଦ୍ରାକ୍ଷାଙ୍କର ଭବିଷ୍ୟତ ଚିନ୍ତା ତାଙ୍କୁ ଅଧିକ ଆତୁର କରୁଥିଲା । ତାକୁ ଚତୁର୍ଦ୍ଦିଗ ଅନ୍ଧକାର ମନେ ହେଉଥିଲା ।

 

କମଳେଶଙ୍କୁ ସେଇକଥା ସେ ପଚାରିଥିଲେ । ବୁଦ୍ଧି ମାଗିଥଲେ । କମଳେଶ କହିଲେ– ଦ୍ରାକ୍ଷାଂକର ଆଉ ଥରେ ବିବାହ କରିଯିବା ଉଚିତ ନୁହେଁ କି ? ଆଜିକାଲି ଏ ସବୁ ତ ଆମ ସମାଜରେ ଖୁବ୍ ଚାଳିଲାଣି । ଦ୍ରାକ୍ଷା ବୟସର ଝିଅ ଏବେ ବି ଅବିବାହିତ ଅଛନ୍ତି । ଦ୍ରାକ୍ଷାର ଦୀର୍ଘ ଜୀବନ ପାଇଁ ଅବଲମ୍ବନ ବା କ’ଣ ଅଛି ? କାହାକୁ ଆଶ୍ରୟ କରି ସେ ବଞ୍ଚିବ ? ଦ୍ରାକ୍ଷାର ବୟସ ଓ ରୂପ ହିଁ ତାର ଜୀବନଯାତ୍ରାକୁ କଣ୍ଟକିତ କରି ତୋଳିବ । ଦ୍ରାକ୍ଷାର ନିଃସଙ୍ଗ ଜୀବନର ଫାଇଦା ଉଠାଇବାପାଇଁ ଏ ସଂସାରରେ ଖଳନାୟକଙ୍କର ଅଭାବ ନାହିଁ । ଦ୍ରାକ୍ଷା ଯେତେ ନିଷ୍ପଳଙ୍କ ହେଲେ ବି ତାଙ୍କର ନିର୍ମଳତାରେ କଳଙ୍କର କାଳିମା ଲାଗିବ । ସଂସାରରେ ତାର ନିନ୍ଦା ରଖିବ । ତା ଅପେକ୍ଷା ଦ୍ରାକ୍ଷା ପୁନର୍ବିବାହ କରି ସୁଖର ସଂସାରଟିଏ ଗଢ଼ିବା କ’ଣ ଶ୍ରେୟ ନୁହେଁ ?

 

ବୁଢ଼ୀ କମଳେଶଙ୍କ କଥାର ସତ୍ୟତା ଅନୁଭବ କରିଥିଲେ । କଥାଟା ଏକବାର ସତ୍ୟ । ସୁଖେନ୍‌ର ବାପା ତାଙ୍କୁ ଏକା କରି ଛାଡ଼ିଯିବା ବେଳେ ତାଙ୍କର ବୟସ ବତିଶ୍‌ । ତିନୋଟି ସନ୍ତାନର ସେ ଜନନୀ । ତଥାପି ତାଙ୍କର ରୂପ ମଉଳି ନ ଥିଲା । ସେଇ ରୂପ ଲୋଭରେ ତାଙ୍କ ଜୀବନକୁ ଦୁର୍ବିସହ କରିବାକୁ ଗାଁରେ ପୁରୁଷଙ୍କର ଅଭାବ ନ ଥିଲା । ତାଙ୍କ ଦାମ୍ଭିକତାର ପ୍ରତିବଦଳରେ ତାଙ୍କ ନାମରେ କଳଙ୍କ ରଚିଥିଲା । ସେ ଝଡ଼କୁ ମୁଣ୍ଡପାତି ସହିନେବାପାଇଁ ତାଙ୍କୁ ଶକ୍ତିଦାନ କରିଥିଲେ ଶାନ୍ତି, କାନ୍ତା ଓ ସୁଖେନ୍‌ । ବୟସ ଗଡ଼ିଥିଲା, ଝଡ ଥମିଥିଲା । ପିଲାଙ୍କୁ ମଣିଷ କରିବା ନିଶାରେ ସେ ଝଞ୍ଜାକୁ ଖାତିର୍ କରି ନ ଥିଲେ । କିନ୍ତୁ ଦ୍ରାକ୍ଷା କାହାକୁ ଭରସା କରି ଝଡ଼ର ସାମ୍ନା କରିବ ? ଦ୍ରାକ୍ଷା ଏବେ ବି ଜନନୀ ହୋଇନାହିଁ କେତେ ବା ବୟସ ତାର ? ସୁଖେନ୍‌‌ର ନୀଚ ପ୍ରତାରଣା-ହୀନ ବିଶ୍ୱାସଘାତକତା ପାଇଁ ଦ୍ରାକ୍ଷା କାହିଁକି ତିଳ ତିଳ ହୋଇ ଜୀବନ ବଳି ଦେବ ?

 

ହେଲେ ଦ୍ରାକ୍ଷାକୁ ସେ କଥା କିଏ କହିବ ? ଝିଅଟାର ମନର ବଳ ବୁଢ଼ୀ ପରଖିଛନ୍ତି । ତା’ଛଡ଼ା ସେମିତି ଯୋଗ୍ୟର ପିଲାଟିଏ କିଏ ଆଗେଇ ଆସିବ ସୁଖେନ୍‌ର ପରିତ୍ୟକ୍ତା ପତ୍ନୀକୁ ଗ୍ରହଣ କରିବା ପାଇଁ ? ବୁଢ଼ୀ ନିଜର ମନକଥା ପ୍ରକାଶ କରିଥିଲେ କମଳେଶ ପାଖରେ । କମଳେଶ କହିଥିଲେ, ଦ୍ରାକ୍ଷାର ମନ ପରିବର୍ତ୍ତନ କରାଇ ପାରିଲେ ପାତ୍ରର ଅଭାବ ହେବ ନାହିଁ । ଦ୍ରାକ୍ଷା ଭଳି ସର୍ବଗୁଣ ସମ୍ପର୍ଣ୍ଣା ପତ୍ନୀଟିଏ ପାଇବା କେତେଜଣଙ୍କର ଭାଗ୍ୟରେ ଥାଏ ? ବୁଢ଼ୀ ନିଜ ମନର ସଂସ୍କାରକୁ କାଢ଼ି ଫିଙ୍ଗି ଦେଇଥିଲେ ଦ୍ରାକ୍ଷାକୁ ସୁଖୀ କରିବା ପାଇଁ । ତାଙ୍କ ରକ୍ତ ସମ୍ମାନର ଅମଣିଷପଣିଆ ପାଇଁ ପରଝିଅକୁ ସେ ଆହୁତି ଦେଇଦେବେ ନାହିଁ । ସେଥିରେ ତାଙ୍କର ଘୋର ପାପ ହେବ । ଦ୍ରାକ୍ଷା ପରଝିଅ ବୋଲି ତା ପାଇଁ ସେ ନିଷ୍ଠୁର ହୋଇପାରିବେ ନାହିଁ ।

 

ସେଦିନ ଶାଶୁ ଦ୍ରାକ୍ଷାକୁ ପାଖରେ ବସାଇ ତାର ହାଡ଼ୁଆ ପିଠିକୁ ସାଉଁଳୁ ସାଉଁଳୁ କହିଲେ– ମାଆ ! ସୁଖେନ୍‌କୁ ଗର୍ଭରେ ଧରି ମୁଁ ନିଜକୁ ଧିକ୍‌କାର କରୁଛି । ଦ୍ରାକ୍ଷା ପାଇଁ ମୋ ଦୁଃଖର ଶେଷ ହେବ ମୁଁ ଆଖି ବୁଜିବା ପରେ ।

 

ଦ୍ରାକ୍ଷା ଶାଶୁଙ୍କୁ ସାନ୍ତ୍ୱନା ଦେବା ପାଇଁ କହିଲେ– ମାଆ, ତମେ ତାଙ୍କ ପାଇଁ ବୃଥାରେ ଦୁଃଖ କରୁଛ ସିନା କିନ୍ତୁ ସେ ସୁଖରେ ଅଛନ୍ତି । ଇଭା ଝିଅଟି ଖୁବ୍ ଭଲ । ଆମ ଦେଶରେ ବହୁ ଝିଅଙ୍କଠାରୁ ଗୁଣର, ମୁଁ ନିଜ ଆଖିରେ ଦେଖିଆସିଛି । ତମେ ବି ନିଜେ ଦେଖିବ । ସେ ଇଭାଙ୍କୁ ନେଇ ନିଶ୍ଚୟ ଆସିବେ ।

 

ଶାଶୁ କହିଲେ– ମୁଁ ସୁଖେନ୍ ର କଥା ତିଳେହେଲେ ଚିନ୍ତା କରୁ ନାହିଁ। ସେ ମୋର କେହି ନୁହେଁ । ମୁଁ ତୋରି କଥା ଭାବୁଛି । ମୁଁ ଆଖି ବୁଜିବା ପରେ ତୋର ଅବସ୍ଥା କ’ଣ ହେବ ? ଏକା ଏକା ତୁ ଚଳିବୁ କେମିତି ? ମୋର ସେଇ ଦିନଟି ଆଉ ବେଶି ଡେରି ନାହିଁ ।

 

ଦ୍ରାକ୍ଷା ଶାଶୁଙ୍କୁ ସ୍ନେହପୂର୍ଣ୍ଣ ଗଳାରେ କହିଥିଲା– ମାଆ ! ତମେ ଶୀଘ୍ର ଭଲ ହୋଇଯିବ । ମୋର ଆଉ ଚିନ୍ତା କ’ଣ ? ତମର ସବୁ ସ୍ନେହ ତ ଏବେ ମତେ ମିଳୁଛି । ଭାଗ ନେବା ପାଇଁ ତମର ପୁଅ ତ ଏଠି ନାହାନ୍ତି । ସେ ଥିବାବେଳେ ତମେ ତ ମତେ ପଚାରୁ ନ ଥିଲ ।

 

ଦ୍ରାକ୍ଷାର ମିଥ୍ୟା ସାନ୍ତ୍ୱନାରେ ଶାଶୁ ବୁଝି ନ ଥିଲେ । ଦ୍ରାକ୍ଷା ମଧ୍ୟ କଥାଟା ମୁହଁରେ କହିଲେ ବି ମନେ ମନେ ଶାଶୁଙ୍କ କଥାର ସତ୍ୟତା ବୁଝି ଶଙ୍କିତ ହୋଇ ପଡ଼ିଥିଲା । ଶାଶୁଙ୍କ ପରେ ସେ ଏ ଘରେ ଏକା ଏକା ଚଳିବ କେମିତି ?

 

ଶାଶୁ ନାନା ଭାବରେ କଥା କହି ଶେଷରେ ଦ୍ରାକ୍ଷାକୁ ପୁନର୍ବିବାହର କଥା କହିଥିଲେ । ସେଥିରେ ତାଙ୍କ ମନରେ ତିଳେହେଲେ କୁଣ୍ଠା ନାହିଁ ବୋଲି ଶପଥ କରିଥିଲେ । ଦ୍ରାକ୍ଷା ଶାଶୁଙ୍କଠାରୁ ଏ କଥା ଶୁଣିବା ପାଇଁ ଆଶା କରି ନ ଥିଲା । ସେ ଅବାକ ହୋଇଗଲା । ସତେ ବା ଶାଶୁ ନୁହଁନ୍ତି, ନିଜର ଜନ୍ମକଲା ମାଆଙ୍କୁ ଦେଖୁଛି ଆଖି ଆଗରେ । ତାର ଆଖି ସଜଳ ହେଲା, ମୁଖ ଅବନତ ହୋଇଗଲା । ସେ ଭାବିଲା, କେତେ ଉଦାର ହୃଦୟ ହେଲେ, ଉଚ୍ଚମନା ହେଲେ ମଣିଷ ନିଜର ବୋହୁକୁ ପୁନଃର୍ବିବାହ ପାଇଁ ବାଧ୍ୟ କରିପାରେ ! ଶାଶୁ ତାଙ୍କର ମାନବୀ ନୁହନ୍ତି, ଦେବୀ । ତାଙ୍କରି ଗର୍ଭରୁ ଜନ୍ମ ହୋଇ ସୁଖେନ୍ଦୁ, ଏପରି ହୋଇପାରିଲେ ! ପୃଥିବୀ କେଡ଼େ ବିଚିତ୍ର ସତେ !

 

ଦ୍ରାକ୍ଷା ବାଷ୍ପାକୁଳ କଣ୍ଠରେ କହିଲା– ମାଆ, ତମକୁ ଛାଡ଼ି ମୁଁ କୁଆଡ଼କୁ ଯିବିନାହିଁ । ତମେ ସେପରି କଥା ମତେ କହି ଅଧିକ ଦୁଃଖ ଦିଅ ନାହିଁ । ମୁଁ ତ ବେଶ୍ ଅଛି ।

 

ଶାଶୁ ଭାବିଥିଲେ ଦ୍ରାକ୍ଷାକୁ ଛାଡ଼ି ସେ ଖୁବ୍‌ ଶୀଘ୍ର ଚାଲିଯିବେ । ତା ପୂର୍ବରୁ ପିଲଟାକୁ ବୁଝାଇଦେବାକୁ ପଡ଼ିବ । ଆଜି ନ ହେଲେ କାଲି ଦ୍ରାକ୍ଷାକୁ ତାଙ୍କ ପ୍ରସ୍ତାବରେ ରାଜି କରାଇବାକୁ ପଡ଼ିବ ।

 

କମଳେଶଙ୍କୁ ଏବେ ଦ୍ରାକ୍ଷାର ପ୍ରତିଟି କଥା ଅପୂର୍ବ ମନେହୁଏ– ଅଥଚ ଏଇ ନାରୀଟି ପ୍ରତି ତାଙ୍କ ମନରେ ଏତେ ଦୁର୍ବଳତା ଥିଲା ବୋଲି ସେ ଏ ପର୍ଯ୍ୟନ୍ତ ଅନୁଭବ କରି ନ ଥିଲେ । ସୁଖେନ୍ଦୁ ଦ୍ରାକ୍ଷାକୁ ପରିତ୍ୟାଗ ନ କରିଥିଲେ ସେ ଏହି ଦୁର୍ବଳତା ଅନୁଭବ କରି ନ ଥାନ୍ତେ । ଦ୍ରାକ୍ଷାକୁ ସେ ବିହ୍ୱଳ ହୋଇ ଚାହିଁ ରହନ୍ତି । ତାଙ୍କର ପୁରୁଷ ମନରେ ଦ୍ରାକ୍ଷାକୁ ପାଇବା ପାଇଁ ପ୍ରବଳ ଆବେଗ ଜାଗି ଉଠେ । ଦ୍ରାକ୍ଷା ତାଙ୍କ ଚାହାଣୀର ଅର୍ଥ ବୁଝନ୍ତି । ହସିଦେଇ କଥାଟାକୁ ସହଜ କରି ନେବାକୁ ଚେଷ୍ଟା କରନ୍ତି । କିଛି ଗୋଟାଏ ବ୍ୟବସ୍ଥା ନ କରିବାଯାଏ ତାଙ୍କୁ ଏଇ ଘରେ ରହିବାକୁ ପଡ଼ିବ ।

 

ଶେଷରେ ଶାଶୁଙ୍କର ସେଇ ଅନ୍ତିମ ଦିନଟି ନିକଟତର ହୋଇ ଉଠିଲା । ଦ୍ରାକ୍ଷାର ଭବିଷ୍ୟତ ଚିନ୍ତାରେ ତାଙ୍କର ଶରୀରର ଯନ୍ତ୍ରଣା ବଢ଼ିଗଲା । କମଳେଶଙ୍କୁ ନିରୋଳାରେ ପାଇ ସେ ଦିନେ ପ୍ରଶ୍ନ କଲେ– କମଳ ! ମୋର ଆଉ ବେଶିଦିନ ନୁହେଁ । ଦ୍ରାକ୍ଷାର କ’ଣ ହେବ ? କିଏ ତାକୁ ପତ୍ନୀ ଭାବେ ଗ୍ରହଣ କରିବ ? ଏମିତି ଉଚ୍ଚମନା ସୁପୁରୁଷଟିଏ କିଏ ଅଛି । ଦ୍ରାକ୍ଷା ତ ଯାହାକୁ ତାହାକୁ ସ୍ୱାମୀ ଭାବେ ଗ୍ରହଣ କରିବା ଝିଅ ନୁହେଁ ? ସୁଖେନ୍‌ ତ ମୋର ପୁଅ ନୁହେଁ– ତୁ ମୋର ପୁଅ ।

 

ଶେଷବେଳରେ ମୋର ପାଟିରେ ପାଣି ଦେବୁ ମୋର କ୍ରିୟା ଧରିବୁ । ମୋର ଶାନ୍ତି ପାଇଁ ଏତିକି କଥା ବୁଝିଦେବୁ ନାହିଁ ? ସେଇ କଥାଟିକୁ ମୁଁ ତ ଅପେକ୍ଷା କରି ରହିଛି ।

 

କମଳ ଅବନତ ସୁଖରେ ମାଆଙ୍କର ବ୍ୟାକୁଳ, ନିଷ୍ପ୍ରଭ ଦୃଷ୍ଟି ସାମ୍ନାରେ ବସିରହି ଲଜ୍ଜିତ ଭଙ୍ଗୀରେ କହିଲେ ମାଆ ! ଆପଣ ମୋତେ ସବୁଦିନ ପୁଅ ଭଳି ଦେଖି ଆସିଛନ୍ତି । ଦ୍ରାକ୍ଷା ଆପଣଙ୍କର ବୋହୁ, । ତା ଜୀବନର ସହାୟ ହେବା ପାଇଁ ଅନ୍ୟ ଲୋକଟିଏ ବୁଝିବା ସୁନ୍ଦର କଥା ହେବ ନାହିଁ । ଆପଣଙ୍କର ଯଦି କିଛି ଆପତ୍ତି ନ ଥାଏ ସୁଖେନ୍ ର ଭୁଲଟାକୁ ମୁଁ ସୁଧାରି ନେବି । ଅତୀତରେ ତାର ଅନେକ ଭୁଲ୍ ର ସଂଶୋଧନ ମତେ କରିବାକୁ ହୋଇଛି । ସୁଖେନ୍‌ର ଏଥିରେ ମତ ଅଛି ।

 

ବୁଢ଼ୀଙ୍କର ମଳିନ ମୁଖ ଉଜ୍ଜ୍ୱଳ ହେଇ ଉଠିଲା । ତାଙ୍କ ଆଖିରୁ ଧାର ଧାର ଲୁହ ଝରିଗଲା ଅନ୍ତିମଶଯ୍ୟାରେ । ସେ ଗଦ୍ ଗଦ୍ କଣ୍ଠରେ କହିଲେ– ବାପା ! ଠିକ୍ ଏଇ କଥାଟି ମୁଁ କେତେଦିନରୁ ଭାବୁଛି– ସାହସ କରି କହି ପାରି ନ ଥିଲି । ଏଣିକ ମୁଁ ନିଶ୍ଚିନ୍ତରେ ଆଖି ବୁଜିବି । ସୁଖେନ୍‌ଠାରୁ ତୁ ଦ୍ରାକ୍ଷାକୁ ଅଧିକ ସୁଖୀ କରିବୁ, ଏ ବିଶ୍ୱାସ ମୋର ଅଛି । ଏବେ ମୁଁ ନିଶ୍ଚିନ୍ତ ।

 

ତାପରେ ସେଇ ଦାରୁଣ ରାତ୍ରି ବୁଢ଼ୀଙ୍କର ବାଚାଳତା ଆରମ୍ଭ ହୋଇଯାଇଥିଲା । ଦ୍ରାକ୍ଷା ଓ କମଳେଶ ମୁଣ୍ଡ ପାଖରେ ଜଗି ରହିଥିଲେ ।

 

ସୁଖେନ୍‌ ସେଇଦିନଠାରୁ କୌଣସି ଜବାବ ଦେଇ ନ ଥିଲେ । ଶେଷ ପର୍ଯ୍ୟନ୍ତ ମାଆଙ୍କର ଶେଷ ଦେଖା କରିବାପାଇଁ ସେ ଆସିଲେ ନାହିଁ । ଦ୍ରାକ୍ଷାଙ୍କର ଆଖିର ଲୁହ ଅବାରିତ ଭାବେ ଝରୁଥିଲା । ଶାଶୁଙ୍କ ପରେ କ’ଣ ହେବ ତାର ନିଃସଙ୍ଗ ଜୀବନର ପରିଣତି । ଶାଶୁଙ୍କର ସ୍ନେହ ତାର ବିଡ଼ମ୍ବିତ ଜୀବନର ଏକମାତ୍ର ସମ୍ବଳ ଥିଲା । ତା’ ପରେ ସେ କ’ଣ କରିବ ।

 

ଶାଶୁ ନିଜର ଦୁର୍ବଳ ହାତରେ ଦ୍ରାକ୍ଷାର ହାତଟିକୁ ଜାବୁଡ଼ି ଧରି ଅସ୍ପଷ୍ଟ ସ୍ୱରରେ କହିଲେ– ମାଆ ! କମଳ ହିଁ ତୋର ଉପଯୁକ୍ତ–ମୁଁ ତତେ ତାରି ହାତରେ ଦେଇଯାଉଛି । ମୋର ଶେଷ ଇଚ୍ଛା ପୂରଣ କରିବୁ; ଏକା ଏକା ତୁ ଏ ସଂସାରରେ ବାଟ ଚାଲିପାରିବୁ ନାହିଁ । କହ ମତେ କଥା ଦେ– ମତେ ଶାନ୍ତିରେ ମରିବାକୁ ଦେ... ।

 

ଦ୍ରାକ୍ଷା କିଛି କହିପାରୁ ନାହିଁ । ସାମ୍ନାରେ କମଳେଶଙ୍କର ମାୟାଭରା ସୁନ୍ଦର ଆଖି ଦୁଇଟା । ଦ୍ରାକ୍ଷା ମୁଣ୍ଡ ଝୁଙ୍କାଇ ବସି ରହିଛି । ଶାଶୁଙ୍କର ଖନ ଖନ ସ୍ଵର-କଥା ଦେ ମତେ, କଥା ଦେ-

 

କମଳେଶଙ୍କର ପ୍ରେମପୂର୍ଣ୍ଣ ବ୍ୟାକୁଳ ଚାହାଣୀ, ହଠାତ୍ ଦ୍ରାକ୍ଷାର ମନ ଭିତରେ ଗୋଟାଏ ଅଦ୍ଭୁତ ପରିବର୍ତ୍ତନ ହେଇଗଲା । ସୁଖେନ୍ଦୁ ଙ୍କର ସ୍ୱାର୍ଥପରତାର ଯଜ୍ଞରେ କାହିଁକି ନିଜରୁ ସେ ଆହୁତି ଦେବ ? ସେଥିପାଇଁ ଇତିହାସରେ ତା’ର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବନାହିଁ; ବରଂ ତା’ର କଳଙ୍କରେ ଶତମୁଖ ହେବେ ସମସ୍ତେ । ସେ ତେବେ କଣ କରିବ ? ଶାଶୁଙ୍କର ନିର୍ବାଣମୁଖୀ ଆତ୍ମା ଉତ୍ତର ମାଗୁଛି । ସେ ବିଷମ ଦ୍ୱନ୍ଦ୍ୱରେ ପଡ଼ିଯାଇଛି । ତାର ନିଥର ନୀରବତା ଶାଶୁଙ୍କ ମୁଖରେ ଆଶା ସଞ୍ଚାର କରୁଛି । ସେ ତ ଆଉ ମୁହଁ ଖୋଲି ହଁ କହନ୍ତା ନାହିଁ ! ତାଙ୍କ କଥାର ପ୍ରତିବାଦ ସେ କରିନାହିଁ । ସେଇ ତ ତାଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର । ସେ ମନେ ମନେ ଦ୍ରାକ୍ଷାକୁ ଆଶୀର୍ବାଦ କଲେ ।

 

ତା’ପରେ ରାତିର ଶେଷ ପ୍ରହରରେ ଶାଶୁଙ୍କର ଜୀବନଦୀପ ନିର୍ବାପିତ ହୋଇଗଲା । ମୃତ୍ୟୁ ପୂର୍ବରୁ ଦ୍ରାକ୍ଷା, କମଳ ବୋଲି ବାରମ୍ବାର ଉଚ୍ଚାରଣ କରିଥିଲେ ବି ଠିକ୍ ମୃତ୍ୟୁର ଅବ୍ୟବହିତ ପୂର୍ବକୁ ସୁଖେନ୍‌– ସୁଖେନ୍ ବୋଲି ଦୁଇଥର କ୍ଷୀଣ ସ୍ଵର ଶୁଭିଥିଲା । ତା’ପରେ ସବୁ ଶେଷ । ମାତୃହୃଦୟର ପ୍ରକୃତ ସତ୍ୟ ଅନ୍ତିମ ମୁହୁର୍ତ୍ତରେ ପ୍ରକାଶ ପାଇଯାଇଥିଲା । ଏକମାତ୍ର ପୁତ୍ର ପାଇଁ ଜନନୀ ହୃଦୟର ସମସ୍ତ ବ୍ୟାକୁଳତାର ଇତି ହୋଇଗଲା ।

 

ତା’ପରେ ମା’ଙ୍କର ଶେଷକୃତ୍ୟ କାର୍ଯ୍ୟ ନିଜ ପୁଅଟି ଭଳି କମଳେଶ ହିଁ କରିଥିଲେ । ସୁଖେନ୍ ପାଖକୁ ମାଆଙ୍କ ମୃତ୍ୟୁ ଖବର ଟେଲିଗ୍ରାମ ଦ୍ୱାରା ଜଣାଇ ଦିଆଯାଇଥିଲା । ଉତ୍ତରରେ ସୁଖେନ୍ଦୁ ମାଆଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସଙ୍ଗେ ସଙ୍ଗେ ଶେଷକୃତ୍ୟ ପାଇଁ ପାଞ୍ଚ ହଜାର ଟଙ୍କା ମୂଲ୍ୟର ଚେକ୍ ପଠାଇ ଦେଇଥିଲେ । କମଳେଶଙ୍କୁ ଅଶେଷ କୃତଜ୍ଞତା ଜଣାଇଥିଲେ-। ଦ୍ରାକ୍ଷାଙ୍କର ନାମ ପର୍ଯ୍ୟନ୍ତ ଉଲ୍ଲେଖ କରି ନ ଥିଲେ । ଦ୍ରାକ୍ଷା ସେଥିପାଇଁ ଅଭିମାନ କରି ନ ଥିଲା; ବରଂ ସୁଖେନ୍ଦୁଙ୍କର ମନର ଦୁର୍ବଳତାର ସନ୍ଧାନ ପାଇ ତାଙ୍କ ପ୍ରତି ଦୟା ପ୍ରକାଶ କରିଥିଲେ ।

 

ମାଆଙ୍କର ଶେଷକାର୍ଯ୍ୟ ସୁରୁଖୁରୁରେ ହୋଇଗଲା । ସେଦିନ ସନ୍ଧ୍ୟାରେ ଦ୍ରାକ୍ଷା ନିଜର ସିକ୍ତ କେଶରାଶିକୁ ମୁକୁଳିତା କରି ଛାତ ଉପରେ ବସିଥାଏ । ଆକାଶରେ ଗୋଟାଏ ନିଃସଙ୍ଗ ନକ୍ଷତ୍ର ତାଙ୍କୁ ଚାହିଁ ରହିଥାଏ । ଦ୍ରାକ୍ଷାର ପ୍ରାଣ ନିଜର ନିଃସଙ୍ଗତାରେ ବିଦିର୍ଣ୍ଣ ହୋଇଗଲା । ମାଆଙ୍କର ସ୍ନେହସିକ୍ତ ମୁହଁଟି ଭାସି ଉଠିଲା ଆକାଶର ନୀଳିମା ଭେଦି । ଆହା ! ସେ ସ୍ନେହ ଆଉ ତାଙ୍କୁ କିଏ ଦେବ ? ଦ୍ରାକ୍ଷାର ଆଖିରୁ ଦୁଇଧାର ଅଶ୍ରୁ ଝରିପଡ଼ିଲା ।

 

ପଛପଟୁ କାହାର ବଳିଷ୍ଠ ହାତ ଦୁଇଟା ତାଙ୍କୁ ପ୍ରବଳ ଆଲିଙ୍ଗନ ଭିତରକୁ ଟାଣିନେଲା । ପ୍ରତିବାଦ କରିବା ପାଇଁ ଦ୍ରାକ୍ଷାଙ୍କର ମନ ହେଲା ନାହିଁ । ଅବସନ୍ନ ଭାବରେ ସେ ସେଇ ପ୍ରଶସ୍ତ ବୁକୁରେ ମଥାରଖି କ୍ଳାନ୍ତିରେ ଆଖି ମୁଦିଦେଲା । ତା ଆଖିରୁ ଉଷ୍ମ ଅଶ୍ରୁଧାରା କାହାର ଉତ୍ତପ୍ତ ସ୍ନେହସ୍ପର୍ଶରେ ଶୁଷ୍କ ହୋଇ ଯାଇଥିଲା । ପରିକ୍ଷଣରେ ସେ ଚମକି ଉଠି ଦୂରକୁ ଘୁଞ୍ଚିଗଲା । ଘୃଣିତ କଣ୍ଠରେ କହିଲା ମୋର ଏଇ ଅସହାୟ ଅବସ୍ଥାକୁ ତମେ ଅନେକ ଦିନରୁ ଚାହିଁ ରହିଥିଲ ବୋଧେ କମଳ ?

 

କମଳେଶ କହିଲେ, ଦ୍ରାକ୍ଷା ! ତମେ ଏବେ ବି ମତେ ଠିକ୍ ବୁଝିପାରିଲ ନାହିଁ ? ମୁଁ ଯେ ତମର ସୁଖ ପାଇଁ ପ୍ରାଣ ବିସର୍ଜନ କରିପାରେ । ବିଶ୍ଵାସ କର, ଏ ପ୍ରେମ ମୋର ଛଳନା ନୁହେଁ । ଭାଉଜ ଡାକିବାବେଳେ ମୁଁ ତମକୁ ପ୍ରେମ କରୁ ନ ଥିଲି ।

 

ଦ୍ରାକ୍ଷା କହିଲା– କମଳ, ମୁଁ ଦିନେ ସୁଖେନ୍ଦୁଙ୍କର ପତ୍ନୀ ଥିଲି ତାଙ୍କର ଶଯ୍ୟାକୁ ଉତ୍ତପ୍ତ କରୁଥିଲି । ଏକଥା କଣ ତମ ମନକୁ ବିକ୍ଷତ, ବିଭ୍ରାନ୍ତ କରୁନାହିଁ ?

 

କମଳେଶ ଦୃଢ଼କଣ୍ଠରେ କହିଲେ– ଦ୍ରାକ୍ଷା, ମଣିଷର ଏ ଦେହ କ୍ଷଣିକ, ମନ ଶାଶ୍ୱତ । ସୁନ୍ଦର ପବିତ୍ର ମନଟିକୁ ଧାରଣ କରିଥିବା ଦେହ କେବେ ଅପବିତ୍ର ହୋଇପାରେନା । ଆଜିକାଲି ସେକ୍‌ସଟା ଏମିତି ଏକ ମାମୁଲି କଥା ହୋଇଗଲାଣି ଯେ କୌଣସି ଝିଅର ଦେହକୁ ନେଇ ଏତେ ରକ୍ଷଣଶୀଳତା ପ୍ରକାଶ କଲେ । ଅନେକ କ୍ଷେତ୍ରରେ ହତାଶ ହେବାକୁ ହେବ । ମୁଁ ତମର ସୁନ୍ଦର ମନଟାକୁ ଭଲପାଏ ତମ ଦେହ ମୋ ପ୍ରେମର ପ୍ରଧାନ ଆକର୍ଷଣ ନୁହେଁ । ତା ହେଇଥିଲେ ମୁଁ ତମକୁ ପ୍ରଥମ ଦେଖାରୁ ହିଁ ପ୍ରେମ କରିଥାନ୍ତି । ସୁଖେନ୍ଦୁ ଭଳି ପାଷାଣ୍ଡ ହାତରେ ତମେ ଆଦୌ ପଡ଼ି ନ ଥାନ୍ତ ।

ଦ୍ରାକ୍ଷା ପ୍ରଥମଥର ପାଇଁ କମଳଙ୍କ ପ୍ରତି ପ୍ରେମଶୀଳା ହୋଇଉଠିଲେ ଏବଂ କହିଲେ– କମଳ, ତମେ କାହିଁକି ପ୍ରଥମରୁ ମତେ ଏମିତି ପ୍ରେମ କଲ ନାହିଁ । ସୁଖେନ୍ଦୁଙ୍କୁ ପ୍ରେମଦାନ କରି ମୁଁ ନିଃଶେଷ ହୋଇଯାଇଛି । ମୋର ଆଉ ଅବଶିଷ୍ଟ କିଛି ନାହିଁ ।

କମଳେଶ କହିଲେ– ଦ୍ରାକ୍ଷା, ମଣିଷ ହୃଦୟ ହେଉଛି ସ୍ନେହ ଆଉ ପ୍ରେମର ବିଶାଳ ସିନ୍ଧୁ-। ସେଥିରୁ ବିନ୍ଦୁଏ ଜଳ ଦାନ କଲେ ତାହା ନିଃଶେଷ ହୋଇଯାଏ ନାହିଁ । ମୁଁ ତମ ହୃଦୟରେ ଅନ୍ତଃସଲିଳ ଫଲ୍‌ଗୁର ସନ୍ଧାନ ପାଇଛି । ସେତିକି ମୋର କାମ୍ୟ ।

ଦ୍ରାକ୍ଷା ଆଉଥରେ ଅନନ୍ତ ନୀଳିମାରେ ଦୃଷ୍ଟି ହଜାଇ ଦେଇ ଅନ୍ୟମନସ୍କ ହୋଇଗଲେ ।

ଏବେ କମଳେଶ ଦ୍ରାକ୍ଷାଙ୍କୁ ଭାଉଜ ଡାକନ୍ତି ନାହିଁ । ଡାକନ୍ତି ଦ୍ରାକ୍ଷା । କାନକୁ ଅଡ଼ୁଆ ଲାଗେ । ସ୍ତ୍ରୀ ଲୋକମାନଙ୍କର ସାମାଜିକ ସମ୍ମାନ, ପରିଚୟ ସବୁକିଛି ଜଣେ ପୁରୁଷ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ସୁଖେନ୍ଦୁ, ଏବେ ଆଉ ଦ୍ରାକ୍ଷାର ସ୍ୱାମୀ ନୁହନ୍ତି । ତାକୁ ଭାଉଜ ଡ଼ାକିବା କମଳେଶଙ୍କ ପକ୍ଷେ ଆଉ ଯୁକ୍ତିସଂଗତ ନୁହେଁ । କମଳେଶଙ୍କ ସଙ୍ଗେ ତାର ସମ୍ପର୍କ ବଦଳିଯିବାକୁ ବସିଛି ।

ପୁରୁଷର ଏକଛତ୍ରାଧିପତି ସାମ୍ରାଜ୍ୟରେ ସ୍ତ୍ରୀର ସବୁକିଛି ଏମିତି ବଦଳିଯାଏ । ଦ୍ରାକ୍ଷା ଅନୁଭବ କରେ ତାର ସାମାଜିକ ମୂଲ୍ୟବୋଧ ମଧ୍ୟ ବଦଳିଛି । ସମାଜରେ ପୂର୍ବର ସେଇ ଗୌରବ ସେ ଆଜି ହରାଇଛି ବିନା କାରଣରେ । ବିନା ଭୂମିକାରେ ସେ ଅପବାଦର ଏକ ମୃଦୁତରଙ୍ଗକୁ ସାମ୍ନା କରୁଛି ପ୍ରତିଦିନ । ଧୀରେ ଧୀରେ ଏଇ ଦୁର୍ନାମର ମୃଦୁ ତରଙ୍ଗ ଉତ୍ତାଳ କରାଳ ଲହରୀ ହୋଇ ତାକୁ ଗ୍ରାସ କରିଯିବ । ତା’ର ସମସ୍ତ ଦମ୍ଭ ଚୂର୍ଣ୍ଣ ହୋଇଯିବ ସେଇ ସହସ୍ର ଡ଼େଣାପ୍ରସାରୀ ଦୁର୍ନାମର କରାଳ ଲହରୀ ଆଘାତରେ । ଯେଉଁମାନେ ଦିନେ ତାର ଭୂରିଭୂରି ପ୍ରଶଂସା କରୁଥିଲେ ସେମାନେ ଅକସ୍ମାତ୍ ବଦଳି ଯାଉଛନ୍ତି । ସତେ ଯେମିତି ଅପରାଧଟା ସୁଖେନ୍ଦୁ ନୁହେଁ, ଦ୍ରାକ୍ଷା ହିଁ କରିଛି । ସମସ୍ତଙ୍କ ଦୃଷ୍ଟିରେ ଦ୍ରାକ୍ଷା ପ୍ରତି ଗୋଟାଏ କୁଟୀଳ କଟାକ୍ଷ ।

ସେଦିନ କମଳେଶଙ୍କର ଗୋଟାଏ ବ୍ୟବସାୟଗତ ବିରାଟ ପାର୍ଟିର ଆୟୋଜନ । କମଳେଶଙ୍କର ଏମିତି ଅନେକ ପାର୍ଟିରେ ଯୋଗ ଦେଇଛି ଦ୍ରାକ୍ଷା ସୁଖେନ୍ଦୁଙ୍କ ସହ। ସେତେବେଳେ ମନେହେଉଥିଲା ସମସ୍ତ ପାର୍ଟିର ଆୟୋଜନ ଯେମିତି ତାକୁଇ କେନ୍ଦ୍ରକରି । ତାକୁ ଘେରି ଅସଂଖ୍ୟ ମୃଦୁଗୁଂଜନ । ତା’ ରୂପଗୁଣର ଭୂରି ଭୂରି ପ୍ରଶଂସା ।

ପାର୍ଟି ପରେ ଘରକୁ ଫେରିବା ବାଟରେ କମଳେଶ କହନ୍ତି– ଭାଉଜ, ତମେ ନ ଥିଲେ ପାର୍ଟିଟା ଆଦୌ ମାନନ୍ତା ନାହିଁ । ମୋ ପାର୍ଟିର ଉଦ୍ଦେଶ୍ୟ ତମରି ପାଇଁ ଯେମିତି ସଫଳ ହେଉଛି । ତମେ ସୁଲକ୍ଷଣା ନାରୀଟିଏ । ସୁଖେନ୍ଦୁ ରସିକତା କରି କହନ୍ତି– ଏଣିକି ତୋ ବ୍ୟବସାୟର ଲାଭାଂଶରୁ ଦ୍ରାକ୍ଷାକୁ କିଛି କମିସନ ଦେଇ ଦେ’ । ନଚେତ୍‌ ଆସନ୍ତାଥର ପାର୍ଟିରେ ସେ ଯୋଗଦେବ ନାହିଁ । ଦୁଇ ବନ୍ଧୁ, ହସିଉଠନ୍ତି ଏକସଙ୍ଗେ ।

ଆଜି ସେ ସବୁ ଅତୀତର ସଜଳ ସ୍ମୃତି । ସେ ସବୁ ସ୍ମୃତି ଖୁବ୍ ନିଷ୍ଠୁର । ଦାରୁଣ ଆତ୍ମପୀଡ଼ନରେ ଦ୍ରାକ୍ଷା ଛଟ୍‌ପଟ୍ ହୋଇଛି ସେଇ ହୃଦୟହୀନ ପୁରୁଷଟିର ସ୍ମୃତିକୁ ଜାବୁଡ଼ି ଧରି । ସ୍ମୃତିମାନଙ୍କୁ ଯଦି ଫିଙ୍ଗି ଦେଇ ହୁଅନ୍ତା...। ସ୍ମୃତି ସବୁ ଅଶ୍ରୁଜଳ ହେଲେ ମନ କିନ୍ତୁ ପଦ୍ମପତ୍ର ନୁହେଁ ।

 

କମଳେଶ ତାକୁ ଭୁଲାଇବା ପାଇଁ ଅନେକ ଚେଷ୍ଟା କରୁଛନ୍ତି । ତେଣୁ ଆଜି ହୁଏ ତ ଏ ପାର୍ଟିର ଆୟୋଜନ ସେଇଥିପାଇଁ । କିନ୍ତୁ ସେ ଜାଣନ୍ତି ନାହିଁ– ତାକୁ ଭୁଲାଇବା ପାଇଁ କମଳେଶଙ୍କର ସମସ୍ତ ବର୍ଣ୍ଣାଢ଼୍ୟ ଆଡ଼ମ୍ବର ଭିତରେ ଦ୍ରାକ୍ଷା ସ୍ମୃତିମାନଙ୍କୁ କେବଳ ସାଉଁଟି ଆଣି କ୍ଷତବିକ୍ଷତ ହୁଏ । କମଳେଶଙ୍କୁ ସେକଥା ମନ ଖୋଲି କହିହୁଏ ନାହିଁ । ଆଗଭଳି କମଳେଶଙ୍କୁ ହୃଦୟର କଥା କହିପାରେ ନାହିଁ ଦ୍ରାକ୍ଷା । କମଳେଶ ଏବେ ତାକୁ ପ୍ରେମ କରୁଛନ୍ତି । ସେ କିନ୍ତୁ ତାଙ୍କର ପ୍ରେମିକା ହେଇପାରି ନାହିଁ । ତା’ ମର୍ମବୀଣାରେ ଗୋଟାଏ କରୁଣ ମର୍ମସ୍ପର୍ଶୀ ରାଗ ସ୍ୱର ତୋଳୁଛି ଅହରହ । –ସୁଖେନ୍ଦୁ ତମେ ଏ କଣ କଲ ? ଏ କ’ଣ କଲ ?

 

କମଳେଶଙ୍କୁ ମନା କରିଦେବ କି ପାର୍ଟିକୁ ଯିବା ପାଇଁ ? ସେ ଦୁଃଖ ପାଇବେ । ଥାଉ, ବିନା କାରଣରେ ଅନ୍ୟକୁ ଦୁଃଖ ଦେଇ ଲାଭ ନାହିଁ । ସେ ବରଂ ଯିବ । ନୀରବରେ ସ୍ମୃତିମାନଙ୍କୁ ସାଉଁଟିବ । ହୃଦୟ ଫରୁଆରେ ଗଣ୍ଠିଧନ କରି ସାଇତି ରଖିବ । କମଳେଶ ସେକଥା ଜାଣି ପାରିବେ ନାହିଁ । ପୁରୁଷର ତୀକ୍ଷ୍‌ଣ ଦୃଷ୍ଟିରେ ନାରୀ-ଦେହର ଭୂଗୋଳ ସ୍ପଷ୍ଟ ଦିଶେ । କିନ୍ତୁ ତା’ ମନର ଇତିହାସ ସବୁଦିନ ରହିଯାଏ ରହସ୍ୟ ଭିତରେ ।

 

ଦ୍ରାକ୍ଷା ନିଜକୁ ପ୍ରସ୍ତୁତ କରିନେଲା । ଧଳା ବନାରସୀ ପାଟ ସଙ୍ଗେ ଧଳା ଷ୍ଟୋନ୍ ସେଟ୍‌ର ସଂକ୍ଷିପ୍ତ ଗହଣାରେ ସଜ୍ଜିତ କରିନେଲା ନିଜକୁ ଅଯତ୍ନ ଭାବରେ । ନିଜକୁ ରଙ୍ଗୀନ୍‌ କରିବାରେ ଆଉ କିଛି ମାନେ ହୁଏ ନାହିଁ । ତାର ରଙ୍ଗୀନ ବେଶପୋଷାକ ଅନ୍ୟମାନଙ୍କ ଆଖିରେ କୁଟିଳ କଟାକ୍ଷ ସୃଷ୍ଟି କରିବ କାହା ପାଇଁ ଏ ବର୍ଣ୍ଣ ବିଭବ ? କାହା ପାଇଁ ଏ ଅଭିସାରିକାର ବେଶଭୂଷା ?

 

ଅଯତ୍ନ ଭାବରେ ଶାଢ଼ୀଟା ପିନ୍ଧି ନେଲା ଦ୍ରାକ୍ଷା । କମଳେଶ ଅନେକବେଳୁ ପ୍ରସ୍ତୁତ ହୋଇ ଅପେକ୍ଷା କରିଛନ୍ତି । ଯିବ କି ନାହିଁ ର ଦ୍ୱନ୍ଦ୍ୱ ଭିତରେ ତାର ବିଳମ୍ବ ହୋଇଯାଇଛି । ଥରେ ଡ୍ରେସିଂ ଟେବୁଲର ମିରର ଭିତରେ ନିଜକୁ ଦେଖିନେଲା । ଶାଶୁଙ୍କ ମୃତ୍ୟୁ ପରେ ସେ ଖୁବ୍ ଭାଙ୍ଗି ପଡ଼ିଛି । ଦୁର୍ବଳ ହୋଇଛି ତାର ସ୍ୱାସ୍ଥ୍ୟ । କ୍ଲାନ୍ତ ଅବସନ୍ନ ଦିଶୁଛି ଚେହେରା । ବିଷାଦଭରା ଦୃଷ୍ଟିର ଚାହାଣି । ତାର ଏ ଚେହେରା ଦେଖି ସମସ୍ତେ ହାୟ ହାୟ କରିବେ । ତାର ଅବଶିଷ୍ଟ ଜୀବନକୁ ଅନ୍ୟର ଉପର ଠାଉରିଆ ‘ହାୟ ହାୟ’ ଭାବକୁ ପୁଂଜିକରି କାଟିଦେବାକୁ ପଡ଼ିବ । ଆଜି ତା’ର ଅୟମାରମ୍ଭ । ତାର ଆଖି ଦୁଇଟା ଅଶ୍ରୁରେ ଭରିଗଲା । ନିଜ ପ୍ରତିଛବି ଅସ୍ପଷ୍ଟ ହେଲା l ଦର୍ପଣ ଭିତରେ ତାର ସେଇ ଅସ୍ପଷ୍ଟ ଛବି ପାଖରେ ଭାସି ଉଠିଲା ଆଉ

 

ଏକ ଛବି । କିଏ ? ସୁଖେନ୍ଦୁ ? ପ୍ରତିଥର ପାର୍ଟିକୁ ଯିବା ପୂର୍ବରୁ ଦର୍ପଣ ଭିତରେ ନୁହେଁ, ସୁଖେନ୍ଦୁଙ୍କ ଆଖିରେ ସେ ନିଜକୁ ଦେଖିନିଏ । ସୁଖେନ୍ଦୁଙ୍କ ବିମୁଗ୍‌ଧ ଆଖିର ଚାହାଣିରୁ ସେ ନିଜର ରୂପଶୋଭା କଳିନିଏ । ସୁଖେନ୍ଦୁ କଣ ଫେରି ଆସିଛନ୍ତି ? ନା ତାଙ୍କର ଛବି କିନ୍ତୁ ମନର ଆକାଶରେ ଉଜ୍ଜ୍ୱଳ ନକ୍ଷତ୍ରଟିଏ ଭଳି ହସୁଛି । ସେ ଅସ୍ପଷ୍ଟ ହେବେ କାହିଁକି ?

 

ଲୁହ ଭିତରେ ଝାପ୍‌ସା ଦିଶୁଛି କମଳେଶଙ୍କ ବ୍ୟଥାତୁର ମୁହଁଟା । ତା’ ପଛରେ କେତେବେଳେ ଆସି ଠିଆ ହେଲେଣି କମଳେଶ । ମଧୁର କଣ୍ଠରେ ସେ କହୁଛନ୍ତି– ମୁଁ ତମର ଦର୍ପଣ ହେବି; ମୋ ଭିତରେ ନିଜକୁ ଥରେ ଦେଖିବାକୁ ଚେଷ୍ଟା କରି । ଦେଖିବ ସେଠି ଦୁଃଖ, ଶୋକ, ବେଦନା, ପ୍ରତାରଣା କିଛି ନାହିଁ ।

 

ଦ୍ରାକ୍ଷା ବୁଲିପଡ଼ି କମଳେଶଙ୍କ ଆଖି ଭିତରେ ନିଜକୁ ଦେଖିବାକୁ ଚେଷ୍ଟା କଲା । ନିଜକୁ ଖୋଜୁ ଖୋଜୁ ସେଠି ସେ ଦେଖିଲା ସୁଖେନ୍ଦୁଙ୍କର ଉଜ୍ଜ୍ୱଳ ହସନ୍ତ ଛବିଟି ଭାସି ଉଠୁଛି । ତା’ ସ୍ମୃତିର ଛବି ସେଠି ପ୍ରତିଛବି ସୃଷ୍ଟି କରିଛି । ସେ କମଳଙ୍କ କଥାର ଜବାବ ନ ଦେଇ ଚୁପ୍ ଚାପ୍ ବାହାରି ଯାଇ ଗାଡ଼ିରେ ବସିଲା ।

 

ଦ୍ରାକ୍ଷା ଦେଖୁଛି ସବୁଠି ନିଜ ମନର ପ୍ରତିଫଳନ । ପାର୍ଟିର ହସ, ଆନନ୍ଦ ଭିତରେ ସେ ନିସ୍ତେଜ ହୋଇ ପଡ଼ୁଛି । ଅର୍କେଷ୍ଟ୍ରାର ଉତ୍ତାଳ ସ୍ୱର କରୁଣ ଶୁଭୁଛି ତାକୁ । ଦ୍ରାକ୍ଷା ଉପରେ ଆଖି ପଡ଼ିଯିବା ମାତ୍ରେ ସମସ୍ତଙ୍କ ଭିତରେ ଗୋଟାଏ ଅଶ୍ୱସ୍ତିକର ଗୁମ୍‌ସୁମ୍ ଭାବ । ଦ୍ରାକ୍ଷା ନିଜକୁ ସମସ୍ତଙ୍କ ଭିତରେ ହଜାଇ ଦେଇ ପାରୁନି । ବର୍ଣ୍ଣାଢ଼୍ୟ ନର-ନାରୀଙ୍କ ଭିତରେ ତାର ଫିକା ଫିକା ଚେହେରା ବର୍ଣ୍ଣ ବିଭବଭରା ଉଦ୍ୟାନର ଏକାନ୍ତ କୋଣରେ ସାଦା ରଜନୀଗନ୍ଧାର ସ୍ତବକଟିଏ ଭଳି କରୁଣ; ଅଥଚ ମନୋରମ ଦିଶୁଛି । ଦ୍ରାକ୍ଷାର ଏଇ କରୁଣ ଚେହେରାଟି କମଳେଶଙ୍କୁ ତାର ଅଧିକ ନିକଟକୁ ଟାଣି ନେଉଛି । କମଳର ମନ ଭିତରେ କିଏ ଚିତ୍କାର କରୁଛି ତୁ ଦାୟୀ–ଦ୍ରାକ୍ଷାର ଏ ଅବସ୍ଥା ପାଇଁ ତୁ ଦାୟୀ ।

 

କମଳେଶଙ୍କ ପାଖେ ପାଖେ ମିସ୍ ଶୋଭନା ଛାଇଟିଏ ଭଳି ଲାଗି ରହିଛି । ଶୋଭନା ଲକ୍ଷପତିର କନ୍ୟା । କମଳେଶ ସହ ବିବାହ ପ୍ରସ୍ତାବ କରିଛନ୍ତି ତା’ର ବାପା । ଶୋଭନା କମଳେଶଙ୍କ ପାଇଁ ଉପଯୁକ୍ତ ବୋଲି ଦ୍ରାକ୍ଷା ଅନୁଭବ କରୁଛି । ଫେରିଯାଇ କମଳେଶଙ୍କ ସହ କଥାଟା ପକ୍‌କା କରିଦେଲେ କେମିତି ହୁଅନ୍ତା ? ମାର୍ଜିତ ସମ୍ଭ୍ରାନ୍ତ ଝିଅଟି ଶୋଭନା । ତା’ ରୂପର ତୁଳନା ନାହିଁ । ତା’ ଗୁଣର ପ୍ରଶଂସା ସେ ଶୁଣିଛି । କିନ୍ତୁ କମଳେଶ ଶୋଭନାଠାରୁ ଦୂରେଇ ଯାଉଛନ୍ତି କାହିଁକି ? ଶୋଭନା ପାଖରେ ଗମ୍ଭୀର ହୋଇ ଉଠୁଛନ୍ତି କାହିଁକି ? ଦ୍ରାକ୍ଷା କମଳେଶଙ୍କୁ ନିରୀକ୍ଷଣ କରୁଛି ।

 

ଦ୍ରାକ୍ଷାକୁ ଚାହିଁ ଚାହିଁ ଗୋପନ ଆଳାପର ମୃଦୁଗୁଞ୍ଜନ ଜମିଉଠୁଛି । ସେଇ ଘୃଣିତ ନିଷ୍ଠୁର ସଂଳାପର କିୟଦଂଶ ଦ୍ରାକ୍ଷାର ଶ୍ରୁତିପଟରେ ଉଦ୍ଧୃତ ହୋଇ ବାଜି ଉଠୁଛି । ମିସେସ୍ ମହାନ୍ତି ଓ ମିସେସ୍, ବାନାର୍ଜୀ ଅନ୍ୟ ବାନ୍ଧବୀମାନଙ୍କୁ ନେଇ ମଜ୍ଜି ଯାଇଛନ୍ତି ନିଭୃତ ଆଳାପରେ । ସେମାନେ ସମସ୍ତେ ଦିନେ ତା’ର ସ୍ତାବକ ଥିଲେ । ସ୍ୱେଟର ଡିଜାଇନ୍ ଉଠାଇବା ପାଇଁ, ଟଙ୍କା ଧାର ନେବାପାଇଁ, ତାଙ୍କର କୌଣସି ସମ୍ପର୍କୀୟଙ୍କର ଚାକିରିର ପଦୋନ୍ନତି ପାଇଁ ସୁଖେନ୍ଦୁଙ୍କର ସୁପାରଶ ପାଇଁ ଆସିବାବେଳେ ତାଙ୍କ ମୁହଁରେ ଦ୍ରାକ୍ଷାର ଭୂରି ଭୂରି ପ୍ରସଂଶାର ସ୍ୱର ଶୁଭୁଥିଲା । ଆଜି ସେଇମାନଙ୍କ ସଂଳାପରେ ଭିନ୍ନ ସ୍ୱର ଶୁଭୁଛି । ଦିନେ ସେମାନେ କହୁଥିଲେ ଦ୍ରାକ୍ଷାଦେବୀ, ଆପଣ ଆମର ଆଦର୍ଶ । କମଳେଶ ଆପଣଙ୍କ ସ୍ୱାମୀଙ୍କର ବନ୍ଧୁ ହେଲେ ବି ଆପଣ ତାଙ୍କୁ ଯେମିତି ନିଜର ଭାଇଟି ଭଳି ସ୍ନେହ କରୁଛନ୍ତି ତା’ ତ ଆମ ଦ୍ୱାରା ସମ୍ଭବ ହୁଅନ୍ତା ନାହିଁ । ଆମ ସ୍ଵାମୀଙ୍କର ଭାଇଙ୍କୁ ବି ଆମେ ଭାଇ ଦୃଷ୍ଟିରେ ଦେଖିପାରୁ ନାହିଁ । ତାଙ୍କ ପାଇଁ ଏତେ ସମୟ ଦେଇପାରୁ ନାହୁଁ । ନିଜ ସଂସାର ବୋଇଲେ ଆମେ ବୁଝୁ ଆମ ସ୍ୱାମୀ ଓ ଆମର ପିଲାମାନେ ; ଅଥଚ ଆପଣ ନିତାନ୍ତ ପରଲୋକଟିକୁ ବି ଘରଲୋକ କରି ନେଇଛନ୍ତି । କମଳେଶଙ୍କର ଭାଗ୍ୟ, ସେ ଆପଣଙ୍କ ଭଳି ବନ୍ଧୁ ପତ୍ନୀଟିଏ ପାଇଛନ୍ତି ।

 

କିନ୍ତୁ ଆଜି ସେମାନେ ଏ କଣ କହୁଛନ୍ତି ? ମିସେସ ବାନାର୍ଜୀ କହୁଛନ୍ତି– ବିନା ଦୋଷରେ ଏଡ଼େ ସୁନ୍ଦରୀ ସ୍ତ୍ରୀଟିକୁ କେଉଁ ପୁରୁଷ ଛାଡ଼ିଦିଏ ? ସ୍ତ୍ରୀର ଦୋଷ ନ ଦେଖିଲେ କିଏ କାହିଁକି ଏଭଳି କରନ୍ତା– ପୁଣି ଦ୍ରାକ୍ଷା ଭଳି ସ୍ତ୍ରୀକୁ ? ସ୍ୱାମୀ ର ଆଖି ଆଗରେ ଦିନରାତି ରାସଲୀଳା ଚାଲିଲା । କମଳେଶର ବାହାଘର କରାଇ ଦେଇନାହିଁ ଦ୍ରାକ୍ଷା । ସବୁଠି ବାଛିଲା । କମଳେଶ ବାହା ହୋଇଗଲେ ଏ ଲୀଳା ତ ଚାଲିପାରିବ ନାହିଁ । ସ୍ୱାମୀ ହୋଇ ଏ କଥା କୋଉ ପୁରୁଷ ସହନ୍ତା ! ସୁଖେନ୍ଦୁ ବିଚରା ପଳାଇବାକୁ ବାଧ୍ୟ ହେଲା । କମଳେଶ ସାହାଯ୍ୟ ନ କରିଥିଲେ ସେ ଯାଇଥାନ୍ତେ ବା କେମିତି । ଅନେକ ଟଙ୍କା ସାହାଯ୍ୟ ଦେଇଛନ୍ତି କମଳେଶ । ବିନା ସ୍ୱାର୍ଥରେ କୋଉ ବନ୍ଧୁ କାହାପାଇଁ ଏମିତି ଟଙ୍କା ଉଡାଇଦିଏ ପାଣି ପରି । ସୁଖେନ୍ଦୁ, ଯିବାପରେ ଆଉ ପୁଣି ଫେରନ୍ତେ ଏଭଳି ସ୍ତ୍ରୀ ପାଖକୁ ? ସ୍ତ୍ରୀର ରୂପକୁ ନେଇ ସୁଖୀ ହେବା ଭଳି ପୁରୁଷ ତ ସମସ୍ତେ ନୁହନ୍ତି । ଯେଉଁ ସ୍ତ୍ରୀର ଚରିତ୍ର ଠିକ୍

 

ନାହିଁ ତାର ମୁହଁ ଚାହିଁବାକୁ କେତେଜଣ ସ୍ଵାମୀ ବା ପସନ୍ଦ କରିବେ ! ସୁଖେନ୍ଦୁ କିଛି ଭୁଲ ତ କରିନାହାନ୍ତି । ଏବେ ଶାଶୁ ଗଲେ–କଣ୍ଟା ଗଲା । ରାସଲୀଲା ଦିନରାତି ଚାଲିଛି ।

 

ମିସେସ ମହାନ୍ତି କହିଲେ ଲୋକଟକୁ ଗଦ ଶୁଙ୍ଘାଇ ବଶ କରିରଖିଛି । ସେ ଆଉ କାହାକୁ ଆଡ଼ ଆଖିରେ ଚାହୁଁ ନାହିଁ । ଦେଖୁନାହଁ ଶୋଭନାକୁ ଥରେ ଆଖିଟେକି ଚାହୁଁ ନାହିଁ କେମିତି-?

 

ମିସେସ ମହାନ୍ତି ପାଳି ଧରିଲେ ଏ ପ୍ରେମ ସବୁଦିନେ ରହେ ନାହିଁ । ଥରେ ହାତଗଣ୍ଠି ପଡ଼ିଲେ ଶେଷକୁ ରକ୍ଷିତା ହୋଇ ରହିବ । କମଳେଶ କ’ଣ ସତରେ ଝିଅ ନ ମିଳିବା ଭଳି ବିବାହିତା ସ୍ତ୍ରୀଟାକୁ ନେଇ ଘର କରିବେ ? ପୁରୁଷ ପୁଅର ମନ ଚଲାପାଣି ସଙ୍ଗେ ସମାନ । ପୁଣି ସ୍ଥିର ହୋଇଯିବା ପାଇଁ ସମୟ ଲାଗିବ ନାହିଁ । ଶେଷକୁ ପୋଇଲୀ ହୋଇରହିବ । ଏଭଳି ସ୍ତ୍ରୀମାନେ ଶେଷକୁ ସେଇ ଦଶା ଭୋଗନ୍ତି ।

 

ଖିଲି ଖିଲି ହୋଇ ହସିଉଠି ଅନ୍ୟ ଜଣେ କହିଲେ– ବୁଝି ହୁସିଆର । ନିଜ ସ୍ୱାମୀମାନଙ୍କୁ ସାବଧାନରେ ରଖ । ରୂପ ଖଣ୍ଡେ ତ ଭଗବାନ ଦେଇଛନ୍ତି । ତା’ ସାଙ୍ଗକୁ ସ୍ଵାମୀ ଛାଡ଼ିଦେଇଛି । ଲଗା ଅଛି ନା ପଘା ଅଛି । କେତେବେଳେ କାହା ଉପରେ ଶୁଭ ନିଜର ପଡ଼ଯିବ ଏ ପୁରୁଷଗୁଡ଼ା ଘର ପଦାର୍ଥ ଅପେକ୍ଷା ବାହାର ପଦାର୍ଥ ପାଇଁ ବେଶି ବାଇଆ ହେଇଯା’ନ୍ତି ।

 

ତା’ପରେ ସମ୍ମିଳିତ ହସର ତୀକ୍ଷ୍‌ଣ ବିଷାକ୍ତ ଶର ସବୁ ଦ୍ରାକ୍ଷାର ଶିରାପ୍ରଶିରାକୁ ଅବଶ କରିଦେଲା । ସେ ନିଶବ୍ଦରେ କମଳେଶଙ୍କ ଦୃଷ୍ଟିର ଅନ୍ତରାଳକୁ ଚାଲି ଯାଉ ଯାଉ ତା କାନରେ ପଡ଼ିଲା ପୁରୁଷକଣ୍ଠର ଚାପା ସ୍ୱର–ଏ ଭିତରେ ସୁଖେନ୍ଦୁଙ୍କର ସ୍ତ୍ରୀ କିଏ ? ଶୁଣିଥିଲି ଖୁବ୍ ସୁନ୍ଦରୀ ।

 

ମିଃ ମହାନ୍ତି କହୁଛନ୍ତି– ସୁନ୍ଦରୀ ନିଶ୍ଚିତ । କିନ୍ତୁ ସୁଖେନ୍ଦୁ ର ସ୍ତ୍ରୀ ନୁହେଁ । କମଳେଶର କେପ୍‌ଟ ମାନେ ରକ୍ଷିତା ।

 

ଦ୍ରାକ୍ଷା ପଦାକୁ ବାହାରି ଆସିଲା । କାନ୍ଥକୁ ଆଉଜି ନିଜକୁ ଶକ୍ତି କରିନେଲା । ଗୋଡ଼ ଦି’ଟା ଥରୁଛି । ନିଜକୁ ସେ ଧରି ରଖିପାରୁନାହିଁ। ଜୀବନର ବୋଝ ଦୁରୂହ ମନେହେଉଛି । ନିଃଶବ୍ଦରେ ଏକା ଏକା ଗାଡ଼ି ଧରି ଘରକୁ ଫେରିଆସିଲା ଦ୍ରାକ୍ଷା । ବେହେରା ହାତରେ କମଳେଶଙ୍କୁ ଚିଟ୍‌ଟିଏ ପଠାଇଦେଲା– ଦେହ ଭଲଲାଗୁ ନାହିଁ । ଘରକୁ ଚାଲିଯାଉଛି । ବ୍ୟସ୍ତ ହେବ ନାହିଁ ।

 

ଚିଟ୍‌ଟା ପାଇ କିନ୍ତୁ ବ୍ୟସ୍ତ ହୋଇ ଉଠିଥିଲେ କମଳେଶ । ଏମିତି କ’ଣ ଦେଲା ଦ୍ରାକ୍ଷାର ସେ ପଦେ କହିଦେଇ ମଧ୍ୟ ଯାଇ ପାରିଲାନି ! ଘରକୁ ଫୋନ୍ କଲେ କମଳେଶ । ଦ୍ରାକ୍ଷା ଘରେ ପହଞ୍ଚି ସତକୁ ସତ ଅସୁସ୍ଥ ହୋଇ ପଡ଼ିଥିଲା । ଫୋନ୍ ଉଠାଇଲା ସେ କମ୍ପିତ ହାତରେ । କମଳେଶଙ୍କର ଉତ୍କଣ୍ଠିତ ସ୍ୱର ତାଙ୍କୁ ଅଧିକ ଅସୁସ୍ଥ କରି ପକାଉଛି । ନିଜର ଆବେଗକୁ ଚାପିନେଇ ସେ କହିଲା– ସେମିତି କିଛି ହେଇନି । ବ୍ୟସ୍ତ ହେବ ନାହିଁ । ସାମାନ୍ୟ ଟେମ୍ପରେଚର ଅଛି ବୋଲି ଭାବିଲି । ତେଣୁ ଚାଲି ଆସିଲି ।

 

ଉତ୍ତରକୁ ଅପେକ୍ଷା ନ ରଖି ଫୋନ ରଖିଦେଲା ଦ୍ରାକ୍ଷା । କମଳେଶଙ୍କର ମନେହେଲା ଦ୍ରାକ୍ଷା ଗୁରୁତର ଅସୁସ୍ଥ । ଦେହ ନୁହେଁ– ତାର ମନ ହିଁ ଆହତ, କ୍ଷତାକ୍ତ । ତା’ ସ୍ୱରରେ କ୍ରନ୍ଦନର ଉଚ୍ଛ୍ୱାସ । ହଠାତ୍ କଣ ହେଲା ତାର ?

 

ପାର୍ଟି ଛାଡ଼ି ଆସି ହେଉନାହିଁ । କମଳେଶ ଘରକୁ ଫେରିବା ବେଳକୁ ରୀତିମତ ଆତଙ୍କିତ ହୋଇ ପଡ଼ିଥିଲେ । ଦ୍ରାକ୍ଷାର ଦେହରେ ପ୍ରବଳ ଉତ୍ତାପ, ମୁଣ୍ଡରେ ଯନ୍ତ୍ରଣା, ଛାତିରେ ଯନ୍ତ୍ରଣା, ଦେହରେ ସମସ୍ତ ଶିରାପ୍ରଶିରା ବ୍ୟାଥାରେ କିଟ୍ କିଟ୍‌ କରୁଛି ।

 

ଦ୍ରାକ୍ଷାକୁ ଦେଖି ବିଚଳିତ ହେଲେ କମଳେଶ । ଅନୁତାପଭରା କଣ୍ଠରେ କହିଲେ– ପାର୍ଟି ଛାଡ଼ି ଆସି ହେଲା ନାହିଁ । ତଥାପି ଆଜି ମୁଁ ଶେଷ ପର୍ଯ୍ୟନ୍ତ ରହିପାରିଲି ନାହିଁ । ତମର ହଠାତ୍‌ ଏମିତି କଣ ହେଲା ?

 

ଦ୍ରାକ୍ଷା କମଳେଶଙ୍କୁ ବଡ଼ ବଡ଼ ଆଖିରେ ଚାହିଁ ରହିଲା । ବଳିବିଳେଇଲା ଭଳି କହିଲା– ତମେ ସୁଖେନ୍ଦୁଙ୍କୁ ବିଲାତି ଯିବାପାଇଁ ଏତେ ଗୁଡ଼ାଏ ଟଙ୍କା କାହିଁକି ଦେଇଥିଲ କମଳ ? ବିନା କାରଣରେ ଏତେ ଗୁଡ଼ାଏ ଟଙ୍କା କିଏ କାହାକୁ ଦିଏ ?

 

କମଳେଶ ଅବାକ୍ ହୋଇଗଲେ । ଦ୍ରାକ୍ଷାର ଆଜି ଏତେ ଦିନପରେ ଏ କି ପ୍ରଶ୍ନ ? ସେ ସହଜ ଢଙ୍ଗରେ କହିଲେ– ସୁଖେନ୍ କୁ ମୁଁ ପାଠପଢ଼ିବା ଦିନରୁ ସମୟ ଅସମୟରେ ସାହାଯ୍ୟ କରି ଆସିଛି । ଲାଭ କ୍ଷତିର ହିସାବ କରି ତା ସହ ମୋର କୌଣସି ଦିନ ଟଙ୍କା ବିନିମୟ ହେଇନାହିଁ । ତା’ର ମୋର ସମ୍ପର୍କ ତମକୁ ଅଜଣା ନାହିଁ । ଆଜି ଏଭଳି ପ୍ରଶ୍ନର ଅର୍ଥ କଣ ?

ଦ୍ରାକ୍ଷା ଆଉଥରେ ବାଉଳା ହେଲାଭଳି କହିଲା– ସୁଖେନ୍ଦୁ ମତେ ଛାଡ଼ିଯାଇ ନଥିଲେ ଏପରି ଘଟଣା ଘଟି ନ ଥା’ନ୍ତା । ଦ୍ରାକ୍ଷାର ଆଖିରୁ ଲୁହ ଖସି ଆସିଲା ।

କମଳେଶ ଆହତ ଗଳାରେ କହିଲେ “ସେଥିପାଇଁ ମତେ ଦାୟୀ କରିନାହିଁ । ତମକୁ ଏକାଥରକେ ସଙ୍ଗରେ ନେଇଯିବା ପାଇଁ ମୁଁ ଜିଦ୍ କରିଥିଲି । ମାଉସୀଙ୍କ ସ୍ୱାସ୍ଥ୍ୟ ପାଇଁ ତମେ ରାଜି ହୋଇ ନଥିଲ । ବିଳମ୍ବ ହେବ ବୋଲି ସୁଖେନ୍ଦୁ, କିଛିଦିନ ଅପେକ୍ଷା କରିପାରିଲା ନାହିଁ । ତେବେ ତମକୁ ସଙ୍ଗରେ ନେଲା ନାହିଁ ବୋଲି ସେ ଯାଉ ଯାଉ ଏମିତି କରି ବସିବ ମୁଁ କଣ ଜାଣିଥିଲି । ଏଇ କଣ ତାର ତମପ୍ରତି ପ୍ରେମର ନମୁନା ?

ଦ୍ରାକ୍ଷା ଆଉ କିଛି କହିଲାନାହିଁ । ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା । କମଳେଶ ବ୍ୟସ୍ତ ହେଇ କହିଲେ– ଡାକ୍ତର ଡାକିବି ?

ଦ୍ରାକ୍ଷା ଅନୁରୋଧଭରା କଣ୍ଠରେ କହିଲେ– ମୋ ପାଇଁ ଟିକେ କଷ୍ଟ କରିବ ?

–କ’ଣ କୁହ ? ଅନୁରୋଧ କଥା ଉଠୁଛି କାହିଁକି ? ମୁଁ କଣ ପରଲୋକ ହୋଇଛି ? କମଳେଶ ଆହତ କଣ୍ଠରେ କହିଲେ ।

ଦ୍ରାକ୍ଷା କହିଲା ମତେ ଖୁବ୍ କଷ୍ଟ ହେଉଛି । କିଏ ଜାଣେ ଆଉ ବଞ୍ଚିବି କି ନା– ଯନ୍ତ୍ରଣାଟା ବଢ଼ୁଛି । ତମ ବନ୍ଧୁକୁ ଗୋଟାଏ ଅର୍ଜେଣ୍ଟ ଟ୍ରଙ୍କ କଲ କରିବ ?

କମଳେଶ ବିସ୍ମୟରେ ପ୍ରଶ୍ନ କଲେ– ମୁଁ ହାର୍ଟ ସ୍ପେସାଲିଷ୍ଟଙ୍କୁ ଡାକି ଆଣୁଛି । ସେ ଇଡିୟଟ୍‌ଟାକୁ ଟ୍ରଂକକଲ୍ କଲେ ତମର ଯନ୍ତ୍ରଣା ବଢ଼ିବ ସିନା କମିବ ନାହିଁ । ଏବେ ମଧ୍ୟ ତା’ପ୍ରତି ତମ ମନର ମୋହ ତୁଟି ନାହିଁ ? ନିଜ ମାଆକୁ ଯିଏ ଦେଖିବା ପାଇଁ ଆସିଲା ନାହିଁ ସେ ତମକୁ ଦେଖିବାକୁ ଧାଇଁ ଆସିବ ? ସେ କ’ଣ ଆଉ ମଣିଷ ହୋଇ ରହିଛି ?

ଦ୍ରାକ୍ଷା ବିକଳ କଣ୍ଠରେ କହିଲେ– ନା କମଳ, ମୁଁ ତାଙ୍କୁ ଆସିବା ପାଇଁ କହିବି ନାହିଁ । ପଦେ କଥା ଅଛି ମୋର ତାଙ୍କ ସଙ୍ଗେ । ବାସ୍ ସେତିକି । ତା’ପରେ ତମକୁ ବିରକ୍ତ କରିବ ନାହିଁ । ମତେ ନେଇ ତମେ ଖୁବ୍ ଦହଗଞ୍ଜ ହେଉଛ ।

କମଳେଶ ପ୍ରତିବାଦ କଲେ ନାହିଁ । ଟ୍ରଙ୍କକଲ ବୁକ୍ କରିଦେଲେ । ତା’ ପରଦିନ ସନ୍ଧ୍ୟାରେ ସୁଖେନ୍ଦୁ, ଫୋନ୍‌ରେ ମିଳିଲେ । ଦ୍ରାକ୍ଷା ହାତକୁ ଫୋନ୍‌ଟା ବଢ଼ାଇ ଦେଉ ଦେଉ କମଳେଶ କହିଲେ– ନିଅ, ନନ୍‌ସେନ୍‌ସଟା ସହ କଥା ହେବାକୁ ମଧ୍ୟ ମୁଁ ଚାହେ ନାହିଁ ।

ଦ୍ରାକ୍ଷା କମ୍ପିତ ହାତରେ ରିସିଭରଟା ଧରିନେଲା– ହ୍ୟାଲୋ– ମୁଁ ଦ୍ରାକ୍ଷା କହୁଛି ।

–କଣ ଦରକାର ପଡ଼ିଲା ମୋଠି ?

–ମୁଁ ଅସୁସ୍ଥ । ଭୀଷଣ ଭାବେ ଅସୁସ୍ଥ ।

–କମଳ ଅଛି । ଚିକିତ୍ସାରେ ତ୍ରୁଟି ହେବ ନାହିଁ ।

–ମୁଁ ଚିକିତ୍ସାର କଥା କହୁ ନାହିଁ । ମୁଁ ଭଲ ହେବା ପାଇଁ ଚାହେ ନାହିଁ ।

–ତମେ ଜାଣ ଇଭାକୁ ଛାଡ଼ି ମୁଁ ଯାଇପାରିବି ନାହିଁ । ତାର ଦେହ ଭଲ ରହୁ ନାହିଁ ଏବେ-

–ତମକୁ ଆସିବା ପାଇଁ କହୁନାହିଁ । ବୋଉଙ୍କୁ ଦେଖିବାକୁ ତମେ ଆସିଲ୍ ଆସିଲ ନାହିଁ । ମୁଁ ବା ତମର କିଏ ?

–ଆଉ କିଛି କହିବ ? ମୁଁ ବ୍ୟସ୍ତ ଅଛି ?

–ତମେ କମଳ ସହ ମୋର ସମ୍ପର୍କକୁ ଭୁଲ୍ ବୁଝି ବିଲାତ ଚାଲିଗଲ ? ସତ କୁହ– କୌଣସି ଦିନ ସେମିତି କଥା ତମ ମନକୁ ଆସିଛି ।

–ନା; ସେମିତି କିଛି ହୋଇ ନାହିଁ କେବେ । ସେ କଥା ଏବେ ଉଠୁଛି କାହିଁକି ? ସେ ତ ଅତୀତର କଥା । ଏବେ ବୋଉ ଚାଲିଗଲା । ତମେ ଓ କମଳ ସେ ଘରେ ଏକା ।

–କଣ ହେଲା ସେଇଠୁ ? ମୁଁ କଣ ପିଲାଟିଏ ହୋଇଛି ? କମଳଙ୍କୁ ତମେ କଣ ଚିହ୍ନି ନାହଁ ?

–ଲୋକଙ୍କ ଆଖିକୁ ଯାହା ଦିଶିବ ସେମାନେ ତ କହିବେ । ଦୂରରେ ଥିଲେ ବି ମୁଁ ସବୁ ଶୁଣୁଛି । ତମେ କମଳର କେପ୍‌ଟ ହୋଇରହିଛି ।

ତମେ ବି ଏକଥା କହୁଛ ?

–ସେଥିରେ ଦୋଷ କଣ ? ତମେ ତ ମଣିଷ । ତମର ତ ରକ୍ତ ମାଂସର ଦେହ ଅଛି । ଏକାଠି ଗୋଟିଏ ଘରେ ତମେ ଚଳୁଛ । ତମ କ୍ଷେତ୍ରରେ ଯିଏ ଥାଆନ୍ତା ତାହାହିଁ ହୁଅନ୍ତା । କେପ୍‌ଟ ହେଇ ରହିବାଠାରୁ ବିବାହ କରିଯିବା ଭଲ । ମୋର ଶେଷକଥା ଏତିକି ।

ସୁଖେନ୍ଦୁ, ଫୋନ୍ ରଖିଦେଲେ । ଦ୍ରାକ୍ଷା ଅନେକ କ୍ଷଣଯାଏ ପଥର ମୂର୍ତ୍ତିଟିଏ ଭଳି ବସି ରହିଲା ଫୋନ୍‍ଟାକୁ ଧରି ।

କମଳେଶ ତା ହାତରୁ ଫୋନ୍‌ଟା ନେଇ ରଖିଦେଲେ । ତାକୁ ଧରି ନେଇ ବିଛଣାରେ ଶୁଆଇ ଦେଲେ । ଦ୍ରାକ୍ଷା କ୍ଷୀଣ କଣ୍ଠରେ କହିଲା କମଳ ଏବେ ତମର ଆଉ ସୁଖେନ୍ଦୁଙ୍କର ଏ ଘର । ଦୁହିଁଙ୍କର ଘର ମଝିରେ ପାଚେରୀଟିଏ ଉଠାଇବାରେ ତମର କିଛି ଆପତ୍ତି ଅଛି ?

 

କମଳେଶ ଚମକି ଉଠି କହିଲେ– କଣ ସବୁ ଗପୁଛ ? ତମର ମୁଣ୍ଡ ଠିକ୍ ରହୁନାହିଁ । ଉଦ୍ଭଟ କଥାଗୁଡ଼ାଏ ଚିନ୍ତା କରୁଛ ।

 

ଦ୍ରାକ୍ଷା ଛାତକୁ ଚାହିଁ ରହି କହିଲା– ଗୋଟାଏ ଘରେ ସ୍ତ୍ରୀ ଓ ପୁରୁଷ ଏକାଠି ଚଳିବାର ଏକମାତ୍ର ଅର୍ଥ କେବଳ ଗୋଟିଏ । ତା ବ୍ୟତୀତ ଅନ୍ୟ କିଛି ନୁହେଁ । ମଣିଷ ଯେତେ ସଭ୍ୟ ଶିକ୍ଷିତ ହେଉନା କାହିଁକି ତମର ଏ ବିଷୟରେ ମତ କ’ଣ ?

 

–ସୁଖେନ୍ଦୁ ତମକୁ ଦୋଷାରୋପ କରୁଛି ? ନିର୍ଲଜ । କମଳେଶ ତାତି ଉଠିଲେ ।

 

ଦ୍ରାକ୍ଷା କୋମଳ କଣ୍ଠରେ କହିଲା– ପାଚେରୀଟିଏ ଉଠାଇବାରେ କ୍ଷତି କଣ ଅଛି ? ଲୋକଙ୍କୁ କହିବାକୁ ସୁଯୋଗ ମିଳଲେ ସେମାନେ କହିବେ ନାହିଁ କାହିଁକି ?

 

କମଳେଶ କହିଲେ ଖଳ ଲୋକଙ୍କର ଅପପ୍ରଚାର କାନ୍ଥ, ବାଡ଼, ପାଚେରୀର ପ୍ରତିବନ୍ଧକକୁ ମାନେ ନାହିଁ । ମଣିଷର ସ୍ଵଭାବ ବିଚିତ୍ର । ଜଣଙ୍କର ପ୍ରଶଂସା କରିବାକୁ ସେ ଯେତିକି କୁଣ୍ଠିତ– ନିନ୍ଦା କରିବାକୁ ସେତିକି ଆଗଭର । ଅପନିନ୍ଦା କରିବା ପାଇଁ ତା’ର ଉତ୍ସାହ ଓ ଆନନ୍ଦର ସୌମାରେଖା ତ ଧାର୍ଯ୍ୟ କରାଯାଇପାରେନା ।

 

ଦ୍ରାକ୍ଷା ଦୃଢ଼କଣ୍ଠରେ କହିଲା– ତଥାପି ବାଆକୁ ବତା ଭଳି ଲୋକଙ୍କ ଆଖିକୁ ସୁହାଇବା ପରି ପ୍ରତ୍ୟେକ ବ୍ୟକ୍ତି ଚଳିବା ଉଚିତ । ଆମର ସାମାଜିକ ଚଳଣୀର ସୀମାରେଖା ବି ତ ଅଛି ।

 

କମଳେଶ ଉଦାସ କଣ୍ଠରେ କହିଲେ ଆଜି ହଠାତ୍‌ ଏସବୁ କଥା କାହିଁକି ?

 

ଦ୍ରାକ୍ଷା ଚିନ୍ତିତ ଭଙ୍ଗୀରେ କହିଲେ– ବୋଉ ଯିବା ପରେ ଆମେ ଦୁହେଁ ଏକାଘରେ ଏମିତି ଭାବେ ରହିବାଟା ଲୋକଙ୍କ ଚକ୍ଷୁରେ ଯାଉନାହିଁ । ନିଜ ଦୁଃଖଭରାରେ ବୁଡ଼ିରହି ମୁଁ ଏମିତି କଥାଟାକୁଏ ପର୍ଯ୍ୟନ୍ତ ଚିନ୍ତା କରି ନ ଥିଲି ।

 

କମଳେଶ ଦ୍ରାକ୍ଷାର ଗୋଟିଏ ଉତ୍ତପ୍ତ ନିସ୍ତେଜ ହାତ ପାପୁଲିକୁ ମୁଠାଇ ଧରି ପ୍ରେମପୂର୍ଣ୍ଣ ଗଳାରେ କହିଲେ ଘର ଅଗଣାରେ ପାଚେରୀ ଉଠାଇଦେଲେ ହୃଦୟ ଭିତରେ ବାଡ଼ପଡ଼ିଯାଏ ନାହିଁ; ବରଂ ଲୌକିକ ଦୂରତ୍ୱ ଦୁଇଟି ହୃଦୟକୁ ଅଧିକ ନିକଟତର କରେ । ଦ୍ରାକ୍ଷା! ମୁଁ ତମ ହୃଦୟର ନିକଟତମ ହେବାକୁ ଚାହେଁ– ତମ ହୃଦୟର ସମସ୍ତ ବିଷପାନ କରି ତମକୁ ଅମୃତମୟୀ କରିବାକୁ ଚାହେଁ ।

 

ଦ୍ରାକ୍ଷା ନିଜ ହାତଟି ଖସାଇ ନେଇ କହିଲା ତା’ହେଲେ ଲୋକଙ୍କର ମିଥ୍ୟା ପ୍ରଚାର ସତ୍ୟରେ ପରିଣତ ହେବ । ଲୋକେ କ’ଣ କହୁଛନ୍ତି ତମେ ତ ଶୁଣିନାହଁ....

 

–ମୁଁ ବହୁ ଆଗରୁ ସବୁ ଶୁଣିଛି । ତମ ଭଳି ମୋର ହୃଦୟ ଏତେ ଦୁର୍ବଳ ନୁହେଁ । ମୁଁ ଭାଙ୍ଗି ପଡ଼ିନାହିଁ । କିଏ କ’ଣ କହିବ ମୁଁ ସେତିକି ଖାତିର କରେ ନାହିଁ । ଦୁଇଟି ହୃଦୟର ବୁଝାମଣା ଭିତରେ ତୃତୀୟ ବ୍ୟକ୍ତିର ମତାମତର ମୂଲ୍ୟ ନାହିଁ । କମଳେଶ ଦୃଢ଼ କଣ୍ଠରେ କହିଲେ ।

 

ଦ୍ରାକ୍ଷା ହଠାତ୍ ପ୍ରଶ୍ନ କଲେ– ମତେ କେପ୍‌ଟ ଭାବରେ ଗ୍ରହଣ କରିବ କମଳେଶ ? ମୁଁ ତ ଅବିବାହିତା ତରୁଣୀ ନୁହେଁ– ବିବାହତା ନାରୀଟିଏ । ତା’ଛଡ଼ା ଅନ୍ୟଭାବରେ ମତେ ଗ୍ରହଣ କରାଯାଇ ନ ପାରେ । ତମର ଏ ମୋହ ଦିନେ ନା ଦିନେ ତୁଟିଯିବ ।

 

କମଳେଶ ସ୍ତମ୍ଭୀଭୂତ ହୋଇଗଲେ । ଏମିତି ଏକ ଲଜ୍ଜାକର କଥା ଦ୍ରାକ୍ଷା ମୁହଁରୁ ଶୁଣିବା ପାଇଁ ସେ ପ୍ରସ୍ତୁତ ନ ଥିଲେ । ସେ ଅତ୍ୟଧିକ ଆବେଗରେ ହଠାତ୍ କଣ କହିବେ ଭାବି ପାରିଲେ ନାହିଁ । ରାଗରେ ଥରି ଥରି କହିଲେ ସୁଖେନ୍ଦୁ...ଭଳି ଗୋଟାଏ ପ୍ରତାରକଠାରୁ ଆଘାତ ପାଇ ତମେ ପଥର ପାଲଟି ଯାଇଛ । ସେଥିପାଇଁ ଆଉ କାହା ହୃଦୟର ଆବେଦନ ତମ ପାଖରେ ପହଞ୍ଚିପାରୁ ନାହିଁ । ସମସ୍ତଙ୍କୁ ତମେ ସୁଖେନ୍ଦୁ, ମନେ କରିଛ ? ମନେରଖ, ଯଦି କେବେ ମୁଁ ବିବାହ କରିବି କେବଳ ତମକୁ । ତା ନ ହେଲେ ମୋ ବିବାହର ନ ଧରିବ ନାହିଁ । ଆଉ ମନେ ରଖ ମୁଁ ତମକୁ ଜୋରକରି ବିବାହ କରିବିନାହିଁ । ଜୋର ଜବରଦସ୍ତିରେ ହୃଦୟର ମିଳନ ହୁଏ ନାହିଁ ।

 

କମଳେଶ ଦୁମ୍ ଦୁମ୍ ହୋଇ ପଦାକୁ ବାହାରିଗଲେ । ନିଃସଙ୍ଗ ନିର୍ଜନ ରାତ୍ରିର ଶଯ୍ୟାରେ ଶୋଇ ଦ୍ରାକ୍ଷାର ଯନ୍ତ୍ରଣାଜର୍ଜର ଦେହ ମନ ଅସହାୟତାରେ ଛଟ୍‌ପଟ ହେଉଥିଲା । କମଳେଶ ଚାଲି ଯିବାପରେ ଗୋଟାଏ ବକଟା ଶୂନ୍ୟତାବୋଧ ତାକୁ ଖାଇ ଗୋଡ଼ାଇଲା ପରି ମନେ ହେଲା । ତାର ହୃଦୟ ଭିତରେ କମଳଙ୍କ ପାଇଁ କୋମଳ ଭାବନାର କ୍ଷୀଣ ସ୍ରୋତଟିଏ ପ୍ରବାହିତ ହୋଇଗଲା । ଫୋନରେ ସୁଖେନ୍ଦୁଙ୍କର ସଂକ୍ଷିପ୍ତ ନିଷ୍ଠୁର ସଂଳାପର ସ୍ଵର ଅନ୍ଧାର ଭିତରେ ଆଉଥରେ ତାକୁ ଉତ୍ତେଜିତ କରିଦେଲା । ସୁଖେନ୍ଦୁ ଭଳି ନିଷ୍ଠୁର ହୃଦୟହୀନ ପ୍ରତାରକ ପୁରୁଷଟିର ସ୍ମୃତିକୁ ଗଣ୍ଠି ଧନ କରି ଜୀବନକୁ କ୍ଷଇ–ବିକ୍ଷତ କରିଦେବାରେ କୌଣସି ଗୌରବ ନାହିଁ । ଫାଙ୍କା ଗୌରବ ଲାଭର ମୋହରେ ଜଳି ଜଳି ନିଃଶେଷ ହୋଇଯିବାରେ କୌଣସି ଯଥାର୍ଥତା ନାହିଁ ।

 

ତା’ପରେ ଦୁଇଦିନ ପର୍ଯ୍ୟନ୍ତ କମଳେଶର ଦେଖା ନାହିଁ, ଅଥଚ ଦ୍ରାକ୍ଷାର ଚିକିତ୍ସା ଓ ପଥ୍ୟର କୌଣସି ଅନିୟମିତ ହେଉ ନାହିଁ । କମଳେଶ ବ୍ୟସ୍ତ ଅଛନ୍ତି ବୋଲି ପୂଜାରୀ କହୁଥିଲା । ଦ୍ରାକ୍ଷା ଅନୁଭବ କଲା, ଆତ୍ମବଳ ହେଉଛି ସବୁ ରୋଗର ପ୍ରକୃଷ୍ଟ ନିଦାନ । ତାର ଆତ୍ମବଳ ଭାଙ୍ଗି ପଡ଼ୁଛି । ପ୍ରିୟଜନଙ୍କର ସ୍ନେହ ସୌହାର୍ଦ୍ଦ୍ୟ ବିନା କେବଳ ଔଷଧ ଓ ପଥ୍ୟରେ ଆରୋଗ୍ୟ ଲାଭ ହୁଏ ନାହିଁ । ଏ ଦୁଇଦିନ ଭିତରେ ତାର ଅସୁସ୍ଥତା ବଢ଼ିଛି । ପୂଜାରୀ କହୁଥିଲା କମଳ ସାରା ରାତି ସିଗ୍ରେଟ୍ ପିଉଛନ୍ତି । ଶୋଉ ନାହାନ୍ତି ଭଲକରି– ଖାଇବା ପାଖରେ ବସୁଛନ୍ତି ଉଠୁଛନ୍ତି । ସବୁବେଳେ ଅନ୍ୟମନସ୍କ ଚିନ୍ତିତ ‌।

 

ତୃତୀୟ ଦିନ ଦ୍ରାକ୍ଷା କମଳେଶଙ୍କୁ ଡ଼କାଇ ପଠାଇଲା । କମଳେଶ ଆସିଲେ । ଦ୍ରାକ୍ଷାର ମନେହେଲା କମଳେଶ ହୁଏ ତ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କ ଚେହେରା ଏକବାର ବିବର୍ଣ୍ଣ । ଦ୍ରାକ୍ଷା ବିଚଳିତ କଣ୍ଠରେ କହିଲା କଣ ହୋଇଛି କମଳ ? ଏମିତି ଦିଶୁଛ ଯେ ! ଦୁଇଦିନ ହେଲା ଦେଖାନାହିଁ ତମର ?

 

କମଳେଶ ଉଦାସ କଣ୍ଠରେ କହିଲା ଭଲ ମିସ୍ତ୍ରୀଟାଏ ଆଜିକାଲି ମିଳୁନାହାନ୍ତି । ଦୁଇଦିନ ହେଲେ ମିସ୍ତ୍ରୀଟାଏ ଖୋଜୁଛି ।

 

ଦ୍ରାକ୍ଷା ପ୍ରଶ୍ନ କଲା ପୁଣି ନୂଆକରି କେଉଁଠି ଫ୍ୟାକ୍ଟ୍ରୀ ତିଆରି କାମ ଚାଲିବ ନା କଣ ?

 

କମଳେଶ କହିଲେ ନୂଆ କଥା ଅପେକ୍ଷା ପୁରୁଣା କଥାକୁ ନୂଆକରି ଦେଖିବାରେ ମୋର ବେଶି ଆନନ୍ଦ । ସେଥିପାଇଁ ଏ ପୁରୁଣା ଘରଟିକୁ ଛାଡ଼ି ମୁଁ ନୂଆ ଘରଟିଏ କିଣିବାକୁ ପସନ୍ଦ କରୁ ନାହିଁ ।

 

ଦ୍ରାକ୍ଷାର ମୁଖ ଆରକ୍ତ ହେଲା । କମଳେଶ ସେକଥା ଲକ୍ଷ୍ୟ କରି ପୁଲକିତ ହୋଇ ଉଠୁ ଉଠୁ କହିଲେ– ତମ ଅଗଣାରେ ପାଚେରୀଟିଏ ତିଆରି ହେବପରା ? ମତେ ଭିନ୍ନେ କରିଦେଲେ ତମେ ଶାନ୍ତି ପାଇବ । ଲୋକଙ୍କଠାରୁ ବାହାବା ପାଇବ । ସେତିକି ତ ତମର ଲୋଡ଼ା । ସେଥିପାଇଁ ମିସ୍ତ୍ରୀଟିଏ ଖୋଜୁଥିଲି ।

 

ଦ୍ରାକ୍ଷା ହସିଦେଲା । କ୍ଲାନ୍ତ କଣ୍ଠରେ କହିଲେ– ଖୁବ ଅଭିମାନ କରିଛ ଦେଖୁଛି ।

 

କମଳେଶଙ୍କର ଦୁଇଆଖି ଅକସ୍ମାତ୍ ଅଶ୍ରୁପୂର୍ଣ୍ଣ ହୋଇଗଲା । ସେ କମ୍ପିତ କଣ୍ଠରେ କହିଲେ– ଅଭିମାନ କରିବାକୁ କିଏ ମୋର ଅଛି ? ସେଇ ତେର ବର୍ଷ ବୟସରୁ ମୁଁ ଆଉ ଅଭିମାନ କରିନାହିଁ । ଲୋକଙ୍କ କଥାକୁ ତମର ଖୁବ୍ ଭୟ । ସେଇଥି ପାଇଁ ନିଜକୁ ଚେଷ୍ଟା କରି ଦୂରେଇ ରଖୁଛି । ସେଥିରେ ତମେ ଖୁସି ହେବ ତ ?

 

ଦ୍ରାକ୍ଷା ଅବସନ୍ନ କଣ୍ଠରେ କହିଲା କମଳ ! ମୁଁ କ୍ଲାନ୍ତ–ଦୁର୍ବଳ । ଏତେ ବଡ଼ ଝଡ଼ଟାଏ ମୋ ଉପର ଦେଇ ବହିପାଇଛି । ସେ ଝଡ଼ର ଭଗ୍ନାବିଶେଷକୁ ଏକତ୍ର କରି ଆଉଥରେ ସୁନ୍ଦର ଦେବମନ୍ଦିରଟିଏ ଗଢ଼ି ତୋଳିବା ଖୁବ୍ କଷ୍ଟକର କଥା ।

 

କମଳେଶ କହିଲେ–କେହି କେହି ମନ୍ଦିର ଭାଙ୍ଗି ଦେବାରେ ଆନନ୍ଦ ପାଆନ୍ତି– କେହି କେହି ଗଢ଼ିବାରେ । ମୁଁ ତ ଭଙ୍ଗା ଘରଟିକୁ ଭାଙ୍ଗି ଦେବା କଥାଟାକୁ ବରଦାସ୍ତ କରିପାରେ ନାହିଁ ।

 

ଦ୍ରାକ୍ଷା ଅବସନ୍ନ କଣ୍ଠରେ କହିଲା– ଭାଙ୍ଗିବାଟା ଭାରି ସହଜ କମଳେଶ କିନ୍ତୁ ଗଢ଼ିବାଟା ଖୁବ୍ କଷ୍ଟ ।

 

କମଳେଶ ମଧୁର କଣ୍ଠରେ କହିଲେ– କଷ୍ଟଲଭ୍ୟ ପଦାର୍ଥଟି ଦୁର୍ଲଭ ମନେହୁଏ । ସେଥିପାଇଁ ମଣିଷ ତାକୁ ଯତ୍ନରେ ସାଇତି ରଖେ ଅମୂଲ୍ୟ ରତ୍ନଟି ଭଳି । ସହଜଲଭ୍ୟ ମଣିଷଟି ବାଲିଗରଡ଼ା ଭଳି ସାଧାରଣ ମନେହୁଏ । ହାତଛଡା ହୋଇଗଲେ ମନରେ ଆଘାତ ଲାଗେ ନାହିଁ ।

 

ଦ୍ରାକ୍ଷା କମଳେଶଙ୍କର ହାତଟିକୁ ଚାପିଧର କହିଲ–ତମେ କେବେ ଅନୁତାପ କରିବ ନାହିଁ ତ କମଳ ? ଦୁଃଖ ପାଇବ ନାହିଁ ତ ? ମୋ ପ୍ରଶ୍ନର ଉତ୍ତର ଦିଅ ।

 

କମଳେଶ ଦ୍ରାକ୍ଷାର ଅଧରରେ ଉତ୍ତର ଲେଖିଦେଲେ । ଦ୍ରାକ୍ଷାର ଆଖି ଲୁହରେ ତାର ନୂତନ ପ୍ରେମର ମଧୁର ଦିଗନ୍ତ ସଜଳ ହେଲା ।

 

ଦ୍ରାକ୍ଷା ଓ କମଳେଶଙ୍କ ବିବାହ କୋର୍ଟରେ ହୋଇଗଲା । ଗୋଟାଏ ପାର୍ଟିରେ ବନ୍ଧୁମାନଙ୍କୁ ଆପ୍ୟାୟିତ କରି କମଳ ଦ୍ରାକ୍ଷାଙ୍କୁ ଧରି ହନିମୁନ, ଟ୍ରିପରେ ସାରା ଭାରତ ଘୂରିଆସିଲେ-। ଦ୍ରାକ୍ଷା ନିଜ ମନର ସମସ୍ତ ଦୁର୍ବଳ ଭାବନା ଅତୀତର ସ୍ମୃତିଦଂଶନ ଓ ରକ୍ଷଣଶୀଳ ଚିନ୍ତାଧାରାକୁ ପଛକୁ ଫିଙ୍ଗିଦେଇ କମଳଙ୍କୁ ସୁଖୀ କରିବା ପାଇଁ ବଦ୍ଧପରିକର ହୋଇ ଉଠିଲେ । ସୁଖେନ୍ଦୁ, ଯଦି ଇଭାଙ୍କ ସହ ସୁଖର ସଂସାର କରିପାରିଲେ ସେ କାହିଁକି କମଳଙ୍କ ସହ ସୁନ୍ଦର ସଂସାରଟିଏ ଗଢ଼ିବେ ନାହିଁ ? ସୁଖେନ୍ଦୁଙ୍କ ପ୍ରତି ପ୍ରତିହିଂସାରେ କମଳଙ୍କ ପ୍ରତି ତାଙ୍କର ପ୍ରେମଉତ୍ତାଳ ଅସମ୍ଭାଳ ହୋଇ ଉଠିଲା । ସେ ଭାବିଲେ, ସୁଖେନ୍ଦୁ, କେବେ ଆସିଲେ ସେ ତାଙ୍କର ସୁଖର ସଂସାରକୁ ବିଶେଷଭାବେ ବିଜ୍ଞାପିତ କରି ନିଜ ମନର ଓରମାନ ମେଣ୍ଟାଇ ନେବେ । ତଥାପି ମନର ଖୋଲା ଝର୍କା ଦେଇ ବେଳେ ବେଳେ ସୁଖେନ୍ଦୁଙ୍କର ସ୍ମୃତିର ମହ ମହ ବାସ୍ନ । ପଶିଆସେ ଦ୍ରାକ୍ଷାଙ୍କୁ ଅଧୀର ଆତୁର କରି, ସ୍ମୃତିମାନଙ୍କୁ ଅବଜ୍ଞା କରି ଦ୍ରାକ୍ଷା ହସେ । କମଳେଶଙ୍କୁ ସୁଖୀ କରେ l ଜୀବନ ତ ଏକ ଅଭିନୟ । ଛିଭିନୟ ସଫଳ ନ ହେଲେ ଜୀବନ ସଫଳ ହୁଏ ନାହିଁ ।

 

ଦ୍ରାକ୍ଷାଙ୍କୁ ପାଇ କମଳେଶ ଭାବିଲେ ଅନ୍ୟ କୌଣସି ଝିଅ ତାଙ୍କୁ ଏତେ ସୁଖ, ଏତେ ରୋମାଞ୍ଚ ଦେବାକୁ ସକ୍ଷମ ହେଇ ନଥାନ୍ତା । ସୁଖେନ୍ଦୁ ଦ୍ରାକ୍ଷାକୁ ପରିତ୍ୟାଗ କରି ତାଙ୍କ ଜୀବନଟାକୁ ସୁଖକର କରିଦେଇଛି । କମଳେଶ କିଛିଦିନ ପରେ ବ୍ୟବସାୟରେ ପୁଣି ମନ ଲଗାଇ ଦେଲେ ଓ ଦ୍ରାକ୍ଷାଙ୍କର ଅଳସ ମୂହୂର୍ତ୍ତର ସଦୁପଯୋଗ କରାଇବା ପାଇଁ ରିସର୍ଚ୍ଚ କରିବାର ବ୍ୟବସ୍ଥା ବି କରିଦେଲେ । ଜୀବନ ମନେ ହେଲା ଏକ ସୁମଧୁର ସଙ୍ଗୀତର କୋମଳ ସ୍ୱର–ଝଙ୍କାର ଭଳି ।

 

ସେଦିନ ସୁଖେନ୍ଦୁଙ୍କର ଚିଠି ଆସି ପହଞ୍ଚିଲା । କମଳେଶ ଚିଠିଟି ପଢ଼ିବା ବେଳେ ଦ୍ରାକ୍ଷା ଅନୁଭବ କଲେ ତାଙ୍କର ହୃତ୍‌ସ୍ପନ୍ଦନ ଯେମିତି ବଢ଼ିଯାଇଛି । କିନ୍ତୁ ସେ ପଦଟିଏ ବି କିଛି ପଚାରିଲେ ନାହିଁ ଓ ଚିଠିଟା ମଧ୍ୟ ପଢ଼ିବା ପାଇଁ ମାଗିଲେ ନାହିଁ । କମଳେଶ ଚିଠିଟା ବନ୍ଦ କରି ରଖିଦେଇ ସାମାନ୍ୟ ରସିକତା କରି କହିଲେ–କିଛି ପଚାରିଲ ନାହିଁ ତ ?

 

–କେଉଁ କଥା ?

 

–ସୁଖେନ୍ଦୁର କଥା ।

 

–ସେ ମୋର କିଏ ?

 

ତମ ସ୍ୱାମୀଙ୍କର ଏକଦା ଅନ୍ତରଙ୍ଗ ବନ୍ଧୁ ।

 

ତା’ପରେ ଦ୍ରାକ୍ଷା ଓ କମଳେଶଙ୍କର ମିଳିତ କଣ୍ଠର ହାସ୍ୟଧ୍ୱନିରେ କକ୍ଷ ମୁଖରିତ ହୋଇଗଲା । କମଳେଶ ହସ ରୋକି କହିଲେ ସୁଖେନ୍ଦୁକୁ ସେଠିକାର ସିଟିଜେନସିପ୍ ମିଳିଗଲା । ତାର ପତ୍ନୀଙ୍କର ଆବରସନ ହୋଇଯିବା ପରେ ତାଙ୍କର ସ୍ୱାସ୍ଥ୍ୟ ସାମାନ୍ୟ ଭାଙ୍ଗିଯାଇଛି ।

 

ଦ୍ରାକ୍ଷା ଅବଜ୍ଞା କଲାଭଳି କହିଲା– ଦୁଇଟାଯାକ କଥା ହିଁ ତମକୁ ଜଣାଇବା ଅନାବଶ୍ୟକ-। ଅବଶ୍ୟ ଇଭାଙ୍କ ଲାଗି ବ୍ୟଥା ଲାଗୁଛି । ଖୁବ୍ ସ୍ନେହଶୀଳ ଝିଅଟିଏ ।

 

କମଳେଶ ରସିକତା କରି କହିଲେ– ତା ନ ହୋଇଥିଲେ ସୁଖେନ୍ଦୁ କ’ଣ ସେ ସ୍ନେହସାଗରରେ ବୁଡ଼ି ଉବୁଟୁବୁ ହେଉଥାଆନ୍ତା ? ଇଭାଙ୍କୁ ମୁଁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି । ତାଙ୍କ ସ୍ନେହ ଲାଗି ମୁଁ ଯେ ତମକୁ ପାଇଛି ।

 

ଦ୍ରାକ୍ଷା ପୁଣିଥରେ ହସି ଉଠିଲା । କମଳେଶ ବାହାରକୁ ଯିବା ପରେ ଦ୍ରାକ୍ଷା ସନ୍ତର୍ପଣରେ ସୁଖେନ୍ଦୁଙ୍କର ଚିଠିଟି ଖୋଜି ବାହାର କଲା ଓ ଚୋରୀ କରିବା ଭଙ୍ଗୀରେ ଚିଠିଟା ପଢ଼ି ନେଲା । ନା ତାର ନାମ ମଧ୍ୟ ଲେଖିନାହାନ୍ତି ସୁଖେନ୍ଦୁ । କମଳେଶଙ୍କୁ ବିବାହ କରି ସେ କିଛି ଅନ୍ୟାୟ କରି ନାହିଁ-। ଦ୍ରାକ୍ଷା ଚିଠିଟାକୁ ଟିକି ଟିକି କରି ଚିରି ବାହାରକୁ ଫିଙ୍ଗି ଦେଲା ।

 

କମଳେଶଙ୍କ ସହ ବିବାହ ବାର୍ଷିକୀ ଉଦ୍‌ଯାପିତ ହୋଇଯିବା ପରେ ଦ୍ରାକ୍ଷା କମଳେଶଙ୍କର ଘନିଷ୍ଠ ହେଉ ହେଉ କହିଲା– ଜୀବନଟା ବଡ଼ ଫାଙ୍କା ମନେହେଉଛି । ପାଟି ତୁଣ୍ଡ, କଳିଗୋଳ କିଛି ନାହିଁ । ମତେ ବି ଏତେ ବଡ଼ ବଙ୍ଗଳାଟା ଏକା ଏକା ଲାଗୁଛି ।

 

କମଳେଶ ଦ୍ରାକ୍ଷାକୁ ଆଦର କରୁ କରୁ କହିଲେ– ନା, ଏବେ ନୁହେଁ । ତମର ରିସର୍ଚ୍ଚ ଶେଷ ହେବାପରେ । ତମର ମେଧା ଅଛି । ତମକୁ ମୁଁ ଉପଯୁକ୍ତ ପ୍ରତିଷ୍ଠା ଦେବାକୁ ଚାହେଁ । ସୁଖେନ୍ଦୁ ଜାଣ ତମେ ମଧ୍ୟ କୌଣସି ଗୁଣରେ କମ୍ ନୁହଁ ।

 

ତମର ପ୍ରତିଭାର ବିକାଶ ସାଧନ ଦିଗରେ ହଠାତ୍ ବାଧା ଆଣିବା ଭଳି ସ୍ୱାର୍ଥପର ମୁଁ ନୁହେଁ । ସ୍ତ୍ରୀ ଜୀବନର ଲକ୍ଷ୍ୟ ଏବେ ବହୁମୁଖୀ ହେଇଉଠିଛି । ତା’ ଛଡା ତମକୁ ଅଧିକ ଉଚ୍ଚଶିକ୍ଷାରେ ଭୂଷିତ କଲେ ମୋର ପୁଅ ପାଇଁ ଗୃହ–ଶିକ୍ଷୟିତ୍ରୀଟିଏ ମତେ ଖୋଜିବାକୁ ପଡ଼ିବ ନାହିଁ ।

 

ଦ୍ରାକ୍ଷାଙ୍କର ଆଖିରେ ସ୍ୱପ୍ନ ସବୁ ନିବିଡ଼ ହୋଇ ଆସୁଥିଲା । କମଳେଶ ସବୁବେଳେ ଦ୍ରାକ୍ଷାଙ୍କୁ ଆଦର କଲାବେଳେ କହନ୍ତି ଦ୍ରାକ୍ଷା, ସୁଖେନ୍ଦୁର ଅମାନୁଷିକତା ପାଇଁ ତମେ ଯେତେ ଦୁଃଖ ପାଇଛ, ମୁଁ ତମକୁ ତାର କ୍ଷତିପୂରଣ ସ୍ୱରୂପ ଶହେଗୁଣ ଅଧିକ ସୁଖ ଦେବି । ତମର ସୁଖ ପାଇଁ ମୁଁ ସବୁକିଛି ତ୍ୟାଗ କରିଦେଇପାରେ ? ତମେ ସୁଖେନ୍‌ର ପତ୍ନୀହେବାର ଦୁର୍ଯ୍ୟୋଗ ପାଇଁ ମୁଁ ଏକମାତ୍ର ଦାୟୀ ।

ଦ୍ରାକ୍ଷାର ଆଖିରେ କମଳେଶଙ୍କ ପାଇଁ ଅନେକ ପ୍ରୀତିପଦ୍ମ ବିକଶିତ ହୋଇଯାଏ । କମଳେଶଙ୍କର ପ୍ରେମର ବନ୍ୟାରେ ଦ୍ରାକ୍ଷାଙ୍କ କୋମଳ ସ୍ନେହଶୀଳ ମନର ତରୀଟି ଭାସି ଭାସି ଉତ୍ତାଳ ହୋଇଉଠେ । ଦ୍ରାକ୍ଷାର ମନେହୁଏ, ଜୀବନ ୟା’ଠାରୁ କେବେ ଅଧିକ ସୁନ୍ଦର ସୁଖମୟ ହୋଇ ନ ପାରେ ।

ଏମିତି ସୁଖର ବନ୍ୟାରେ ଭାସି ଯାଉ ଯାଉ ହଠାତ୍ ଦିନେ ସୁଖେନ୍ଦୁ, ଆସି ପହଞ୍ଚିଗଲେ-। କମଳେଶ ଘରେ ନ ଥିଲେ । ଅପ୍ରତ୍ୟାଶିତ ଭାବରେ ସୁଖେନ୍ଦୁଙ୍କୁ ଦେଖି ଦ୍ରାକ୍ଷା ଅବାକ୍ ହୋଇଗଲା । ସୁଖେନ୍ଦୁ କହିଲେ, ହଠାତ୍ ଚାଲି ଆସିବା ଯୋଗୁ ଆଗରୁ ଜଣାଇ ପାରିଲିନାହିଁ ।

ଦ୍ରାକ୍ଷା ସାମାନ୍ୟ ପ୍ରକୃତିସ୍ଥା ହୋଇ ପ୍ରଶ୍ନ କଲା ଇଭା ଆସିଲେ ନାହିଁ ?

ନା, ସେ ଆସିବେ ନାହିଁ । ଗମ୍ଭୀର କଣ୍ଠରେ କହିଲେ ସୁଖେନ୍ଦୁ ।

ଦ୍ରାକ୍ଷା ସୁଖେନ୍ଦୁଙ୍କ ରହିବାର ବନ୍ଦୋବସ୍ତ କରିବା ପାଇଁ ଚାକରକୁ ବରାଦ କରୁ କରୁ ପଚାରିଲା– ତେବେ ତମେ ଶୀଘ୍ର ଫେରିଯିବ ବୋଧହୁଏ ?

ସୁଖେନ୍ଦୁ କହିଲେ– କାହିଁକି ? ମୋର ଏଠାରେ ବେଶିଦିନ ରହିବାଟା କ’ଣ ତମକୁ ସୁଖ ଲାଗିବ ନାହିଁ ?

ଦ୍ରାକ୍ଷା ଅପ୍ରତିଭ ହୋଇପଡ଼ି କହିଲା ନା ନା; ମୋ ସୁଖ ଲାଗିବା ନ ଲାଗିବାରେ ତମର ବା ଆଉ କ’ଣ ଅଛି ? ଇଭା ରହିବେ ସେଠି– ତମେ ଏଠି, ଏମିତି କେତେଦିନ ବା ଚଳିବ ?

ଜୀବନର ଅବଶିଷ୍ଟ ସବୁଗୁଡିକ ଦିନ ଯଦି ମୁଁ ଇଭାକୁ ଛାଡ଼ି ଏଠି ରହେ, ତମେ କ’ଣ ଏକଥା ଚାହିଁବ ନାହିଁ ? ସୁଖେନ୍ଦୁ ଉଦାସ ଗଳାରେ କହିଲେ ।

ଦ୍ରାକ୍ଷା କହିଲା– ସେ କି କଥା । ଇଭା ତମର ସ୍ତ୍ରୀ– ତମେ ଏଠାରେ ରହିବ ଆଉ ସେ ରହିବେ ସେଠାରେ ?

–ଇଭା ଆଉ ମୋର ପତ୍ନୀ ନୁହନ୍ତି । ଆମର ଡ଼ିଭୋର୍ସ ହୋଇଯାଇଛି । ଇଭା ମତେ ତ୍ୟାଗକରି ନୂତନ ପତି ଗ୍ରହଣ କରିଛି । ନିର୍ବିକାର ଭାବରେ ଏତେବଡ଼ କଥାଟା କହିଦେଲେ ସୁଖେନ୍ଦୁ । ସତେ ଯେମିତି କିଛି ଘଟିନାହିଁ ।

କଥାଟା ଶୁଣି ଏକବାର ଶେତାପଡ଼ିଗଲା ଦ୍ରାକ୍ଷା । କମ୍ପିତ ଗଳାରେ କହିଲା– ଏମିତି କାହିଁକି ହେଲା । ଇଭା ତ ସେପରି ଝିଅ ନୁହନ୍ତି । ଅନ୍ତତଃ ମୁଁ ତାଙ୍କୁ ଯେତିକି ଜାଣିଥିଲି...

–ତାଙ୍କ ପାଇଁ ଏଇଟା ଏମିତି କ’ଣ ବଡ଼ କଥାଟାଏ ଅବା । ପତି–ପତ୍ନୀଙ୍କର ବିଚ୍ଛେଦ କଥାଟା ତାଙ୍କ ରକ୍ତରେ ଏମିତି ମିଶି ରହିଛି ଯେ ପତିପତ୍ନୀ ବହୁଦିନ ଧରି ଏକତ୍ର ରହିବାଟା ହିଁ ସେଠାରେ ବିଚିତ୍ର କଥା । ବେପରଓ୍ୱା ଢ଼ଙ୍ଗରେ କହିଲେ ସୁଖେନ୍ଦୁ ।

ଦ୍ରାକ୍ଷାର ବିସ୍ମୟ ଭାବ ତେବେ ବି କଟି ନାହିଁ । ସେ ଉତ୍ସୁକ ଭଙ୍ଗୀରେ କହିଲା– କିନ୍ତୁ ଇଭା ତମକୁ ପରିତ୍ୟାଗ କରିବାର ତ କିଛି ଦର୍ଶାଇଥିବେ ।

–କାରଣ ତମର ଏକ ପ୍ରେମପତ୍ର । ଇଭାଙ୍କ ହାତରେ ଗୋଟାଏ କେମିତି ଅକସ୍ମାତ୍ ପଡ଼ିଗଲା; ଯଦି ଓ ତମର ସମସ୍ତ ଚିଠି ମୁଁ ନଷ୍ଟ କରି ଦେଇଥିଲି । ତା’ପରେ ତମର ପରିଚୟ ତାଙ୍କ ପାଖରେ ପରିଷ୍କାର ହୋଇଗଲା । ତାଙ୍କ ପାଖରେ ସତ୍ୟ ଗୋପନ କରିଥିବା ଅପରାଧରେ ସେ ମତେ ପରିତ୍ୟାଗ କଲେ । ମୋ ଭଳି ମିଥ୍ୟାବାଦୀ ପୁରୁଷ ସହ ଏକତ୍ର ବାସ କରିବା ତାଙ୍କ ପକ୍ଷେ ଅସହ୍ୟ ବୋଲି ଦର୍ଶାଇଲେ । ଜୟ ହେଲା ତାଙ୍କର । ସେ ତ ଆଉ ତମ ପରି ଆମ ଦେଶର ପତିପ୍ରାଣା ପତ୍ନୀ ନୁହନ୍ତି ଯେ, ସ୍ୱାମୀ ଯେତେ ପାଷାଣ୍ଡ ନରାଧମ ହେଲେ ମଧ୍ୟ ତାଙ୍କ ବ୍ୟତୀତ ଅନ୍ୟ କାହାକୁ ସ୍ୱାମୀ ପଦରେ ବରଣ କରିବେ ନାହିଁ ? ତା’ର ସ୍ମୃତିରେ ଆହୁତି ଦେଇଦେବେ ? ପଦ୍ମଫୁଲଟି ଭଳି ପାଷାଣ୍ଡ ସ୍ୱାମୀ ର ଫେରିବା ପଥକୁ ଚାହିଁ ରହିବେ ?

 

ଦ୍ରାକ୍ଷାର ଶେତା ମୁହଁଟା ହଠାତ୍ କଳା ପଡ଼ିଗଲି । ସେ ତର ତର ହୋଇ ମୁହଁ ବୁଲେଇ ସୁଖେନ୍ଦୁଙ୍କର ଶୟନ ଗୃହ ଆଡ଼େ ଚାଲିଗଲା । ସୁଖେନ୍ଦୁ ତାଙ୍କର ଅନୁଗମନ କରୁ କରୁ କହିଲେ– ମୋ ଘରେ ତାଲା ପଡ଼ିଛି ଯେ, ତମେ କ’ଏ ସେ ଘରଟା ବ୍ୟବହାର କରୁ ନାହଁ ?

 

ଦ୍ରାକ୍ଷା ଘରର ତାଲା ଖୋଲୁ ଖୋଲୁ ନିଜକୁ ଦୃଢ଼ କରିନେଲା ଓ– ନା, ଏ ଘରେ ଏବେ ଶୟନ କରିବା ମୋ ପକ୍ଷେ ଶୋଭନୀୟ ନୁହେଁ।

 

ଦ୍ରାକ୍ଷାର ପଛେ ପଛେ ଘର ଭିତରେ ପଶୁ ପଶୁ ସୁଖେନ୍ଦୁ କହିଲେ– ଏବେ ବି ମୋର ସ୍ମୃତି ତମକୁ ଦୁଃଖ ଦିଏ ? ଏବେ ମଧ୍ୟ ତମ ଘରେ ମୋ ପାଇଁ କିଛି ସ୍ଥାନ ଅବଶିଷ୍ଟ ଅଛି ସେଇଥିପାଇଁ ତମେ ଏ ଘର ଦେଇଛ ?

 

ଦ୍ରାକ୍ଷା ଗମ୍ଭୀର ଅନାସକ୍ତ କଣ୍ଠରେ କହିଲ–ମୋ ହୃଦୟରେ ତମ ପାଇଁ କିଛିହେଲେ ବିଦ୍ୱେଷଭାବ ନାହିଁ, ତମେ ମୋର ଶତ୍ରୁ, ନାହଁ । ତମେ କମଳେଶଙ୍କର ଅନ୍ତରଙ୍ଗ ବନ୍ଧୁ । ଏ ଘରର ଅତିଥି । ଅତିଥି ସକାର ପ୍ରତ୍ୟେକ ନାରୀର କର୍ତ୍ତବ୍ୟ ।

 

ସୁଖେନ୍ଦୁ, ଦ୍ରାକ୍ଷା କଥାର ମର୍ମ ନ ବୁଝି ତାର ନିକଟତମ ହୋଇଉଠି ଗଭୀର ଆଲିଙ୍ଗନ ଭିତରକୁ ଟାଣି ଆଣୁ ଆଣୁ କହିଲେ–ଦ୍ରାକ୍ଷା, ତମେ ଉପରେ ଅଭିମାନ କରିଛ । ସେଇଥିପାଇଁ କହୁଛି ମୁଁ ଏ ଘରର ଅତିଥି । ମୁଁ ଯେ ସବୁଦିନ ପାଇଁ ତମରି ପାଖକୁ ଫେରିଆସିଛି । ତମେ କ୍ଷମା ଦେବନାହିଁ ? ବିଶ୍ଵାସ କର, ମୁଁ ଗୋଟାଏ ପ୍ରହେଳିକା ପଛରେ ଥିଲି ।

 

ଦ୍ରାକ୍ଷା ନିଜକୁ ସୁଖେନ୍ଦୁଙ୍କର ଆଲିଙ୍ଗନରୁ ମୁକ୍ତକରି ନେଉ ନେଉ ଗଭୀର ଭାବରେ କହିଲା ମୋ ସଙ୍ଗେ ଏବେ ଆଉ ତମର ଏ ଅନୁଚିତ ବ୍ୟବହାର ଗ୍ରହଣୀୟ ନୁହେଁ । ଏ ତ ବିଲାତ ନୁହେଁ ଏଇଟା ଯେ ଭାରତ । କଥା ଲୋକେ ଅନ୍ୟ ନାରୀକୁ ଆଲିଙ୍ଗନ କରିବା ଓ ଚୁମ୍ବନ ଦେବା ଏ ଦେଶର ଚଳଣୀ ନୁହେଁ ।

 

–କିନ୍ତୁ ଦ୍ରାକ୍ଷା, ତମେ ଯେ ମୋର ପତ୍ନୀ–ପତ୍ନୀ ସହ ଏ ବ୍ୟବହାର ହେବ କାହିଁକି? ସ୍ୱାମୀ ଯେତେ ଭୁଲ୍ କଲେ ବି ସେ ପରପୁରୁଷ ନୁହେଁ । ସୁଖେନ୍ଦୁ ଆହତ ଗଳାରେ କହିଲେ ।

 

ଦ୍ରାକ୍ଷା ନିଜ ମନର ଦୁର୍ବଳ ଭାବନାରୁ ପଛକୁ ପକାଇ କହିଲା ମୁଁ ତାର ପତ୍ନୀ ନୁହେଁ । ମୁଁ ଏବେ ତମର ବନ୍ଧୁ ପତ୍ନୀ । କମଳେଶଙ୍କ ସହ ମୋର ସହ ବିବାହ ହୋଇଯାଇଛି ମାଆଙ୍କ ଶେଷ ଇଚ୍ଛାକୁ ସମ୍ମାନ ଦେଇ, ତମର ଆଦେଶକୁ ଗ୍ରହଣ କରି ।

 

ସୁଖେନ୍ଦୁଙ୍କ ଆଖିରେ ଅକସ୍ମାତ୍ ଦ୍ରାକ୍ଷାର ସୁନ୍ଦର ଚେହେରାଟା କୁତ୍ସିତ କଦାକାର ଦିଶିଲା-। ତାଙ୍କ ମୁଖମୁଦ୍ରାରେ ଅସହ୍ୟ ଘୃଣା, ତାଚ୍ଛଲ୍ୟ, ଅସହିଷ୍ଣୁତା ଫୁଟି ଉଠିଲା । ସେ ବିଦ୍ରୁପଭାର ଶାଣିତ କଣ୍ଠରେ କହିଲେ, ତମକୁ ମୁଁ ଏମିତିଭାବେ ସ୍ଵପ୍ନରେ ମଧ୍ୟ କଳ୍ପନା କରି ନ ଥିଲି-। ହଁ, ସମୟ ବଦଳିଛି । ନାରୀ ଜାଗରଣ ହାୱା। ଆସିଛ । ହିନ୍ଦୁ ନାରୀର ଭୂମିକା ମଧ୍ୟ ତା ସଙ୍ଗେ ବଦଳି ଯାଇଛି-। ମୁଁ ଏ କଥା ଭାବି ନ ଥିଲି କେମିତି ?

 

ଦ୍ରାକ୍ଷାର ମଳିନ ମୁହଁଟା ଅପମାନରେ ରଙ୍ଗା ପଡ଼ିଗଲା । ବ୍ୟର୍ଥ ଅଭିମାନ, ବିଦ୍ରୋହରେ ତାର ଶରୀର କମ୍ପି ଉଠିଲା । ସେ ଶାଣିତ କଣ୍ଠରେ କହିଲା ଏକଥା ତ ତମେ ନିଜେ ଚାହିଁଥିଲ । ତମ ବନ୍ଧୁଙ୍କୁ ସେଦିନ ମଧ୍ୟ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲ । ତାହା କଣ ମିଥ୍ୟା ?

 

ନା ମିଥ୍ୟା ନୁହେଁ । କିନ୍ତୁ କାୟମନୋବାକ୍ୟରେ ତାହା ମୁଁ କର ନଥିଲି । କୌଣସି ସ୍ଵାମୀ ଚାହେଁ ନାହିଁ । ମୁଁ ଯାହା ମୁହଁରେ କହିଥିଲି ତାହା କେବଳ ପରସ୍ଥିତିରେ ପଡ଼ି । ମୋର ଦୃଢ଼ଧାରଣା ଥିଲା ତମେ କଦାପି ସେପରି ଭାବେ ନିଜ ଜୀବନକୁ କଳଙ୍କିତ କରିବାପାଇଁ ପସନ୍ଦ କରିବ ନାହିଁ । ଛି ଦ୍ରାକ୍ଷା ମୋର ଧାରଣା କେତେ ଅମୂଳକ ଥିଲା ? ସୁଖେନ୍ଦୁଙ୍କର ମୁଖ ଘୃଣାରେ ବିଭୋର ହୋଇଗଲା ।

 

ଦ୍ରାକ୍ଷା ଦପ୍ କରି ଜଳିଉଠି କହିଲା– ବାଃ, ପରିସ୍ଥିତିରେ ପଡ଼ି ତମେ ଯାହା ଚାହିଁଥିଲ, ଅନ୍ତିମଶଯ୍ୟାରେ ତମର ମାଆ ଯାହା ଚାହିଁଥିଲେ ଭ୍ରମର ଅନ୍ତରଙ୍ଗ ବନ୍ଧୁ ତମ ଅପରାଧର କ୍ଷତିପୂରଣ ପାଇଁ ଯାହା ଚାହିଁଥିଲେ ତାହା ଯଦି ମୁଁ ଗ୍ରହଣ କରିନେଲି ତେବେ ମୋର ଜୀବନ କଳଙ୍କିତ ହୋଇଗଲା । ଇଭା ଯଦି ତୁମକୁ ପରିତ୍ୟାଗ କରି ନ ଥାନ୍ତେ, ତମେ ଯଦି ଫେର ଆସି ନ ଥାନ୍ତ ଥରେ ଭାବିଛ କି ମୋ ଜୀବନର କି ପରିଣତି ହୋଇଥାନ୍ତା । ତମେ ବା କିପରି ବୁଝିବ ସୁଖେନ୍ଦୁ, କମଳେଶଙ୍କୁ ଦ୍ୱିତୀୟ ପତି ଭାବେ ଗ୍ରହଣ କରି ମୁଁ ସୁଖ ପାଇଥିଲେ ମଧ୍ୟ ସମାଜରେ, ବନ୍ଧୁ ମହଲରେ ନିଜକୁ କେତେ କୁଣ୍ଠିତ ସଙ୍କୁଚିତ ଭାବରେ ଠିଆ କରାଏ ? ପୁରୁଷ ପକ୍ଷରେ ଯେଉଁଟା ଗର୍ବର ବିଷୟ ନାରୀ ପକ୍ଷେ ତାହା କେଡ଼େ ଲଜ୍ଜାକର, ତା’ ତମେ ବୁଝିବ ନାହିଁ ।

 

କହୁ କହୁ ଦ୍ରାକ୍ଷାର ସୁନ୍ଦର ଆଖି ଦୁଇଟା କରୁଣ ହେଇଉଠିଲା । ନିଜେ ସଂଯତ କରିନେଇ ସେ ସହଜ କଣ୍ଠରେ କହିଲା ସୁଖେନ୍ଦୁ ! ଆମେ ପରସ୍ପର ଦୋଷ ଦେଇ ଆଜି ଆଉ କିଛି ବଦଳାଇ ପାରିବା ନାହିଁ । ପଛକଥା ଭୁଲିଯାଅ ତମର ବନ୍ଧୁ ପତ୍ନୀ ଭାବି ନିଜକୁ ସହଜ କରିନିଅ । କମଳେଶଙ୍କ ଭଳି ବନ୍ଧୁଟିର ସମ୍ମାନ କରନାହିଁ ।

 

କିନ୍ତୁ ସୁଖେନ୍ଦୁ ନିଜକୁ ସହଜ କରିନେଇ ପାରିଲେ ନାହିଁ । କମଳେଶଙ୍କ ତାଙ୍କ ମନତଳେ ଏକ ଅକାରଣ ଈର୍ଷା ଓ ଅସୂୟାର ଗୋପନ ଶିଖାଟିଏ ଦିକି ଦିକି ଜଳିବାକୁ ଲାଗିଲା । କମଳେଶ ମଧ୍ୟ ମୁହଁ ଉପରେ ବନ୍ଧୁ ସୁଖେନ୍ଦୁର ଫେରି ଆସିବାରେ ଆନନ୍ଦ ପ୍ରକାଶ କରିଥିଲେ ମଧ୍ୟ ଅନ୍ତରରେ ସୁଖୀ ହେଲେନାହିଁ । ତାଙ୍କର ପୂର୍ବର ସେଇ ବେପରଓ । ଖୁସି ମିଜାଜଟି ବଦଳି ଯିବାକୁ ଲାଗିଲା । ଦୁଇ ବନ୍ଧୁ ଙ୍କର ନିର୍ମଳ ପ୍ରେମ ବନ୍ଧନର ଗଣ୍ଠି ହୁଗୁଳା ହେଇଗଲା । ଦ୍ରାକ୍ଷା ଏକ ତ୍ରିଶଙ୍କୁ ବ୍ୟବସ୍ଥାରେ ପଡ଼ି ନିଜକୁ ଅସହାୟା ମଣିଲା ।

 

ତଥାପି ନିଜ କର୍ତ୍ତବ୍ୟରେ ସେ ତିଳେମାତ୍ର ତ୍ରୁଟି କଲା କାହିଁ । ଯେଉଁ ରେ ସେ ସୁଖେନ୍ଦୁଙ୍କର ପତ୍ନୀ ହେଇ କମଳେଶଙ୍କୁ ନିଜର ସ୍ନେହଦାନ କରି ପଯ୍ୟାୟିତ କରିଥିଲା, ସେଇ ଘରେ ସେ କମଳେଶଙ୍କର ପତ୍ନୀ ହେଇ ସୁଖେନ୍ଦୁଙ୍କୁ କରି ଆତିଥ୍ୟ ଦାନ କରି ଧନ୍ୟ କରିବାକୁ ଲାଗିଲା । ଦ୍ରାକ୍ଷାର ଭୂମିକା କେବଳ ଆଡ଼ମ୍ବିତ ଭାବରେ ପରିବର୍ତ୍ତିତ ହୋଇଗଲା । ଘରର ସମସ୍ତ ପରିବେଶ ଅଶ୍ୱସ୍ତିକର ଭାବେ ଅସହ୍ୟ ହେଇ ଉଠିଲା ଦ୍ରାକ୍ଷା ପାଇଁ ।

 

ସୁଖେନ୍ଦୁଙ୍କ ଆଖିରେ ଦ୍ରାକ୍ଷା ପାଇଁ ଅଜସ୍ର ଘୃଣାଭାବ । ତାଙ୍କର ସମଗ୍ର ଚେହେରା ବିଷର୍ଣ୍ଣ, ବିବର୍ଣ୍ଣ ।

 

କମଳେଶ ପୂର୍ବରୁ ଯେମିତି ବିଳମ୍ବ ରାତ୍ରିରେ ଫେରୁଥିଲେ ସୁଖେନ୍ଦୁ ଠିକ ସେମିତି ଏଣେ ତେଣେ ଘୂରିଘୂରି ରାତ୍ରିର ବିଳମ୍ବ ପ୍ରହରରେ ପରେ ଘରକୁ ଫେରନ୍ତି। ଦ୍ରାକ୍ଷା ପୂର୍ବଭଳି ସ୍ଵାମୀଙ୍କ ଆଲିଙ୍ଗନ ଶିଥିଳ କରି ଉଠି ଆସି ସୁଖେନ୍ଦୁଙ୍କୁ ଖାଇବାକୁ ବାଢ଼ି ଦେଇ ନିଜେ ଖାଇବସନ୍ତି ।

 

ସୁଖେନ୍ଦୁ କଟାକ୍ଷ କରି କହନ୍ତି– ତମେ କାହିଁକି ମୋ ପାଇଁ ଅପେକ୍ଷା ମୁଁ ଭାରି ବସୁଛ ଦ୍ରାକ୍ଷା କମଳର ଏଥିରେ କିଛି ଅସୁବିଧା ହେଉ ନାହିଁ ତ ? ଦେଖ ତାକୁ ଯେପରି କଷ୍ଟ ନ ହୁଏ । ତମର ସୁଖ ତ ତାକୁଇ କେନ୍ଦ୍ର କରି ।

 

ଦ୍ରାକ୍ଷା ହସିଦେଇ କଥାଟାକୁ ଉଡ଼େଇ ଦେବାକୁ ଚେଷ୍ଟାକଲେ ମଧ୍ୟ ତଣ୍ଟିରେ ଖାଦ୍ୟଗୁଡ଼ା ଅଟକିଯାଏ । ଢୋକି ହୁଏ ନାହିଁ । ସେ ଢ଼କ ଢ଼କ କରି ପାଣି ଗ୍ଲାସଟା ପିଇ ଦେଇ ଖାଇବା ଶେଷ କରେ ।

 

ସୁଖେନ୍ଦୁ, ସେଥିକି ଭ୍ରୁକ୍ଷେପ ନ କରି କହନ୍ତି ତମେ ଏଥର ସହ ଖାଇ ନେବ । ମୁଁ କିଛି ଭାବିବି ନାହିଁ । ତମେ ମୋ ସହ ଆଦୈା କିଛି ପାରୁନାହିଁ । ଆଗରୁ ତମେ ଏତେ କମ୍ ତ ଖାଉ ନ ଥିଲ !

 

ଦ୍ରାକ୍ଷା କିଛି କହେ ନାହିଁ । ସୁଖେନ୍ଦୁଙ୍କର ରାତ୍ରିରେ ପାଣି ପିଇବା ଅଭ୍ୟାସ । ଦ୍ରାକ୍ଷା ସେ କଥା ଭୁଲି ନାହିଁ । ସୁଖେନ୍ଦୁଙ୍କର ମୁଣ୍ଡ ଉପରେ ଗ୍ଲାସ୍‌ଟା ରଖି ସେ ତାଙ୍କୁ ଶୁଭରାତ୍ରି ଜଣାଏ । ସୁଖେନ୍ଦୁଙ୍କର ଇଚ୍ଛା ହୁଏ ଜୋର କରି ଭିଡ଼ି ଆଣିବେ ଶଯ୍ୟା ଉପରକୁ ଆଉ ନିଜର ସମସ୍ତ ବଳ ପ୍ରୟୋଗ କରି ସ୍ୱାମୀତ୍ୱ ଜାହିର କରିବେ । ମାତ୍ର ସେଥିପାଇଁ ତାଙ୍କ ଶରୀରରେ ଶକ୍ତି ନାହିଁ । ସେ ବିଦ୍ରୁପଭାର କଣ୍ଠରେ କହନ୍ତି ନାରୀମାନେ ଶଯ୍ୟା ପରିବର୍ତ୍ତନ । ବୋଧହୁଏ ସୁଖୀ ହୁଅନ୍ତି । ତମର ନିଶ୍ଚୟ କମଳେଶର ଶଯ୍ୟାରେ ସୁଖୀ ହୋଇ ତମର ସୁଖ ତମ ସ୍ୱାସ୍ଥ୍ୟର ଉନ୍ନତିରୁ ସ୍ପଷ୍ଟ । ଦ୍ରାକ୍ଷା ରାଗ ଓ ଅପମାନରେ ଜଳି କକ୍ଷ ପରିତ୍ୟାଗ କରନ୍ତି ।

 

ଅନ୍ୟ ଘରେ କମଳ ଅଗ୍ନିରେ ଘୃତ ସଂଯୋଗ କରିବା ପାଇଁ କରିଥାଆନ୍ତି । ଦ୍ରାକ୍ଷାକୁ ଦେଖିବା ମାତ୍ରେ ସେ ବିଷାକ୍ତ ଦଂଶନ କଲାବେଳେ କହି ସୁଖେନ୍ ପାଖରେ ତମର ଆଉ ସମୟ ଜ୍ଞାନ ରହେ ନାହିଁ ନା କଣ ? ସେ ରାତି ହେଲା ଘଣ୍ଟା ଦେଖ ତ ଆଉ ଦୁଇ ତିନ ଘଣ୍ଟାରେ ସକାଳ ହେଇଯିବ ସୁଖେନ୍‌କୁ କହିଦିଅ– ସେ ଠିକ୍ ସମୟରେ ଘରକୁ ଫେରୁ । ଏମିତି ଅନିୟମିତ ତମର ସେ ସ୍ୱାସ୍ଥ୍ୟ ନଷ୍ଟ ହେବ ।

 

ଦ୍ରାକ୍ଷା ଆହୁରି ବେଗରେ ଜଳିଉଠି କହେ– ମୁଁ କାହିଁକି ସେ ତମର ବନ୍ଧୁ, ତମର ଯାହା ଇଚ୍ଛା ତାହା କହିପାର । ମୋ ମାଧ୍ୟମ କଥାର ଆଦାନ–ପ୍ରଦାନ କାହିଁକି ? ମୁଁ ତାଙ୍କର କିଏ ?

 

ତେବେ ତାକୁ ଚାହିଁ ରାତି ଉଜାଗର ହେଇ ବସିଛ କାହିଁକି ସେ ନ ଖାଇଲେ ତମ ପେଟକୁ ଖାଦ୍ୟ ଯାଉ ନାହିଁ କାହିଁକି ? ରାଗିଉଠି କହନ୍ତି ।

 

ଦ୍ରାକ୍ଷା ଶାନ୍ତ ହୋଇଯାଏ ଏବଂ କୋମଳ ପ୍ରଶାନ୍ତ କଣ୍ଠରେ କହି ସେ ଏ ଘରର ଅତିଥି, ମୁଁ ଏ ଘରର ଗୃହିଣୀ, ମୋର କର୍ତ୍ତବ୍ୟହିଁ ମୁଁ କରି ଦିନେ ତମ ପାଇଁ ମଧ୍ୟ ମୁଁ ରାତି ଉଜାଗର ହୋଇ ଚାହିଁ ବସୁଥିଲି । ସେତେ ସୁଖେନ୍ଦୁ ଦିନଟିଏ ବି ତମ ଭଳି ଅସହିଷ୍ଣୁ ହୋଇନାହାନ୍ତି । ତମଠାରୁ ଅଧିକ କଥା ତ ଆଶା କରାଯାଏନା ।

 

କମଳେଶ ଗମ୍ଭୀର କଣ୍ଠରେ କହନ୍ତି ସୁଖେନ୍ଦୁ ସହ ମୋର ତୁଳନା କର ନାହିଁ କହୁଛି । ତାର ନାଁ ଶୁଣିଲେ ମୋର ଦେହ ଜଳୁଛି ।

 

ଦ୍ରାକ୍ଷା କଥା ନ ବଢ଼ାଇ ଚୁପ୍‌ଚାପ୍ ଶଯ୍ୟା ଗ୍ରହଣ କରି କମଳେଶଙ୍କୁ ପଛ କର ଆଖି ବୁଜେ । କମଳେଶ ପତ୍ନୀଙ୍କର ଅଭିମାନ ଭାଙ୍ଗିବା ପାଇଁ ପ୍ରୟାସ କରନ୍ତି ନାହିଁ । ରାତ୍ରି ସକାଳର ସଙ୍କେତ ଦିଏ ।

 

ସୁଖେନ୍ଦୁଙ୍କୁ ରାତ୍ରିରେ ନିଦ୍ରା ହୁଏ ନାହିଁ । ଶଯ୍ୟାରେ ଶୋଇ ସେ ଛଟପଟ ହୁଅନ୍ତି । ଆର ଘରେ କମଳର ଶଯ୍ୟାରେ ତାଙ୍କର ଏକଦା ଧର୍ମପତ୍ନୀ ଦ୍ରାକ୍ଷା ରାତ୍ରିର ଫୁଲହୋଇ ଫୁଟିବାର କଥା ଚିନ୍ତା କରିବା ମାତ୍ରେ ତାଙ୍କର ପୁରୁଷ ପ୍ରାଣର ସମସ୍ତ ଚେତନା ଏକଯୁଟ ଭାବରେ ବିଦ୍ରୋହ କରି ଉଠେ । ସେ ଭାବନ୍ତି କମଳଙ୍କର ଏପରି କରିବାଟା ଅନ୍ୟାୟ, ସ୍ୱାର୍ଥପରତା, ଶଠତା । ସେ ବନ୍ଧୁଦ୍ରୋହୀ ଓ ବିଶ୍ୱାସଘାତକତାର ଚରମ ସୀମା ସ୍ପର୍ଶ କରିଛି । ଆଉ ଦ୍ରାକ୍ଷା–ତାର ଚରିତ୍ର ଏକାଦା ତିମିରିତ । ହିନ୍ଦୁ ନାରୀର ଧର୍ମ ଲଘଂନ କରି ସେ ପାପ ଅର୍ଜନ କରିଛି । ହୁଏତ ବହୁ ପୁର୍ବରୁ ଦ୍ରାକ୍ଷା କମଳେଶଙ୍କର ପ୍ରଣୟ ଲାଭ କରିଥିଲା । ତାଙ୍କର ବିଦେଶ ଯାତ୍ରା ଓ ଇଭାଙ୍କ ସହ ସମ୍ପର୍କ ସେମାନଙ୍କୁ କେବଳ ଅଧିକ ସୁଯୋଗ ହିଁ ଦେଇଛି । ସେ ଜଳିବାକୁ ଲାଗନ୍ତି । ଦ୍ରାକ୍ଷା ଓ କମଳଙ୍କର ସୁଖମୟ ଦାମ୍ପତ୍ୟ ପ୍ରେମ ତାଙ୍କୁ ବିଷମୟ ଲାଗେ । ସେ ଅଧିକାଂଶ ରାତ୍ରିରେ ନିଜ ମନର ଚେତନାକୁ ଅବଲୁପ୍ତ କରିବାପାଇଁ ବିଦେଶୀ ପାନୀୟର ଆଶ୍ରୟ ନେଇ ଟଳି ଟଳି ଫେରନ୍ତି ।

 

କମଳେଶ ସୁଖେନ୍ଦୁଙ୍କର ଏ ଅଧୋଗତିରେ ଦୁଃଖ ଅନୁଭବ କଲେ ମଧ୍ୟ ତାଙ୍କୁ ବାରଣ କରନ୍ତି ନାହିଁ ଏପରି କରିବାର କାରଣ ପଚାରନ୍ତି ନାହିଁ । ବରଂ ସୁଖେନ୍ଦୁଙ୍କ ପ୍ରତି ଅଧିକ ବିମୁଖ ହୋଇ ଉଠନ୍ତି । ଦୁଇ ବନ୍ଧୁ ନିଜ ଭିତରେ ଅସହ୍ୟ ଅଶାନ୍ତିରେ କୁହୁଳି ରହିଲେ ମଧ୍ୟ ମୁହ ଖୋଲି ପରସ୍ପରକୁ କିଛି କହନ୍ତି ନାହିଁ । ଅସନ୍ତୋଷର ଗୋଟିଏ ତୀବ୍ର ଅର୍ନ୍ତପ୍ରବାହ ଅହରହ ବହୁଥାଏ ଦୁଇ ବନ୍ଧୁଙ୍କ ମନ ତଳେ ।

 

ଦ୍ରାକ୍ଷାର ଦୁଃସହ ଦିନଗୁଡ଼ାକ କଲେଜରେ ରିସର୍ଚ୍ଚ କାମ ଭିତରେ କୌଣସି ପ୍ରକାର କଟିଯାଏ । ଘରେ ପାଦଦେବା ମାତ୍ରେ ତା ମନର ଶାନ୍ତି ନଷ୍ଟ ହୋଇଯାଏ । ସୁଖେନ୍ଦୁଙ୍କର ଦୁର୍ଗତ– କମଳେଶଙ୍କର ତାଙ୍କ ପ୍ରତି ବରାଗ ତାଙ୍କୁ ଅଶେଷ ଦୁଃଖ ଦିଏ । ସମାଧାନର ବାଟ ଖୋଜି ସେ ବାଟବଣା ହୁଅନ୍ତି । ସେ ଯେମିତି ଗୋଟାଏ ଗୋଲକ–ଧନ୍ଦାରେ ପଡ଼ଯାଇଛି । ତାର ବାସ୍ତବ ଜୀବନଟା ଯେମିତି ଗୋଟାଏ ରୋମାଞ୍ଚକର ନାଟକରେ ପରିଣତ ହୋଇଛି ।

 

କମଳେଶ ବ୍ୟବସାୟ କାମରେ ଦିନେ ଦୁଇଦିନ ବାହାରକୁ ଚାଲିଗଲେ ସୁଖେନ୍ଦୁ, ଭୁଲିଯାନ୍ତି ଯେ ସେ ଏ ଘରର ଅତିଥି ବୋଲି । ଭୁଲିଯାଆନ୍ତି ଦ୍ରାକ୍ଷା ତାଙ୍କର ପତ୍ନୀ ନୁହନ୍ତି ବୋଲି । ନିଶାରେ ଟଳି ଟଳି ନିର୍ଜନ ରାତ୍ରିର ବିଳମ୍ବିତ ପ୍ରହରରେ ସେ ବାଚାଳତା ପ୍ରକାଶ କରି ଦ୍ରାକ୍ଷାଙ୍କ ପାଖରେ ପ୍ରେମ ନିବେଦନ କରନ୍ତି । ଦ୍ରାକ୍ଷା ଘୃଣା ପରିବର୍ତ୍ତେ ଦୁଃଖ କରନ୍ତି । ସୁଖେନ୍ଦୁଙ୍କ ଭଳି ପ୍ରତିଭାଦୀପ୍ତ ଜୀବନର ଅକାଳ ପତନରେ ମ୍ରିୟମାଣ ହୋଇ ଉଠନ୍ତି । ମାତ୍ର ସେ ବା କଣ କରିପାରିବେ ! ସେ ରଙ୍ଗମଞ୍ଚର ଜଣେ ନାୟିକା । ନିର୍ଦ୍ଦିଷ୍ଟ ସଂଳାପ ହିଁ ତାଙ୍କୁ କହିବାକୁ ହେବ ।

 

କମଳ ଫେରିବା ପରେ ଦିନେ ଦୁଇଦିନ ଗମ୍ଭୀର ରହନ୍ତି– ସନ୍ଦେହୀ ଆଖିରେ ଚାହାନ୍ତି ଦ୍ରାକ୍ଷାକୁ । ସୁଖେନ୍ଦୁଙ୍କୁ ପ୍ରତିହିଂସା ପୂର୍ଣ୍ଣ କଟାକ୍ଷ ହାଣନ୍ତି । ପରୋକ୍ଷଭାବେ ଦ୍ରାକ୍ଷାକୁ ଆକ୍ଷେପ କରନ୍ତି ସୁଖେନ୍ଦୁକୁ ନେଇ । ଦ୍ରାକ୍ଷା ଯେମିତି ଭିତରେ କୁହୁଳି କୁହୁଳି ଭସ୍ମ ହେଇଯିବ ।

 

ମୁହଁ ଖୋଲି ସେ କିଛି କହେ ନାହିଁ । କମଳେଶଙ୍କ ଭଳି ଖୁସି ମିଜାଜର ଖୋଲା ହୃଦୟର ଲୋକଟିକୁ ଗମ୍ଭୀର ଚିଡ଼୍ ଚିଡ଼୍ ଦେଖିଲେ ତାର ଦୁଃଖ ହୁଏ ।

 

ସେଦିନ ସୁଖେନ୍ଦୁଙ୍କର ଜନ୍ମଦିନ । ଶାଶୁଙ୍କର ସ୍ମୃତି ମନକୁ ଆସୁଛି । ଏଇ ଦିନଟିକୁ ସେ ଭୁଲନ୍ତି ନାହିଁ । ସୁଖେନ୍ଦୁ ବିଲାତରେ ଥିଲାବେଳେ ମଧ୍ୟ ତାଙ୍କ ଜନ୍ମଦିନରେ ଶାଶୁ ପୂଜା କରୁଥିଲେ । ପିଠାପଣା କରି କମଳଙ୍କୁ ମନବୋଧ କରି ଖୁଆଇ ମାତୃହୃଦୟରେ ହାହାକାରକୁ କେତେକାଂଶରେ ପ୍ରଶମିତ କରିଦେଉଥିଲେ । ଆଜି ଶାଶୁ ନାହାନ୍ତି । ସୁଖେନ୍ଦୁ ଫେରି ଆସିଛନ୍ତି । ସେ ଏ ଘରର ଅତିଥି । କମଳଙ୍କର ଅନ୍ତରଙ୍ଗ ବନ୍ଧୁ । ଆଉ ତା’ର...? ନା ତାର ସେ କିଛି ନୁହନ୍ତି । କେବଳ ମାତ୍ର ସ୍ଵାମୀଙ୍କର ଅନ୍ତରଙ୍ଗ ବନ୍ଧୁ । ତା ବ୍ୟତୀତ ଅନ୍ୟ କିଛି ନୁହଁନ୍ତି ।

 

ଦ୍ରାକ୍ଷା ପ୍ରତ୍ୟୁକ୍ଷରୁ ଶୁଦ୍ଧପୂତ ଭାବେ ସ୍ନାନ ସାରି ମନ୍ଦିରକୁ ଗଲା । କମଳେଶ ବିଛଣାରୁ ଉଠି ଦ୍ରାକ୍ଷାଙ୍କୁ ଖୋଜିଲେ । ସେ ମନ୍ଦିର ଯାଇଛି ଶୁଣି ତା କପ୍‌ଟାଏ ଖାଇ ଅଫିସ ବାହାରି ଗଲେ । ଆଜିକାଲି ଦ୍ରାକ୍ଷା ଖୁବ୍ ମନ୍ଦିର ଯାଉଛି । ମଣିଷ ଯେତେବେଳେ ନିଜ ଉପରୁ ବିଶ୍ଵାସ ହରାଏ ସେ ଦେବତାର ଆଶ୍ରୟ ନିଏ । ଦ୍ରାକ୍ଷାର କଣ ଠିକ୍ ସେଇ ଅବସ୍ଥା ହୋଇଛି । କମଳେଶ ନିଜ ଭିତରେ ବ୍ୟଥା ଅନୁଭବ କଲେ । ଏ କେତେ ଦିନ ହେଲା ସେ ଦ୍ରାକ୍ଷାକୁ କଥା କଥାକେ ଆଘାତ ଦେଇଚାଲିଛନ୍ତି । ବିନା କାରଣରେ ତାକୁ ଅବହେଳା କରୁଛନ୍ତି । କେଜାଣି କାହିଁକି ସୁଖେନ୍ଦୁ ଫେରିବା ପରେ ଦ୍ରାକ୍ଷା ପ୍ରତି ଅସହିଷ୍ଣୁ ହୋଇ ଉଠୁଛନ୍ତି । କମଳେଶ ଭାବିଲେ ସେ ଏଥର ସବୁକଥା ସହଜଭାବେ ଗ୍ରହଣ କରିନେବେ । ଦ୍ରାକ୍ଷାକୁ କଷ୍ଟ ଦେଇ ସେ ନିଜେ ବି କମ୍ କଷ୍ଟ ପାଉ ନାହାନ୍ତି । ସୁଖେନ୍ଦୁ ଫେରି ଆସିବାରେ ଦ୍ରାକ୍ଷାର ବା ଦୋଷ କ’ଣ ?

 

କମଳେଶ ବ୍ରେକ୍ ଫାଷ୍ଟ ନ ଖାଇ ଅଫିସ ଚାଲିଯାଇଛନ୍ତି ଶୁଣି ଦ୍ରାକ୍ଷା ଭୀଷଣ ବ୍ୟଥା ପାଇଲେ ନିଜ ମନ ଭିତରେ । ଏତେ ସକାଳୁ ଅଫିସ୍‌ରେ କଣ ଏମିତି ଜରୁରୀ କାମ ପଡ଼ିଗଲା କମଳଙ୍କର ? ହାତରେ ଭୋଗ ଧରି ସେ ସୁଖେନ୍ଦୁଙ୍କ କୋଠରୀକୁ ଗଲା । ସୁଖେନ୍ଦୁ ସେ ପର୍ଯ୍ୟନ୍ତ ଶୋଇ ରହିଥିଲେ । ଦ୍ରାକ୍ଷା ତାଙ୍କୁ ଏକ ଲୟରେ ଚାହିଁରହିଲା । ଏଇ ପୁରୁଷଟି ତା ଜୀବନର ପ୍ରଥମ ସ୍ୱପ୍ନ ଥିଲେ– ଏଇ ପୁରୁଷଟିର ପ୍ରେମକୁ ମାଧ୍ୟମ କରି ଏ ପୃଥିବୀକୁ ସେ ଭଲ ପାଉଥିଲା । ମନେ ହେଉଥିଲା ଏ ପୃଥିବୀ ଅତ୍ୟନ୍ତ ସୁନ୍ଦର । ମାତ୍ର ଆଜି ସେ ତାଙ୍କର କେହି ନୁହନ୍ତି । ସେ ଜଣେ ଅବାଞ୍ଛିତ ତୃତୀୟ ପୁରୁଷ ତା’ର ସୁଖର ସଂସାରରେ । କାହିଁକି ଫେରିଆସିଲେ ସୁଖେନ୍ଦୁ ? ଏଇ ଛୋଟ କଥାଟିରେ ଇଭା ତାଙ୍କୁ କାହିଁକି ପରିତ୍ୟାଗ କରିଗଲା ? ସୁଖେନ୍ଦୁ, ଇଭାର ସ୍ଵାମୀ ଥିବାବେଳେ ସେ କମଳେଶଙ୍କର ପତ୍ନୀ ଭୂମିକାରେ ସୁନ୍ଦର ଅଭିନୟ କରିପାରୁଥିଲା । ସେ ଅଭିନୟରେ ଥିଲା ଅନ୍ତରର ଅନୁମୋଦନ, ପ୍ରାଣର ଉଚ୍ଛ୍ୱାସ । ମାତ୍ର ସୁଖେନ୍ଦୁ ଆଉ ଇଭାର ସ୍ୱାମୀ ନାହାନ୍ତି ଜାଣିବା ପରେ ତାର ସୁଖେନ୍ଦୁଙ୍କ ପ୍ରତି ରାଗ, ଅଭିମାନ, ପ୍ରତିହିଂସା ପରିବର୍ତ୍ତେ ଅଶେଷ ଅନୁକମ୍ପା ଜନ୍ମୁଛି । ସୁଖେନ୍ଦୁ, ନିଜ ପ୍ରତି ଘୋର ଉଦାସୀନ ହୋଇ ପଡ଼ିଛନ୍ତି । ନିଜ ପ୍ରତି ଅତ୍ୟାଚାର କରୁଛନ୍ତି କହିଲେ ଚଳେ ।

Unknown

 

ସୁଖେନ୍ଦୁଙ୍କୁ ଏବେ ସେ ଭଲଭାବେ ଚାହିଁପାରେ ନାହିଁ । ତାଙ୍କ ଆଖିର ଘୃଣାଭାବ–ତାକୁ ଯନ୍ତ୍ରଣା ଜର୍ଜର କରେ । ଏବେ ସେ ଶୋଇଛନ୍ତି । ତାଙ୍କର ନିଦ୍ରିତ ମୁଖଟିରେ ଘୃଣାଭାବ ଖାଇବନାହିଁ-। ସେଇ ପୂର୍ବଦିନର ଶାନ୍ତ ସରଳ ସୁନ୍ଦର ମୁହଁଟିରେ କ୍ଳାନ୍ତି ଆଉ ଅବସାଦର ସ୍ପର୍ଶ । ଅବୁଝା ପିଲାଟି ଅଭିମାନ କରି ଶୋଇ ପଡିଥିବା ଭଳି ମୁହଁଟି କରୁଣ ମନେ ହେଉଛି । ଦ୍ରାକ୍ଷାର ଇଚ୍ଛା ହେଉଛି ଏଇ ଅବୁଝା ପିଲାଟିକୁ ଆଦର କରନ୍ତା ବୁଝାଇ ଦିଅନ୍ତା ଏମିତି ଅବୁଝା ହେବାର ଆଉ କିଛି ମାନେ ହୁଏନା ବୋଲି । ମାତ୍ର ନା ସେ ଏବେ ଅନ୍ୟର ସ୍ତ୍ରୀ । ତା ସାମ୍ନାରେ ସାମାଜିକ ନିୟମର ସୀମାରେଖ । ଲକ୍ଷ୍ମଣର ତିନିଗାର । ତାକୁ ସେ ଡେଇଁ ପାରିବ ନାହିଁ ।

 

ଦ୍ରାକ୍ଷା ପୂଝାରୀକୁ ଡାକିଲା । ସୁଖେନ୍ଦୁଙ୍କୁ ଡାକି ଚା’ ଆଣିବାକୁ ଆଦେଶ ଦେଲା । ସୁଖେନ୍ଦୁ ପୂଝାରୀର ଡାକରେ ଆଖି ଖୋଲିଲେ । ତାଙ୍କ ସାମ୍ନାରେ ଦ୍ରାକ୍ଷାର ମହିମାମୟ ମୂର୍ତ୍ତି । ସେ ପୂର୍ବଦିନମାନଙ୍କ ଭଳି ସବୁକଥା ଭୁଲି ଦ୍ରାକ୍ଷାର ଗୋଟିଏ ହାତ ଧରି ପାଖକୁ ଭିଡ଼ି ନେଉ ନେଉ ସଂବିତ ଫେରିପାଇ ଉଠି ବସିଲେ ।

 

ଦ୍ରାକ୍ଷା ହାତଟି ଖସାଇ ଆଣି କିଛି ଘଟି ନଥିବା ଭଳି ହସିଦେଲା । ସୁଖେନ୍ଦୁ ଅନୁତପ୍ତ ଗଳାରେ କହିଲେ–ଆଇ ଆମ ସରି । ବେଳେ ବେଳେ ମୁଁ ଭୁଲିଯାଉଛି ଯେ ତମେ–

 

–ଆଚ୍ଛା, ସେ କଥା ଥାଉ । ତମେ ନିତ୍ୟକର୍ମ ସାରିନିଅ । ପ୍ରସାଦ ପାଇବ । ଦ୍ରାକ୍ଷା ସୁଖେନ୍ଦୁଙ୍କ ମୁହଁ ରେ ନିଜର ନୂତନ ଭୂମିକାଟି ଶୁଣିବାପାଇଁ ଇଚ୍ଛା କଲାନାହିଁ ।

 

ସୁଖେନ୍ଦୁ, ପରିହାସଭରା ଗଳାରେ କହିଲେ ସକାଳୁ ପ୍ରସାଦ ପାଇବି ? କ’ଣ ମୋର ନିର୍ବାଣର ବେଳ ନିକଟ ହେଲାଣି ନା କ’ଣ ?

 

ଦ୍ରାକ୍ଷା ଆହତ ସ୍ୱରରେ କହିଲେ । ଏ ସବୁ କଥା କହିଲେ ମତେ କଷ୍ଟଲାଗେ ବୋଲି ତମେ ଏପରି କହୁଛ ନାଁ କ’ଣ ? ମତେ କଷ୍ଟ ଦେବାପାଇଁ ପଣ କରି ତମେ ଫେରି ଆସିଛ ପରା ?

 

ସୁଖେନ୍ଦୁ ନିଷ୍ଠୁର ଉପହାସ କଲେ– ମୋ ଜୀବନ ପ୍ରତି ତମର କ’ଣ ସତରେ ଏତେ ଲୋଭ ? କମଳେଶ ଏକଥା ଜାଣିନାହିଁ ତ ? ସେପରି କରନାହିଁ ଦ୍ରାକ୍ଷା । ସେଥିରେ ତମର ସୁଖ ବାଧାପ୍ରାପ୍ତ ହେବ ।

 

ଦ୍ରାକ୍ଷା ବିରକ୍ତ ହେଇଉଠି କହିଲା– କମଳ ଏତେ ମିନ୍ ନୁହନ୍ତି । ସେ ତମର ଅକଲ୍ୟାଣ ଚାହାନ୍ତି ନାହିଁ । ତମେ କ’ଣ ପଛକଥା ସବୁ ଭୁଲିଗଲ ?

 

ସୁଖେନ୍ଦୁ ଦ୍ରାକ୍ଷାକୁ ଅପଲକ ଆଖିରେ ଚାହିଁ ରହି କହିଲେ– କମଳର ଜୟ ହେଉ । ଆଜି ତେବେ କ’ଣ କମଳର ଜନ୍ମଦିନ ? ତା ନ ହେଲେ ଏ ଶୀତ ଦିନଟାରେ ଏତେ ସକାଳୁ ତମେ ମୁଣ୍ଡରେ ଗାଧୋଇ ମନ୍ଦିର କାହିଁକି ଯାଆନ୍ତ ? ଆଜ ଖୁବ୍ କାକରା ଖାଇବାକୁ ମିଳିବ ତେବେ ।

 

ଦ୍ରାକ୍ଷା ଆହତ ଗଳାରେ କହିଲା କମଳଙ୍କର ଜନ୍ମ ତାରିଖଟା ବି ତମେ ପାଶୋରି ଦେଇଛ ଏ ଭିତରେ ? ଅଥଚ ତମେ ହିଁ ଏକମାତ୍ର ଲୋକ, ଯିଏ ତାଙ୍କ ଜନ୍ମ ତାରିଖଟା ମନେ ରଖିଥିଲା ।

 

ସୁଖେନ୍ଦୁ ଭୁଲିଯାଇଥିବା ସ୍ୱରଟିକୁ ମନେ ପକାଇବା ଭଳି ଗୁଣୁଗୁଣୁ ସ୍ୱରରେ କହିଲେ– ଆଜି ତାରିଖଟା କ’ଣ ? ଆଜି ତେବେ–ଆଜି ତେବେ–

 

–ହଁ ଆଜି ତମର ଜନ୍ମଦିନ । ଏ ଦିନଟି ମାଆଙ୍କର ଉତ୍ସବର ଦିନ ଥିଲା । ସେ ଥିଲେ ତମେ ଫେରିଆସିଛ ବୋଲି କେତେ ଖୁସି ହୋଇଥାନ୍ତେ । ଦ୍ରାକ୍ଷା ବ୍ୟଥିତ ସ୍ୱରରେ କହିଲା ।

 

ସୁଖେନ୍ଦୁ ଭଙ୍ଗାଗଳାରେ କହିଲେ– ଯାହାର ମାଅ ନାହିଁ ତାର ପୁଣି ଜନ୍ମଦିନ ଉତ୍ସବ କ’ଣ-? ତମେ ଅଯଥାରେ ଏତେ କଷ୍ଟ କଲ କାହିଁକି ଦ୍ରାକ୍ଷା । ତମେ ମୋ ଲାଗି କଷ୍ଟପାଅ ଏହା ମୁଁ ଚାହେଁ ନା ।

 

ଦ୍ରାକ୍ଷା କହିଲା–ମୁଁ ତ ଅପର ଲୋକଟିଏ ନୁହେଁ । ମୁଁ ତମର ମାଆ ନ ହେଲେ ବି–

 

–ତମେ ମୋର କ’ଣ କେହି ନୁହଁ ? କେବେ ନ ଥିଲେ ଆଜି ମଧ୍ୟ ନୁହଁ । ତମେ କାହିଁକି ମୋର ଜନ୍ମଦିନ ପାଳିବ ?

 

–କାରଣ ମୁଁ ତମର

 

–ନା, ତମେ କେହି ନୁହଁ ।

 

–ମୁଁ ତମର ଅନ୍ତରଙ୍ଗ ବନ୍ଧୁଙ୍କର ପତ୍ନୀ । ଦ୍ରାକ୍ଷା ନିର୍ଲିପ୍ତ କଣ୍ଠରେ କହିଲା ।

 

ଜଳି ଉଠିଲେ ସୁଖେନ୍ଦୁ । ଗୁମୁରି ଗୁମୁରି କହିଲେ– ଅନ୍ତରଙ୍ଗ ବନ୍ଧୁ ! ମୁଁ କମଳେଶକୁ ଘୃଣା କରେ । ସେ ଗୋଟାଏ ବିଶ୍ୱାସଘାତକ ।

 

ଦ୍ରାକ୍ଷା ଯୁକ୍ତି କଲାନାହିଁ । ଯୁକ୍ତି କଲେ ବୁଝିବେ ନାହିଁ ସୁଖେନ୍ଦୁ । ନିଜର ଭୁଲ୍‍କୁ ପର ଉପରେ ଚପାଇ ଦେବାବେଳେ କୌଣସି ଯୁକ୍ତି ମନକୁ ସ୍ପର୍ଶ କରେ ନାହିଁ ।

 

ଦ୍ରାକ୍ଷ ରୋଷେଇଘରେ ପଶିଲା । ଦୁଇବନ୍ଧୁଙ୍କର ପ୍ରିୟ ଖାଦ୍ୟ ରାନ୍ଧିବାକୁ ହେବ । ଅତୀତରେ ଜଣଙ୍କର ଆନନ୍ଦ ଅନ୍ୟକୁ ସୁଖ ଦେଉଥିଲା । ଏବେ ଜଣଙ୍କର ଆନନ୍ଦ ଅନ୍ୟ ଜଣଙ୍କର ଦୁଃଖର କାରଣ ହେଉଛି । ତେଣୁ ଦୁହିଁଙ୍କୁ ଆନନ୍ଦ ଦେବା ପାଇଁ ଦୁଇପ୍ରକାର ଖାଦ୍ୟ ରାନ୍ଧିବାକୁ ହେବ-। ଦୁହିଁଙ୍କୁ ଏକା ସଙ୍ଗେ ସୁଖୀ କରିବା ତ ଏକବାର ଦୂରୁହ ବ୍ୟାପାର । ସେ ଏମିତ ଏକ ଜଟିଳ କାମ ହାତକୁ ନେଇ ଠକି ଯିବନାହିଁ ତ ?

 

ସୁଖେନ୍ଦୁ ଆଗ ଖାଇଦେଲେ । କମଳେଶ ଡେରିକରି ଆସିବେ ବୋଲି ଫୋନ୍‌ରେ ଜଣାଇଥିଲେ । ସୁଖେନ୍ଦୁ ତାହାହିଁ ଚାହୁଁଥିଲେ । ଦ୍ରାକ୍ଷା ସୁଖେନ୍ଦୁଙ୍କୁ ଯତ୍ନରେ ବଳାଇ ବଳାଇ ଖୁଆଇଲା । ସେତେବେଳେ ସେ ଭୁଲିଗଲା ଏଇ ପୁରୁଷଟି ତାର କେତେ ବଡ଼ ସର୍ବନାଶର କାରଣ ହେଇଛି ।

 

ସୁଖେନ୍ଦୁ ଖାଉ ଖାଉ କହିଲେ– ତମେ ବି ଖାଇନିଅ ଦ୍ରାକ୍ଷା । କମଳର ଠିକଣା କ’ଣ । କେତେବେଳେ ଆସିବ କିଏ ଜାଣେ ? ଆଜି ମୋ ସଙ୍ଗେ ଖାଇନିଅ । ଜନ୍ମଦିନର ଭୋଜିଟା ଏକା ଏକା ଖାଇଲେ ଗୋଟାଏ ପ୍ରହସନ ଭଳି ମନେ ହେବ । କ’ଣ କହୁଛ ?

 

ଦ୍ରାକ୍ଷା ସୁଖେନ୍ଦୁଙ୍କ ମନରକ୍ଷା କରିବା ପାଇଁ କାକରାଟିଏ ଉଠାଇ ନେଇ ଖାଉ ଖାଉ କହିଲା– ବେଶ୍, ମୁଁ ଏତିକି ଖାଇଲି । ବାକିତକ ରହିଲା ତମ ବନ୍ଧୁଙ୍କ ପାଇଁ । ସେ ପୁଣି ଏକା ହୋଇଯିବେ ଯେ !

 

ସୁଖେନ୍ଦୁ ହୋ ହୋ ହୋଇ ହସି ଉଠି ବିଦ୍ରୂପ କଲେ ହିସାବଟା ତମର ଏକବାର ନିର୍ଭୁଲ ଦ୍ରାକ୍ଷା । ସବୁବେଳେ ତମେ କିଛି ବାକି ରଖିଥାଅ । ତେବେ ପ୍ରଥମ ଅଂଶଟା ମୋର, ତା ପରେ କମଳର ପାଳି । ସେୟାରଟା କ’ଣ ଏକବାର ଫିଫ୍‌ଟି ଫିଫ୍‌ଟି ।

 

ଦ୍ରାକ୍ଷାର ମୁହଁ ଅପମାନରେ କଳା ପଡ଼ିଗଲା । ତାର ସୁନ୍ଦର ଆଖି ଦୁଇଟାରେ ଘୃଣାର କୁତ୍ସିତ ଚିତ୍ର ଫୁଟିଉଠିଲା । ସେ ବିକୃତ କଣ୍ଠରେ କହିଲା– ତମର ଏତେ ଅଧୋଗତି ହୋଇଗଲା ! ତମ ମୁହଁରେ ଏଭଳି କଥା ମୁଁ ଆଦୌ ଆଶା କରି ନ ଥିଲି ।

 

ସୁଖେନ୍ଦୁ ଠୋ ଠୋ ହସି ଉଠି କହିଲେ– ମୋର ତ ନିଶ୍ଚୟ ଅଧୋଗତି ହୋଇଛି ଦ୍ରାକ୍ଷା-। ଊର୍ଦ୍ଧ୍ୱଗତି ହେଉଛି ତମର । ତମର ମହାନ୍ ଆଦର୍ଶରେ ସମସ୍ତ ନାରୀ ଜାତି ଅନୁପ୍ରାଣିତ ହେଲେ ଏ ଦେଶ ସ୍ଵର୍ଗ ପାଲଟିଯିବ ।

 

ଦ୍ରାକ୍ଷା ଆଖିର ଗୋପନ ଅଶ୍ରୁକୁ ରୋକି ନେଉ ନେଉ ସ୍ଥିର କଲା ସୁଖେନ୍ଦୁ ଭଳି ଏକ ହୃଦୟହୀନ ପୁରୁଷ ନିକଟରେ ସେ ଆଉ କୌଣସିଦିନ ଦୁର୍ବଳ ହୋଇ ଉଠିବ ନାହିଁ । କମଳେଶ ଭଳି ଦେବୋପମ ପୁରୁଷଟିର ସୁଖ ପାଇଁ ଜୀବନ ଉତ୍ସର୍ଗ କରିଦେବାରେ ବରଂ ଗୌରବ ଅଛି ।

 

ସୁଖେନ୍ଦୁ ଖାଇସାରିବା ପରେ ଦ୍ରାକ୍ଷା ତାଙ୍କ ହାତକୁ ଲଫାପାଟିଏ ବଢ଼ାଇ ଦେଇ କହିଲା– ଜନ୍ମଦିନର ଉପହାର । ବିଚାର କରି ଦେଖ । ସେଥିରେ ତମେ ସୁଖୀ ହେବ, ମୁଁ ମଧ୍ୟ । ଝିଅଟାକୁ କମଳେଶଙ୍କର ପସନ୍ଦ ।

 

ସୁଖେନ୍ଦୁ ଝିଅର ଫଟୋଟି ଦେଖୁ ଦେଖୁ ଚମକି ଉଠି ଫଟୋଟାକୁ ଫିଙ୍ଗି ଦେଲେ । ଶାଣିତ କଣ୍ଠରେ କହିଲେ– କମଳେଶର ପସନ୍ଦରେ ମୁଁ ଏ ଜନ୍ମରେ ଆଉ କିଛି କରିବି ନାହିଁ ବୋଲି ପଣ କରିଛି । ତାରି ପସନ୍ଦକୁ ସମ୍ମାନ ଦେଇ ମୁଁ ଆଜି ଜଳୁଛି ।

 

ଦ୍ରାକ୍ଷା ଶାନ୍ତ କଣ୍ଠରେ କହିଲା ତମେ ଏବେ ଖୁବ୍ ଅବୁଝା ପାଲଟିଛ । କମଳେଶକୁ ଦୋଷ ଦେଇ ଲାଭ ନାହିଁ । ସେ କୌଣସି ଅନ୍ୟାୟ କାର୍ଯ୍ୟ କରିନାହାନ୍ତି ।

 

ସୁଖେନ୍ଦୁ ବିଦ୍ରୁପ କରି କହି ଉଠିଲେ– ବାଃ, ଏଇ ଯେ ପତିବ୍ରତା ନାରୀ । ସ୍ୱାମୀ ନିନ୍ଦା ସହ୍ୟ କରି ନ ପାରିବା ସତୀ ନାରୀର ଲକ୍ଷଣ । ପଞ୍ଚସତୀଙ୍କ ପରେ ତମେ ହିଁ ପ୍ରାତଃସ୍ମରଣୀୟା ହୋଇ ରହିବ ଦ୍ରାକ୍ଷା । ତମେ ମୋର ନମସ୍ୟା

 

ଦ୍ରାକ୍ଷା ସ୍ଥିର କଣ୍ଠରେ କହିଲା ତମେ ମତେ ଯେତେ ଆଘାତ କଲେ ବି ମୋର କିଛି କଷ୍ଟ ହେବନାହିଁ । ତମର ସେଇ ପ୍ରତାରଣାର ଆଘାତରେ ମୋର ହୃଦୟ ପଥର ପାଲଟିଛି । ପଥରକୁ ଆଘାତ କଲେ ତମେ ନିଜେ ହିଁ କ୍ଷତିଗ୍ରସ୍ତ ହେବ । ମୁଁ ନିଜ ମନକୁ ଟାଣ କରି ନେଇଛି ।

 

ସୁଖେନ୍ଦୁ ତାଚ୍ଛଲ୍ୟ କରି କହିଲେ– ସୁଖୀ ହେବାକୁ ହେଲେ ମନ ନୁହେଁ ମୁହଁକୁ ଟାଣ କରିବାକୁ ହୁଏ ।

 

ମୁହଁ ଟାଣ ନ କଲେ ତମେ ସୁଖଲାଭ ପାଇଁ ଏମିତି କରି ନ ଥାନ୍ତ ।

 

ଦ୍ରାକ୍ଷାର ଆଖି ଦୁଇଟା ଭିଜି ଆସୁ ଆସୁ ସେ ନିଜ କୋଠରୀକୁ ପଳାଇଲା ।

 

କମଳେଶ ଡେରିରେ ଫେରିଲେ । ଦ୍ରାକ୍ଷା କ୍ଲାନ୍ତହେଇ ଘୁମେଇ ପଡ଼ିଥିଲା । କମଳେଶ ତାର କପାଳରେ ହାତ ରଖି ମଧୁର କଣ୍ଠରେ ପ୍ରଶ୍ନ କଲେ– ତମେ ବି ଏତେବେଳ ଯାଏ ଖାଇନାହଁ-? ମୁଁ ଖୁବ୍ ଦୁଃଖିତ ଦ୍ରାକ୍ଷା । ଆଜିକାଲି କେଜାଣି କାହିଁକି ଅଫିସ କାମରେ ମନ ଲାଗୁନାହିଁ । ବହୁତ କାମ ବାକି ରହିଯାଉଛି । ବ୍ୟବସାୟ ତ ଏମିତି ଚଳେନା । ବେଶିଦିନ ଏମିତି ହେଲେ ବୁଡ଼ିଯିବ ପୁରା । ଆଜି ସେଥିପାଇଁ ଟିକେ ବେଶି ସମୟ ରହିଗଲି ।

 

କାମରେ କାହିଁକି ମନ ଲାଗୁନାହିଁ ବୋଲି ଦ୍ରାକ୍ଷା ପଚାରିଲା ନାହିଁ । ଦ୍ରାକ୍ଷା ସେ କଥା ଜାଣେ । ଚୁପ୍‌ଚାପ୍ ଖାଇବାକୁ ବାଢ଼ିଲା ସେ । କମଳେଶ ଭୋକିଲା ହୋଇଥିଲେ । ଟେବୁଲ ଉପରେ ଏତେ ପ୍ରକାର ଖାଦ୍ୟପଦାର୍ଥ ଦେଖି ସେ ପରମ ଉତ୍ସାହରେ ଖାଉ ଖାଉ ଦ୍ରାକ୍ଷାର ହାତରନ୍ଧାର ତାରିଫ କରିବାକୁ ଲାଗିଲେ । ଦ୍ରାକ୍ଷା ସବୁ ଅଭିମାନ ଭୁଲି ତାଙ୍କୁ ବଳେଇ ବଳେଇ ଖୁଆଉ ଖୁଆଉ କମଳେଶ ପ୍ରଶ୍ନ କଲେ– କଥା କ’ଣ ? ଆଜି ରୀତିମତ ଭୋଜିର ଆୟୋଜନ ? କିଛି ଶୁଭ ଖବର ଅଛି ?

 

ଦ୍ରାକ୍ଷା ବିନା ଭୂମିକାରେ କହିଲା – ଆଜି ସୁଖେନ୍ଦୁଙ୍କ ଜନ୍ମଦିନ । ଆରବର୍ଷ ତାଙ୍କ ମାଆ ଖୁବ୍ ଆଡ଼ମ୍ବରରେ ପାଳିଥିଲେ ? ସୁଖେନ୍ଦୁ ନ ଥିଲେ ବୋଲି ତମକୁ ବେଶି ବଳାଇ ବଳାଇ ଖୁଆଇ ଦେଲେ ଯେ ଶେଷରେ ତମ ଦେହ ଖରାପ ହୋଇଗଲା । ଦ୍ରାକ୍ଷା ହସି ପକାଇଲା ।

 

କମଳେଶଙ୍କର ସମସ୍ତ ଉତ୍ସାହ ଅକସ୍ମାତ୍ ଶିଥିଳ ହୋଇଗଲା । ସବୁଗୁଡ଼ିକ ଖାଦ୍ୟ ହଠାତ୍ ସ୍ୱାଦହୀନ ମନେହେଲା । ସେ ପାଣି ଗ୍ଲାସ୍‌ଟା ଏକାନିଃଶ୍ଵାସକେ ଉଠାଇ ନେଇ ପିଇଦେଇ ଉଠିପଡ଼ିଲେ ଓ କହିଲେ– ଜନ୍ମଦିନ ପାଳିବା ମା’ର କର୍ତ୍ତବ୍ୟ । ତମେ ପୁଣି ସୁଖେନ୍ଦୁର ମା’ ହେଇଗଲଣି ନା କ’ଣ ? କହନ୍ତି ନାରୀର ଅନେକ ରୂପ । ତମର ତ ସହସ୍ର ରୂପ ।

 

ଦ୍ରାକ୍ଷା ତୀକ୍ଷ୍‌ଣ କଣ୍ଠରେ କହିଲା–ତମର ଜନ୍ମଦିନ ପାଳି ହାତଯୋଡ଼ି ବସିବାବେଳେ ମୁଁ ତମର ମାଆ ନ ଥିଲି । ସେକଥା କ’ଣ ଭୁଲିଗଲ ? ସେଦିନ ଓ ଆଜି ଭିତରେ ମୁଁ ଯାହା ବଦଳିଛି । ଆଉତ ସବୁ ଠିକ୍ ଅଛି । ତମେ, ତମର ବନ୍ଧୁ, ଏଇ ଘର, ଏଇ ପରିବେଶ ସବୁତ ସେମିତି ଅଛି । ଅଥଚ ତମେ ସବୁକଥା ଭୁଲିଯାଉଛ କେମିତି ?

 

କମଳେଶ ଚୁପ୍ ହୋଇଗଲେ । ଦ୍ରାକ୍ଷା କଥାର ଜବାବ୍ ଦେଇ ହୁଏ ନାହିଁ । ତାର କଥା ସତ୍ୟ ହେଲେ ବି ଅସହ୍ୟ ମନେହେଉଛି । କଣ ଦରକାର ଥିଲା ଅକୃତଜ୍ଞ, ହୃଦୟହୀନ ଲେକଟାର ଜନ୍ମଦିନ ପାଳିବା ପାଇଁ । କମଳେଶଙ୍କ ଭିତରେ ଅସନ୍ତୋଷ କୁହୁଳି ଉଠିଲା ।

 

କମଳେଶ ଅଧାଖିଆରୁ ଉଠିଗଲେ । ଦ୍ରାକ୍ଷା ଆଦୌ ଖାଇପାରିଲା ନାହିଁ । ସେ କଥା କମଳେଶ ବା ସୁଖେନ୍ଦୁ କେହି ବୁଝିଲେ ନାହିଁ ! ସେମାନେ କେହି ଆଉ ତାକୁ ବୁଝିବେ ନାହିଁ । ଗୋଟାଏ ବିଡ଼ମ୍ବିତ ଜୀବନର ବୋଝ ବୋହି ଅବଶିଷ୍ଟ ଦିନଗୁଡ଼ାକୁ ଭାରାକ୍ରାନ୍ତ କରିବାକୁ ପଡ଼ିବ । ତା’ଛଡ଼ା ଅନ୍ୟ ଉପାୟ ନାହିଁ ।

 

ହଠାତ୍ ସୁଖେନ୍ଦୁ ଅସୁସ୍ଥ ହୋଇପଡ଼ିଲେ । ମାନସିକ ଦୁର୍ବଳତା, ଅତ୍ୟଧିକ ସୁରାପାନ ତାଙ୍କ ଅସୁସ୍ଥତାର କାରଣ ବୋଲି ଡାକ୍ତର ମତ ଦେଲେ ।

 

କମଳେଶ ସୁଖେନ୍ଦୁର ସମସ୍ତ ଚିକିତ୍ସା ବ୍ୟବସ୍ଥା କରିଦେଲେ । ଦ୍ରାକ୍ଷା ଅକ୍ଳାନ୍ତ ସେବା କରୁଥାନ୍ତି ସୁଖେନ୍ଦୁଙ୍କର । ଦ୍ରାକ୍ଷାର ଅତ୍ୟଧିକ ସେବା, ରାତ୍ରି ଉଜାଗର ରହି ସୁଖେନ୍ଦୁଙ୍କୁ ଔଷଧ ଦେବା ଓ କଲେଜରୁ ଛୁଟିନେଇ ସାରାଦିନ ସୁଖେନ୍ଦୁଙ୍କ ଅସୁସ୍ଥତା ସୋଗୁଁ ବ୍ୟସ୍ତ ବିବ୍ରତ ରହିବାଟା କମଳେଶଙ୍କୁ ଭଲ ଲାଗେ ନାହିଁ । ତାଙ୍କର ମନେହୁଏ କଥାଟା ସେମିତି ସୀମା ଅତିକ୍ରମ କରୁଛି । ବନ୍ଧୁପ୍ରତି କର୍ତ୍ତବ୍ୟ ବାହାନାରେ ଅଧିକ କିଛି ଯେମିତି ରହିଛି ଦ୍ରାକ୍ଷାର ସେବା–ଯତ୍ନରେ । ସେ ଭୀଷଣ ଅସୁଖୀ ହୋଇଉଠନ୍ତି ।

 

ଦିନେ କମଳ କହିଲେ ଦ୍ରାକ୍ଷା, ସୁଖେନ୍ଦୁର ସେବା ପାଇଁ ଏଥର ଗୋଟାଏ ନର୍ସକୁ ନିଯୁକ୍ତି ଦେଲେ କେମିତି ହୁଅନ୍ତା ? ତମେ ଆଉ କେତେ ଦିନ କଲେଜ ନଷ୍ଟ କରିବ ? ତମର ସ୍ୱାସ୍ଥ୍ୟ ମଧ୍ୟ ନଷ୍ଟ ହେବା ଉପରେ ।

 

ସହଜ କଣ୍ଠରେ ଦ୍ରାକ୍ଷା କହିଲା–ନା; କିଛି ଦରକାର ନାହିଁ । ସୁଖେନ୍ଦୁ ଖୁବ୍ ଶୀଘ୍ର ସୁସ୍ଥ ହୋଇଉଠିବେ । ମୁଁ ଖୁବ୍ ବେଶି ଆଉ ଦୁଇ ଚାରି ଦିନ ଛୁଟିରେ ରହିବି । ନର୍ସ ଯେତେହେଲେ ପରଲୋକ । ସେ କି ସେବା କରିବ ? ତା ଛଡ଼ା ସୁଖେନ୍ଦୁ କ’ଣ ଭାବିବେ ?

 

କମଳ ମନେ ମନେ ଭାବିଲେ– ଦ୍ରାକ୍ଷା ତେବେ କ’ଣ ସୁଖେନ୍ଦୁର ଲୋକ ? ତାଙ୍କ ମନଟା ତିକ୍ତତାରେ ଭରିଗଲା । ମାତ୍ର ସେ ମୁହଁ ଖୋଲି କିଛି କହିଲେ ନାହିଁ ।

 

ରାତି ଗୋଟାଏ ପରେ ସୁଖେନ୍ଦଙ୍କୁ ଗୋଟାଏ ଔଷଧ ଦେବାକୁ ହୁଏ । ସେଇ ଔଷଧଟା ଦେବାପରେ ଦ୍ରାକ୍ଷା ନିଜ ଶୟନକକ୍ଷକୁ ଫେରିଆସେ । ସେଦିନ ସୁଖେନ୍ଦୁଙ୍କୁ ଅତ୍ୟଧିକ ଜ୍ୱର ହୋଇଥାଏ । ଦ୍ରାକ୍ଷା ବରଫଥଳି ସୁଖେନ୍ଦୁଙ୍କ ମୁଣ୍ଡରେ ରଖି ବସି ରହିଥାନ୍ତି । କମଳ ଦ୍ରାକ୍ଷାକୁ ଡକାଇ ପଠାଇଲେ । ସୁଖେନ୍ଦୁ ଅନୁନୟ କରୁଣ ଦୃଷ୍ଟିରେ ଦ୍ରାକ୍ଷାଙ୍କୁ ଚାହିଁ ଅନୁନୟ କଲେ । ଯାଅ ନାହିଁ ଦ୍ରାକ୍ଷା ! ମତେ ବଡ଼ କଷ୍ଟ ହେଉଛି । ଦ୍ରାକ୍ଷା ଚାକରକୁ କହିଲେ, ବାବୁଙ୍କୁ କହ ଯେ ସୁଖେନ୍ଦୁଙ୍କର ତାତି କମିଲେ ମୁଁ ଯିବି । ଖୁବ୍ ବ୍ୟସ୍ତ ହେଉଛନ୍ତି ସେ ।

 

ସେଦିନ କିନ୍ତୁ ସୁଖେନ୍ଦୁଙ୍କ ଉତ୍ତାପ ଆଦୌ କମିଲା ନାହିଁ । ଦ୍ରାକ୍ଷା ବରଫ ଥଳି ଥୋଇ କ୍ଳାନ୍ତ ହୋଇ ପଡ଼ିଲା । କେତେବେଳେ ସୁଖେନ୍ଦୁଙ୍କ ମୁଣ୍ଡ ପାଖରେ ମୁଣ୍ଡଟି ରଖି ସେ ଘୁମେଇ ପଡ଼ିଛି ତାଙ୍କୁ ଜଣାନାହିଁ । ହଠାତ୍ ଦ୍ୱାର ପାଖରେ କମଳେଶଙ୍କର ପାଟି ଶୁଣି ତାଙ୍କର କ୍ଲାନ୍ତ ତୁଟିଗଲା । ସେ ଦେଖିଲା, କମଳ ଆଖି ଲାଲ୍ ଲାଲ୍ କରି ଠିଆ ହେଇଛନ୍ତି । ସେ ସେଥିପ୍ରତି ଭୃକ୍ଷେପ ନ କରି ସୁଖେନ୍ଦୁଙ୍କର ଟେମ୍ପରେଚର ନେଲା ଓ କକ୍ଷରୁ ବାହାରି ଆସୁ ଆସୁ ଦେଖିଲା ଭୋର ହୋଇ ଯାଇଛି-

 

ମଦ୍ୟପଙ୍କ ଭଳି ଆଖି ଲାଲ କରି କମଳ କହିଲେ–ସୁଖେନ୍ଦୁର ତାତି କମିଲା ?

 

–ହଁ, କମିଯାଇଛି । ଦ୍ରାକ୍ଷା କହିଲା ।

 

–ଆଜି ପୁଣି ସୁଖେନ୍ଦୁର ତାତି ଖୁବ୍ ବଢ଼ିବ ବୋଲି ମନେହୁଏ ।

 

–କାହିଁକି ? ଦ୍ରାକ୍ଷାର ଶଙ୍କିତ କଣ୍ଠସ୍ୱର ।

 

କମଳେଶ ତାଚ୍ଛଲ୍ୟର ହସ ହସି କହିଲେ– ତାର ତାତି ପ୍ରଶମିତ କରିବା ପାଇଁ ତମେ ସେ ସ୍ୱାମୀ ଙ୍କୁ ଛାଡ଼ି ତା ଶଯ୍ୟାରେ ନିଦ୍ରା ଯାଉଛ ସେଇଥିପାଇଁ । ଏତିକି ବୁଝିପାରୁ ନାହଁ ?

 

ଦ୍ରାକ୍ଷା ଜ୍ୱଳନ୍ତ ଅଙ୍ଗାର ଭଳି ଲାଲ୍ ହୋଇଉଠି କହିଲା– ଛିଃ....ତମେ ଏଡ଼େ ମିନ୍ କମଳ, ମୁଁ ତ ତମକୁ ଏପରି ଭାବି ନ ଥିଲି । ଦ୍ରାକ୍ଷା ସୁଖେନ୍ଦୁଙ୍କ ସାମ୍ନାରୁ ପଳାଇଗଲେ ଲଜ୍ଜା ଅପମାନରେ । କମଳ ତାଙ୍କ ପଛେ ପଛେ ଯାଉ ଯାଉ କହିଲା– ହଁ ମୁଁ ମିନ୍‌ । ମୁଁ ତମର ସ୍ୱାମୀ । ତମେ ସୁଖେନ୍ଦୁ ସହ ଏତେ ଘନିଷ୍ଟ ହେଇପଡ଼ିବା ମୁଁ ବରଦାସ୍ତ କରି ପାରିବିନି । ତମେ ଆଉ ସୁଖେନ୍ଦୁର ସେବା କରିବା ଦରକାର ନାହିଁ । ମୁଁ ତାକୁ ହସପିଟାଲ ପଠାଇଦେବି । ହଁ, ମୁଁ ସଫା କହି ରଖୁଛୁ ଏ ସବୁ ଫାର୍ସ ଏଠି ଆଉ ଚଳିବ ନାହିଁ । ଛି ?–ତମର କାଣ୍ଡଜ୍ଞାନ ବି ରହୁ–ନାହିଁ । ଘରେ ଚାକର–ପୂଝାରୀ । ମୋର ସମାଜରେ ସମ୍ମାନ ଅଛି–ପ୍ରତିଷ୍ଠା ଅଛି । ତା ନହେଲେ ସୁଖେନ୍ଦୁ, କୌଣସି ହୋଟେଲରେ ଯାଇ ରହୁ । ଏଇଟା ତ ଧର୍ମଶାଳା ନୁହେଁ ।

 

ଦ୍ରାକ୍ଷା ପ୍ରଜ୍ୱଳିତ ହେଇଉଠି କହିଲା ନା; ସୁଖେନ୍ଦୁଙ୍କର ସେବା ମୁଁ କରିବି । ମୁଁ ସୁଖେନ୍ଦୁଙ୍କର ପତ୍ନୀ ଥିବାବେଳେ ତମର ଅସୁସ୍ଥତାର କଥା । କ’ଣ ତମେ ଭୁଲିଗଲ ? ତମକୁ ରାତ୍ରି ଉଜାଗର ରହି ମୁଁ ଔଷଧ ଦେଇନାହିଁ ? ନିଜ ହାତରେ ତମର ସମସ୍ତ ସେବା କରିନାହିଁ ? କ୍ଲାନ୍ତ ହେଲେ ତମ ଶଯ୍ୟାଧାରରେ ମୁଣ୍ଡରଖି ନିଦ ଯାଇନାହିଁ ? ତମେ ତ ମତେ କେତେଥର ଡାକି ଉଠାଇଚ୍ଛ, ଶୋଇବାପାଇଁ ଯିବାକୁ ଅନୁରୋଧ କରିଛ । ସୁରେନ୍ଦୁ ମତେ ଜୋର କରି ତମ ପାଖକୁ ପଠାଇ ଦେଇଛନ୍ତି । ତମର ସେବାରେ କୁଣ୍ଠିତ ନହେବା ପାଇଁ ଅନୁରୋଧ କରିଛନ୍ତି । ସେ ସବୁ କଣ ଭୁଲିଗଲ ? ଆଜି ସୁଖେନ୍ଦୁଙ୍କୁ ହସ୍‌ପିଟାଲ୍ ପଠାଇଦେଲେ ସେ କଣ ଭାବିବେ ? ଆମଛଡ଼ା ତାଙ୍କର ବା ଆଉ ଏଠି ଅଛି କିଏ ? ତମେ କଣ ମତେ ଅବିଶ୍ଵାସ କରୁଛ ? କମଳ ! ଏଇ ସୁଖେନ୍ଦୁ, ତମରି ଦାୟିତ୍ୱରେ ମତେ ଛାଡ଼ି ବିଦେଶ ଯାଇଥିଲେ ନା ? ତମ ଉପରେ ତାଙ୍କର କେତେ ଅଗାଧ ବିଶ୍ୱାସ ଥିଲା ? ଅଥଚ ତମେ ତାଙ୍କ ପାଇଁ ଏତେ ସଙ୍କୀର୍ଣ୍ଣ ହେଇ ପାରୁଛ ? ସେ ଗୋଟାଏ ଭୁଲ କରି ପକାଇଥିଲେ ବି ଦିନେ ତମର ବନ୍ଧୁ ଥିଲେ–ଦିନେ ମୋର...କଥା ଅଧାରଖି କୋହ ଚାପିନେଲେ ଦ୍ରାକ୍ଷା ।

 

ଦ୍ରାକ୍ଷାର କଥାରେ ଅଧିକ ଉତ୍ତେଜିତ ହୋଇ ଉଠିଲେ କମଳେଶ । ରୁକ୍ଷ କଣ୍ଠରେ ସେ କହିଲେ, ସୁଖେନ୍ଦୁ ସୁଖେନ୍ଦୁ–ସୁଖେନ୍ଦୁ । ସୁଖେନ୍ଦୁ ଛଡ଼ା ସଂସାରରେ ଆଉ କାହା ସହ ଯେପରି ତୁଳନା ହୁଏନା । ହୁଃ, ସୁଖେନ୍ଦୁ ହୋଇପାରେ ଦେବତା । ମାତ୍ର ମୁଁ ମଣିଷ । ମୋର ପତ୍ନୀ ପରପୁରୁଷ ପ୍ରତି ଏତେ ଘନିଷ୍ଠ ହେବା ମୋ ପକ୍ଷେ ଅସହ୍ୟ । ସେ ପୁରୁଷ ପୁଣି କେବଳ ମୋର ବନ୍ଧୁ ନୁହେଁ– ତମର ଅତୀତର ଏକଦା ସ୍ଵାମୀ । ନା–ଏକବାର ଅସହ୍ୟ ଏକଥା ।

 

ଦ୍ରାକ୍ଷା କଥା ବଢ଼ାଇଲା ନାହିଁ । ଚୁପ୍ ଚାପ୍ ସେଦିନ କଲେଜ ବାହାରିଗଲା । ତାର ଅନୁପସ୍ଥିତିରେ କେତେଟା ଚିଠି ଆସିଥିଲା କଲେଜ ଠିକଣାରେ । ଦିଲ୍ଲୀରେ ଏକ ଉଚ୍ଚତର ଗବେଷଣା ପାଇଁ ଦ୍ରାକ୍ଷା ଦରଖାସ୍ତ ପକାଇଥିଲା । ତାହା ତାର ହୋଇଯାଇଛି । କମଳେଶ ବ୍ୟବସାୟ ସଂକ୍ରାନ୍ତରେ ଦିଲ୍ଲୀ ଯିବାବେଳେ ଥରେ ସେ ତାଙ୍କ ସହ ଯାଇଥିଲା ଓ ଇଣ୍ଟରଭ୍ୟୁ ମଧ୍ୟ ଦେଇଥିଲା । ଅଥଚ ପାଇଗଲେ ଯିବ ବୋଲି ଆଦୌ ସ୍ଥିର କରି ନ ଥିଲା । ଚିଠିଟା ପାଇ ଦ୍ରାକ୍ଷା ଟିକେ ଆନନ୍ଦିତ ହେଲା ମାତ୍ର ତ ମନରେ ଅସହ୍ୟ ଅଶାନ୍ତ କୁହୁଳି ଉଠୁଥିଲା । ତାଙ୍କୁ ନେଇ ସୁଖେନ୍ଦୁ ଓ କମଳେଶଙ୍କର ପବିତ୍ର ବନ୍ଧୁତ୍ୱର ଦୁର୍ଗ ଖଣ୍ଡଖଣ୍ଡ ହୋଇ ଭଙ୍ଗି ଯାଉଛି । ସେ କଣ କରିବ ? କଣ ତାର କରଣୀୟ ! ଦ୍ରାକ୍ଷା କିଛି ମାତ୍ର ସମାଧାନରେ ପହଞ୍ଚି ପାରୁନାହିଁ । ହାତରେ ବିଶେଷ କାମ ନାହିଁ । ଥେସିସ୍ ସରିବା ଉପରେ । ଗୋଟିଏ ସପ୍ତାହ ଭିତରେ ସମ୍ପୂର୍ଣ୍ଣ ହେଇଯିବ । ଦ୍ରାକ୍ଷା ଅନେକକ୍ଷଣ ଧରି ନିଜ ରୁମ୍‌ରେ ଚିନ୍ତା କରିବାକୁ ଲାଗିଲା । ଘରକୁ ଫେରିବାରେ ବିଳମ୍ବ କରିଦେଲା-। ଘରଟା ଏବେ ନର୍କପୁରୀ ଭଳି ମନେହେଉଛି ।

 

ସେଦିନ ବିଳମ୍ବରେ ଘରକୁ ଫେରିଲା ଦ୍ରାକ୍ଷା । ଅନ୍ୟ ଦିନମାନଙ୍କରେ ତାର ସାମାନ୍ୟ ବିଳମ୍ବ ହେଲେ କମଳେଶ ନିଜେ ଗାଡ଼ି ଧରି ପହଞ୍ଚିଯାଆନ୍ତି । ଅଥର ସେଦିନ କମଳେଶ ନିଜେ ଆସିଲେ ନାହିଁ କିମ୍ବା ଗାଡ଼ି ପଠାଇଲେ ନାହିଁ ମଧ୍ୟ । ଦ୍ରାକ୍ଷା ହୃଦୟରେ ଅଭିମାନ ଜମାଟ ବାନ୍ଧି ଉଠିଲା । ଦ୍ରାକ୍ଷା ଭାବିଥିଲା, ସୁଖେନ୍ଦୁଙ୍କୁ ହସ୍‌ପିଟାଲ ପଠେଇ ଦେଇଥିବେ ମାତ୍ର ଘରେ ପହଞ୍ଚି ବୁଝିଲା ସୁଖେନ୍ଦୁ ହସ୍‌ପିଟାଲ ଯାଇନାହାନ୍ତି । ନିଜର ଶୟନ କକ୍ଷରେ ପହଞ୍ଚି ସେ ଦେଖିଲା କମଳେଶ ଶୋଇଛନ୍ତି ।

 

ଦ୍ରାକ୍ଷା କମଳେଶଙ୍କ ନିକଟରେ ଠିଆହୋଇ ତାଙ୍କ କପାଳରେ ହାତ ରଖିଲା ଓ ପ୍ରଶ୍ନ କଲା–କଣ ହେଇଛି ? ଅସମୟରେ ଶୋଇରହିଛି ଯେ ଦେହ କିଛି ଖରାପ ଲାଗୁଛି ନା କଣ ?

 

କମଳେଶ ଦ୍ରାକ୍ଷାର ହାତ ଘୁଞ୍ଚାଇ ଦେଇ କହିଲେ–ନା, ମୁଁ ଭଲ ଅଛି । ସୁଖେନ୍ଦୁ କେମିତି ଅଛି ? ଆଜି ତାତି ଆସି ନାହିଁ ତ ? ତା କଥାଟା ଆଗ ବୁଝ ।

 

–ଜାଣେନା; ମୁଁ ସିଧା ଆସୁଛି କଲେଜରୁ । ତାଙ୍କ ରୁମ୍‌କୁ ଯାଇନାହିଁ । ଭାବିଲି ସେ ହସ୍‌ପିଟାଲରେ ଥିବେ । ଦ୍ରାକ୍ଷା ସେମିତି ଧୀରସ୍ଥିର ଗଳାରେ କହିଲା ।

 

କମଳେଶ କିଛି ନ କହି ମୁହଁ ବୁଲାଇନେଲେ । ଦ୍ରାକ୍ଷା ସେଦିନ ସୁଖେନ୍ଦୁଙ୍କ ରୁମ୍ କୁ ଆଦୌ ଗଲା ନାହିଁ । ଚାକର ହାତରେ ତାଙ୍କର ସମସ୍ତ ପଥ୍ୟ ଓ ଔଷଧ ଦେବାର ବ୍ୟବସ୍ଥା କରିଦେଲା । କମଳେଶଙ୍କୁ ସୁଖୀ କରାଇବା ପାଇଁ ସେ ନିଜର ବିବେକର ଆହ୍ୱାନକୁ ଖାତିର କଲା ନାହିଁ । କମଳେଶଙ୍କୁ ଅସନ୍ତୁଷ୍ଟ କରି ସୁଖେନ୍ଦୁଙ୍କୁ ସୁଖୀ କରିବା ଅନ୍ୟାୟ ବୋଲି ଭାବି ସେ ମନକୁ ଦୃଢ଼ କରିନେଲା ।

 

ଶୋଇବାକୁ ଯିବା ପୂର୍ବକୁ ଚାକର ଆସି ଖବର ଦେଲା, ସୁଖେନ୍ଦୁ, ପଥ୍ୟ ବା ଔଷଧ କିଛି ଖାଇଲେ ନାହିଁ । ଦ୍ରାକ୍ଷା ଅନ୍ତରରେ ବ୍ୟଥା ଅନୁଭବ କଲେ ମଧ୍ୟ ପାଷାଣ ପ୍ରତିମାଟି ଭଳି ଚୁପ ଚାପ୍ ଶଯ୍ୟାରେ ପଡ଼ିରହିଲା । କମଳେଶ ଏକ ନିଷ୍ଠୁର ଉଲ୍ଲାସରେ ଦ୍ରାକ୍ଷାକୁ ନିଜର ଆଲିଙ୍ଗନ ଭିତରକୁ ଭିଡ଼ି ଆଣିଲେ । ଦ୍ରାକ୍ଷା ସ୍ଵାମୀଙ୍କର ଆଦର ଲାଭ କରି ସାମାନ୍ୟ ସାହସ ସଞ୍ଚୟ କରି ଅନୁଚ୍ଚ ଗଳାରେ କହିଲା– ସୁଖେନ୍ଦୁ କିଛି ଖାଇଲେ ନାହିଁ, ଔଷଧ ମଧ୍ୟ ଛୁଇଁଲେ ନାହିଁ, ତାଙ୍କର ଅସୁସ୍ଥତା ବଢ଼ି ଯିବ; ତାଙ୍କ ପାଇଁ ମୋର ଭୟ ହେଉଛି ।

 

ସକ୍ ମାରିବା ଭଳି ଦ୍ରାକ୍ଷାକୁ ଆଲିଙ୍ଗନ ମୁକ୍ତ କରିଦେଲେ କମଳ । ବିକୃତ ସ୍ୱରରେ କହିଲେ ନ ଖାଉ । ସେ କିଛି ପିଲା ହେଇ ନାହିଁ ସେ ତାକୁ ଖୋଇଦେବାକୁ ହେବ । ତା ଛଡ଼ା ତା’ର ମନମୁଖୀ ଜିଦ୍‌ଖୋର ଢଙ୍ଗ ବୁଝିବା ପାଇଁ ଏଠାରେ କେହି ବସି ରହିନାହାନ୍ତି । ମୋର ଆଲିଙ୍ଗନ ଭିତରେ ଥାଇ ତମେ ସୁଖେନ୍ଦୁ କଥାହିଁ ଭାବୁଛ । ଛି–ତମକୁ ମୁଁ ମନା କରିଥିଲି । ତମେ ସୁଖେନ୍ଦୁ ର କୌଣସି କଥା ବୁଝିବ ନାହିଁ ? କାଲି ତାକୁ ମୁଁ କହିଦେବି ସେ ତାର ନିଜ ବ୍ୟବସ୍ଥା କରୁ, ଅନ୍ୟତ୍ର ରହୁ ।

 

ଦ୍ରାକ୍ଷାର ଆଖି ଦୁଇଟା ଅଭିମାନର ଲୁହରେ ଭିଜିଗଲା । ସେ କଣ୍ଠର କମ୍ପନକୁ ଗୋପନ କରି କହିଲା– ତା କେମିତି ହେବ ? ଏ ବଙ୍ଗଳାର ଅର୍ଦ୍ଧେକ ଅଂଶ ଯେ ତମେ ସୁଖେନ୍ଦୁଙ୍କ ନାମରେ ରେଜେଷ୍ଟ୍ରି କରି ସାରିଛ । ତା ଛଡ଼ା ସୁଖେନ୍ଦୁ ତ ତମର ବନ୍ଧୁ ନୁହନ୍ତି ଭାଇ । ଏ କଥା ବିବାହ ପରେ ତମ ମୁହଁରୁ ସୁଖେନ୍ଦୁଙ୍କ ମୁହଁରୁ ବାରମ୍ବାର ଶୁଣି ମୋର ମଧ୍ୟ ସେମିତି ଗୋଟାଏ ଧାରଣା ହୋଇଯାଇଛି । ଭାଇ ଯେତେ ନରାଧମ ହେଲେ ବି ଘରଛାଡ଼ି ଚାଲିଯିବା କଥା ତାଙ୍କୁ କୁହାଯାଇ ପାରିବନାହିଁ । ସୁଖେନ୍ଦୁଙ୍କୁ ଚାଲିଯିବାପାଇଁ କହିବାର ଅଧିକାର ତମର ନାହିଁ । ବଙ୍ଗଳାର ମୂଲ୍ୟ ସେ ତମକୁ ଦେଇ ସାରିଛନ୍ତି ମଧ୍ୟ ।

 

କମଳେଶ ନିଜ ଶରରେ ନିଜେ ଆହତ ହୋଇ ରାଗରେ ଫଁ ଫଁ ହେବାକୁ ଲାଗିଲେ ଏବଂ କହିଲେ, ତାକୁ ଏ ଘରୁ ବାହାର ନ କରିବା ଯାଏ ମୋର ଶାନ୍ତି ନାହିଁ । ଏ ଘରେ ସେ ଥିବାଯାଏ ମୁଁ ମୁହୁର୍ତ୍ତେ ଶାନ୍ତି ପାଇପାରିବି ନାହିଁ; ନଚେତ୍ ଏ ଘର ମୁଁ ଛାଡ଼ିଦେବି । ଏ ଘରେ ଆଉ ଦଣ୍ଡେ ରହିବାକୁ ମୋର ଇଚ୍ଛା ନୁହେଁ ।

 

ଦ୍ରାକ୍ଷା କିଛି ଉତ୍ତର ଦେଲା ନାହିଁ ।

 

ଖୁବ୍ ସକାଳୁ ଉଠି ଦ୍ରାକ୍ଷା ସୁଖେନ୍ଦୁଙ୍କ କକ୍ଷକୁ ଗଲା । ୟା ପୁର୍ବରୁ ସୁଖେନ୍ଦୁଙ୍କ ସାମ୍ନାରେ କମଳେଶ ତାକୁ ବିଦ୍ରୁପ କରି ଅପମାନଜନିତ କଥା କହିଥିଲେ । କାଲିର ଘଟଣା ପରେ ଦ୍ରାକ୍ଷା ଭିତରେ ଭିତରେ ଭାଙ୍ଗି ପଡ଼ୁଥିଲେ ।

 

ସୁଖେନ୍ଦୁ ରାତିରେ ଔଷଧ ବା ପଥ୍ୟ ଖାଇନାହାନ୍ତି । କମଳେଶଙ୍କ ଉପରେ ଅଭିମାନ କରି ସେ ସୁଖେନ୍ଦୁଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନ କରିଛି । ସୁଖେନ୍ଦୁ ତା’ର କିଛି ନ ହେଲେ ମଧ୍ୟ ସେ ଜଣେ ମଣିଷ । ସେ ଅସହାୟ ଶଯ୍ୟାଶାୟୀ–ନିଃସଂଗ । ଏ ଘରର ସେ ଅତିଥି । ତାଙ୍କୁ ଅଭୁକ୍ତ, ଅବହେଳିତ କରି ରଖିବା ଘୋର ପରିତାପର ବିଷୟ ।

 

ଦ୍ରାକ୍ଷା ମଳିନ ମୁଖରେ ସୁଖେନ୍ଦୁଙ୍କୁ ସୁପ୍ରଭାତ ଜଣାଇଲା । ସୁଖେନ୍ଦୁ ଦୁର୍ବଳ କ୍ଳାନ୍ତ ଦିଶୁଛନ୍ତି । ସାର ରାତି ଶୋଇପାରି ନାହାନ୍ତି ହୁଏତ ।

 

ଦ୍ରାକ୍ଷା ଅନୁତପ୍ତ ଗଳାରେ କହିଲେ ମୁଁ ଦୁଃଖିତ ଆଉ ଲଜ୍ଜିତ ସୁଖେନ୍ଦୁ । କମଳଙ୍କର ପଦେ କଥାରେ ଅଭିମାନ କରି ମୁଁ କାଲି ତମକୁ ଦେଖା ମଧ୍ୟ କରିନାହିଁ । ଅଥଚ କ’ଣ ବା କଥା ଏମିତି । ସ୍ୱାମୀ ସ୍ତ୍ରୀର ସଂସାରରେ ଏ ତ ନିତିଦିନିଆ ମାମୁଲି ଘଟଣା । କମଳେଶ ମତେ ଅନେକ ସମୟରେ ତାଚ୍ଛଲ୍ୟ କରି ସୁଖ ମଣନ୍ତି । ତମେ କ’ଣ ତାଙ୍କୁ ଜାଣ ନାହିଁ ?

 

ସୁଖେନ୍ଦୁ କ୍ଷୀଣ ଦୁର୍ବଳ କଣ୍ଠରେ କହିଲେ– ଦ୍ରାକ୍ଷା, ମୁଁ ତ ଆଉ ଛୋଟପିଲା ନୁହେଁ ଯେ ତମେ ମତେ ଭୁଲାଇଦେବ । କମଳେଶ ତମକୁ ଅପମାନିତ କରିଛି । କମଳ ମତେ ସହ୍ୟ କରିପାରୁ ନାହିଁ । ଏକଥା ତ ସ୍ୱଭାବିକ । ତମେ କେବେ ମୋର ସ୍ତ୍ରୀ ଥିଲ । ଏବେ ତ ତମେ ତାର ସ୍ତ୍ରୀ । ମୋ ପାଇଁ ତମେ ରାତି ଉଜାଗର ହୋଇ ବସିବା କଥାଟା ତାର ସହ୍ୟ ହୁଅନ୍ତା କେମିତି ? ମୁଁ ବି ତ କମଳ ସହ ତମର ସୁଖକର ଯୁଗ୍ମ ଜୀବନକୁ ସହ୍ୟ କରିପାରୁ ନାହିଁ । ତମକୁ ବିବାହ କରି କମଳ ମୋର ଚିରଶତ୍ରୁ ହୋଇଯାଇଛି । ଏ ଘରେ ମୋର ଆଉ ରହିବା ଉଚିତ ହେବନାହିଁ । ମୁଁ ଦିନେ ଦୁଇଦିନ ଭିତରେ କୌଣସି ହୋଟେଲକୁ ଚାଲିଯିବି । ତାପରେ ଦେଖାଯିବ ।

 

ଦ୍ରାକ୍ଷା ବିବଶ ହୋଇଗଲା । ଚେୟାର ଉପରେ ବସିପଡ଼େ ସେ ଅସହାୟ କଣ୍ଠରେ କହିଲା– ଏଇ ସ୍ୱାସ୍ଥ୍ୟନେଇ ତମେ ହୋଟେଲକୁ ଚାଲିଯିବ ! ମୁଁ କ’ଣ ଏ ଘରେ କେହି ନୁହେଁ ? ମୋର କ’ଣ ମଣିଷପଣିଆ ଲୋପ ପାଇଗଲାଣି ଯେ ମୁଁ ତମକୁ ଏ ଅବସ୍ଥାରେ ଛାଡ଼ିଦେବି ?

 

ଅବଜ୍ଞାରେ ହସିଉଠିଲେ ସୁଖେନ୍ଦୁ । ବିଦ୍ରୁପଭରା କଣ୍ଠରେ କହିଲେ–ତମେ ମତେ ଅଟକାଇ ରଖିବାକୁ କିଏ ? ତମ କଥାରେ ମୁଁ ରହିବି କ’ଣ ପାଇଁ ? ମତେ ଅଟକାଇ ରଖି ତମେ ମଧ୍ୟ କି ସ୍ଵର୍ଗସୁଖ ଅଜାଡ଼ିଦେବ । ଏ ଘରେ ମତେ ଉପାସ ଭୋକରେ ପକାଇଦେଇ ତମେ କମଳ ସହ ସେ ଘରେ ପ୍ରେମରେ ମାତିଉଠିବା ବ୍ୟତୀତ ଅଧିକ କଣ କରିପାରିବ ?

 

ଦ୍ରାକ୍ଷାର ମୁହଁ କଳା ପଡ଼ିଗଲା ଅପମାନରେ । ସେ ଅସହାୟ କଣ୍ଠରେ କହିଲା ସୁଖେନ୍ଦୁ, ତମ ସହ ଇଭାର ପ୍ରେମମୟ ଜୀବନକୁ ନେଇ ମୁଁ କୌଣସି ଦିନ ତମକୁ ଅପମାନିତ କରିନାହିଁ । ବରଂ ମୁଁ ଚାହିଥିଲି ଇଭା ତମକୁ ସୁଖୀ କରନ୍ତୁ । ତମ ମୁହଁରେ ଏ ଧରଣର କଥା ମୋର ସହ୍ୟ ହେଉନାହିଁ । ତମେ କେତେ ତଳକୁ ଖସିଯାଇଛ, କେତେ ନିର୍ବୋଧ ପାଲଟିଛ । ମୋର ଅସହାୟ ଅବସ୍ଥାର କଥା ସେଇଥିପାଇଁ ତମେ ବୁଝିପାରୁନାହଁ ।

 

ସୁଖେନ୍ଦୁ ହାତଯୋଡି କହିଲେ– ତମେ ତ ଦେବୀ ଦ୍ରାକ୍ଷା । ପଞ୍ଚସତୀଙ୍କ ପରେ ଷଷ୍ଠସ୍ଥାନଟି ତମର । ମୁଁ କିନ୍ତୁ ମଣିଷ । କମଳ ମଧ୍ୟ । ଆମେ କେହି କାହାକୁ ସହି ନ ପାରିବା ସ୍ୱାଭାବିକ । ମୁଁ ଦୁଇଦିନ ପରେ ଏ ଘର ଛାଡ଼ୁଛି । ତମେ ଏ କଥା କମଳକୁ କହିଦବ ।

 

ଦ୍ରାକ୍ଷା ସ୍ଥିର କଣ୍ଠରେ ଉତ୍ତର ଦେଲା– ଏ ଘର ତମର, କମଳଙ୍କୁ ତମେ ତାର ମୂଲ୍ୟ ଦେଇସାରିଛ । ମୋ କଥାରେ ନ ହେଲେ ନାହିଁ–ତମର ନିଜ ଅଧିକାରରେ ତମେ ଏ ଘରେ ରହିବ-। ଏମିତି ଭାବେ ଘରଛାଡ଼ି ସ୍କୁଲ ଯିବା ନିହାତି ଲଜ୍ଜାକର ନୁହେଁ କି ?

 

ସୁଖେନ୍ଦୁ ହସିଉଠି ବିଦ୍ରୂପ କଲେ– ଏ ଘରର ପ୍ରତ୍ୟେକଟି ଘଟଣା ଲଜ୍ଜାକର ଦ୍ରାକ୍ଷା । ମୁଁ ଅଧିକ କିଛି କହିବି ନାହିଁ ।

 

ସୁଖେନ୍ଦୁଙ୍କର ବାକ୍ୟବାଣରେ ବାରମ୍ବାର କ୍ଷତାକ୍ତ ହୋଇ ଦ୍ରାକ୍ଷା କଲେଜ ବାହାରିଗଲା ।

 

ଲଞ୍ଚ ଖାଇବାକୁ ସେ ଘରକୁ ଆସିଲା ନାହିଁ । ଦୁଇଟା ବେଳେ ପୂଝାରୀ ଫୋନ୍ କଲା, ସୁଖେନ୍ଦୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କର ଉତ୍ତାପ ବଢ଼ିଛି । ସେ ବ୍ୟସ୍ତ ହେଉଛନ୍ତି । ଦ୍ରାକ୍ଷା ନିର୍ଦ୍ଦେଶ ଦେଲା, କମଳେଶଙ୍କୁ କଥାଟା ଜଣାଇଦେବା ପାଇଁ । ଫୋନ୍ ରଖିଦେଇ ଦ୍ରାକ୍ଷା ଚିନ୍ତାରେ ପଡ଼ିଗଲା । ଶେଷପର୍ଯ୍ୟନ୍ତ ସେ ଘରକୁ ନ ଯାଇ ରହିପାରିଲା ନାହିଁ ।

 

ଘରେ ପହଞ୍ଚିଲାବେଳକୁ କମଳ ସୁଖେନ୍ଦୁଙ୍କ ଚିକିତ୍ସାର ସମସ୍ତ ସୁବ୍ୟବସ୍ଥା କରିସାରିଛନ୍ତି-। ଡାକ୍ତର ଆସି ଦେଖିଯାଇଛନ୍ତି । ଭୟର କୌଣସି କାରଣ ନାହିଁ । ରୋଗଟା ବେଶିଭାଗ ମାନସିକ-। ମନଟିକୁ ଦୃଢ଼କଲେ ସେ ଅଳ୍ପ କେଇଟା ଦିନରେ ସୁସ୍ଥ ହୋଇଉଠିବେ ।

 

କଥାଟା ଶୁଣି ଦ୍ରାକ୍ଷା ଚିନ୍ତାକୁଳ ହେଲା । ସୁଖେନ୍ଦୁ ମନକୁ ବୁଝାଇ ପାରୁନାହାନ୍ତି । ଦ୍ରାକ୍ଷାକୁ ଆଖି ସାମ୍ନାରେ ଭିନ୍ନ ଭୂମିକାରେ ଦେଖି ସେ ଅସ୍ଥିର–ଅସହିଷ୍ଣୁ ହେଉଛନ୍ତି । ଗୁଡାଏ ବିକଳ୍ପ ଭାବନାରେ ସେ ବିଭ୍ରାନ୍ତ ହେଉଛନ୍ତି । ଏ କ୍ଷେତ୍ରରେ ସମାଧାନର ପନ୍ଥା କ’ଣ ?

 

ଦ୍ରାକ୍ଷା ନିଜ ରୁମରେ ନିଶ୍ଚୁପ ହୋଇ ବସିରହିଲା । କମଳ ସୁଖେନ୍ଦୁ ରୁମରେ ଅଛନ୍ତି । ଦ୍ରାକ୍ଷାର ଇଚ୍ଛାହେଉଛି ଟିକେ ସୁଖେନ୍ଦୁଙ୍କୁ ଦେଖି ଆସିବା ପାଇଁ । ସେ ଜାଣେ, ଗୁଡ଼ାଏ ଅହେତୁକ ଅଭିମାନ, ଅନୁଚିତ ଭାବନାରେ ସୁଖେନ୍ଦୁ ଜାଣି ଜାଣି ନିଜକୁ ଅସୁସ୍ଥ କରି ପକାଉଛନ୍ତି ।

 

ସେ କିନ୍ତୁ ଗଲା ନାହିଁ । ସେମିତି ବସିରହିଲା । କମଳେଶ ଆସିଲେ । ଦ୍ରାକ୍ଷା କିଛି ପଚାରିଲା ନାହିଁ । ସେ ମଧ୍ୟ କିଛି କହିଲେ ନାହିଁ । ପରିବେଶଟା ଏକବାର ଅଶ୍ୱସ୍ତି କର । ବେଶିଦିନ ଏମିତି ରହିଲେ ଦ୍ରାକ୍ଷାର ମାନସିକ ବିକୃତି ଦେଖାଦେବା ଅସମ୍ଭବ ନୁହେଁ ।

 

କମଳେଶ ଦ୍ରାକ୍ଷାକୁ ନ ଚାହିଁ କହିଲେ ତମେ ଜିନିଷପତ୍ର ପ୍ୟାକ୍ କରିବା ଆରମ୍ଭ କର । ଆମେ ଖୁବ୍ ଶୀଘ୍ର ଏ ଘରଟା ଛାଡ଼ିଦେବା । ଗୋଟାଏ ଭଲ ଘର କିଣିନେବା ପର୍ଯ୍ୟନ୍ତ ଆମକୁ ଭଡ଼ାଘରେ ରହିବାକୁ ପଡ଼ିବ ।

 

ଦ୍ରାକ୍ଷା ଚମକିପଡ଼ି କହିଲା–ଏ ଘରଟା ଛାଡ଼ିଦେବ ? ଏଇଟା ତମର ପୈତୃକ ଘର । ଏ ଘର ସହ ତମର ବାଲ୍ୟ, କୈଶୋର, ତାରୁଣ୍ୟର ସ୍ମୃତି ଜଡ଼ିତ ।

 

କମଳେଶ ତାତିଉଠି କହିଲେ କ’ଣ ହୋଇଛି ତମେ କ’ଣ ଜାଣନାହିଁ ? ଜୀବନରେ ବାସ୍ତବତାର ନିଷ୍ଠୁର ଚାପରେ ଅନେକ ପ୍ରିୟ ପଦାର୍ଥକୁ ତ୍ୟାଗ କରିବାକୁ ହୁଏ । ମଣିଷ ଯାହାକୁ ଛାଡ଼ି ରହିପାରିବ ନାହିଁ ବୋଲି ଭାବୁଥାଏ ତାକୁ ଛାଡ଼ି ବେଶ୍ ରହିପାରେ । ତମେ ତ ପୁଣି ସୁଖେନ୍ଦୁକୁ ଛାଡ଼ି ରହିପାରିଥିଲ–ଦରକାର ପଡ଼ିଲେ ତମେ କ’ଣ ମତେ ମଧ୍ୟ

 

–କମଳ! ତମେ କ’ଣ କହିବାକୁ ଚାହଁ ? ଦ୍ରାକ୍ଷାର ଅଭିମାନ ଅଶ୍ରୁହୋଇ ଝରିପଡ଼ିଲା ।

 

କମଳେଶ ସେଥିପ୍ରତି ଭ୍ରୂକ୍ଷେପ ନ କରି କହିଲେ– କିଛି ନାହିଁ । ଜୀବନର ସବୁକଥା ତ ଏମିତି । ଏ ଘରଟା ସେମିତି ମୁଁ ଛାଡ଼ିଦେବି । ସୁଖେନ୍ଦୁ ଆଉ ଆମ ଏକତ୍ର ରହିବା ସମ୍ଭବ ନୁହେଁ । ଏମିତି ରହିଲେ ସେ ଆଦୌ ଆରୋଗ୍ୟ ହେବନାହିଁ ବୋଲି ମୁଁ ଜାଣିପାରିଛି ।

 

–ଠିକ୍ ଅଛି । ସେ ତେବେ ଏ ଘର ଛାଡ଼ିଦିଅନ୍ତୁ । ଆମେ କାହିଁକି ଛାଡ଼ିଦେବା ? ତମେ ତାଙ୍କୁ ସେଇ କଥା କହିଦିଅ । ଦ୍ରାକ୍ଷା କହିଲା ।

 

କମଳେଶ ଅସ୍ଥିର କଣ୍ଠରେ କହିଲେ ନା, ମୁଁ ଏତେ ଛୋଟ ମିଜାଜର ନୁହେଁ । ମୁଁ ତାକୁ ଏ ଘରୁ ବାହାରି ଯିବାପାଇଁ କହିପାରିବ ନାହିଁ । ମୁଁ ନିଜେ ଦିନେ ଏ ଘରଟିର ଅର୍ଦ୍ଧେକ ଅଂଶ ତା ନାମରେ କରିଦେଇଥିଲି ।

 

ଦ୍ରାକ୍ଷା ଜଳି ଉଠି କହିଲା–ତମେ କେହି କାହାର ପାଖରେ ଛୋଟ ହେବନାହିଁ । ଦୁହେଁ ଉଦାର, ବଦାନ୍ୟ ହୋଇ ରହିବ । ମଝିରେ ମୋର ଗତି କେବଳ ନିମ୍ନକୁ । ତମେ ଏ ଘର ଛାଡ଼ିଦେଲେ ଲୋକେ କ’ଣ ଭାବିବେ ? ସେମାନେ ଭାବିବେ ସୁଖେନ୍ଦୁ ସହ ମୋର କୌଣସି ଅନୁଚିତ ସଂପର୍କକୁ ଏଡ଼ାଇବା ପାଇଁ ତମେ ତମର ବଂଶ ପରମ୍ପରାର ସ୍ମୃତିଚିହ୍ନ ପୈତୃକ ଘରଟାକୁ ତ୍ୟାଗ କରିଦେଲ ବୋଲି । ମୁ ଆଉ ମୁଣ୍ଡ ଟେକି ବାଟ ଚାଲିବି ତ !

 

କମଳେଶ ବିଦ୍ରୂପ କଲାଭଳି କହିଲେ– ଏବେ ବି ଯଦି ତମେ ମୁଣ୍ଡ ଟେକି ବାଟ ଚାଲିପାରୁଛ ସେତେବେଳେ ବି ନିଶ୍ଚୟ ପାରିବ ।

 

ଦୁମ୍ ଦୁମ୍‌ ହୋଇ ପଦାକୁ ବାହାରିଗଲେ କମଳେଶ । ଦ୍ରାକ୍ଷାର ହୃଦୟ ଭିତରଟା ବିଦ୍ରୋହ, ରାଗ ଅଭିମାନରେ ଭାଙ୍ଗି ଚୁରମାର୍ ହୋଇଯିବ ଯେମିତି ।

 

ସୁଖେନ୍ଦୁ ତା ଜୀବନର ସବୁକିଛି ଓଲଟ ପାଲଟ କରିଦେଇଛନ୍ତି । ସେ ମଧ୍ୟ ଆଜି କଥା କଥାକେ ତାର ନାରୀତ୍ୱକୁ ଅପମାନିତ କରି ଚାଲିଛନ୍ତି । ଆଉ କମଳେଶ ! ସୁଖେନ୍ଦୁ ଫେରିବାପରେ ତାଙ୍କର ସବୁ ପ୍ରେମ ଘୃଣାରେ ପରିଣତ ହୋଇଯାଇଛି । ଆଉ ସେ ନିଜେ ! ସେ ଗୋଟାଏ କାଠ କଣ୍ଢେଇ । ଯେ ଯେମିତି ଚାହିଁଲା ସେମିତି ଖୋଳିପାରିଲା, ଏ ସବୁ ସେ ସହ୍ୟ କରି ପଡ଼ିରହିବ ସବୁଦିନ ।

 

ସେଦିନ ରାତିରେ ମଧ୍ୟ ସୁଖେନ୍ଦୁ ଔଷଧ ବା ପଥ୍ୟ ଖାଇଲେ ନାହିଁ ।

 

ପୂଝାରୀଠାରୁ ଶୁଣି କମଳେଶ କହିଲେ– ନ ଖାଉ । ସେ ତ ପିଲାଟିଏ ନୁହେଁ । ସେ ନ ଖାଇ ମରିଗଲେ ମଧ୍ୟ ତା ପାଇଁ ମୁଣ୍ଡପିଟି କାନ୍ଦିବାକୁ କେହି ନାହାନ୍ତି ବୋଲି ସେ ଜାଣେ । ହୁଃ ! ଗୋଟାଏ ଫାର୍ଶ ଲାଗିଛି ଏଠି ।

 

ଦ୍ରାକ୍ଷା ଯନ୍ତ୍ରଚାଳିତ ଭଳି ଉଠି ବସିଲା ବିଛଣାରେ । ରାଗ ଓ ଅଭିମାନ ରେ ଗୋଟାଏ ଦୁର୍ଲ୍ଲଭ ମଣିଷର ଜୀବନକୁ ନେଇ ଖେଳ ଖେଳାଯାଇ ନ ପାରେ ।

 

କମଳେଶ ପଢ଼ୁଥିଲେ । ଟେବୁଲ ଉପରେ କମଳେଶ ଓ ସୁଖେନ୍ଦୁଙ୍କର ସେଇ ପୁରୁଣା ଯୁଗ୍ମ ଫଟୋଟା ସେମିତି ଥୁଆହୋଇଛି । ଦ୍ରାକ୍ଷାର ବଧୂବେଶର ଫଟୋଟା ବି ସେଠି ରଖିଥିଲେ କମଳେଶ । ସେଇ ଫଟୋଟିକୁ ଚାହିଁ ଚାହିଁ କାମ କରିବାର ଉତ୍ସାହ ଓ ପ୍ରେରଣା ସେ ପାଉଥିଲେ । ଦୁଇଦିନ ତଳେ କମଳେଶଙ୍କ ହାତ ବାଜି ଫଟୋଟା ପଡ଼ିଯାଇ ଝଣ ଝଣ ହୋଇ ଭାଙ୍ଗିଗଲା । ତା’ପରେ କମଳ ଫଟୋଟିକୁ ଆଉ ବନ୍ଧେଇ କରି ଆଣିନାହାନ୍ତି । ଆଉ ଆବଶ୍ୟକତା ପଡ଼ିନାହିଁ ମଧ୍ୟ-। ସେ ଆଉ କମଳଙ୍କର ପ୍ରେରଣାର ଉତ୍ସ ହୋଇନାହିଁ । ସେ ଏବେ ତାଙ୍କ ମନରେ ନୈରାଶ୍ୟର ଧୂ ଧୂ ମରୁବାଲିରେ ପରିଣତ ହୋଇଛି ।

 

ସୁଖେନ୍ଦୁ ମଧ୍ୟ ତାଙ୍କ ଟେବୁଲରୁ ତାର ଫଟୋଟି ପହଞ୍ଚିବା ପରେ ପରେ ବାହାର କରିଦେଇଛନ୍ତି । କାହାରି ଜୀବନରେ ତାର ଆଉ ସେ ପୂର୍ବର ମୂଲ୍ୟବୋଧ ନାହିଁ ।

 

ନିଜ ମନକୁ ଦୃଢ଼କରି ସେ ଉଠିଲା । ସ୍ଥିର କଣ୍ଠରେ କହିଲା– ସୁଖେନ୍ଦୁଙ୍କୁ ମୁଁ ଔଷଧ ଦେଇ ଆସୁଛି । ସେ ନିର୍ବୋଧ ପାଲଟିଛନ୍ତି ବୋଲି ଆମେ ତ ନିର୍ବୋଧ ହେବା ନାହିଁ ।

 

ପଢ଼ିବା ସ୍ଥାନରୁ ଉଠି ଆସିଲେ କମଳେଶ । ଯିଦ୍ କଲାଭଳି କହିଲେ– ନା, ତମେ ଯାଇପାରିବ ନାହିଁ । ମୁଁ କହିଦଉଛି, ଏ ଫାର୍ଶ ମୋର ସହ୍ୟ ହେଉନାହିଁ । ତମେ ନ ଗଲେ ସେ ଔଷଧ ଖାଇବ ନାହିଁ କାହିଁକି ?

 

ଦ୍ରାକ୍ଷା ଦୃଢ଼ କଣ୍ଠରେ କହିଲା ଏବେ ପ୍ରଥମ କଥା ହେଲା ସେ ସୁସ୍ଥ ହୋଇଉଠିବା । ଅସୁସ୍ଥ ମଣିଷ କ’ଣ କରେ ତାର ଠିକ୍‌ ଠିକଣା ନାହିଁ । ତାଙ୍କର ମତିଭ୍ରମ ହୋଇଛି ।

 

କମଳେଶ ଆଖି ଲାଲ୍ ଲାଲ୍ କରି କହିଲେ–ମୁଁ କହି ରଖୁଛି, ତମେ ତାକୁ ଔଷଧ ଦେବାକୁ ଯିବନାହିଁ । ମୋର ଯାହା ପସନ୍ଦ ନୁହେଁ ସେକଥା କଲେ ଫଳ ଭଲ ହେବନାହିଁ ।

 

ଦ୍ରାକ୍ଷା ଅବଶ ହୋଇ ଶଯ୍ୟାଧାରରେ ବସିପଡ଼ିଲା । କ୍ଳାନ୍ତ କଣ୍ଠରେ କହିଲା–ମଣିଷର ହୃଦୟ କେଡ଼େ ବିଚିତ୍ର ସତେ । ଅପର ଲୋକର ସହସ୍ର ଉପକାର ସେ ପରକ୍ଷଣରେ ପାଶୋରି ଦିଏ, ହେଲେ କେହି କେବେ ମୂର୍ଖତାବଶତଃ ସାମାନ୍ୟତମ ଅନିଷ୍ଟ କରିଥିଲେ ସେ ତାହା ଚିରଜୀବନ ଭୁଲି ପାରେନାହିଁ । ତମେ ଅସୁସ୍ଥ ଥିବାବେଳେ ସୁଖେନ୍ଦୁ ତମକୁ କିଭଳି ବ୍ୟବହାର କରୁଥିଲେ ତା ତମେ ଭୁଲିଗଲଣି । ଥରଟିଏ ତମକୁ ଔଷଧ ନ ଦେଇ ଚାଲିଆସିଥିଲି ବୋଲି ସେ ନିଜେ ଔଷଧ ଦେଇଥିଲେ ଆଉ ସାରା ରାତି ମତେ କଥା କହି ନ ଥିଲେ ।

 

ଗର୍ଜିଉଠି କମଳେଶ କହିଲେ ସେତେବେଳେ ମୁଁ ଥିଲି ତାର ପରମ ବନ୍ଧୁ । ବନ୍ଧୁ ପ୍ରତି ଉପଯୁକ୍ତ କର୍ତ୍ତବ୍ୟ ସେ କରିଥିଲା; କିନ୍ତୁ ଏବେ ସେ ତ ମୋର ଚରମ ଶତ୍ରୁ ହୋଇଯାଇଛି ।

 

ଦ୍ରାକ୍ଷା ଶାନ୍ତ କଣ୍ଠରେ କହିଲା–ସେଇ ତ ମଣିଷ ସ୍ୱଭାବର ବୈଚିତ୍ର୍ୟ । ଜୀବନର ପରମ ବନ୍ଧୁଟି ପଦେ କଥାରେ ଚରମ ଶତ୍ରୁ ପାଲଟିଯାଏ ମାତ୍ର ନିର୍ବୋଧ, ଅନୁତପ୍ତ, ଅସହାୟ ଶତ୍ରୁଟି କୌଣସି ଦିନ ଆଉ ତାର ବନ୍ଧୁ ହୋଇ ପାରେ ନାହିଁ ।

 

କମଳେଶ ବିରକ୍ତ ହୋଇଉଠି କହିଲେ–ତମର ନୀତିବାକ୍ୟ ମୋର କୌଣସି କାର୍ଯ୍ୟରେ ଲାଗିବ ନାହିଁ । କାଲି ହୁଏତ ସୁଖେନ୍ଦୁ ଏ ଘରୁ ଯିବ ନଚେତ୍ ମୁଁ । ତା ନ ହେଲେ ଖୁବ୍ ଶୀଘ୍ର ଆମେ ଧ୍ୱଂସ ପାଇଯିବୁ ।

 

ଦ୍ରାକ୍ଷା ଅବସନ୍ନ ହୋଇ ଶଯ୍ୟାରେ ତଳି ପଡ଼ିଲା ।

 

ନିଶ୍ଚଳ କାଠଗଡ଼ି ଭଳି ପଡ଼ିରହିଲେ ମଧ୍ୟ ଦ୍ରାକ୍ଷାର ଆଖି ସାରା ରତ୍ରି ଅତୀନ୍ଦ୍ର ଥିଲା । ଶାଶୁଙ୍କର ଭାବପ୍ରବଣ ମୁହଁଟି ବାରମ୍ବାର ଭାସି ଉଠିଲା ତାର ସ୍ମୃତିପଟରେ । ତାଙ୍କର ଶେଷ ଇଚ୍ଛାକୁ ସମ୍ମାନ ଦେବାକୁ ଯାଇ ସେ ଆଜି ବିଷମ ସଙ୍କଟରେ ପଡ଼ିଯାଇଛି । ଏଇ ଘରର ବାୟୁମଣ୍ଡଳରେ ଶାଶୁଙ୍କର ଅମରଆତ୍ମା ଯଦିବା ଘୁରି ବୁଲୁଥାଏ ତେବେ ସେ ଦେଖୁଥିବ, ତାଙ୍କରି ପ୍ରାଣର ସୁଖେନ୍ ଆର ଘରେ ଅସୁସ୍ଥ ଅଭୁକ୍ତ, ଅବହେଳିତ ହୋଇ ପଡ଼ି ରହିଛନ୍ତି । ଆଉ ତାଙ୍କର ଅତି ଆଦରଣୀୟା ବୋହୂ, ଅନ୍ୟ ଘରେ କମଳେଶ ସହ ରାତ୍ରି ଯାପନ କରିବା ବ୍ୟତୀତ ଅନ୍ୟ କିଛି କତ୍ତୃତ୍ୱ ନାହିଁ । ସେ ଏକ କଠନ ଶୃଙ୍ଖଳରେ ଆବଦ୍ଧ । ଦ୍ରାକ୍ଷା ନିଃଶବ୍ଦରେ ଅଶ୍ରୁ ଢ଼ାଳିବାକୁ ଲାଗିଲା ।

 

ଖୁବ୍ ଅନ୍ଧାରରୁ ଦ୍ରାକ୍ଷା ଉଠି ପଡ଼ିଲା । ବାହାରେ ଅନ୍ଧାର କାଟିନାହିଁ । ଆକାଶରେ ଅଦିନ ମେଘର ଆସର । ଝିପି ଝିପି ବର୍ଷାରେ ଭିଜୁଛି ଗଛପତ୍ର । ଦ୍ରାକ୍ଷାର ଇଚ୍ଛା ହେଲା ଯେ ସେ ଯଦି ଆଉଥରେ ସେଇ ଅବୁଝା କିଶୋରୀ ବୟସକୁ ଫେରଯାଇ ଝିପ୍ ଝିପ୍ ବର୍ଷାରେ ଭିଜି ଭିଜି ବୁଲନ୍ତା–ତାର ହୃଦୟର ଜ୍ୱାଳା ଅବଶ୍ୟ ନିର୍ବାପିତ ହୋଇଯାଆନ୍ତା ।

 

ଦ୍ରାକ୍ଷା ଡେଇଁ ଡେଇଁ ବଗିଚା ଭିତରେ ବୁଲିବାକୁ ଲାଗିଲା ଓ ବର୍ଷାରେ ଭିଜି ଏକ ଅବୁଝା ଉଲ୍ଲାସରେ ମାତିଗଲା । ତା’ଭଳି ଆଉ ଜଣେ କିଏ ବର୍ଷାରେ ଭିଜୁଛି ? ଦ୍ରାକ୍ଷା ଛାୟା ମୂର୍ତ୍ତିଟି, ନିକଟତର ହେଉ ହେଉ ସାମାନ୍ୟ ଶଙ୍କିତ ହୋଇପଡିଲା ଶାଶୁଙ୍କର ବିକଳ ଆତ୍ମା ତା’ଠାରୁ କୈଫିୟତ ଚାହିଁ ନାହିଁ ତ ? ନା । ସେ ଛାୟା ମୂର୍ତ୍ତି ସୁଖେନ୍ଦୁଙ୍କର ବୋଲି ଆବିଷ୍କାର କରିବା ପରେ ଦ୍ରାକ୍ଷା ଅଧିକ ଶଙ୍କାକୁଳ ହୋଇପଡ଼ିଲା । ସୁଖେନ୍ଦୁ ନିଜର ଏମିତି ସର୍ବନାଶ କରୁଛନ୍ତି କାହିଁକି ?

 

ସୁଖେନ୍ଦୁ ଖୁଣ୍ଟଭଳି ଠିଆ ହୋଇ ଆକାଶକୁ ଚାହିଁ ରହିଛନ୍ତି । ସତୈ ବା କାହାକୁ ଖୋଜି ହେଉଛନ୍ତି । ଦ୍ରାକ୍ଷା ତାଙ୍କର ନିକଟତର ହୋଇ ବ୍ୟାକୁଳ କଣ୍ଠରେ ପ୍ରଶ୍ନ କଲେ କ’ଣ କରୁଛି ଏଠି । କେତେବେଳଠାରୁ ଏମିତି ଭିଜୁଛ ? ଜାଣ ତମର କି କ୍ଷତି ହେବ ଏମିତି ଭିଜିଲେ ?

 

ସୁଖେନ୍ଦୁ ଦ୍ରାକ୍ଷାଙ୍କୁ ବଡ଼ ବଡ଼ ଆଖିରେ ଚାହିଁଲେ ସତେ ବା ଚିହ୍ନି ପାରୁ ନାହାଁନ୍ତି। କହିଲେ ମୁଁ ଯାହା ଖୋଜୁଛି ତାକୁ ଆଉ ଏ ଜନ୍ମରେ ପାଇ ହେବନି । ମୁଁ ମରିବାକୁ ଚାହେଁ ମୃତ୍ୟୁ ପରେ ତା ସଙ୍ଗେ ମୋର ଭେଟ ହେବ । ମୁଁ ଯେତେ ଯାହା ଦୋଷ ତା’ଠାରେ କରିଥିଲେ ବି ସେ ମତେ ଥରଟିଏ ଦେଖାରେ କ୍ଷମା କରିଦେଇ ହୃଦୟରେ ସ୍ଥାନ ଦେବ । ସେ ତ ଆଧୁନିକା, ଶିକ୍ଷତା ପତ୍ନା ନୁହେଁ; ଯେ ସ୍ୱାର୍ଥ ପାଇଁ, ସୁଖ ପାଇଁ, ଐଶ୍ଚର୍ଯ୍ୟ ପାଇଁ, ସ୍ନେହ ପ୍ରେମ–ନ୍ୟାୟ ଅନ୍ୟାୟକୁ ଖାତିର ନ କରି ତ୍ୟାଗଠାରୁ ଭୋଗକୁ ବଡ଼ ମନେ କରିବ ? ସେ ମୋର ଜନନୀ–ଗର୍ଭଧାରଣ ମା–ସେ ଯୁଗର ହିନ୍ଦୁ ନାରୀ । ଯିଏ ଯୁବାବୟସରେ ପିତାଙ୍କୁ ହରାଇ ଆଉ ଦ୍ୱିତୀୟବାର ପରପୁରୁଷର ମୁଖକୁ ସିଧାସଳଖ ଚାହିଁ ନାହିଁ । ମୁଁ ସାରା ରତ୍ରି ତାକୁ ହିଁ ଖୋଜୁଛି–ମୁଁ ଜାଣେ ମତେ ଅଭୁକ୍ତ ଦେଖି ସେ କେତେ କଷ୍ଟ ପାଉଥିବ, କିନ୍ତୁ ତମେ କିଏ ?

 

ଦ୍ରାକ୍ଷା ବିକଳ ବିହ୍ୱଳ ଭାବରେ ସୁଖେନ୍ଦୁଙ୍କର ହାତ ଧରିଲା । ତା ଆଖିରୁ ଝର ଝର ଅଶ୍ରୁ ଝରିଗଲା । ସେ କୋହ ଉଚ୍ଛଳ କଣ୍ଠରେ କହିଲା ସୁଖେନ୍ଦୁ ତମେ କ’ଣ ପାଗଳ ହେଲ ? ସାରାରାତି ତମେ ଭିଜୁଛ । ତମର ଦେହରେ ଏବେ ବି ତାତି ଭର୍ତ୍ତିହୋଇଛି ।

 

ସୁଖେନ୍ଦୁ ଦ୍ରାକ୍ଷାର ହାତକୁ ଜୋରରେ ଛାଟିଦେଇ କହିଲେ ଛିଃ, ମୁଁ ତମକୁ ଘୃଣା କରେ–ତମଭଳି ନାରୀର ଛାଇ ସୁଦ୍ଧା ମାଡ଼ିବାକୁ ଚାହେଁନାହିଁ । ତମଭଳି ନାରୀମାନେ ସୁଖ ପାଇଁ, ସ୍ୱାର୍ଥ ପାଇଁ, କ’ଣ ନ କରି ପାରନ୍ତି । ତମେ କାଲି ମୋର ପତ୍ନୀ ଥିଲ– ମୋର ଶଯ୍ୟାକୁ ଉତ୍ତପ୍ତ କରି ମୁଁ ସୁଖ ଲୁଟି ନେଉଥିଲ । ମୋ ପାଇଁ ଜୀବନ ହାରିଦେବ ବୋଲି କହୁଥିଲ । ଆଜି ତମେ ସୁଖ ପାଇଁ, ଐଶ୍ୱର୍ଯ୍ୟ ପାଇଁ କମଳେଶର ପତ୍ନୀ ହୋଇଛି ତାର ଶଯ୍ୟାକୁ ଉତ୍ତପ୍ତ କରି ତାକୁ ବି ସେମିତି କହୁଥିବ-। ଦରକାର ପଡ଼ିଲେ ତମେ କାଲି କମଳେଶକୁ ପରିତ୍ୟାଗ କରି ଅନ୍ୟ ଯେ କୌଣସି ପୁରୁଷକୁ ପତି ପଦରେ ବରଣ କରିପାର । ତମେ, ଇଭା ସମସ୍ତେ ସମାନ । ଇଭାଙ୍କଠାରୁ ତମକୁ ଭିନ୍ନ ଭାବି ଭ୍ରମରେ ପଡ଼ି ମୁଁ ଏଠାକୁ ଧାଇଁ ଆସିଥିଲି । ଆଉ କମଳେଶ କମଳେଶଠାରୁ ଅଧିକ ବିଶ୍ୱାସଘାତକ କିଏ ଥାଇପାରେ ? ଦରକାର ହେଲେ ମୁଁ ତାର ଗଳା ଚାପି ହତ୍ୟା କରିବି ।

 

ଦ୍ରାକ୍ଷା ଆହତ କଣ୍ଠରେ କହିଲା ସୁଖେନ୍, ମତେ ଏପରି କୁହ ନାହିଁ ତମେ ଜାଣନାହିଁ କି ଅସହାୟ ଅବସ୍ଥାରେ ପଡ଼ି ମୁଁ କମଳଙ୍କୁ ବିବାହ କରିଥିଲି– ଆଜି ମଧ୍ୟ ମୁଁ କି ଅସହାୟ । ମୋର କିଛିହେଲେ କର୍ତ୍ତୃତ୍ୱ ନାହିଁ । ତମେ ଫେରି– ଆସିବ ବୋଲି ଜାଣିଥିଲେ ମୁଁ ସାରାଜୀବନ ତମକୁ ଅପେକ୍ଷା କରିଥାନ୍ତି, ମାତ୍ର ଆଜି ଆଉ ସେ କଥା କାହିଁକି ? ତମେ ପ୍ରକୃତରେ କ’ଣ ଚାହିଁ ସୁଖେନ୍-? ମୋ ଲାଗି ତମ ଦୁହିଁଙ୍କର ବନ୍ଧୁତ୍ୱ କ୍ଷୁର୍ଣ୍ଣ ହେଉ ଏକଥା ମୁଁ ଚାହେଁ ନାହିଁ । ତମକୁ ଶାନ୍ତି ଦେବା ପାଇଁ ମୁଁ କ’ଣ କରିପାରେ ବହ କହ ସୁଖେନ୍....

 

ସୁଖେନ୍ଦୁ ସେମିତି ଘୃଣିତ କଣ୍ଠରେ କହିଲେ ତମ ଭଳି ନାରୀ ଜୀବନରେ କାହାକୁ ଶାନ୍ତି ଦେବେ ନାହିଁ । ତମ ଭଳି ରୂପସୀମାନଙ୍କ ନିଆଁରେ କମଳେଶ, ମୁଁ ଓ ପୃଥବୀର ସମସ୍ତ ପୁରୁଷ ଜଳୁଛନ୍ତି ଜଳୁଥିବେ । ତମେ ଇଭ୍ ତମରି ଲାଗି ଆଦାମର ମନରେ ଜାଗିଥିଲା ସେଇ ନିଷିଦ୍ଧ ଫଲକୁ ଭକ୍ଷଣ କରିବାର କ୍ଷୁଧା । କମଳେଶର ଦୋଷ କ’ଣ ? ତମରି ରୂପ ହିଁ ତାକୁ ଦେବତାରୁ ଦାନବ କରିଦେଇଛି । ମୋର ଶାନ୍ତି ଆଉ ସମ୍ଭବ ନୁହେଁ ତମେ କମଳେଶର ପତ୍ନୀ ଥିବାଯାଏ ମୁଁ ଏମିତି ଅଶାନ୍ତି, ଅସନ୍ତୋଷର ନିଆଁରେ ଜଳୁଥିବି । ସୁଖେନ୍ଦୁ ନିଜର ବାଳକୁ ଦୁଇ ହାତରେ ମୁଠାମୁଠା କରି ଟାଣିବାକୁ ଲାଗିଲେ ।

 

ଦ୍ରାକ୍ଷା କହିଲା– ମୁଁ ଯଦି କମଳେଶଙ୍କର ସ୍ୱାମୀତ୍ୱକୁ ପ୍ରତ୍ୟାଖ୍ୟାନ କରେ, ତେବେ କ’ଣ ତମେ ଶାନ୍ତି ପାଇବ ସୁଖେନ୍ ? ତମେ ଶାନ୍ତି ନ ପାଇଲେ ମା’ଙ୍କର ଆତ୍ମା ଯେ ଅଶାନ୍ତିରେ ଛଟ୍‌ପଟ୍ ହେବ । କହ, ମୁଁ କଣ କରିବି ?

 

ସୁଖେନ୍ଦୁ ଅଟ୍ଟହାସ୍ୟ କରି ଉଠିଲେ । କହିଲେ ବାଃ, ସୁନ୍ଦର ଅଭିନୟ । ଭାବିଛ କି ପୁଣି ମୁଁ ତମକୁ ଗ୍ରହଣ କରିବି ? ଛଃ, ତମର ଯେଉଁ ଦେହଟା ଦିନେ ପବିତ୍ର ଦେବମନ୍ଦିର ଥିଲା, ଶଯ୍ୟା ବଦଳାଇ ତାହା ଏକ ଦାନବର ନାରକୀୟ ଗୁମ୍ଫାରେ ପରିଣତ ହୋଇଛି । ସେଠି ଅଛି କେବଳ ଗରଳର ଭଣ୍ଡାର । ତମର ସ୍ପର୍ଶ ତ ଦୂରର କଥା ତମର ଦର୍ଶନରେ ହିଁ ମୋର ଜ୍ୱାଳା ବଢ଼ୁଛି । ଦୟାକରି ମୋ ସାମ୍ନାରୁ ତମେ ଚାଲିଯାଅ ।

 

ଦ୍ରାକ୍ଷା କହିଲା– ନା, କମଳେଶଙ୍କୁ ପରିତ୍ୟାଗ କରି ମୁଁ ଆଉ ତମର ପତ୍ନୀ ହୁଅନ୍ତି ନାହିଁ-। ପତ୍ନୀତ୍ୱର ବୋଝ ମୁଁ ଆଉ ସହ ପାରୁନାହିଁ । ଦ୍ରାକ୍ଷା ସୁଖେନ୍ଦୁଙ୍କୁ ପଛରେ ଛାଡ଼ି ଫେରିବାକୁ ଲାଗିଲା-। ସୁଖେନ୍ଦୁ ଆଉଥରେ ଅଟ୍ଟହାସ୍ୟ କରୁ କହିଲେ– ତମଭଳି ନାରୀମାନେ ପତ୍ନୀତ୍ୱକୁ ବୋଝ ମଣନ୍ତି । କମଳେଶ ଦିନେ ମୋରି ଭଳି ପରିତାପ କରିବ । ସେହି ଦିନ ହଁ ମୁଁ ଶାନ୍ତି ପାଇବି ।

 

ଦ୍ରାକ୍ଷା ଅପମାନରେ ଅଭିମାନରେ, ଦୁଃଖରେ ଥରି ଥରି ଫେରିବାକୁ ଲାଗିଲା ଓ ଭାବିଲା ସୁଖେନ୍ଦୁଙ୍କ ପାଇଁ ତା ମନର ଶାଖାରେ ଆଉ କୌଣସି କୋମଳ ଭାବନାର କଳିକା ଅବଶିଷ୍ଟ ନାହିଁ । ସେ ଏଥର କମଳେଶଙ୍କୁ ସୁଖୀ କରିବାରେ ସକ୍ଷମ ହେବ । ସୁଖେନ୍ଦୁ ଗୋଟାଏ ଅମଣିଷ । ତା ପାଇଁ ନିଜ ଜୀବନକୁ ନଷ୍ଟ କରିଦେବାର କିଛି ମାନେ ନାହିଁ ।

 

ଦ୍ରାକ୍ଷା ପୋର୍ଟିକୋ ପାଖରେ ପହଞ୍ଚି ଦେଖିଲା କମଳେଶ ଠିଆ ହୋଇଛନ୍ତି । ତାର ସିକ୍ତ ବେଶବାସ; ରାଗ–ଅପମାନରେ ଜର୍ଜରିତ ମୁଖ ଉପରେ ଥରେ ମାତ୍ର ଆଖିପକାଇ ନେଇ କମଳେଶ ଘୃଣାରେ– ଅସହିଷ୍ଣୁତାରେ ଜଳିଉଠିଲେ । ଭୟଙ୍କର ଦିଶିଲା ତାଙ୍କର ଚେହେରା । ସେ ବିକୃତ ଗଳାରେ ପ୍ରଶ୍ନ କଲେ ରାତ୍ରି ଅଭିସାର ଖୁବ୍ ରୋମାଞ୍ଚକର ନା ? ଏଇ ଝିପି ଝିପି ବର୍ଷା । ଶୀତଳ ପବନ, ନିଝୁମ ଅନ୍ଧକାର ଫୁଲର ମନ ମତାଣିଆ ସୁଗନ୍ଧ ଅଭିସାର ପାଇଁ ଖୁବ୍ ଅନୁକୂଳ ନୁହେଁ ।

 

ଦ୍ରାକ୍ଷା ନିଜର ଦୁର୍ବଳ ଥର ଥର ଶରୀରଟିକୁ କମଳେଶଙ୍କ ଦକ୍ଷରେ ଅସହାୟ ଭାବରେ ଢ଼ାଳିଦେଇ ତାଙ୍କୁ ଜଡ଼ାଇ ଧରି ଅସହ୍ୟ କାନ୍ଦଣାରେ ଫାଟିପଡ଼ିଲା ଓ କମ୍ପିତ କଣ୍ଠରେ କହିଲା– ଦୟାକରି ସେପରି କହ ନାହିଁ କମଳ । ସୁଖେନ୍ଦୁଙ୍କ ପାଇଁ ମନତଳେ ତିଳେମାତ୍ର ଦୁର୍ବଳ କାମନା ନାହିଁ । ତମର ବନ୍ଧୁ ଭାବରେ ମଣିଷ ପ୍ରତି ମଣିଷର କର୍ତ୍ତବ୍ୟ ଉପଲକ୍ଷ୍ୟରେ ମୁଁ ଯାହାକିଛି ଏପର୍ଯ୍ୟନ୍ତ କରିଆସିଛି । ଏବେ ଆଉ ତାହା କରିବି ନାହିଁ– ସୁଖେନ୍ଦୁ ସେତିକି ପାଇବାର ଯୋଗ୍ୟ ନୁହନ୍ତି ।

 

କମଳେଶ ଦ୍ରାକ୍ଷାଙ୍କୁ ଘୃଣାରେ ଆଡ଼େଇଦେଇ କହିଲେ– ମୁଁ ତମ କଥାର କେତେକାଂଶ ଶୁଣି ନେଇଛି ଦ୍ରାକ୍ଷା । ସୁଖେନ୍ଦୁ ଚାହିଁଲେ ତମେ ମୋର ସ୍ୱାମୀତ୍ୱକୁ ପ୍ରତ୍ୟାଖ୍ୟାନ କରିବା କଥାଟା ମୋ କାନରେ ପଡ଼ିବା ମାତ୍ରେ ମୁଁ ମୋର ଭୁଲ ବୁଝିପାରି ଫେରିଆସିଛି । ସୁଖେନ୍ଦୁ କ’ଣ ସେଥିରେ ସମ୍ମତ ହେଲା ନାହିଁ । ସେଥିପାଇଁ ତମେ ଏମିତି ଭାଙ୍ଗି ପଡ଼ିଛ ?

 

ଦ୍ରାକ୍ଷା ବାରଣ୍ଡାର କେନ୍ ଚେୟାରରେ ଅସହାୟ ଭାବେ ବସି ପଡ଼ି ଛୋଟ ଶିଶୁଟି ଭଳି କାନ୍ଦିବାକୁ ଲାଗିଲା । ଯନ୍ତ୍ରଣାଟା ଠିକ୍ ଯେଉଁଠି, କହି ନ ପାରିଲେ ଶିଶୁଟି ଯେମିତି ବ୍ୟାକୁଳ ଭାବରେ କାନ୍ଦି ଉଠେ ସେମିତି ନିଜେ କମଳେଶଙ୍କୁ ବୁଝାଇ ନ ପାଈ ଅସହାୟ ଭଙ୍ଗୀରେ କାନ୍ଦିଉଠିଲା ଦ୍ରାକ୍ଷା । କମଳେଶ ତାଙ୍କର ପାଖ ଚେୟାରରେ ବସିପଡ଼ି କହିଲେ– ଦ୍ରାକ୍ଷା । ତମେ ତ ଆଉ ଦେବୀ ଦ୍ରୌପଦୀ ନୁହ ଯେ ରାତ୍ର ଶେଷରେ ପୂର୍ବ ସ୍ୱାମୀ ପାଇଁ ମନର ସମସ୍ତ ଦୁର୍ବଳତା ତ୍ୟାଗ କରି ଅଗ୍ନି ପରୀକ୍ଷା ଦେଇ ଅନ୍ୟ ପତିର ଗୃହରେ ପ୍ରବେଶ କରିବ ? ତମେ ଏକ ରୂପବତୀ ନାରୀ । ସୁଖେନ୍ ଦିନେ ତମର ସ୍ଵାମୀ ଥିଲା–ତମକୁ ସୁଖଦାନ କରିଥିଲା । ଆଜି ପରିସ୍ଥିତିରେ ପଡ଼ି ତମେ ମୋର ପତ୍ନୀ ହୋଇଛ ବୋଲି ତା ପ୍ରତି ତମ ମନର ଦୁର୍ବଳତା ତ ଆଉ କୁହୁକ ଭଳି ଉଭେଇଯିବ ନାହିଁ ? ତମେ ଯଦି ସେଥିପାଇଁ ମୋର ଶଯ୍ୟା ତ୍ୟାଗ କରି ସୁଖେନ୍ ସହ ଗୋପନ ଅଭିସାରରେ ବାହାରିଥିଲେ, ସେଥିରେ ନୂତନତ୍ୱ କ’ଣ ଅଛି ? ପଞ୍ଚସ୍ୱାମୀ ଙ୍କୁ ବରଣ କରି ଦୌପଦୀ ଯଦି ସତୀ ହୋଇପାରିଲେ ମାତ୍ର ଦୁଇଟି ସ୍ଵାମୀଙ୍କୁ ସୁଖୀ କରିବାରେ ତମର ଲଜ୍ଜା କରିବାର କ’ଣ ଅଛି ?

 

ଦ୍ରାକ୍ଷା କୋହ ଉଚ୍ଛଳ କଣ୍ଠରେ କହିଲା ସତୀ ଅସତୀର ସଂଜ୍ଞା ମୁଁ ଜାଣେନା । ମୁଁ ଏତିକି ଜାଣିଛ ସୁଖେନ୍ଦୁଙ୍କର ପତ୍ନୀ ଥିବାବେଳେ ମୁଁ ତାଙ୍କ ପ୍ରତି ଅବିଶ୍ୱସ୍ତ ହୋଇନାହିଁ । ଏବେ ମଧ୍ୟ ମୁଁ ତମ ପ୍ରତି ଅବିଶ୍ୱସ୍ତ ନୁହେଁ । ମୁଁ ଯାହା କରିଛି ତାହା କେବଳ କର୍ତ୍ତବ୍ୟ ପାଳନ ପାଇଁ କରିଛି ।

 

ଦ୍ରାକ୍ଷା ଅଧିକ ବେଗରେ କାନ୍ଦିବାକୁ ଲାଗିଲା । କମଳେଶ ରୁକ୍ଷ, କର୍କଶ କଣ୍ଠରେ କହିଲେ– ଦ୍ରାକ୍ଷା । ଯେଉଁ ସୁଖେନ୍ ତମର ଏତେବଡ଼ ସର୍ବନାଶ କରିଥିଲା– ତମ ପ୍ରେମକୁ ବିଶ୍ଵାସଘାତକତାରେ ପଦାଘାତ କରିଥିଲା ତମେ ଏବେ ବି ତାକୁ କାମନା କରୁଛ । ଅଥର ମୁଁ ତମର କି ଉପକାର ନ କରିଛି ? ସୁଖେନ୍‌ର ପତ୍ନୀ ଥିବା ସମୟରୁ ହିଁ ମୁଁ ତମ ଦୁହିଁଙ୍କ ପାଇଁ ଅଶେଷ ତ୍ୟାଗ କରିଛ । ସୁଖେନ୍‌ର ବିଶ୍ୱାସଘାତକତା ମତେ ଦୁଃଖ ଦେଉନାହିଁ ତମର ବ୍ୟବହାର ହିଁ ମୋ ଦୁଃଖର କାରଣ । ସୁଖେନ୍ ତମକୁ ପରିତ୍ୟାଗ କରିବା ପରେ ମଧ୍ୟ ମୁଁ ତମକୁ ପତ୍ନୀତ୍ୱର ଗୌରବ ଦେଇଛି । ଦିନଟିଏ ଭାବି ନାହିଁ ତମେ ଦିନେ ପରପୁରୁଷର ଶଯ୍ୟାସଙ୍ଗିନୀ ଥିବ ବୋଲି । ତମର ସୁଖ ପାଇଁ ମୁଁ ସବୁକିଛି ତ୍ୟାଗ କରିବାକୁ ପ୍ରତିଶ୍ରୁତି ଦେଇଛି । ଥରେ ଭାବି ଦେଖ ସୁଖେନ୍‌ ତମକୁ ପରିତ୍ୟାଗ କରିବା ପରେ ତମକୁ ଆଉ କିଏ ପତ୍ନୀତ୍ୱର ଗୌରବ ଦେଇଥାଆନ୍ତା । ମୁଁ ଯାହା କରିଛି ଆଉ କେତେଜଣ ପୁରୁଷ ତାହା କରିପାରିଥାନ୍ତେ । ଅଥଚ ତମେ ମୋର ଆଲିଙ୍ଗନ ଭିତରେ ସୁଝେନ୍‌କୁ ହିଁ ଝୁରି ହୋଇଛ । ସୁଖେନ୍ ଫେରି ଆସିବା ପରେ ମୋର ସମସ୍ତ ତ୍ୟାଗ, ଉପକାର ବିସ୍ମରି ଯାଇଛ । ମୋର ଶଯ୍ୟା ତ୍ୟାଗ କରି ପାଗଳିନୀ ଭଳି ସୁଖେନ୍ ସହ ରାତ୍ରି ଅଭିସାରରେ ବାହାରି ଯାଇଛ, ଅଥଚ ମୁଁ ଚାହିଁଥିଲେ ମତେ ସୁନ୍ଦରୀ ଓ ଶିକ୍ଷିତ ଝିଅର ଅଭାବ ହୋଇ ନ ଥାନ୍ତା । ଦ୍ରାକ୍ଷା ମୁଁ ତମକୁ ଘୃଣା କରେ– ମୋର ଭାବିବାର ଉଚିତ ଥିଲା ଯେ ଯେଉଁ ନାରୀ ଦ୍ୱିତୀୟପତି ଗ୍ରହଣ କରିପାରେ ସେ ତୃତୀୟପତି ମଧ୍ୟ ଗ୍ରହଣ କରିବା ଅସମ୍ଭବ ନୁହେଁ ସମାଜରେ–ମୋର ଯେଉଁ ପ୍ରତିଷ୍ଠା, ସମ୍ମାନ ତାହା ତମେ ଧୂଳିସାତ୍ କରିଦେଇଛ । କମଳେଶ ଅତ୍ୟଧିକ ଘୃଣାରେ ଅଧିକ କିଛି କହି ପାରିଲେ ନାହିଁ ।

 

ଦ୍ରାକ୍ଷାଙ୍କ ଆଖିର ଲୁହଧାର ହଠାତ୍‌ ଶୁଷ୍କ ହୋଇଗଲା । ସୁଖେନ୍ଦୁଙ୍କର ଅପମାନ ତାଙ୍କୁ ଦୁଃଖ ଦେଇଥିଲା; ମାତ୍ର କମଳେଶଙ୍କର ଅପନିନ୍ଦା, କୁତ୍ସିତ ଭାବନା ନିଜ ବଦାନ୍ୟତାର ବିଜ୍ଞାପନ ତା’ର ନାରୀତ୍ୱ ଉପରେ ଚରମ କୁଠାରଘାତ କଲା । ସେ ବଡ଼ ବଡ଼ ଜ୍ୱଳନ୍ତ ଆଖିରେ କମଳେଶଙ୍କୁ ଚାହିଁ ରହିଲା । ତା ଆଖିର ନିଆଁରେ କମଳେଶ ଜଳିଯିବେ ଅବା । ସେ ଦୃଢ଼ କଣ୍ଠରେ କହିଲା କମଳେଶ ! ତମର ବଦାନ୍ୟତା, ଦୟା, ମୋର ଜୀବନକୁ ଭାରାକ୍ରାନ୍ତ କରିଦେଇଛି । ତମେ ମତେ ଗ୍ରହଣ କରି ପଙ୍କରୁ ଉଦ୍ଧାର କରିଛି ବୋଲି ନିଜକୁ ଗୌରବାନ୍ୱିତ ମନେକରିଛ ବୋଲି ଜାଣିଥିଲେ ମୁଁ ତୁମକୁ ଆଦୌ ଗ୍ରହଣ କରି ନ ଥାନ୍ତି । ଏବେ ଆଉ ସେକଥା କାହିଁକି ? କହ, ତମର ସେ ସୁଖ-ଶାନ୍ତି ପାଇଁ ତମର ବଦାନ୍ୟତାର ପ୍ରତିଦାନରେ ମୁଁ କ’ଣ କରିପାରେ ?

 

କମଳେଶ ଅଟ୍ଟହାସ୍ୟ କରି ବଡ଼ପାଟିରେ କହିଲେ, ତମ ଭଳି ନାରୀ କୌଣସି ପୁରୁଷକୁ ସୁଖ ଦେଇ ନ ପାରେ । ତମ ରୁପରେ ଅନଳ ଅଛି, ହୃଦୟରେ ଅଛି ଛଳନାର ଗରଳ । ସେଇଥିରେ ମୁଁ ଓ ସୁଖେନ୍ ଦିନେ ହେଲେ ଜଳିଯିବୁ । ସୁଖେନ୍ ଏ ସଂସାରରେ ଥିବାଯାଏ ତମ ମନରେ ତା ପାଇଁ ଦୁର୍ବଳତା ରହିବ । ତମ ମନରେ ତା ପାଇଁ ଦୁର୍ବଳତା ରହିବା ପର୍ଯ୍ୟନ୍ତ ମୋର ଶାନ୍ତି ନାହିଁ । ନା–ଅସମ୍ଭବ, ସୁଖେନ୍ଦୁ ମୋର ସୁଖ ନଷ୍ଟ କରିଦେଇଛି । ତମର ଭୂମିକା ବଦଳିଯିବା ସଙ୍ଗେ ସଙ୍ଗେ ଆମର ସମ୍ପର୍କ ବଦଳି ଯାଇଛି । ଏବେ ଅମେ ଦୁହେଁ ଦୁହିଁଙ୍କର ପରମ ଶତ୍ରୁ । ଆଉ ତମେ ! ତମକୁ ମୁଁ ସଂସାରରେ ସବୁଠାରୁ ଅଧିକ ପ୍ରେମ କରିଥିଲି । ଆଜି ମୁଁ ସଂସାରରେ ସବୁଠାରୁ ଅଧିକ ଘୃଣା କରେ ତମକୁ । ଓଃ, ମୁଁ କଣ କଲେ ଟିକେ ଶାନ୍ତି ପାଇବି ଜାଣେ ନାହିଁ । କମଳେଶ ନିଜର ବାଳକୁ ମୁଠା ମୁଠା କରି ଝିଙ୍କିବାକୁ ଲାଗିଲେ । ତାଙ୍କ ମୁଖମୁଦ୍ରାରେ ଏକ ଭୟଙ୍କର କୁତ୍ସିତ କାମନା ନାଚି ଉଠିଲା । ଦ୍ରାକ୍ଷାର ଅନ୍ତରାତ୍ମା ସେ ମୁଖମୁଦ୍ରାକୁ ପଢ଼ିନେଇ ଥରିଉଠିଲା । ଗୋଟାଏ ମୁହୂର୍ତ୍ତରେ ହଠାତ୍ ସେ ଏକ ସିଦ୍ଧାନ୍ତରେ ପହଞ୍ଚିଗଲେ ଓ ନିଷ୍ଠୁର ଉଲ୍ଲାସରେ ତାଙ୍କର ପ୍ରାଣ ନାଚି ଉଠିଲା । ସେ ଦୃଢ଼ ମଧୁର କଣ୍ଠରେ କହିଲା, କମଳ ! ତମକୁ ଶାନ୍ତି ମିଳିଯିବ, ସୁଖେନ୍ଦୁଙ୍କୁ ମଧ୍ୟ । ତମେ ନିଜକୁ ପ୍ରକୃତିସ୍ଥ କରିନିଅ ।

 

ସୁଖେନ୍ଦୁ, ଫେରିଆସି ପୋର୍ଟିକୋ ତଳେ ଠିଆ ହେଲେ । କମଳେଶ ଓ ସୁଖେନ୍ଦୁଙ୍କ ମଝିରେ ଏକ ବିୟୋଗଚିହ୍ନ ଭଳି ଠିଆ ହୋଇଥିଲା ଦ୍ରାକ୍ଷା । ସେ ଦୁଇ ବନ୍ଧୁଙ୍କ ମଝିରେ ଏକ ବ୍ୟବଧାନ ସୃଷ୍ଟି କରିଛି । ହଠାତ୍ ସମାଧାନର ସୁତ୍ର ସେ ପାଇଗଲା । ଖୁବ୍ ଶୀଘ୍ର କାମସାରି ସେ କଲେଜ ବାହାରିଗଲା ।

 

ସେଦିନ କମଳେଶ ଓ ସୁଖେନ୍ଦୁ ନିଜ ନିଜ ରୁମ୍‌ରେ ଦିନସାରା ଶୋଇ ରହିଲେ । ଏ ପର୍ଯ୍ୟନ୍ତ ଦୁଇବନ୍ଧୁ ଭିତରେ ଭିତରେ ଜଳୁଥିଲେ ଓ ସାମ୍ନାସାମ୍ନି ଭାବେ ନିଜର ଆକ୍ରୋଶ ପ୍ରକାଶ କରି ନ ଥିଲେ । ସେଥିପାଇଁ କାହାରି ମନରେ ବଳ ନ ଥିଲା । ପୂର୍ବ ସ୍ନେହର ବନ୍ଧନ ଆଗରେ ସେ ଆକ୍ରୋଶ ଅତ୍ୟନ୍ତ ଶକ୍ତିହୀନ ଥିଲା । ଦୁଇବନ୍ଧୁ ଦ୍ରାକ୍ଷାକୁ ଚରମ ଆଘାତ ଦେଇ ଦିନସାରା ଗୁମ୍‌ସୁମ୍ ହୋଇ ରହିଥିଲେ ।

 

ସେଦିନ ରାତ୍ରିରେ ଦ୍ରାକ୍ଷା ଫେରିଲା ନାହିଁ । କମଳେଶ ମଧ୍ୟ ଗାଡ଼ି ପଠାଇଲେ ନାହିଁ । କମଳେଶ ଭାବିଲେ; ପୂର୍ବଦିନ ଭଳି ଦ୍ରାକ୍ଷା ବିଳମ୍ବରେ ଫେରିବ । ରାତ୍ରି ଘଣ୍ଟାରେ ବାରଟାର ସମୟ ସଙ୍କେତ ହେଲା । କମଳେଶ ଶଙ୍କିତ ହେଇପଡ଼ିଲେ । ସୁଖେନ୍ଦୁ ଆତଙ୍କ ଗଣିଲେ । ଦୁଇ ବନ୍ଧୁ, ନିଜ ରୁମ୍‌ରୁ ବାହାରି ଆସିଲେ ।

 

ପରସ୍ପର ସାମ୍ନା କରି ଦୁହେଁ ଅପରାଧବୋଧରେ ସଙ୍କୁଚିତ ହୋଇପଡ଼ିଲେ । ପ୍ରଥମେ ସୁଖେନ୍ଦୁ କହିଲେ କ’ଣ ହେଲା, ଦ୍ରାକ୍ଷା କାହିଁକି ଏପର୍ଯ୍ୟନ୍ତ ଫେରିଲେ ନାହିଁ ଯେ ?

 

–ମୁଁ ବି ଠିକ୍ ସେଇକଥା ପଚାରୁଛି । କ’ଣ ହେଲା ତାର?

 

–ତୁ କିଛି ତାଙ୍କୁ କହିଥିଲୁ ଆଜି? ସୁଖେନ୍ଦୁ ଜେରା କଲେ ।

 

–ମୁଁ ? ନା–ସେମିତ କିଛି ନୁହେଁ, ତୁ ? ତମ ଭିତରେ କିଛି ଘଟିଛି ?କମଳେଶ କୈଫୟତ ମାଗିଲେ ।

 

–ଆଶ୍ଚର୍ଯ୍ୟ ! ଆମ ଭିତରେ ଆଉ ଘଟିବାର କ’ଣ ଅଛି ? ନା–ନା, ସେ କିଛି ନୁହେଁ । ସୁଖେନ୍ଦୁ କହିଲେ ।

 

–ଡେରିରେ ଫେରିବେ ବୋଲି ତତେ କିଛି କହିଥିଲେ କି ? କମଳେଶ ପଚାରିଲେ ।

 

–ନା; ମତେ କାହିଁକି କହିବେ ? ତତେ କିଛି କହି ନାହାନ୍ତି ? ସୁଖେନ୍ଦୁଙ୍କ ପ୍ରଶ୍ନ ।

 

–ନା । କିଛି କହି ନାହାନ୍ତି ସେମିତି । କମଳେଶ କହିଲେ ।

 

ତାପରେ ଦୁଇବନ୍ଧୁ, ଚିନ୍ତାକୂଳ ଭାବରେ ବସି ରହିଲେ ଓ ସାରା ରାତ୍ରି ଦ୍ରାକ୍ଷାଙ୍କର ଖବର ନେବାପାଇଁ ଚେଷ୍ଟା କଲେ । ଦୁଇ ବନ୍ଧୁଙ୍କର ହୃଦୟର ସମସ୍ତ ବିଦ୍ୱେଷ ଏକ ପ୍ରକାର ବ୍ୟାକୁଳତାର ବନ୍ୟାରେ ଧୋଇ ନିଶ୍ଚିହ୍ନ ହେଇଗଲା । ଦୁହେଁ ପୁଣି ପୂର୍ବର ଦୁଇଟି ବନ୍ଧୁ ହୋଇଗଲେ ।

 

ଦୁହେଁ ଠିକ୍ କଲେ ସକାଳ ହେବା ମାତ୍ରେ କଲେଜ ଯାଇ ଖବର ନେବେ ।

 

ତା ପରଦିନ ପ୍ରତ୍ୟୁଷରୁ କଲେଜର ପିଅନ ମୁଦା ଲଫାପାଟିଏ ବଢ଼ାଇ ଦେଲା ସୁଖେନଙ୍କ ହାତକୁ । ଦ୍ରାକ୍ଷାର ହାତ ଅକ୍ଷରରେ ଦୁହିଁଙ୍କର ନାମ ଲେଖା ହୋଇଛି । ସୁଖେନ୍ ବଢ଼ାଇଦେଲେ କମଳେଶଙ୍କ ହାତକୁ । କମଳେଶ ଦ୍ୱନ୍ଦ୍ୱରେ ପଡ଼ିଗଲେ । କିଏ ଖୋଲିବ ଲଫାପା ? ଇତଃସ୍ତତ ଭାବେ କିଛି ସମୟ ଅତିକ୍ରାନ୍ତ ହୋଇଗଲା । ତାପରେ ଏକ ସଙ୍ଗରେ ଦୁଇବନ୍ଧୁ, ଚିଠିଟି ଖୋଲି ମୁଁହ ମାଡି ବ୍ୟାକୁଳ ଭାବରେ ଚିଠିଟି ପଢ଼ିବାକୁ ଲାଗିଲେ । ଠିକ୍ ସେମିତି ଅତୀତରେ ପରୀକ୍ଷା ହଲକୁ ଯିବା ପୂର୍ବରୁ ଗୋଟିଏ ବହିର ଗୋଟିଏ ପୃଷ୍ଠା ଦୁଇ ବନ୍ଧୁ ଏକସଙ୍ଗେ ପଢ଼ୁଥିଲେ ବ୍ୟାକୁଳ ହୃଦୟରେ । ଜୀବନର କେଉଁ ଚରମ ପରୀକ୍ଷା ଆଜି ଅପେକ୍ଷା କରିଛି ଦୁହିଁଙ୍କ ପାଇଁ ? ଚିଠିରେ ଲେଖାଥିଲା–

 

ବନ୍ଧୁ ସୁକମଳେନ୍ଦୁ !

 

ଏଇ ନୂତନ ନାମକରଣକୁ ଉପହାସ କରନାହିଁ । ତମ ଦୁହିଁଙ୍କୁ ସ୍ୱତନ୍ତ୍ର କୌଣସି ସମ୍ପର୍କରେ ବାନ୍ଧିରଖିବା ମୋ ପକ୍ଷେ ଘୋର ଦୁଃଖଦାୟକ, ତମ ପକ୍ଷେ ମଧ୍ୟ । ତେଣୁ ତମ ଦୁହିଁଙ୍କୁ ମୁଁ ବନ୍ଧ ଭାବରେ ଗ୍ରହଣ କରିଛି । ତମ ଦୁହିଁଙ୍କ ନାମର ସଂଯୋଗରେ ଏଇ ନୂତନ ନାମକରଣଟି ମୋର ଆଜି ଅତି ପ୍ରିୟ । ଏ ସ୍ୱାର୍ଥପର ପୃଥବୀରେ ପତି–ପତ୍ନୀର ସମ୍ପର୍କ ବି ସ୍ୱାର୍ଥଜଡିତ ହୋଇପଡ଼ିଛି । କେବଳ ପବିତ୍ର ବନ୍ଧୁତ୍ୱହିଁ ଏ ସଂସାରର ପରମ ସମ୍ପର୍କ । ହେଲେନ୍ ଲାଗି ଟ୍ରୟ ନଗରୀ ଧ୍ୱଂସ ପାଇଥିଲା ନା ? ପୃଥିବୀ ଇତିହାସରେ ସମସ୍ତ ଯୁଦ୍ଧ ନାସ କିମ୍ବା ଐଶ୍ଵର୍ଯ୍ୟକୁ କେନ୍ଦ୍ରକର । ନାରୀ ତ ଏବେ ବି ଏଠାରେ ଏକ ଅଂଶ ହୋଇ ରହିଛି । ଠିକ୍ ସେମିତି ମୋ ଲାଗି ତମ ଦୁହିଁଙ୍କର ପବିତ୍ର ବନ୍ଧୁତ୍ୱର ମୀନାର ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଧ୍ୱସଂସ୍ତୁପରେ ପରିଣତ ହେବାପାଇଁ କେତେ ଆଉ ବାକି ? ମୁଁ ତାହା ଚାହେ ନାହିଁ । ମୁଁ ଜାଣେ ତମେ ଦୁହେଁ ଦୁହିଁଙ୍କୁ ମୋଠାରୁ ଅଧିକ ପ୍ରେମ କର । ମୋ ପାଇଁ ସେ ପ୍ରେମର ଜାହ୍ନବୀ ଶୁଷ୍କପ୍ରାୟ । ତାହା ମୋ ପକ୍ଷେ ଅତ୍ୟନ୍ତ ଅସହ୍ୟ । ଆମେ ତିନିଜଣ ଏଇ ଗୋଟିଏ ସମ୍ପର୍କ ବ୍ୟତୀତ ଅନ୍ୟ କୌଣସି ସମ୍ପର୍କରେ ସୁଖ ପାଇବା ନାହିଁ ଶାନ୍ତି ଲଭିବା ନାହିଁ । ବହୁ ଭାବି ଚିନ୍ତି ମୁଁ ଏଇ ସିଦ୍ଧାନ୍ତରେ ପହଞ୍ଚିଛି । ସୁଖେନ୍ ମୋର ସର୍ବନାଶ କରିଥିଲେ ବୋଲି ମୁଁ କୌଣସିଦିନ ତାଙ୍କର ଅମଙ୍ଗଳ କାମନା କରିନାହିଁ; କମଳେଶ ମୋର ନାରୀତ୍ୱର ଲାଞ୍ଛନା କରିଛନ୍ତି ବୋଲି ସେ ମୋର ଶତ୍ରୁ ହୋଇଯାଇ ନାହାନ୍ତି । ଏହାକୁ ହିଁ କହନ୍ତି ବନ୍ଧୁତ୍ୱ ।

 

ତମକୁ ପତ୍ନୀ ଅଭାବ ହେବେ ନାହିଁ । ଭାବୁଛ କି ତୃତୀୟ ସ୍ୱାମୀ ଗ୍ରହଣ କରିନେବି ? ନା; ସ୍ୱାମୀତ୍ୱର ବୋଝ ପୁରୁଷର ବଦାନ୍ୟତା ମୁଁ ଆଉ ସହି ପାରୁନାହିଁ । ପୁରୁଷର ଶଯ୍ୟାସଙ୍ଗିନୀ ହୋଇ ତାର ସମ୍ମାନକୁ ଗର୍ଭରେ ଧରିବା ନାରୀ ଜୀବନର ପରମ କାମନା ହୋଇପାରେ । ମାତ୍ର ତାହା ଚରମ ଲକ୍ଷ୍ୟ ନୁହେଁ । ନାରୀ ଜୀବନର ଲକ୍ଷ୍ୟ ବହୁମୁଖୀ । ଏ ସଂସାରରେ ଅନେକ ମହତ୍ କାର୍ଯ୍ୟ କରିବା ପାଇଁ ଅଛି । ସେଥିପାଇଁ ମନର ବଳ ଦରକାର । ସେଇ ମନର ବଳ ନେଇ ମୁଁ ଆଜି ଯାଉଛି । ଦିଲ୍ଲୀରେ ପହଞ୍ଚି ମୁଁ ମୋର ନୂତନ ଠିକଣା ଜଣାଇବି । ଆଗରୁ କହିରଖୁଛି, ତମେ ଦୁହେଁ ଦିଲ୍ଲୀ ଗଲେ ମୋରି ଫ୍ଲାଟରେ ହିଁ ଓହ୍ଲାଇବ । ନଚେତ୍ ମୋ ବନ୍ଧୁତ୍ୱର ଚରମ ଅବମାନନା ହେବ । ଏବେ ମୁଁ ମୋର ବାନ୍ଧବୀ ଅପର୍ଣ୍ଣାର ଫ୍ଲାଟରେ ଓହ୍ଲାଇବି । ତାପରେ ଚାକିରୀଟିଏ ଯୋଗାଡ଼ କରି ନେବି । ମୋ ପାଇଁ ଅଯଥା ଚିନ୍ତାକୁଳ ହେବ ନାହିଁ । ବର୍ତ୍ତମାନ୍ ପାଇଁ ଅପର୍ଣ୍ଣାର ଠିକଣା ଦେଲି ।

 

ଏଥି ସହ କମଳଙ୍କ ସହ ମୋର ବିବାହ–ବିଚ୍ଛେଦର ଦଲିଲରେ ମୁଁ ନାମାଙ୍କନ କରି ପଠାଇଲି । ତେଣୁ ଅସୁବିଧା କିଛି ହେବ ନାହିଁ ।

 

ତମ ଦୁହିଁଙ୍କର ବନ୍ଧୁତ୍ୱ ଚିରଦିନ ଅମଳିନ ରହୁ–ଏତିକି ମୋର ଅନ୍ତିମ କାମନା । ଇତି ।

 

ବାନ୍ଧବୀ ଦ୍ରାକ୍ଷା

 

ଚିଠିଟା ଏକାନିଃଶ୍ୱାସରେ ପଢ଼ିନେଇ ଦୁଇବନ୍ଧୁ ଥକ୍‌କାମରା ହୋଇ ବସି ରହିଲେ । କେହି କାହା ମୁହଁ କୁ ଚାହିଁବାର ସାହସ ନ ଥିଲା । ଠିକ୍ ଯେମିତି ଅତୀତରେ କମଳେଶ ପରୀକ୍ଷାରେ ସୁଖେନ୍ଦୁଙ୍କଠାରୁ ଅଧିକ ନମ୍ବର ରଖି ଚୁପ୍ ହୋଇ ବସି ରହିଥିଲେ ସେମିତି ତାଙ୍କର ଅବସ୍ଥା ।

 

ଜୀବନର ଏଇ ଶେଷ ପରୀକ୍ଷାରେ କିଏ ହାରିଛି କିଏ ଜିତିଛି ବୁଝି ହେଉନାହିଁ । ଏକ ଅବୁଝା ଯନ୍ତ୍ରଣାରେ, ଅବ୍ୟକ୍ତ ଅପରାଧବୋଧରେ ଦୁଇବନ୍ଧୁ ମୁଣ୍ଡ ଝୁଙ୍କାଇ ବସିରହି ଭାବୁଛନ୍ତି ଗୋଟିଏ କଥା । ବୋଧହୁଏ ଶେଷ ପରୀକ୍ଷାରେ ଦ୍ରାକ୍ଷା ଜିତିଯାଇଛନ୍ତି । ଠିକ୍ ଯେମିତି ଗୋଟିଏ ଚିନ୍ତାଧାରାରେ ଦୁଇ ବନ୍ଧୁ ଅତୀତରେ ବାନ୍ଧି ହୋଇଥିଲେ ଆଜି ଅନେକ ଦିନପରେ ସେମିତି ଦୁହିଁଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ମେଳ ଖାଇଯାଉଛି ।

 

ସୁଖେନ୍ଦୁ ପ୍ରଥମେ କହିଲେ– ଦ୍ରାକ୍ଷା ହିଁ ଜିତିଗଲା ।

 

–ସେ ଆମକୁ ଅପରାଧ କରି ଦେଇଗଲା । ଦୁଇ ବନ୍ଧୁ ଏକସ୍ୱରରେ କହିଲେ ।

 

–ଖୁବ୍ ଶୀଘ୍ର ତାକୁ ଦେଖା କରିବା ଓ କ୍ଷମା ମାଗି ଫେରାଇ ଆଣିବା । ସୁଖେନ୍ଦୁ କହିଲେ-

 

–ତାପରେ ? କମଳେଶଙ୍କର ଆକୁଳ ପ୍ରଶ୍ନ ।

 

–ତାପରେ ? ସୁଖେନ୍ଦୁଙ୍କର ଦୃଷ୍ଟି ଚିନ୍ତାକୁଳା ଚିନ୍ତାଶକ୍ତି ଅଥର୍ବ । କମଳ ଏକବାର ବିଭ୍ରାନ୍ତ । କୌଣସି ସମାଧାନର ବାଟ ତାଙ୍କ ଆଗରେ ନାହିଁ । ଦ୍ରାକ୍ଷା ଏବେ ଆଉ ତାଙ୍କର ପତ୍ନୀ ନୁହେଁ । ତାହାହେଲେ ଏତେ କୁଣ୍ଠାଭାବ କାହିଁକି ? ଦୁଇ ବନ୍ଧୁ ସ୍ଥିରକଲେ ସେମାନେ ଯିବେ– ଦ୍ରାକ୍ଷାଠାରୁ କ୍ଷମା ମାଗିନେବେ । ନିଜକୁ ଅପରାଧମୁକ୍ତ କରିନେବେ ।

 

କେଡ଼େ ଆତ୍ମକେନ୍ଦ୍ରୀୟ ଏଇ ମଣିଷ । ଅନ୍ୟର ସୁଖ ଦୁଃଖ, ଲାଭ କ୍ଷତି ପାଇଁ ତାର ଶୋଚନା ନାହିଁ । ନିଜକୁ ସୁରକ୍ଷିତ କରିବା ପାଇଁ ତାର ଯେତେକ ସାଧନା । ସୁଖେନ୍ଦୁ ଓ କମଳେଶ ଦ୍ରାକ୍ଷା ପାଖରେ ନିଜକୁ ଦୋଷମୁକ୍ତ କରାଇଦେଲେ ଯେମିତି ଦ୍ରାକ୍ଷା ପ୍ରତି ଉପଯୁକ୍ତ କର୍ତ୍ତବ୍ୟ ସାଧନ ହୋଇଯିବ ।

 

କିଏ ଆଗ ଯିବ, କିଏ ପଛେ ଯିବ, କିମ୍ବା ଦୁହେଁ ଏକାସଙ୍ଗେ ଯିବେ ଚିନ୍ତା କରୁ କରୁ ଟେଲିଗ୍ରାମଟିଏ ଆସି ପହଞ୍ଚିଲା । ଆଶ୍ଚର୍ଯ୍ୟ କମ୍ପିତ ହୃଦୟରେ ଦୁହେଁ ଖୋଲିଲେ ଟେଲିଗ୍ରାମ । ଗୋଟାଏ ବିରାଟ ବିଷ୍ଫୋରଣ ହୋଇଗଲା ଆଖି ସାମ୍ନାରେ । ଟେଲିଗ୍ରାମରେ ଲେଖାଥିଲା–

 

‘‘କାର୍ ଆକ୍‌ସିଡ଼େଣ୍ଟ । ଦ୍ରାକ୍ଷା ଏକ୍ ସପାୟାର୍ଡ଼ ।’’

 

–ଅପର୍ଣ୍ଣା

 

ହାୟ! ଅଭିମାନନୀ ଦ୍ରାକ୍ଷା ସେମାନଙ୍କୁ କ୍ଷମା ମାଗିବାର ସୁଯୋଗ ମଧ୍ୟ ଦେଲାନାହିଁ । ଚିରଦିନ ପାଇଁ ହୃଦୟ ଭିତରେ ଗୋଟାଏ ଗ୍ଲାନି ରହିଗଲା ଦୁଇ ବନ୍ଧୁଙ୍କର ।

 

ଦୁଇ ବନ୍ଧୁ ବହୁ ସମୟଧରି ମୁଣ୍ଡ ଝୁଙ୍କାଇ ଆଖିରୁ ଅଶ୍ରୁ ଢ଼ାଳିଲେ । ମିଳିତ ହୃଦୟରେ ଅମର ଆତ୍ମାର ସଦ୍‌ଗତି କାମନା କଲେ । ଏ ଦୁଃଖ ଯନ୍ତ୍ରଣାଭରା ପାପର ପୃଥିବୀରୁ ଦ୍ରାକ୍ଷା ମୁକ୍ତି ପାଇଯାଇଛି ବୋଲି ମନକୁ ପ୍ରବୋଧନା ଦେଲେ । ଗୋଟିଏ ଶଯ୍ୟାରେ ଶୋଇ ମୁହଁକୁ ମୁହଁ ଯୋଡ଼ି ଆଖିରୁ ଲୁହ ଢ଼ାଳିଲେ । ଏକାଠି ବସି କ୍ରମାଗତ ଭାବେ ଦ୍ରାକ୍ଷାର ଗୁଣଗାନ କଲେ । ତାର ସମସ୍ତ କାର୍ଯ୍ୟକଳାପ ଏକ ଆଦର୍ଶମୟ ମହାନ୍ ଉପାଖ୍ୟାନ ଭଳି ମନେହେଲା । ରାତାରାତି ଦ୍ରାକ୍ଷା ଦାନବୀରୁ ଦେବୀ ପାଲଟିଗଲା ।

 

ମୃତ୍ୟୁ ହିଁ ବୁଝାଇଦେଲା ଦ୍ରାକ୍ଷା କ’ଣ, ତାର ପ୍ରେମ କ’ଣ, ତାର ବ୍ୟକ୍ତିତ୍ଵ କ’ଣ ? ଜୀବନବ୍ୟାପୀ ଉତ୍ସର୍ଗାକୃତ ତ୍ୟାଗ ଓ ସାଧନା ବଳରେ ଦ୍ରାକ୍ଷା ନିଜକୁ ଯେତିକି ବୁଝାଇ ପାରି ନ ଥାନ୍ତା ମୃତ୍ୟୁରେ ଦ୍ରାକ୍ଷା ତାହା ବୁଝାଇଦେଲା । ଦୁଇ ବନ୍ଧୁଙ୍କ ପାଖରେ ନିଜକୁ ଠିକ୍ ଭାବେ ବୁଝାଇବା ପାଇଁ ମୃତ୍ୟୁ ତା ପାଇଁ କେଡ଼େ ଅପରିହାର୍ଯ୍ୟ ନ ଥିଲା ସତେ !

 

ଦ୍ରାକ୍ଷାର ଅବହେଳିତ ଉପେକ୍ଷିତ ଫଟୋ ଦୁଇଟି ପୁଣି ଥରେ ଦୁଇ ବନ୍ଧୁଙ୍କର ଟେବୁଲରେ ସ୍ଥାନପାଇଲା–ପୂଜା ପାଇଲା । ଦୁହିଁଙ୍କ ହୃଦୟରେ ଦ୍ରାକ୍ଷା ଆଉଥରେ ଏକ ନୂତନ ସ୍ଥାନ ବାଛି ନେଲା-। ଗୋଟିଏ ମହାନ୍ ଅଧ୍ୟାୟର ଇତି ହୋଇଗଲା । ଦ୍ରାକ୍ଷା ହୋଇଗଲା ଗୋଟିଏ କରୁଣ ମହିମାମୟ କିମ୍ବଦନ୍ତୀ ।

 

କ୍ୟାଲେଣ୍ଡରରେ ପୃଷ୍ଠା ବଦଳିଲା । ପୁରୁଣା କ୍ୟାଲେଣ୍ଡର ଯାଇ ନୂଆ କ୍ୟାଲେଣ୍ଡର ଆସିଲା । ହୃଦୟରେ ଦ୍ରାକ୍ଷାଜନିତ ବିରାଟ କ୍ଷତ ଶୁଖି ଶୁଖି ଯାଇ ଗୋଟାଏ ଅସ୍ପଷ୍ଟ ଦାଗରେ ପରିଣତ ହେଲା । ସେ ଦାଗଟା ଆଉ କଷ୍ଟ ଦେଲା ନାହିଁ– ଗୋଟାଏ କ୍ଷତିଚିହ୍ନର ଦାଗଟିଏ ସହଜ ସାବଲୀଳ ଜୀବନଯାତ୍ରାର ପ୍ରତିବନ୍ଧକ ହେଲା ନାହିଁ । ଜୀବନ ଗଡ଼ିଚାଲିଲା ସ୍ୱାଭାବିକ ଢଙ୍ଗରେ ।

 

ଏଇତ ଜୀବନ ! ମଣିଷ ଭୁଲ କରେ, ଦୁଃଖ ପାଏ, ଆଘାତ ସହେ, ବିପଦ ଆସେ, ଭାଙ୍ଗି ପଡ଼େ, ପୁଣି ଅଣ୍ଟାସଳଖି ଠିଆ ହୁଏ । ମନରେ ସାହସ ବାନ୍ଧେ । ପଡ଼ି ଉଠି ଆଗେଇ ଯାଏ । ଜୀବନ କଟେ । ଜୀବନ ସ୍ରୋତ ଅଟକିଯାଏ ନାହିଁ ।

 

ସୁଖେନ୍ଦୁ ଓ କମଳେଶଙ୍କର ଜୀବନ ସ୍ରୋତ ଉଠାଣି ଗଡ଼ାଣି ରାସ୍ତାରେ ପୁଣି ରହିଯିବାକୁ ଲାଗିଲା । ସେଇ ସ୍ରୋତରେ ଭଉଁରୀ କାଟି କାଟି ଆସିଲେ ବିଭିନ୍ନ ସମୟରେ ଦ୍ରାକ୍ଷାଦ୍ୱାରା କମଳେଶ ଓ ସୁଖେନ୍ଦୁଙ୍କ ପାଇଁ ବହୁପୂର୍ବରୁ ନିର୍ବାଚିତ ଶୋଭନା ଆଉ ନୟନା । ଟାଙ୍ଗର ଭୁଇଁ ପଲ୍ଲବିତ ହେଲା–ପୁଷ୍ପିତ ହେଲା । ପୁଣି ଆସିଲେ କମଳେଶର କନ୍ୟା ‘ଆନି’ ଆଉ ସୁଖେନ୍ଦୁଙ୍କର ପୁତ୍ର ‘ବବୁ’ । ଜୀବନର ଅଧ୍ୟାୟ ପରିପୁର୍ଣ୍ଣ ହେଲା ।

 

ଚିରଦିନ ପାଇଁ ଦ୍ରାକ୍ଷା ପୂଜା ପାଇଲା ଦୁଇ ବନ୍ଧୁଙ୍କ ହୃଦୟରେ । ନିଜ ସ୍ୱାମୀ ମାନଙ୍କ ଟେବୁଲରେ ଫଟୋ ସ୍ଥାନ ପାଇବାରେ ଶୋଭନା ଆଉ ନୟନା ପ୍ରତିବାଦ କଲେ ନାହିଁ । ଦ୍ରାକ୍ଷା ତାଙ୍କର ନମସ୍ୟା ହୋଇ ରହିଗଲା ।

 

ଦୁଇ ବନ୍ଧୁଙ୍କ ହୃଦୟର ଫାଙ୍କଟା ଆଶ୍ଚର୍ଯ୍ୟଭାବେ ଯୋଡ଼େଇ ହୋଇଗଲା । ଏତିକି ତ ଦ୍ରାକ୍ଷା ଚାହୁଥିଲା ।

 

ଆଜି ଦ୍ରାକ୍ଷା ଥିଲେ କେଡ଼େ ଆନନ୍ଦିତ ହୋଇ ନ ଥାନ୍ତା । ଦ୍ରାକ୍ଷା ଯଦି ହଠାତ୍ ଦିନେ ଅଲୌକିକ ଭାବେ କ୍ଷଣକ ପାଇଁ ଦେହଧରି ତାଙ୍କର ସୁଖମୟ ଜୀବନକୁ ଦେଖିଯାଆନ୍ତା, ସେ କ’ଣ ସୁଖୀ ହୁଅନ୍ତା ନାହିଁ ।

 

ସତକୁ ସତ ଦିନେ ସେମିତି ଏକ ଅଲୌକିକ ଘଟଣା ଘଟିଲା ରବିବାସରୀୟ ଅଳସ ଅପରାହ୍ନରେ । ଦାଣ୍ଡ ଦରଜାରେ ମୃଦୁ କରାଘାତ ହେଲା । ଦୁଇ ବନ୍ଧୁ ଏକ ସଙ୍ଗେ ଦ୍ୱାର ଖୋଲି ହତବାକ୍ ହୋଇଗଲେ । ଦ୍ରାକ୍ଷା ହସି ହସି କହିଲା ଭୟ କର ନାହିଁ, ମୁଁ ଭୂତ ନୁହେଁ । ପ୍ରତ୍ୟକ୍ଷ ଦିବାଲୋକରେ ମୁଁ ସେଇଥିପାଇଁ ଆସିଛି । ଏ ଛୋଟ ଝିଅଟିକୁ ବି ଆଣିଛି ସାଙ୍ଗରେ । ଅଙ୍କଲଙ୍କୁ ପ୍ରଣାମ କର ‘ଲୋନି’ ।

 

ଦୁଇ ବନ୍ଧୁଙ୍କର ବିମୂଢ଼ଭାବ ତଥାପି କଟିନାହିଁ ।

 

ଦ୍ରାକ୍ଷା ହସି ହସି କହିଲା ଘରକୁ ଯିବାକୁ ଦେବ ନାହିଁ ନ କ’ଣ ? ମତେ ଅତିଥି ଭାବରେ ଗ୍ରହଣ କରିବାକୁ ବି ନାରାଜ! ପ୍ରକୃତରେ କି ଅପରାଧ ମୁଁ କାହା ପାଖରେ କରିଛି କହ ତ ! ବିଶେଷ କରି ଲୋନି ଖୁବ୍ କ୍ଳାନ୍ତ ହୋଇଛି ଏତେଗୁଡ଼ାଏ ବାଟ ଜର୍ଣ୍ଣି କରି ।

 

ନୟନା ଓ ଶୋଭନା ଉଠି ଆସିଲେ । ଦ୍ରାକ୍ଷାକୁ ପ୍ରଣାମ କରି ପାଛୋଟି ନେଲେ । ଆତିଥ୍ୟରେ ଆପ୍ୟାୟିତ କରି ପଚାରିଲେ–ଅପା ! ଘଟଣା କ’ଣ କହନ୍ତୁ ତ ! ଆପଣଙ୍କ ବାନ୍ଧବୀଙ୍କର ସେଇ ଟେଲିଗ୍ରାମଟା...

 

–ଟେଲିଗ୍ରାମଟା ସତ । ଘଟଣାଟା ଏକବାର ଅଦ୍ଭୁତ । କମଳ, ସୁଖେନ୍ଦୁ,

 

–ଏଠିକି ଆସ ନା ! ଏମିତି ଗୁମ୍‌ସୁମ୍‌ ହୋଇ ଠିଆହୋଇ ରହିଛି କ’ଣ ପାଇଁ ? ମୁଁ ବଞ୍ଚି ରହିଛି ବୋଲି ତମେ ଦୁହେଁ ଖୁବ୍ ଦୁଃଖ ପାଇଯାଇଛ । ଦ୍ରାକ୍ଷା ସହଜ ଭାବରେ ହସି ହସି କହିଲା ।

 

କମଳେଶ ଓ ସୁଖେନ୍ଦୁ ବସିଲେ ନିଶ୍ଚୁପ ହୋଇ । ଘଟଣାଟା ବର୍ଣ୍ଣନା କଲା ଦ୍ରାକ୍ଷା–

 

ସେଦିନ ରାସ୍ତାରେ ଗୋଟାଏ ଭୀକାରୁଣୀ ଝିଅକୁ ବଞ୍ଚାଇବାକୁ ଯାଇ ଦ୍ରାକ୍ଷାର ଟାକ୍‌ସି ଗୋଟାଏ ସାଙ୍ଘାତିକ ଦୁର୍ଘଟଣାର ସମ୍ମୁଖୀନ ହେଲା । ଭିକାରୁଣୀଟି ବଞ୍ଚିଲା ନାହିଁ । ତା ଛୁଆଟି ଛିଟ୍‌କି ଗଲା ଖଣ୍ଡେ ଦୂରକୁ । ଭିକାରୁଣୀର ଦେହଟା ସମତୁଲ ହୋଇଗଲା ଟାକ୍‌ସିତଳେ ଟାକ୍‌ସିଟା ଗଛରେ ଧକ୍‌କା ଖାଇ ସମ୍ପୂର୍ଣ୍ଣ ଭଙ୍ଗିଗଲା । ଆରୋହୀ ମୃତ ବୋଲି ସମ୍ବାଦ ପ୍ରଚାର ହୋଇଗଲା । ଦ୍ରାକ୍ଷା ସେମାନଙ୍କ ଭିତରୁ ଜଣେ । ଅପର୍ଣ୍ଣା ଖବରଟା ପାଇବା ମାତ୍ରେ କମଳେଶ ଓ ସୁଖେନ୍ଦୁଙ୍କୁ ଟେଲିଗ୍ରାମ୍‌ଟିଏ କରିଦେଇ ହସ୍‌ପିଟାଲ ଧାଇଁଲା ଦ୍ରାକ୍ଷାର ଶେଷଦର୍ଶନ ପାଇଁ ।

 

ଦ୍ରାକ୍ଷା କିନ୍ତୁ ମରି ନ ଥିଲା । ମୃତ୍ୟୁସହ ସେ ସଂଗ୍ରାମ କରୁଥିଲା । ପୂରା ଗୋଟାଏ ସପ୍ତାହ ତାର ସଂଜ୍ଞା ଫେରିଲାନାହିଁ । ଡାକ୍ତରମାନେ ଆଶା ଛାଡ଼ି ଦେଇଥିଲେ । ଅପର୍ଣ୍ଣା ଦିନରାତି ଜଗି ବସିଥିଲା ବାନ୍ଧବୀ ପାଖରେ । ଶେଷରେ ଏକ ଅଲୌକିକ ଶକ୍ତି ବଳରେ ଦ୍ରାକ୍ଷାର ସଂଜ୍ଞା ଫେରିଲା । ଦ୍ରାକ୍ଷା ବିପଦର ସମସ୍ତ ଅତିକ୍ରମ କରି ଆସିଲା । ଦ୍ରାକ୍ଷା ଧୀରେ ଧୀରେ ସୁସ୍ଥ ହୋଇ ଉଠିଲା ।

 

ଦ୍ରାକ୍ଷା ସୁସ୍ଥ ହୋଇଉଠିବା ମାତ୍ରେ ଅପର୍ଣ୍ଣା ଭୁଲ ଟେଲିଗ୍ରାମଟିକୁ ସଂଶୋଧନ କରିଦେବା ପାଇଁ ଅବସର ଓ ମନୋବଳ ଫେରିପାଇଲା । ମାତ୍ର ଅକସ୍ମାତ୍ ଦ୍ରାକ୍ଷା ମୁଣ୍ଡରେ ଗୋଟାଏ ବିଚିତ୍ର ଭାବନା ଜୁଟିଗଲା ହସ୍‌ପିଟାଲ ବେଡ୍‌ରେ ଶୋଇ ଶୋଇ । ଟେଲଗ୍ରାମ୍‌ଟା ସଂଶୋଧନ କରିବାର କ’ଣ ସତରେ ପ୍ରୟୋଜନ ଅଛି ? ବର୍ତ୍ତମାନ ଦ୍ରାକ୍ଷାର ବଞ୍ଚିରହିବା ଓ ମରିବା ଦୁଇ ବନ୍ଧୁଙ୍କ ପାଖରେ କ’ଣ ବିଶେଷ କିଛି ପାର୍ଥକ୍ୟ ଆଣିବ ? ତାଙ୍କ ଜୀବନରେ ତା’ର ଆଉ କିଛି ଭୂମିକା ଅବଶିଷ୍ଟ ନାହିଁ-। ତା’ର ମୃତ୍ୟୁସମ୍ବାଦ ସେମାନେ ସପ୍ତାହେ ତଳେ ପାଇଥିବେ । ବିଶଦ ବିବରଣୀ ବୁଝିବା ପାଇଁ ବା ଦ୍ରାକ୍ଷାର ସତ୍କାର କରିବା ପାଇଁ ସେମାନେ ଧାଇଁ ଆସିନାହାନ୍ତି । ସେମାନେ ତାର କିଏ ? ବରଂ ଏ ସମ୍ବାଦଟା ସବୁଦିନ ତାଙ୍କ ପାଖରେ ସତ୍ୟ ହୋଇ ରହୁ– ଏ ସମ୍ବାଦ ତାଙ୍କ ନୂତନ ଜୀବନର ସହାୟକ ହେବ । ଦ୍ରାକ୍ଷା ଯଦି ଆଉ କୌଣସି ଦିନ ସେମାନଙ୍କ ଭିତରୁ କାହାରି ଜଣକର ଜୀବନକୁ ପରିପୂର୍ଣ୍ଣ କରିବା ପାଇଁ ଫେରିଯିବ ନାହିଁ–ସେଥିରେ ସେ ବାଧା ସୃଷ୍ଟି କରିବ କାହିଁକି ?

 

ତାଙ୍କ ଜୀବନରେ ଦ୍ରାକ୍ଷା ଅଧ୍ୟାୟର ଶେଷ ହେଉ । ସେମାନେ ଦୁଃଖର ସଂସାର କରି ସୁସ୍ଥ ସାମାଜିକ ଜୀବନ କାଟନ୍ତୁ । ଅପର୍ଣ୍ଣା ବୁଝିଗଲା କଥାଟା ।

 

ଏବେ ଦ୍ରାକ୍ଷାର ଇଚ୍ଛା ପୂର୍ଣ୍ଣ ହୋଇଛି । ତା’ପରେ ଦିଲ୍ଲୀ ଛାଡ଼ି ଅନ୍ୟତ୍ର ଚାଲିଗଲେ ମଧ୍ୟ ସେମାନଙ୍କର ଟିକିନିକି ଖବର ରଖିଛି ଦ୍ରାକ୍ଷା । ତାଙ୍କ ସୁଖରେ ସୁଖୀ ହେବାକୁ ଚେଷ୍ଟା କରିଛି ।

 

ଅଷ୍ଟ୍ରେଲିଆରେ ଗୋଟାଏ ଫାର୍ମରେ ମୋଟାଅଙ୍କର ସ୍ଥାୟୀ ଚାକିରୀ ପାଇ ଚାଲିଯିବା ପୂର୍ବରୁ ସେ ଶେଷଥର ପାଇଁ ଦୁଇ ବନ୍ଧୁଙ୍କର ସୁଖର ସଂସାର ନିଜ ଆଖିରେ ଦେଖିଯିବା ପାଇଁ ଆସିଛି । ଏବେ ଆଉ ସତ୍ୟପ୍ରକାଶରେ ଦୁଇ ବନ୍ଧୁଙ୍କ ଜୀବନରେ କିଛି ବିଚଳନ ହେବନାହିଁ । ସେମାନଙ୍କର ହୁଗୁଳାମନର ଲଗାମ୍ ଏବେ ଶୋଭନା ଓ ନୟନାଙ୍କ ହାତରେ । ଲଗାମ୍ ଦୃଢ଼ କରିଛନ୍ତି ଆନି ଓ ବବୁ । କଥା ଶେଷ କରି ହସିଉଠିଲା ଦ୍ରାକ୍ଷା । ମନଖୋଲି ସେ ହସିଲା ଅନେକ ଦିନ ପରେ ।

 

କମଳେଶ ଓ ସୁଖେନ୍ଦୁ ସଜଳ ନୟନରେ ଦ୍ରାକ୍ଷାର ଉଜ୍ଜଳ ମୁଖକୁ ଚାହିଁ ରହିଥିଲେ । ସେ ଦୃଷ୍ଟିରେ ଦ୍ରାକ୍ଷା ପାଇଁ ଅଜସ୍ର ପ୍ରଶସ୍ତି ।

 

ହଠାତ୍ କମଳେଶ ପଚାରିଲେ–ଏ ଝିଅଟି ? ଖୁବ୍ ସୁନ୍ଦର ହୋଇଛି । ଭାରି ସ୍ୱିଟ୍‌–

 

ଏ ମୋର ଝିଅ । ପ୍ରଥମରୁ କହିବାକୁ ଭୁଲିଯାଇଛି । କହ ତ କାହାପରି ହେଇଛି ? ମୋ ଭଳି ନୁହେଁ ? ସରି– ତମେମାନେ କେହିତ ତାର ଡାଡ଼ିକୁ ଦେଖିନାହିଁ । ଜାଣିବ କେମିତି ? ଦ୍ରାକ୍ଷା ନିର୍ବିକାର ଚିତ୍ତରେ କଥାଗୁଡ଼ାକ କହିଗଲା ।

 

ଦୁଇ ବନ୍ଧୁଙ୍କର ଉଜ୍ଜ୍ୱଳ ମୁହଁରେ ମେଘ ଢାଙ୍କି ଆସିଲା । ସପ୍ରଶଂସ ସଜଳ ଦୃଷ୍ଟିରେ ଘୃଣାର କୁହୁଡ଼ି ଘୋଟିଗଲା । ମୁଖର ଶିରାପ୍ରଶିରା କୁଞ୍ଚିତ ହେଲା ।

 

ସୁଖେନ୍ଦୁ ଛେପ ଢ଼ୋକି କହିଲେ– ତାର ଅର୍ଥ ?

 

ଦ୍ରାକ୍ଷା ହସିଉଠି କହିଲା ବାଃ ତାର ଅର୍ଥ ପୁଣି ମତେ ବୁଝାଇବାକୁ ହେବ ? ତମେ ବାପା ହୋଇଛ ସୁଖେନ୍ଦୁ– କମଳେଶ ମଧ୍ୟ । ମୁଁ କି ଅପରାଧ କରିଛି ସେ ମା’ହେବି ନାହିଁ ? ନାରୀ ହୃଦୟର ଚରମ କାମନାକୁ ପରିପୂର୍ଣ୍ଣ କରିବି ନାହିଁ ?

 

କମଳେଶ ଈର୍ଷାତୁର ବାଳକଟି ଭଳି ଭୁକୁଟି ନଚାଇ କହିଲେ– କିଏ ସେ କଥା ମନା କଲା ଦ୍ରାକ୍ଷା । ଥରେ ନୁହେଁ– ତମେ ବାରବାର ମା’ ହେବାରେ ଆମର ଆପତ୍ତି ନାହିଁ । କିଏ ସେଇ ପରମ ଭାଗ୍ୟବାନ୍‌ ବ୍ୟକ୍ତି ? ତାଙ୍କୁ ସଙ୍ଗରେ ଆଣିଲ ନାହିଁ କାହିଁକି ?

 

ଦ୍ରାକ୍ଷା ହସି ଉଠି କହିଲା– କାହିଁକି, ତାଙ୍କ ସଙ୍ଗେ ହାତହାତି ହୁଅନ୍ତ ନାଁ । କ’ଣ ? ତମ ଦୁହଁଙ୍କର ସେ ହାତହାତି ହେବାର ଘଟଣା ଅଙ୍ଗେ ଲିଭାଇବା ପରେ ମୁଁ ପୁଣି ତାଙ୍କୁ ତମ ସାମ୍ନାକୁ ଆଣିଆସନ୍ତି ? ପିଲଟାକୁ ବି ଆଣି ନ ଥାନ୍ତି । ଜିଦ କଲା ଆସିବାକୁ । ଶୋଭନା ଓ ନୟନା ହସି ଉଠିଲେ କୌତୁକରେ ।

 

ସୁଖେନ୍ଦୁ କୁଟୀଳ ଭଙ୍ଗୀରେ ପ୍ରଶ୍ନ କଲେ– ଭଦ୍ର ବ୍ୟକ୍ତିଙ୍କର ପରିଚୟ ? ଅର୍ଥାତ୍–ଘର କେଉଁଠି, କ’ଣ କରନ୍ତି । କହିବାରେ କ’ଣ କିଛି ଆପତ୍ତି ଅଛି ?

 

ଦ୍ରାକ୍ଷା ଉଦାସ ହେଇଗଲା । ଦୁଃଖଭରା କଣ୍ଠରେ କହିଲା ସେ କଥା ମତେ ମଧ୍ୟ ଜଣା ନାହିଁ । ଜାଣିପାରିଲେ ସେ ଚଣ୍ଡାଳଟାର ପାଦଧରି କହନ୍ତି ପିଲାଟାକୁ ପିତୃସ୍ନେହରୁ ବଞ୍ଚିତ ନ କରିବା ପାଇଁ । ମୁଁ ତାକୁ ମା’ ଭାବରେ ଯେତେ ସ୍ନେହ ଦେଲେ ବି ତା’ ମନର ଅର୍ଦ୍ଧେକ ଅଂଶ ଚିରଦିନ ଶୂନ୍ୟ ପଡ଼ିବ ପିତୃସ୍ନେହର ଅଭାବରେ ।

 

ନୟନା ସଜଳ କଣ୍ଠରେ ପ୍ରଶ୍ନ କଲା– କ’ଣ ହେଇଛି ଅପା ? ସେ ଲେକଟା ବି ତମକୁ ଶେଷରେ ଧୋକ୍‌କା ଦେଲା ?

 

ଶୋଭନାର ସୁନ୍ଦର ଆଖି ଦୁଇଟା ଅଶ୍ରୁ ଭାରରେ ଥମ୍ ଥମ୍ ହେଉଥିଲା । ଦ୍ରାକ୍ଷା କରୁଣ କଣ୍ଠରେ କହିଲା ମତେ ଧୋକ୍‌କା ଦେଲା ନାହିଁ । ଯେଉଁ ସୁନ୍ଦରୀ ଷୋଡ଼ଶୀ ଭିକାରୁଣୀ ଝିଅଟା ସେଦିନ ମୋ ଟାକ୍‌ସି ସାମ୍ନାରେ ରାଜରାସ୍ତା ଉପରେ ପ୍ରାଣବଳୀ ଦେଲା, ତାକୁଇ ଧୋକ୍‌କା ଦେଇଛି ପାଷଣ୍ଡ ଲୋକଟା । କଅଁଳ ବୟସରେ କେଉଁ ଉଦାର ପୁରୁଷର ମିଥ୍ୟା ପ୍ରତିଶ୍ରୁତିରେ ଭୁଲି ଝିଅଟା ଘରଛଡ଼ା ହେଇଗଲା । ଶେଷକୁ ସେଇ ଲୋକଟାର ଅବୈଧ ସନ୍ତାନକୁ କୋଳରେ ଧରି ଫୁଟ୍‌ ପାଥକୁ ଆଶ୍ରୟ କରିନେବାକୁ ହେଲା ବିଚାରୀକୁ । ଏମିତି କେତେ ଅବୈଧ ଅନାଥ ଶିଶୁ ରାଜରସ୍ତାରେ ଘୂରି ଘୂରି ନିଜର ଜନ୍ମରହସ୍ୟର ପଥ ଖୋଜୁଛନ୍ତି ତାର ହିସାବ ନାହିଁ । ଲୋନି ତାଙ୍କରି ଭିତରୁ ମାତ୍ର ଜଣେ । ସେଦିନ ପିତୃପରିଚୟହୀନ ଛୁଆଟା ମା’କୁ ହରାଇ ରାସ୍ତା ଉପରେ ଛଟ୍‌କି ପଡ଼ିଥିଲା ରକ୍ତାକ୍ତ ହେଇ । ମୋରି ପାଖ ବେଡ୍‌ରେ ତାର ଚିକିତ୍ସା ହେଉଥିଲା । ସୁସ୍ଥ ହେଇ ଉଠିବା ପରେ ତାକୁ କେଉଁଠିକି ପଠାଯିବ ତାହାହିଁ ବିଚାର ଚାଲିଥିଲା । ନିର୍ବୋଧ ଛୁଆଟା ମାଆକୁ ନ ଦେଖି ଅସହାୟ ଆଖିରେ ସମସ୍ତଙ୍କୁ ଚାହୁଁ ଥିଲା । ଘଡ଼ିକି ଘଡ଼ି ମୁହଁ ଫଟାଇ କାନ୍ଦି ଉଠୁଥିଲା । ଜୁଳୁ ଜୁଳୁ ନିରୀହ ଆଖିରେ ନିଜର ପରିଚୟ ଜିଜ୍ଞାସା କରୁଥିଲା । ତାର ନିର୍ବୋଧ ଆଖିରେ ଆଖିଏ ପ୍ରଶ୍ନ, ମୁଁ କିଏ–ମୁଁ କିଏ ?

 

ମୁଁ ତାର କାନ୍ଦୁରା ମୁହଁରେ ମୋ ତୃଷିତ ଅଧର ସ୍ପର୍ଶରେ ତା ପ୍ରଶ୍ନର ଉତ୍ତର ଲେଖିଲି– ତୁ ମୋର...ତୁ ମୋର । ତାପରେ ମତେ ବଞ୍ଚି ରହିବାର ଗୋଟାଏ ନୂତନ ପ୍ରେରଣା ମିଳିଗଲା । ଆଉ ମୋର ଦୁଃଖ କ’ଣ ? ସ୍ୱାମୀ, ସଂସାର, ପୁଅ-ଝିଅ ବଞ୍ଚି ରହିବାପାଇଁ ଗୋଟିଏ ଗୋଟିଏ ପ୍ରେରଣା-। ସେତିକିର ଅଭାବ ଥିଲା ମୋ ଜୀବନରେ । ଭାବୁଥିଲି ଜୀବନ କଟିବ କେମିତି ! ଏବେ ଆଉ ସେ ଭାବନା ନାହିଁ । ଲୋନି କୌଣସି ଦିନ ତାର ଜନ୍ମରହସ୍ୟ ଜାଣିବ ନାହିଁ ।ତାର ପରିଚୟ ଦେଇ ଠିଆହେବି ମୁଁ ।

 

ଦ୍ରାକ୍ଷାର ମୁଖରେ ଏକ ଅପୂର୍ବ ଆନନ୍ଦର ଆଭା ଛଳଛଳ ।

 

ସୁଖେନ୍ଦୁ ଓ କମଳେଶଙ୍କ ମନର ଆକାଶ ପୁଣି ଥରେ ମେଘମୁକ୍ତ ହେଇଯାଇଥିଲା । ସେ କଥା ଲକ୍ଷ୍ୟକରି ଦ୍ରାକ୍ଷା ମନେ ମନେ ସ୍ୱଗତୋକ୍ତ କଲା ସୁ-କମଳେନ୍ଦୁ, ତମେ ଦୁହେଁ ଏବେ ବି ମତେ ପ୍ରେମ କରୁଛ । ସେଥିପାଇଁ ମୋ ଜୀବନରେ ଅନ୍ୟ ପୁରୁଷର ଭୂମିକା ତମକୁ ଈର୍ଷାତୁର କରୁଛି । ତମ ଦୁହିଁଙ୍କର ଏଇ ନୀରବ ଗୋପନ ପ୍ରେମକୁ ପୁଞ୍ଜିକରି ମୁଁ ମୋ ଦୂରୁହ ଜୀବନ-ଯାତ୍ରାର ଗସ୍ତଖର୍ଚ୍ଚ ତୁଳାଇବି । ଯେଉଁଠି ଥିଲେ ବି ତମର ଏ ପ୍ରେମ ମୋ ହୃଦୟ–ବେଦୀରେ ପୂଜାର ସାମଗ୍ରୀ ଭଳି ପବିତ୍ର ସ୍ଥାନଟିଏ ବାଛିନେବ ଚିରଦିନପାଇଁ ।

 

ତା ପରଦିନ ଦ୍ରାକ୍ଷା ଫେରିଗଲା ଲୋନିକୁ ନେଇ । ଯେତେ ବାଧ୍ୟ କଲେ ବି ଆଉ ଦିନେ ଦୁଇଦିନ ରହିଲା ନାହିଁ । କମଳେଶ ଓ ସୁଖେନ୍ଦୁଙ୍କ ସୁଖର ସଂସାରରେ ଅତିଥି ହେଇ ଦିନେ ରହିବା ଓ ମାସେ ରହିବା ଏକ କଥା । ତାର ପ୍ରାପ୍ୟ ସେ ପାଇଯାଇଛି ଦୁହିଁଙ୍କ ପ୍ରେମଭରା ଦୃଷ୍ଟିର ଚାହାଣୀରୁ । ଫେରିଯିବାଟା ଯଦି ନିଶ୍ଚିତ, ତେବେ ବିଳମ୍ବ କରି ଲାଭ କ’ଣ ?

 

ବିଦାୟ ଦେବାପାଇଁ ଷ୍ଟେସନକୁ ଯାଇଥିଲେ । ଦୁଇ ବନ୍ଧୁ ସପରିବାର । ପ୍ଲାଟ୍‌ଫର୍ମ ଉପରେ ଦୁଇ ବନ୍ଧୁ ହାତରେ ହାତ ଛନ୍ଦି ଯୁଗଳ ମୂର୍ତ୍ତିଟିଏ ଭଳି ଠିଆ ହୋଇଥିଲେ ସଜଳ ନୟନରେ ଦ୍ରାକ୍ଷାର ଦୃଷ୍ଟିରେ ଦୃଷ୍ଟି ମିଳାଇ। ସେମାନଙ୍କର ଦୁଇପଟେ ସୁନ୍ଦର ଚିତ୍ରିତ ଫଟୋ ଫେମ୍‌ର ଦୁଇଧାର ଭଳି ଦୁଇପତ୍ନୀ ଶୋଭନା ଓ ନୟନା । ସାମ୍ନାରେ ହାତରେ ହାତଛନ୍ଦି ଠିଆ ହେଇଛନ୍ତି ସ୍ଥିର ଚିତ୍ରଟିଏ ଭଳି ଆନି ଓ ବବୁ । ଦ୍ରାକ୍ଷାର ମନେହେଲା, ସେଇ ସୁନ୍ଦର ସ୍ଥିରଚରିତ୍ରଟିକୁ ଫଟୋ ଫ୍ରେମ ଭଳି ବାନ୍ଧି ଦେଇଛନ୍ତି ଶୋଭନା ଓ ନୟନା । ସେମାନେ ଆଉ ବିଭକ୍ତ ହେବେନାହିଁ–ସେ ଯେମିତି ଥିଲା ଦୁହିଁଙ୍କ ଭିତରେ ଗୋଟାଏ ନିଷ୍ଠୁର ବିୟୋଗ ଚିହ୍ନ । ଯୁକ୍ତିଚିହ୍ନ ପାଇଁ ଦୁଇଟି ସରଳରେଖା ଆବଶ୍ୟକ । ସେ ତ ଥିଲା ଜଣେ ! ସେମାନଙ୍କୁ ସଂଯୁକ୍ତ କରନ୍ତା କେମିତି ?

 

ଟ୍ରେନ ଚାଲିବାକୁ ଆରମ୍ଭ କରିବା ମାତ୍ରେ ଦ୍ରାକ୍ଷା ଝରକାବାଟେ ହାତ ହଲାଇ କହିଲା– ବିଦାୟ ବନ୍ଧୁ ! ଚିର ବିଦାୟ । ଏ ଜନ୍ମରେ ଏଇ ଶେଷ ଦେଖା– ସୁଖୀ ହୁଅ, ସୁଖୀ ହୁଅ ସମସ୍ତେ–ଗଡ଼୍‌ ବ୍ଲେସ ୟୁ.....

 

ସ୍ଥିରଚିତ୍ରଟା ଝାପ୍‌ସା ହୋଇ ଆସୁଛି ଆଖିର ଦୃଷ୍ଟି ଜଳରେ । ଥରି ଥରି ଉଠୁଛି ଚିତ୍ରପଟଟି ହୃଦୟର ଆନ୍ଦୋଳିତ ବାତ୍ୟାରେ ।

 

ଅଶ୍ରୁ ପୋଛିନେଇ ଆଉଥରେ ମନଭରି ଦୁଇ ବନ୍ଧୁଙ୍କୁ ଦେଖି ନେବାକୁ ଚେଷ୍ଟାକଲା ଦ୍ରାକ୍ଷା । ହୃଦୟ ଭିତରେ ଚିରଦିନ ପାଇଁ ଆଙ୍କି ରଖିବାକୁ ପ୍ରୟାସ କଲା । ଅବାଧ୍ୟ ଆଖି ଲୁହରେ କିଛି ଆଉ ବାରି ହେଉନାହିଁ । କିଏ କମଳେଶ ! କିଏ ସୁଖେନ୍ଦୁ ? କିଏ ତାର ସ୍ୱାମୀ ,କିଏ ପୁଣି ସ୍ୱାମୀ ଙ୍କର ବନ୍ଧୁ ! କିଏ ତାର କ’ଣ ହୁଅନ୍ତି କିଛି ବୁଝି ହେଉନାହିଁ । ସୁଖେନ୍ଦୁ, କମଳେଶ ଦୁହେଁ ଏକାଭଳି ଦିଶୁଛନ୍ତି । ଦୁଇଜଣଯାକ ଆଖି ପୋଛୁଛନ୍ତି ରୁମାଲରେ ! କାହାରିକୁ ସେ ଠିକ୍ ଭାବେ ବାରି ପାରୁନାହିଁ । ହୃଦୟ ଭିତରେ ବି ସେମିତି ଗୋଟାଏ ଗୋଳମାଳିଆ ଭାବ ।

 

ନା, ସେମାନେ କେହି ଆଜି ତାର ସ୍ୱାମୀ ନୁହନ୍ତି– ସ୍ୱାମୀଙ୍କର ବନ୍ଧୁ ନୁହଁନ୍ତି । ଦୁହେଁ ତାର ପରମବନ୍ଧୁ–ପ୍ରିୟପୁରୁଷ । ଦୁହେଁ ତାର ପ୍ରେମ, ତାର ପ୍ରତାରଣା, ତାର ପ୍ରଶାନ୍ତ, ତାର ଯନ୍ତ୍ରଣା-। ସେ ଆଉଥରେ ସ୍ୱଗତୋକ୍ତି କଲା । ଗୁଡ୍ ବାଏ ମାଇଁ ଲଭ୍–ମାଇଁ ଲଭ୍‌–

 

ଟ୍ରେନ୍‌ର ଗତି ବଢ଼ିଗଲା ତା' ଆଖିର ଝର ଝର ଅଶ୍ରୁଧାର ସହ ତାଳଦେଇ ।

 

ଲୋନିର କଅଁଳ ହାତ ପୋଛି ନେଉଛି ତା ଆଖିର ଅଶ୍ରୁଧାର । ଦରୋଟି କଣ୍ଠରେ ତାର ଆକୁଳ ଜିଜ୍ଞାସା । ତମେ କାନ୍ଦୁଛ କାହିଁକି ମମି ? ତମେ କାନ୍ଦୁଛ କାହିଁକି ମମି ? ତମେ–ତମେ କାନ୍ଦୁଛ ମମି–ମମି–

 

ଅଝଟ ଜିଦ୍‌ରେ ଲହରେଇ ଲହରେଇ ତା ଲୁହ ସଙ୍ଗେ ସ୍ୱର ମିଶାଇ ଦେଲାଣି ଲୋନି ।

 

ତାକୁ ଛାତିରେ ଚାପିଧରି ଦ୍ରାକ୍ଷା କହିଲା–ନା–ନା, ମୁଁ କାନ୍ଦୁ ନାହିଁ, କାନ୍ଦୁ ନାହିଁ–ଏଇ ଶେଷ । ଆଉ କାନ୍ଦିବି ନାହିଁ କେବେ । ଦେଖ ମୁଁ ହସୁଛି, ମୁଁ ହସୁଛି ତୋ ଓଠରେ । ତୁ ହସି ଦେ–ହସିଦେ ଲୋନି ।

 

ଅପର୍ଯ୍ୟାପ୍ତ ହସୁଛି ଲୋନି । ସରଳ ଶିଶୁର କାନ୍ଦିବା ଆଉ ହସିବାର କୌଣସି ଧରାବନ୍ଧା ନିୟମ ନାହିଁ ।

 

ଲୋନି ଓଠରେ ଓଠ ମିଳାଇ ଦ୍ରାକ୍ଷା ବ୍ୟାକୁଳ ଭାବରେ ଟିକେ ହସ ତାକୁ ଧାର୍‌ ମାଗୁଛି-

Image